soap in face

ତ୍ୱଚାରେ ଚମକ ବଜାୟ ରଖିବା ପାଇଁ ଅଧିକାଂଶ ମହିଳା ନାନା ପ୍ରକାର କସମେଟିକ୍ ଉତ୍ପାଦ ବ୍ୟବହାର କରିଥାଆନ୍ତି, ଯାହାକି ସେମାନଙ୍କର ତ୍ୱଚାକୁ ଭଲ କରିବା ପରିବର୍ତ୍ତେ ଖରାପ କରିଥାଏ। କେବଳ ଘରୋଇ ଉପାୟରେ ବି ତ୍ୱଚାରେ ଚମକ ଆଣିପାରିବେ।

ଖରାଦିନେ ତ୍ଵଚା ତେଲିଆ ହେବା ସହ ମୁହଁରେ ବ୍ରଣ ବାହାରିଥାଏ। ତେଣୁ ଭିଟାମିନ୍‌ ସି’ଯୁକ୍ତ ଖାଦ୍ୟ ଯେପରିକି କମଳା, ଲେମ୍ବୁ, ମସମ୍ବୀ ଓ ପିଜୁଳିକୁ ଖାଦ୍ୟରେ ସାମିଲ କରନ୍ତୁ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଥାଏ ଯାହାକି କୋଲାଜେନ୍ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିଥାଏ। ଏହି କୋଲାଜେନ୍ ତ୍ୱଚାର ମାଂସପେଶୀକୁ ଟାଇଟ୍‌ କରିଥାଏ।

ସେହିପରି ନିୟମିତ ଭାବେ ଅଣ୍ଡା ଖାଇବାକୁ ଅଭ୍ୟାସ କରନ୍ତୁ। ଅଣ୍ଡାରେ ଥିବା ଆମିନୋଏସିଡ୍ ମଧ୍ୟ କୋଲାଜେନ୍ ପ୍ରସ୍ତୁତି ପାଇଁ ଆବଶ୍ୟକ।

ଖରାଦିନେ ଆମ୍ବ ପ୍ରଚୁର ପରିମାଣରେ ମିଳିଥାଏ। ତେଣୁ ଖାଦ୍ୟରେ ଆମ୍ବକୁ ସାମିଲ କରନ୍ତୁ। ଫଳକୁ ଜୁସ୍‌ କରି ପିଅନ୍ତୁ ନାହିଁ। ଏହାଦ୍ୱାରା ଫଳରେ ଥିବା ଫାଇବର ଓ ମିନେରାଲ୍ସ ନଷ୍ଟ ହୋଇଯାଇଥାଏ। ପ୍ରତିଦିନ ସକାଳୁ ସଝା ଅଣ୍ଡା ଏବଂ ଆମ୍ବ ଖାଇବାକୁ ଚେଷ୍ଟା କରନ୍ତୁ।

ଟମାଟୋରେ ରୋଗ ପ୍ରତିରୋଧକ ଶକ୍ତି ସହିତ ଚାରୋଟି ଗୁରୁତ୍ୱପୂର୍ଣ୍ଣ କାରୋଟେନଏଡ୍ (ଆଲ୍ଫା କାରୋଟିନ୍, ବିଟା କାରୋଟିନ୍, ଲ୍ୟୁଟିନ୍ ଏବଂ ଲାଇକୋପିନ୍) ପ୍ରଚୁର ପରିମାଣରେ ମହଜୁଦ ଥାଏ। ଏହା ତ୍ୱଚାକୁ ସୁନ୍ଦର କରିବା ସହିତ କର୍କଟ ରୋଗ ଏବଂ ହୃଦ୍‌ରୋଗର ଆଶଙ୍କାକୁ କମ୍‌ କରିଥାଏ।

ଗ୍ରୀନ୍ ଟି’ରେ ପ୍ରଚୁର ପରିମାଣର କାଟେଚିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ହୃତପିଣ୍ଡକୁ ସୁସ୍ଥ ରଖିଥାଏ। ଏହା ମଧ୍ୟ ଶରୀରରୁ ସମସ୍ତ ପ୍ରକାର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ଉଲ୍ଳେଖନୀୟ ଭୂମିକା ଗ୍ରହଣ କରିଥାଏ। ପରୋକ୍ଷରେ ଏହାଦ୍ୱାରା ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ହୋଇଥାଏ।

-ପ୍ରାତଃଭୋଜନରେ କୌଣସି ପ୍ରକାର ଟୋଷ୍ଟ ଖାଉଥିଲେ ତା’ ଉପରେ ଚିମୁଟାଏ ଡାଲଚିନି ଗୁଣ୍ଡ ପକାଇ ଦିଅନ୍ତୁ। ଏହା ଆପଣଙ୍କର ରକ୍ତରେ ଶର୍କରାର ମାତ୍ରାକୁ ସନ୍ତୁଳିତ ରଖିବ। ଓଜନ ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ। ଏହାଛଡ଼ା ପ୍ରତ୍ୟେହ ରାତିରେ ନଖ ଉଷୁମ କ୍ଷୀରରୁ ସର କାଢ଼ି ଏଥିରେ ଚିମୁଟାଏ ଡାଳଚିନି ଗୁଣ୍ଡ ମିଶାଇ ପିଅନ୍ତୁ।

-ପ୍ରତ୍ୟହ ଖାଇବାରେ ପିଆଜ, ରସୁଣକୁ ସାମିଲ କରନ୍ତୁ। ଏହାଦ୍ୱାରା ଧମନୀରେ ରକ୍ତର ପ୍ରବାହ ଠିକ୍ ହୋଇଥାଏ। ଶରୀରରୁ ଦୂଷିତ ପଦାର୍ଥ ବାହାରିବାକୁ ତ୍ୱଚା ଚମକି ଉଠେ।