Mosquitoes dengue

ମ୍ୟାଲେରିଆ ଜ୍ୱରକୁ ସାଧାରଣ ଜ୍ୱର ଭାବି ଅଣଦେଖା କରନ୍ତୁ ନାହିଁ।

ସାଧାରଣତଃ ମ୍ୟାଲେରିଆ ମଶା କାମୁଡ଼ିବା ଯୋଗୁଁ ହୋଇଥାଏ। ପ୍ଲାଜ୍‌ମୋଡିୟମ୍‌ ପାରାସାଇଟ୍‌ସ ଦ୍ଵାରା ସଂକ୍ରମିତ ମଶା ମଣିଷକୁ କାମୁଡ଼ିବା ଦ୍ଵାରା ମ୍ୟାଲେରିଆ ହୋଇଥାଏ। ମଶା କାମୁଡ଼ିବା ଦ୍ୱାରା ମଶାର ଲାଳରୁ ପାରାସାଇଟ୍‌ ମଣିଷ ରକ୍ତରେ ମିଶେ, ଫଳରେ ମ୍ୟାଲେରିଆ ହୋଇଥାଏ। ମଶା ବିଭିନ୍ନ ପ୍ରକାରର। ସାଧାରଣତଃ ଆନାଫେଲିସ୍‌ ମଶା କାମୁଡ଼ିବା ଦ୍ୱାରା ମ୍ୟାଲେରିଆ ହୋଇଥାଏ।

ଏହି ପାରାସାଇଟ୍‌ ଲିଭରକୁ ଯାଇ ବଂଶବୃଦ୍ଧି କରିଥାଏ ଏବଂ ରୋଗ ସୃଷ୍ଟି କରିଥାଏ। ମ୍ୟାଲେରିଆ ହେଲେ ରୋଗୀକୁ ଥଣ୍ଡା ହେବା ସଙ୍ଗେ ସଙ୍ଗେ ମୁଣ୍ଡ ବିନ୍ଧା ଓ ଭୀଷଣ ଜ୍ଵର ହୋଇଥାଏ।

ମ୍ୟାଲେରିଆର ଲକ୍ଷଣ

ସଂକ୍ରମିତ ମଶା କାମୁଡ଼ିବାର ୧୦ କିମ୍ବା ୧୪ ଦିନ ପରେ ମ୍ୟାଲେରିଆର ଲକ୍ଷଣ ଜଣାପଡ଼େ। ମ୍ୟାଲେରିଆର ଲକ୍ଷଣଗୁଡ଼ିକ ହେଲା:

ଜ୍ଵର ହେବା

ମୁଣ୍ଡ ବିନ୍ଧା ହେବା

ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେବା

ଦୁର୍ବଳ ଲାଗିବା

ପେଟ ଯନ୍ତ୍ରଣା ହେବା

ରାତିରେ ଝାଳ ବାହାରିବା

ମାଂସପେଶୀ ଯନ୍ତ୍ରଣା ହେବା

ମ୍ୟାଲେରିଆର ପରୀକ୍ଷା

ଆନାଫେଲିସ୍‌ ମଶା କାମୁଡ଼ିବାର ୧୦ ବା ୧୫ ଦିନ ପରେ ମ୍ୟାଲେରିଆର କୌଣସି ଲକ୍ଷଣ ଜଣାପଡ଼ିଲେ ତୁରନ୍ତ ପରୀକ୍ଷା କରିବା ଜରୁରୀ। ମ୍ୟାଲେରିଆ ହୋଇଛି କି ନାହିଁ ଜାଣିବା ପାଇଁ ମ୍ୟାଲେରିଆ ପାରାସାଇଟ୍‌ସର ଆଣ୍ଟିଜେନ୍‌ ଟେଷ୍ଟ କରାଯାଏ। ଏହାସହ ରକ୍ତ ପରୀକ୍ଷା ଓ ପିସିଆର୍‌ ପରୀକ୍ଷା କରାଯାଏ।

ମ୍ୟାଲେରିଆର ଚିକିତ୍ସା

ସମସ୍ୟାକୁ ଦେଖି ଚିକିତ୍ସା ଭିନ୍ନ ଭିନ୍ନ। ଯଦି ମ୍ୟାଲେରିଆ ପ୍ରାଥମିକ ଅବସ୍ଥାରେ ଅଛି, ତେବେ କେବଳ ଆଣ୍ଟିବାୟୋଟିକ୍‌ ଥେରାପି ଓ ଆଣ୍ଟି ମ୍ୟାଲେରିଆଲ ଥେରାପି ଦିଆଯାଏ।

ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ିଥାଏ।

ମ୍ୟାଲେରିଆକୁ କିପରି ରୋକିବେ

ଘର ଆଖପାଖ ଅଞ୍ଚଳ ପରିଷ୍କାର ରଖିବା ଦରକାର। ପାଣି ଟାଙ୍କି, କୁଲରରେ ପାଣି ଜମି ଜମି ସେଠାରେ ମଶାମାନେ ବଂଶବୃଦ୍ଧି କରିଥା’ନ୍ତି। ତେଣୁ ସେସବୁ ଜାଗାକୁ ସଫା ରଖନ୍ତୁ। ଏହାଛଡ଼ା ମଶା ନ କାମୁଡ଼ିବା ପାଇଁ ଲୋସନ୍‌ ଲଗାଇ ବାହାରକୁ ଯାଆନ୍ତୁ। ସବୁବେଳେ ପୁରା ହାତ ଡ୍ରେସ୍‌ ପିନ୍ଧିବା ଦରକାର।

ଘରେ ମଶା ନ ଆସିବା ପାଇଁ ବଜାରରେ ମିଳୁଥିବା କଏଲ୍‌ ବ୍ୟବହାର କରିପାରିବେ।