ଶରୀରର ଭିନ୍ନ ଭିନ୍ନ ଅଙ୍ଗରେ ଯନ୍ତ୍ରଣା ହେବା ଏବଂ ଆଘାତ ଲାଗିଲେ ଗରମ ବା ଥଣ୍ଡା ସେକ ବହୁତ ଉପଯୋଗୀ ହୋଇଥାଏ। କେଉଁ ଅଙ୍ଗରେ ଯନ୍ତ୍ରଣା ହେଲେ କେଉଁ ସେକ ଦେବେ ତାହା ଜାଣନ୍ତୁ।

ଆର୍ଥରାଇଟିସରୁ ଆରମ୍ଭ କରି ମାଂସପେଶୀ କ୍ରାମ୍ପ ହୋଇଯିବା ଏବଂ ଫୁଲିବା ଯାଏଁ ସେକ ଖୁବ୍ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଆଇସ୍‌ ପ୍ୟାକ୍ସ କିମ୍ବା ହିଟିଙ୍ଗ୍ ପ୍ୟାଡ୍ ଦ୍ୱାରା ଏହି ସେକ ଦିଆଯାଇପାରିବ। ଏହାର ଦୁଇଟି ଫର୍ମୁଲା ରହିଛି ଯନ୍ତ୍ରଣା ତୀବ୍ର ହେଉଥିଲେ ଥଣ୍ଡା ସେକ ଦିଆଯାଇଥାଏ ଏବଂ ଯନ୍ତ୍ରଣା ଦୀର୍ଘ ଦିନ ଧରି ଲାଗିରହିଥିଲେ ଗରମ ସେକ ଦେବା ଆବଶ୍ୟକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସେକ ଦେବା ପାଇଁ କିଛି ଅର୍ଥ ଖର୍ଚ୍ଚ ହୋଇନଥାଏ।

ଗରମ ସେକ

ଗରମ ସେକ ମାଧ୍ୟମରେ ଶରୀରର ଏକ ନିର୍ଦ୍ଦିଷ୍ଟ ଅଂଶର ତାପମାତ୍ରାକୁ ବୃଦ୍ଧି କରାଯାଇଥାଏ। ତେଣୁ ରକ୍ତ ପ୍ରବାହ ତ୍ୱରାନ୍ଵିତ ହୁଏ ପ୍ରଭାବିତ ସ୍ଥାନର ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ଯନ୍ତ୍ରଣାରୁ ଆରାମ ମିଳିଥାଏ। ଗରମ ସେକ ମଧ୍ୟ ଦୁଇପ୍ରକାର ହୋଇଥାଏ ଶୁଖିଲା ସେକ ଏବଂ ଓଦା ସେକ। ଉଭୟ ପ୍ରକାର ସେକରେ ତାପମାତ୍ରାକୁ ଠିକ୍‌ ରଖିବା ଆବଶ୍ୟକ। ଶୁଖିଲା ସେକରେ ହିଟିଙ୍ଗ ପ୍ୟାଡ, ହାଇ ହିଟିଂ ପ୍ୟାକ୍ ଇତ୍ୟାଦି ସାମିଲ। ଓଦା ସେକ ସମୟରେ ଷ୍ଟିମ୍‌ଡ ଟାଓ୍ଵେଲ, ଓଦା ହିଟିଂ ପ୍ୟାକ୍ସ ତଥା ଗରମ ପାଣି କିମ୍ବା ଗରମ ଜଡ଼ିବୁଟିରେ ସ୍ନାନ ଇତ୍ୟାଦି କରାଯାଇଥାଏ। ଓଦା ସେକ ଅଧିକ ପ୍ରଭାବଶାଳୀ ହୋଇଥାଏ।

ଥଣ୍ଡା ସେକ

କୋଲ୍ଡ ଥେରାପିକୁ କ୍ରାୟୋଥେରାପି ବୋଲି କୁହାଯାଇଥାଏ। ଏହାଦ୍ୱାରା ଶରୀରର ଏକ ନିର୍ଦ୍ଦିଷ୍ଟ ଅଙ୍ଗରେ ରକ୍ତର ପ୍ରବାହ କମ ହୋଇଯାଏ। ଏହା ଅସ୍ଥାୟୀ ଭାବେ ଶିରାର ଗତିବିଧିକୁ କମ୍‌ କରିଦିଏ। ଏହାଯୋଗୁଁ ଫୁଲିବା କମ ହୋଇଯାଇଥାଏ। ଥଣ୍ଡା ସେକ ମଧ୍ୟ ବିଭିନ୍ନ ପ୍ରକାରର ହୋଇଥାଏ। ଏଥିରେ ଆଇସ ପ୍ୟାକ୍ସ, ଫ୍ରୋଜେନ ଜେଲ ପ୍ୟାକ୍ସ, କୁଲେଣ୍ଟ ସ୍ପ୍ରେ, ଆଇସ ମସାଜ, ଆଇସ ବାଥ ଇତ୍ୟାଦି ସାମିଲ।

କେଉଁ ଯନ୍ତ୍ରଣାରେ କେଉଁ ସେକ ଦେବେ?

