ସାରା ବିଶ୍ୱରେ କରୋନା ଭୂତାଣୁର ମ୍ୟୁଟେସନ୍‌କୁ ନେଇ ଚିନ୍ତା ଦେଖାଦେଇଛି। କରୋନାର ନୂଆ ଲକ୍ଷଣ କ’ଣ? କେତେବେଳେ ପରୀକ୍ଷା କରିବେ? ଏଭଳି ଅନେକ କିଛି ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି। ତେବେ କୋଭିଡ୍‌ର ନୂଆ ଲକ୍ଷଣ କ’ଣ? କେତେବେଳେ ଡାକ୍ତରଙ୍କ ପାଖକୁ ଯିବେ? ଶିଶୁଙ୍କୁ କୋଭିଡ୍‌ ହେଲେ କ’ଣ କରିବେ? ଏନେଇ ବିସ୍ତୃତ ଭାବେ କହିଛନ୍ତି ବିଶିଷ୍ଟ ଭେଷଜ ବିଶେଷଜ୍ଞ ଜୟନ୍ତ କୁମାର ପଣ୍ଡା।

ବର୍ଷେ ତଳେ ଆରମ୍ଭ ହୋଇଥିବା କୋଭିଡ୍‌ ଭୂତାଣୁର ଦ୍ଵିତୀୟ ମ୍ୟୁଟେସନ୍‌ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରୀରେ ଅଧିକ ସଂଖ୍ୟାରେ ଲୋକ ସଂକ୍ରମିତ ହେଉଛନ୍ତି।

ଅଧିକ ପଢ଼ନ୍ତୁ: ଟିକା ନେବା ପରେ ବି ମାସ୍କ ପିନ୍ଧନ୍ତୁ – ଡାକ୍ତର ଜୟନ୍ତ ପଣ୍ଡା

କୋଭିଡ୍‌ର ନୂଆ ଲକ୍ଷଣ କ’ଣ? (What are the new symptoms of COVID in Odia)

କୋଭିଡ୍‌ ପୂର୍ବ ଲହର ଅପେକ୍ଷା ଏଥରର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ। କୋଭିଡ୍‌ର ପ୍ରଥମ ଲହର ବେଳେ ଆକ୍ରାନ୍ତଙ୍କଠାରେ ନାକ ବନ୍ଦ ହେବା, ଛାତି ବଥା ହେବା, କାଶ ହେବା, ଜ୍ୱର ହେବା, ଧଇଁସଇଁ ହେବା, ଅବଶ ଲାଗିବା, ଅକ୍ସିଜେନ୍‌ ସାଚୁରେସନ୍‌ କମୁଥିବା ଭଳି ଲକ୍ଷଣ ଦେଖାଦେଉଥିଲା।

କିନ୍ତୁ, କୋଭିଡ୍‌ର ଦ୍ୱିତୀୟ ଲହରରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କଠାରେ କୌଣସି ଲକ୍ଷଣ ଦେଖାଦେଉ ନାହିଁ। ଅନେକଙ୍କର ପରୀକ୍ଷା କରିବା ବେଳେ ପଜିଟିଭ୍‌ ଥିବା ଜଣାପଡ଼ୁଛି, ହେଲେ ଲକ୍ଷଣବିହୀନ।

କୋଭିଡ୍‌ର ଦ୍ୱିତୀୟ ମ୍ୟୁଟାଣ୍ଟରେ ଅଧିକାଂଶ ଲୋକଙ୍କର ପତଳା ଝାଡ଼ା ହେବା, ବାନ୍ତି ହେବା, ପେଟ ଜନିତ ସମସ୍ୟା, ଚର୍ମ ଆଲର୍ଜି, ଅବଶ ଲାଗିବା, ଦୁର୍ବଳ ଲାଗିବା, ମୁଣ୍ଡ ବିନ୍ଧା ହେବା ଭଳି ଲକ୍ଷଣ ଦେଖାଦେଉଛି।

ଏହାଛଡ଼ା ସ୍ୱାଦ ଗନ୍ଧ ବାରି ନ ପାରିବା ଅନେକଙ୍କ ପାଖରେ ପ୍ରଥମଥର ଆର୍‌ଟିପିସିଆର୍‌ ଟେଷ୍ଟ ମଧ୍ୟ ପଜିଟିଭ୍‌ ଆସୁନାହିଁ। ଏମିତି ବି ଦେଖାଦେଉଛି, ଟେଷ୍ଟ ପଜିଟିଭ୍‌ ଆସୁଛି କିନ୍ତୁ ରୋଗୀଙ୍କ ପାଖରେ କୌଣସି ଲକ୍ଷଣ ଆସୁନାହିଁ।

କୋଭିଡ୍ ଟେଷ୍ଟ କେତେବେଳେ କରିବେ? (When will you do the Covid test in Odia)

ଏହି ସମୟରେ ଆପଣଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଯଦି ପଜିଟିଭ୍‌ ଥାଆନ୍ତି, ତେବେ କୋଭିଡ୍‌ ଟେଷ୍ଟ କରାଇନିଅନ୍ତୁ। ଯଦି ଆପଣଙ୍କ ପାଖରେ କୌଣସି ବି ଲକ୍ଷଣ ଦେଖାଦେଉଛି, ତାହେଲେ ପରୀକ୍ଷା କରନ୍ତୁ।

କିନ୍ତୁ, ଲକ୍ଷଣ ସତ୍ତ୍ଵେ ଯଦି ପରୀକ୍ଷା ନେଗେଟିଭ୍‌ ଆସୁଛି, ତେବେ ଡିଡାଇମର୍‌, ଫେରିଟିନ୍‌, ସିଆର୍‌ପି, ଏଲ୍‌ଡିଏଚ୍‌, ଛାତିର ଏକ୍ସରେ ଓ ସ୍କାନ ମଧ୍ୟ କରି ଦେଖାଯାଏ।

ଅଧିକ ପଢ଼ନ୍ତୁ: କରୋନାର ଦ୍ୱିତୀୟ ଲହର – କେତେବେଳେ ଡାକ୍ତରଖାନା ଯିବା ଆବଶ୍ୟକ?

କେତେବେଳେ ମେଡିକାଲ ଯିବା ଜରୁରୀ? (When should I go to the hospital in Odia)

ଜଣେ ହୋମ୍‌ ଆଇସୋଲେସନ୍‌ ବା ସଙ୍ଗରୋଧରେ ଥିଲେ ବି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ। ନିୟମିତ ବ୍ୟବଧାନରେ ପଲ୍ସ ରେଟ୍‌ ବା ହାର୍ଟ ରେଟ୍‌, ନିଶ୍ୱାସପ୍ରଶ୍ୱାସର ରେଟ୍‌, ଉଚ୍ଚରକ୍ତଚାପ, ତାପମାତ୍ରା, ଅକ୍ସିଜେନ୍‌ ସାଚୁରେସନ୍‌ ଆଦିର ପରୀକ୍ଷା କରନ୍ତୁ।

୧୦୦ ଉପରେ ହାର୍ଟ ରେଟ୍‌ ରହିଲେ, ୧୦୨ କିମ୍ବା ୧୦୩ ତାପମାତ୍ରା ରହିଲେ, ନିଶ୍ୱାସପ୍ରଶ୍ୱାସ ୨୪-୨୫ରୁ ବଢ଼ି ୩୦-୩୫ ପର୍ଯ୍ୟନ୍ତ ଯାଏ ଓ ଉଚ୍ଚ ରକ୍ତଚାପ ୧୦୦ରୁ କମିଯାଏ, ତାହେଲେ ନିଶ୍ଚିତ ଭାବରେ ଏହା ଏକ ଗୁରୁତର ରୋଗର ନିର୍ଣ୍ଣାୟକ। ଏଭଳି ପରିସ୍ଥିତିରେ ଡାକ୍ତରଖାନାରେ ଆଡମିଟ୍‌ ହେବା ଜରୁରୀ।

ଅକ୍ସିଜେନ୍ ସ୍ତର କମିଗଲେ କ’ଣ କରିବେ? (What to do if your oxygen level drops in Odia)

ହୋମ୍‌ ଆଇସୋଲେସନ୍‌ରେ ଥିବା ବ୍ୟକ୍ତିଙ୍କଠାରେ ଅକ୍ସିଜେନ୍‌ ସାଚୁରେସନ୍‌ କମେ, ଧଇଁସଇଁ ଲାଗେ, ଯେତେବେଳେ ଯାଏଁ ସେ ହସ୍ପିଟାଲ ଯାଇନାହାନ୍ତି, ସେହି ସମୟରେ ପ୍ରାଣାୟାମ କରିପାରିବେ, ଯୋଗ କରିପାରିବେ, ମୁହଁ ମାଡ଼ି ଶୋଇପାରିବେ। ଭୟଭୀତ ନ ହୋଇ ଚୁପ୍‌ଚାପ ଗୋଟେ ସ୍ଥାନରେ ବସିଲେ ବା ମୁହଁ ମାଡ଼ି ଶୋଇଲେ ଅକ୍ସିଜେନ୍‌ ସାଚୁରେସନ୍‌ ଠିକ୍‌ ରହିବ।

ଶିଶୁଙ୍କୁ କୋଭିଡ୍ ହେଲେ କ’ଣ କରିବେ? (What to do if the baby has COVID in Odia)

ଛଅ ବର୍ଷରୁ ତଳ ଶିଶୁଙ୍କୁ ମାସ୍କ ପିନ୍ଧାଇଲେ, ସେମାନେ ଧଇଁସଇଁ ହେବା, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ହେବାର ସମ୍ଭାବନା ଥାଏ। ତେଣୁ ସେମାନଙ୍କୁ ମାସ୍କ ପିନ୍ଧାନ୍ତୁ ନାହିଁ।

ଛୋଟ ଶିଶୁ କୋଭିଡ୍‌ ଆକ୍ରାନ୍ତ ହେଲେ ତାଙ୍କୁ ଗୋଟେ ଘରେ ଆଇସୋଲେଟ୍‌ କରିପାରିବେ। ତାଙ୍କ ମା’ ତାଙ୍କର ଯତ୍ନ ନେବା ଆବଶ୍ୟକ। ଶିଶୁ ବଦଳରେ ଘରର ଅନ୍ୟ ସଦସ୍ୟମାନେ ମାସ୍କ ପିନ୍ଧନ୍ତୁ। ଯେହେତୁ ଶିଶୁ ଘର ଭିତରେ ରହିବ, ସେ ଅନ୍ୟକୁ ସଂକ୍ରମଣ କରିପାରିବ ନାହିଁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜୟନ୍ତ କୁମାର ପଣ୍ଡାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on New Symptoms of COVID-19, in Odia language, is based on an extensive interview with Medicine Specialist Dr Jayanta Kumar Panda.