କେମିତି କିଡ୍‌ନିକୁ ସୁସ୍ଥ ରଖିବେ? ଆସନ୍ତୁ ବିଶିଷ୍ଟ କିଡ୍‌ନି ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କଠାରୁ ଏବିଷୟରେ ବିସ୍ତୃତ ଭାବେ ଜାଣିବା।

ଆମ ଶରୀରରେ କିଡ୍‌ନି ହେଉଛି ଏକ ଫିଲଟର୍‌ ଭଳି। ଅପରିଷ୍କାର ରକ୍ତକୁ ଛାଣି ଶରୀରକୁ ବିଶୁଦ୍ଧ ରକ୍ତ ଯୋଗାଇବା କିଡ୍‌ନିର ମୁଖ୍ୟ କାମ।    ତେଣୁ କିଡ୍‌ନିକୁ ସୁସ୍ଥ ରଖିବା ନିହାତି ଦରକାର।

କିଡ୍‌ନି ସୁସ୍ଥ ରହିବା କାହିଁକି ଜରୁରୀ? (Importance of a Healthy Kidney in Odia)

ଶରୀରରୁ ବର୍ଜ୍ୟବସ୍ତୁ ବାହାରିଗଲେ ତାହା ସୁସ୍ଥ ରହିଥାଏ। ଯଦି ଅପରିଷ୍କାର ଜିନିଷ ଦେହ ଭିତରେ ରହେ, ତେବେ ଭୋକ ହେବନି, ମୁହଁ ହାତ ଫୁଲିଯିବ, କାମ କରିବାକୁ ଆଗ୍ରହ ହୋଇନଥାଏ, ଦୁର୍ବଳ ଲାଗିବ। କିଡ୍‌ନିର ଆଉ ଏକ ମୁଖ୍ୟ କାର୍ଯ୍ୟ ହେଉଛି ଶରୀରରେ ପାଣିର ମାତ୍ରା, ୟୁରିଆ, କ୍ରିଏଟିନିନ୍‌, କ୍ୟାଲ୍‌ସିୟମ୍‌, ଫସ୍‌ଫରସ୍‌ ଆଦିକୁ ସନ୍ତୁଳିତ କରିବା। ଅର୍ଥାତ୍‌ ଶରୀରକୁ ଯେତିକି ଦରକାର ସେତିକି ରଖି ବର୍ଜ୍ୟବସ୍ତୁକୁ ଝାଡ଼ା ପରିସ୍ରା ମାଧ୍ୟମରେ ବାହାରକରିଦିଏ। ଯଦି ଶରୀରରୁ ଅପରିଷ୍କାର ଜିନିଷ ବାହାରେ ନାହିଁ, ତେବେ ଏହା ଦେହରେ ଜମା ହୋଇ ରହେ, ଫଳରେ ଧୀରେ ଧୀରେ ଦେହ ଅସୁସ୍ଥ ହେବାର ଆରମ୍ଭ କରେ। ତେଣୁ ଦେହକୁ ସୁସ୍ଥ ରଖିବା ପାଇଁ କିଡ୍‌ନି ସୁସ୍ଥ ରହିବା ନିହାତି ଆବଶ୍ୟକ।

ଅଧିକ ପଢ଼ନ୍ତୁ: କାହିଁକି ବଢୁଛି କିଡନି ରୋଗ? ଏଥିପାଇଁ ଆମ ଜୀବନଶୈଳୀ ଦାୟୀ ନୁହେଁ ତ? ଜାଣନ୍ତୁ

ସୁସ୍ଥ କିଡ୍‌ନି ପାଇଁ କ’ଣ ଖାଇବେ? (What to eat for a Healthy Kidney in Odia)