ଅଣ୍ଟା ଯନ୍ତ୍ରଣା: ସାଧାରଣତଃ ଧାରଣା ରହିଛି ଯେ ଅଣ୍ଟାରେ ଯନ୍ତ୍ରଣା ହେଲେ ଗରମ ସେକ ଦେବା ଉଚିତ। କିନ୍ତୁ ବିଶେଷଜ୍ଞମାନଙ୍କ ଅନୁସାରେ ଏହାଯୋଗୁଁ ଫୁଲିବା ବଢ଼ିପାରେ। ପ୍ରାଥମିକ ଭାବେ ୨-୩ ଦିନ ଧରି ଯନ୍ତ୍ରଣା ହେଉଥିବା ସ୍ଥାନରେ ବରଫ ସେକ ଦିଅନ୍ତୁ। ଯନ୍ତ୍ରଣା ପୁରୁଣା ହୋଇଥିଲେ ଏବଂ ଫୁଲା ନଥିଲେ ଥଣ୍ଡା ପାଣିର ସେକ ଦେଇପାରିବେ।

ଆଣ୍ଠୁ ଯନ୍ତ୍ରଣା: ଆଣ୍ଠୁରେ ଅତ୍ୟଧିକ ଯନ୍ତ୍ରଣା ହେଉଥିଲେ ଥଣ୍ଡା ପାଣିର ସେକ ଦିଅନ୍ତୁ।  ଏହାଦ୍ୱାରା ମାଂସପେଶୀରେ କ୍ରାମ୍ପସ ହେବନାହିଁ।

ପାଦ ଯନ୍ତ୍ରଣା: ପାଦ ମୋଡ଼ି ହୋଇଯିବା, ପାଦ ଫୁଲିଯିବା, ସେଥିରୁ ରକ୍ତ ବାହାରିବା ଇତ୍ୟାଦି ସମସ୍ୟା ସମୟରେ ବରଫ ସେକ ଦେବା ଅତ୍ୟନ୍ତ ସୁଫଳ ଦେଇଥାଏ। ଏହାଦ୍ୱାରା ଫୁଲା କମିବା ସହ ରକ୍ତ ବୋହିବା ବି ବନ୍ଦ ହୁଏ।

ଆର୍ଥରାଇଟିସ୍: ଆର୍ଥରାଇଟିସ ହୋଇଥିଲେ ଉଭୟ ଥଣ୍ଡା ଓ ଗରମ ସେକ ଦିଅନ୍ତୁ। ଗରମ ସେକ ଦ୍ୱାରା ରକ୍ତ ସଞ୍ଚାଳନ ବଢ଼ିଥାଏ ଗଣ୍ଠି ସ୍ଥାନ ରିଲାକ୍ସ ହୋଇଥାଏ। ଥଣ୍ଡା ସେକ ଦେବା ଫଳରେ ଫୁଲିବା ଏବଂ ଯନ୍ତ୍ରଣା ଉଭୟ କମେ। ତେଣୁ ଉଭୟ ସେକ ଦିଅନ୍ତୁ।

ଓ୍ୱାର୍କଆଉଟ ପରେ ଯନ୍ତ୍ରଣା: ଓ୍ୱାର୍କଆଉଟ ପରେ ଶରୀରର କୌଣସି ସ୍ଥାନରେ ଯନ୍ତ୍ରଣା ହେଉଥିଲେ ଥଣ୍ଡା ସେକ ଦିଅନ୍ତୁ। ଗରମ ସେକ ଦେଲେ ଯନ୍ତ୍ରଣା ବଢ଼ିଯିବ।

ଋତୁସ୍ରାବ ଜନିତ ଯନ୍ତ୍ରଣା: ଋତୁସ୍ରାବ ହେଉଥିଲେ ପେଟରେ ଗରମ ପାଣି ବୋତଲ ଦ୍ୱାରା ସେକ ଦିଅନ୍ତୁ। ଏହା ଗର୍ଭାଶୟର ମାଂସପେଶୀକୁ ରିଲାକ୍ସ କରିବାରେ ସହାୟକ ହେବ। ତେବେ ଯେକୌଣସି ପ୍ରକାର ସେକ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ।