କମ୍ପ୍ୟୁଟର ସାମ୍ନାରେ ଘଣ୍ଟା ଘଣ୍ଟା କାମ କରିବା ସମୟରେ ଆପଣଙ୍କ ଆଖି ଚାପଗ୍ରସ୍ତ ଓ ଯନ୍ତ୍ରଣା ହେଉଛି କି? ଯଦି ଏହା ହୁଏ, ତେବେ ଆପଣ ଆଖି ପାଇଁ କେତେକ ବ୍ୟାୟାମ କରିପାରିବେ ଯାହାକି ଆଖିକୁ ଆରାମ ଦେଇଥାଏ।

ଆଜିକାଲି ବ୍ୟସ୍ତବହୁଳ ଜୀବନରେ କାର୍ଯ୍ୟରତ ଲୋକଙ୍କୁ ୮ରୁ ୧୦ ଘଣ୍ଟା କମ୍ପ୍ୟୁଟର, ଲାପଟପ୍‌ ଆଗରେ ବସି କାମ କରିବାକୁ ପଡ଼ୁଛି। ଏହାଦ୍ଵାରା ଆପଣଙ୍କ ଆଖି ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏପରି ପରିସ୍ଥିତିରେ ଆଖିକୁ ଆରାମ ଦେବା ପାଇଁ କେତେକ ବ୍ୟାୟାମ କରନ୍ତୁ। ଏହାଦ୍ୱାରା ଆଖିକୁ ଆରାମ ଲାଗିଥାଏ।

ଫୋକସ୍‌ ବଦଳାନ୍ତୁ – ଏହି ବ୍ୟାୟାମକୁ ଆପଣ ଯେକୌଣସି ସମୟରେ କରିପାରିବେ। ଏହା କରିବା ପାଇଁ ଆଖିର ସମ୍ମୁଖରେ ଆଙ୍ଗୁଠିକୁ ସ୍ଥିର କରି ରଖନ୍ତୁ ଏବଂ ଆଙ୍ଗୁଠିକୁ କିଛି ସମୟ ଦେଖନ୍ତୁ। କିଛି ସମୟ ପରେ, ଦୂର ବସ୍ତୁକୁ ଚାହିଁ ରହନ୍ତୁ। ଏଭଳି ଭାବେ ୩ଥର କରନ୍ତୁ।

ଅଧିକ ପଢ଼ନ୍ତୁ: ଆଖିରୁ ପାଣି ଗଡ଼ିବା ସମସ୍ୟା, ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ଇଂରାଜୀ ଆଠ ନମ୍ବର – ପାଖାପାଖି ୧୦ ଫୁଟ୍‌ ଦୂରତାରେ ଥିବା କାନ୍ଥ କିମ୍ବା କବାଟକୁ ଚାହାନ୍ତୁ। ଉକ୍ତ ସ୍ଥାନରେ କଳ୍ପନାତ୍ମକ ଭାବେ ଆଠ ନମ୍ବର ଲେଖନ୍ତୁ।

୨୦-୨୦-୨୦ ନିୟମ – ଲଗାତାର କମ୍ପ୍ୟୁଟର, ମୋବାଇଲ କିମ୍ବା ବହି ଦେଖୁଥିଲେ ଆଖି ଉପରେ ଚାପ ପଡ଼ିଥାଏ। ତେଣୁ ପ୍ରତି ୨୦ ମିନିଟ୍‌ରେ ଥରେ କମ୍ପ୍ୟୁଟର, ମୋବାଇଲ କିମ୍ବା ବହିରୁ ଆଖି ହଟାଇ ୨୦ ଫୁଟ୍‌ ଦୂରକୁ ୨୦ ସେକେଣ୍ଡ ପାଇଁ ଚାହିଁ ରହନ୍ତୁ। ଏହା କରିବା ଦ୍ଵାରା ଆଖିକୁ ବିଶ୍ରାମ ମିଳିଥାଏ।

ଆଙ୍ଗୁଠି ଉପରେ ଧ୍ୟାନ ଦିଅନ୍ତୁ: ପ୍ରଥମେ ନିଜ ଆଙ୍ଗୁଠିକୁ ଆଖି ସିଧାରେ ସାମାନ୍ୟ ଦୂରରେ ରଖନ୍ତୁ। ଆପଣଙ୍କ ଆଙ୍ଗୁଠି ଉପରେ ଧ୍ୟାନ ଦିଅନ୍ତୁ। ଆଙ୍ଗୁଠିକୁ ବାମ ଓ ଡାହାଣ ବୁଲାନ୍ତୁ ଓ ଧୀରେ ଧୀରେ ଆଖିର ନଜର ଆଙ୍ଗୁଠି ଅନୁସାରେ ବୁଲାନ୍ତୁ। ତିନିଥର ଏହି ଅଭ୍ୟାସକୁ ପୁନରାବୃତ୍ତି କରନ୍ତୁ।