କେମିତି ବଢ଼ାଇବେ ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି? ଏନେଇ ପୁଷ୍ଟିକର ବିଶେଷଜ୍ଞ ଡାକ୍ତର ମଧୁସ୍ମିତା ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

କୋଭିଡ୍‌ର ଦ୍ୱିତୀୟ ଲହର ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂର୍ବାପେକ୍ଷା ଏଥର ଛୋଟ ପିଲାମାନେ ବି ସଂକ୍ରମିତ ହେଉଛନ୍ତି। ଏଭଳି ପରିସ୍ଥିତିରେ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ ରଖିବା ନିହାତି ଜରୁରୀ।

ଅଧିକ ପଢ଼ନ୍ତୁ: କ’ଣ ଖାଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି

ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି କେମିତି ବଢ଼ିବ? (How to boost a child’s immune system in Odia)

ବର୍ତ୍ତମାନ ପିଲାମାନଙ୍କର ବିକାଶର ସମୟ। ଏହି ସମୟରେ ପିଲାଙ୍କର ଉଭୟ ବୌଦ୍ଧିକ ଏବଂ ଶାରୀରିକ ବିକାଶରେ ଯେପରିକି ବାଧା ସୃଷ୍ଟି ନ ହୁଏ, ସେନେଇ ଧ୍ୟାନ ଦେବାକୁ ହେବ। କୋଭିଡ୍‌ ସମୟରେ ପିଲାଙ୍କର ଅଧିକ ଯତ୍ନ ନେବାକୁ ହୋଇଥାଏ। ତେଣୁ ତାଙ୍କୁ କୋଭିଡ୍‌ ଛଡ଼ା ଅନ୍ୟସବୁ ସଂକ୍ରମଣରୁ ରକ୍ଷା କରିବାକୁ ହେଲେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବା ଜରୁରୀ। ଏଥିପାଇଁ ସେମାନଙ୍କୁ ପୁଷ୍ଟିକତ ତଥା ରୁଚିକର ଖାଦ୍ୟ ଦେବା ଆବଶ୍ୟକ।

ପିଲାମାନଙ୍କୁ ଉଚ୍ଚ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଯେପରିକି ଡାଲି, ମାଛ, ମାଂସ, ଅଣ୍ଡା, ପନିର, ଗଜାମୁଗ/ବୁଟ ଖାଇବାକୁ ଦିଅନ୍ତୁ।

ନିୟମିତ ପିଲାଙ୍କୁ ଗୋଟେ ଗ୍ଲାସ୍‌ କ୍ଷୀର ପିଅନ୍ତୁ।

ପିଲାମାନଙ୍କୁ ସବୁଜ ପନିପରିବା ତରକାରି, ଫଳ ଖାଇବାକୁ ଦିଅନ୍ତୁ। ପ୍ରତିଦିନ ଖାଦ୍ୟ ତାଲିକାରେ ବିଭିନ୍ନ ପ୍ରକାର ଶାଗକୁ ସାମିଲ କରନ୍ତୁ।

ପିଲାଙ୍କ ଖାଦ୍ୟ ତାଲିକାରେ ଫଳ କିମ୍ବା ଫଳ ରସ ରଖନ୍ତୁ। ଭିଟାମିନ୍‌ ସି ଯୁକ୍ତ ଖାଦ୍ୟ ଯଥା – ପାଚିଲା ଅମୃତଭଣ୍ଡା, ଅଁଳା, କମଳା, ମସମ୍ବି ଆଦି ଖାଇବାକୁ ଦିଅନ୍ତୁ।

ପ୍ରତିଦିନ ସକାଳୁ ୩-୪ଟି ଆଲମଣ୍ଡ, କିସ୍‌ମିସ୍‌ ଖାଇବାକୁ ଦିଅନ୍ତୁ।

ଅଧିକ ପଢ଼ନ୍ତୁ: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଟିପ୍ସ

କ’ଣ ଖାଇବେ ନାହିଁ? (What not to eat in Odia)

ବର୍ତ୍ତମାନ ପିଲାଙ୍କୁ ପିଜା, ବର୍ଗର, ପାସ୍ତା, ମଇଦା, ମଇଦା ଜାତୀୟ ଜିନିଷ, ଆଇସ୍‌କ୍ରିମ୍‌, କୋଲଡ୍ରିଙ୍କ୍‌, ପ୍ୟାକେଟ୍‌ ଫୁଡ୍‌ ଦିଅନ୍ତୁ ନାହିଁ। କାରଣ ବର୍ତ୍ତମାନ ସେମାନଙ୍କ ଶାରୀରିକ ପରିଶ୍ରମ, ଖେଳାଖେଳି ବନ୍ଦ ହୋଇଯାଇଛି। ବର୍ଷେ ଉପରେ ସେମାନେ ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହିଗଲେଣି। ଫଳରେ ମୋଟାପଣ ବଢ଼ିବାର ସମ୍ଭାବନା ରହିଛି। ତେଣୁ ସେମାନଙ୍କୁ ଉଚ୍ଚ କ୍ୟାଲୋରି ଖାଦ୍ୟ ଦିଅନ୍ତୁ ନାହିଁ।

କୋଭିଡ୍ ସମୟରେ ପିଲାଙ୍କର ମାନସିକ ସ୍ଵାସ୍ଥ୍ୟ (Mental health of children during COVID in Odia)

ସ୍ଵାସ୍ଥ୍ୟ କହିଲେ ଶାରୀରିକ ସ୍ଵାସ୍ଥ୍ୟ ଓ ମାନସିକ ସ୍ୱାସ୍ଥ୍ୟକୁ ବୁଝାଏ। କରୋନା ବା (କୋଭିଡ୍‌-୧୯) ଭଳି ଭୟଙ୍କର ପରିସ୍ଥିତିରେ ସାଧାରଣତଃ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ କିପରି ରହିବା ଦରକାର ସେଥିପାଇଁ ବିଶେଷତଃ ପିତାମାତାଙ୍କୁ ଅଧିକ ସଚେତନ ରହିବା ଉଚିତ୍। ମା’ ମାନେ ଏଥିପ୍ରତି ଅଧିକ ସଜାଗ ରହିବା ଦରକାର। ଏଭଳି ଏକ ପରିସ୍ଥିତିରେ ପିଲାମାନେ ସ୍କୁଲ୍ ନ ଯାଇ ଅନଲାଇନ୍ କ୍ଲାସ୍ ମାଧ୍ୟମରେ ଘରେ ରହି ପାଠ ପଢ଼ିଥାନ୍ତି। ସେଥିପାଇଁ ସେମାନଙ୍କ ପାଇଁ ଘରର ପରିବେଶ ଉତ୍ତମ ହେବା ଦରକାର। ପିଲାମାନଙ୍କୁ କୋଭିଡ୍‌ ସମ୍ପର୍କରେ ବୁଝାଇବା ଆବଶ୍ୟକ। ଆଉ କିପରି ସଚେତନ ରହିବାକୁ ପଡ଼ିବ, ସେ ସମ୍ପର୍କରେ ଉପଦେଶ ଦେବା ଜରୁରୀ।

ବାପା ମା’ଙ୍କ କର୍ତ୍ତବ୍ୟ (Duty of parents in Odia)

କୋଭିଡ୍‌ ସମୟରେ ବାପାମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ବାପାମା’ମାନେ ଅଥବା ପରିବାର ସଦସ୍ୟମାନେ ପିଲାମାନଙ୍କ ସହ କଥାବାର୍ତ୍ତା କରିବେ ଓ ସେମାନଙ୍କ ସହ ଖେଳାଖେଳି କରିବେ। ଏହାଛଡ଼ା ପିଲାମାନଙ୍କୁ ସେମାନଙ୍କ ସାଙ୍ଗସାଥୀଙ୍କ ସହ ଫୋନ୍‌ ବା ଭିଡିଓ କଲ୍‌ ଯୋଗେ କଥାବାର୍ତ୍ତା କରାନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମଧୁସ୍ମିତା ଦାସଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Immunity in Children, in Odia language, is based on an extensive interview with Nutritionist Dr Madhusmita Das.