କେବଳ କିଡ୍‌ନି ନୁହେଁ ସମ୍ପୂର୍ଣ୍ଣ ଶରୀରକୁ ସୁସ୍ଥ ରଖିବା ପାଇଁ ବାଲାନ୍ସ ଡାଏଟ୍‌ ବା ସନ୍ତୁଳିତ ଆହାର ସେବନ କରିବା ଜରୁରୀ। ଦୈନିକ ଖାଦ୍ୟ ତାଲିକାରେ ପନିପରିବା, ଫଳ ଆଦିକୁ ସାମିଲ କରିବା ଦରକାର। ପୂର୍ବରୁ ଆମ ଜେଜେ ବାପାମା’ ଯେଉଁଭଳି ଖାଦ୍ୟ ଖାଉଥିଲେ ଯେପରିକି ଭାତ, ରୁଟି ଭଳି ଦେଶୀ ଆହାରକୁ ଖାଦ୍ୟରେ ସାମିଲ କରନ୍ତୁ।

ଆଜିକାଲି ବଡିବିଲ୍‌ଡିଂ କରୁଥିବା ଲୋକେ ଅଧିକ ପରିମାଣର ପ୍ରୋଟିନ୍‌ ଖାଉଛନ୍ତି। ହେଲେ ଅଧିକ ପ୍ରୋଟିନ୍‌ କିଡ୍‌ନି ପାଇଁ କ୍ଷତିକାରକ। ତେଣୁ, ଶରୀରର ଆବଶ୍ୟକତା ଅନୁଯାୟୀ ପ୍ରୋଟିନ୍‌ର ମାତ୍ରା ନେବା ଆବଶ୍ୟକ।

ସବୁବେଳେ ପାଣିକୁ ଫିଲଟର କରି ପିଇବା ଆବଶ୍ୟକ। ନିୟମିତ ବ୍ୟାୟାମ କରିବା ଆବଶ୍ୟକ। ଏହା ହୃଦୟଠାରୁ ଆରମ୍ଭ କରି ଫୁସ୍‌ଫୁସ୍‌ ଓ କିଡ୍‌ନିକୁ ସୁସ୍ଥ ରଖିଥାଏ।

ତା’ଛଡ଼ା କେତେକ ଔଷଧ ଅଛି, ଯେଉଁଥିରେ ବିଭିନ୍ନ ପ୍ରକାରର ଧାତୁ ଥାଏ, ଯାହା କିଡ୍‌ନି ଖରାପ କରିଥାଏ। ତେଣୁ, ସବୁବେଳେ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ଆବଶ୍ୟକ। ଅତ୍ୟଧିକ ପେନ୍‌ କିଲର ଖାଇବା ଯୋଗୁଁ ମଧ୍ୟ କିଡ୍‌ନି ଖରାପ ହୋଇପାରେ।

drinking water

ଅଧିକ ପଢ଼ନ୍ତୁ: ୟୁରିନ୍‌ ଇନ୍‌ଫେକ୍ସନ୍‌ ରୋକିବା ପାଇଁ ଆପଣାନ୍ତୁ ଏହି ସତର୍କତା

ସୁସ୍ଥ କିଡ୍‌ନି ପାଇଁ କେତେ ପାଣି ପିଇବେ? (Importance of water for a Healthy Kidney in Odia)

ପାଣିକୁ ନେଇ ଆମ ସମାଜରେ ବହୁତଗୁଡ଼ିଏ ଭୁଲ ଧାରଣା ରହିଛି। ଲୋକେ ଭାବନ୍ତି ବହୁତ ପାଣି ପିଇଲେ ଭଲ। ହେଲେ ବହୁତ ପାଣି ପଇବା ଚକ୍କରରେ କେତେ ପାଣି ପିଇବା ଆବଶ୍ୟକ ତାହା ଜାଣିନଥାଆନ୍ତି। କେତେକ ଲୋକ ଗୋଟେ ଦିନରେ ୧୦-୧୨ ଲିଟର ପାଣି ପିଇଥାଆନ୍ତି। ହେଲେ ଏହା କିଡ୍‌ନି ଉପରେ ଖରାପ ପ୍ରଭାବ ପକାଇଥାଏ।

ଜଣେ ସାଧାରଣ ଲୋକ ଦୈନିକ ୮-୧୦ ଗ୍ଲାସ୍‌ ପାଣି ପିଇବା ଆବଶ୍ୟକ। ଜାଣିରଖନ୍ତୁ, ଆପଣ କାମ କ’ଣ କରୁଛନ୍ତି ତାହା ଉପରେ ଆପଣଙ୍କ ପାଣି ପିଇବା ନିର୍ଭର କରୁଛି। ମନେକର ଖେତବାଡ଼ିରେ କାମ କରୁଥିବା ଲୋକ ଓ ଜିମ୍‌ ଯାଉଥିବା ଲୋକଙ୍କର ଝାଳ ଅଧିକ ବାହାରିଥାଏ। ଯଦି ଜଣଙ୍କର ଝାଳ ବେଶୀ ବାହାରୁଛି, ତାହାହେଲେ ବ୍ୟକ୍ତି ୩ରୁ ସାଢ଼େ ତିନି ଲିଟର ପାଣି ପିଇପାରିବେ। ଯଦି ଆପଣ ଅଫିସ୍‌ରେ ବସି ରହି କାମ କରୁଛନ୍ତି ବା ଝାଳ କମ୍‌ ବାହାରୁଛି, ତେବେ ୨ରୁ ଅଢ଼େଇ ଲିଟର ପାଣି ପଇବା ଯଥେଷ୍ଟ।

ଅଧିକାଂଶ ଲୋକ ଖାଇବାର ତୁରନ୍ତ ପରେ ପାଣି ପିଅନ୍ତି। ହେଲେ ଏହାଦ୍ୱାରା ଖାଦ୍ୟ ହଜମ ହୋଇନଥାଏ। ସବୁବେଳେ ଖାଇବାର ୪୫ ମିନିଟ୍‌ ପରେ ପାଣି ପିଇବା ଦରକାର। ରାତିରେ ବେଶୀ ପାଣି ପିଇବେ ନାହିଁ।

ନିୟମିତ ବ୍ୟାୟାମ କରନ୍ତୁ (Exercise regularly in Odia)

ସୁସ୍ଥ ଶରୀର ପାଇଁ ବ୍ୟାୟାମ କରିବା ଆବଶ୍ୟକ। ଜଣେ ସାଧାରଣ ଲୋକ ଦୈନିକ ୩୦ ମିନିଟ୍‌ ବ୍ୟାୟାମ କରିପାରିବେ ଏବଂ ସପ୍ତାହକୁ ୫ ଦିନ ବ୍ୟାୟାମ କରିପାରିବେ।

ବ୍ୟାୟାମ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ୍‌ ଭାବେ ହୋଇଥାଏ। ବ୍ୟାୟାମ ଦ୍ୱାରା ଦେହରୁ ବର୍ଜ୍ୟବସ୍ତୁ ଝାଳ ବାଟେ ବାହାରିଥାଏ।

ସନ୍ତୁଳିତ ଆହାର ସେବନ କରନ୍ତୁ।

ପ୍ୟାକେଟ୍‌ ଖାଦ୍ୟ, ଫାଷ୍ଟଫୁଡ୍‌ ଖାଆନ୍ତୁ ନହିଁ।

ଫଳମୂଳ, ଡ୍ରାଏଫ୍ରୁଟ୍ସକୁ ସାମିଲ କରନ୍ତୁ।

୮ରୁ ୧୦ ଗ୍ଲାସ୍‌ ପାଣି ପିଅନ୍ତୁ।

କୌଣସି ସ୍ୱାସ୍ଥ୍ୟଗତ ଅସୁବିଧା ହେଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

୪୦ ବର୍ଷରୁ ଅଧିକା କିମ୍ବା ଯେଉଁମାନଙ୍କର ଡାଏବେଟିସ୍‌ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ରହିଛି, ସେମାନେ ୩୫ ବର୍ଷ ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଦିଅନ୍ତୁ।

ବର୍ଷକୁ ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇନିଅନ୍ତୁ।

କୌଣସି ଅସୁବିଧା ହେଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

ସପ୍ତାହକୁ ୫ ଦିନ ୩୦ ମିନିଟ୍‌ ବ୍ୟାୟାମ କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on How to Keep Your Kidney Healthy, in Odia language, is based on an extensive interview with Kidney Transplant Surgeon Dr Manas Ranjan Pradhan.