ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା କିଛି ଦିନରେ ତାପମାତ୍ରା ଆହୁରି ବଢ଼ିବ ଏବଂ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ଅର୍ଥାତ୍ ଦିନରେ ଭୀଷଣ ଗରମ ଅନୁଭୂତ ହେବ। ପ୍ରଚୁର ଗରମ ଯୋଗୁଁ ରାଜ୍ୟରେ ଅଂଶୁଘାତ ହେବାର ଭୟ ରହିଛି। ତେବେ ଆସନ୍ତୁ ଜାଣିବା କେତେବେଳେ ଅଂଶୁଘାତ ହୋଇଥାଏ ଏବଂ ଅଂଶୁଘାତରୁ ଆମେ କିପରି ନିଜକୁ ରକ୍ଷା ପାଇପାରିବେ।

କିପରି ହୋଇଥାଏ ଅଂଶୁଘାତ?

ଅଂଶୁଘାତ ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକମାନଙ୍କୁ ହୋଇପାରେ। ଦୀର୍ଘ ସମୟ ଧରି ଖରାରେ ବା ଅଧିକ ତାପମାତ୍ରାରେ ରହିଲେ ଶରୀରରୁ ଜଳୀୟଅଂଶ କମି ଯାଇଥାଏ। ଏହାଯୋଗୁଁ ମୁଣ୍ଡ ବୁଲାଇବା, ମୁର୍ଚ୍ଛା ହୋଇଯିବା, ବାନ୍ତି ହେବା ଭଳି ଲକ୍ଷଣମାନ ଦେଖାଯାଏ। ଅଂଶୁଘାତର ଲକ୍ଷଣ ଅଧିକ ହେଲେ ସମ୍ପୂର୍ଣ୍ଣ କୋମା କିମ୍ବା ମୃତ୍ୟୁର ଆଶଙ୍କା ମଧ୍ୟ ଥାଏ।

କିପରି ଅଂଶୁଘାତରୁ ରକ୍ଷା ପାଇବେ?

ଅଂଶୁଘାତରୁ ରକ୍ଷା ପାଇବା ପାଇଁ ନିମ୍ନଲିଖିତ ନିୟମ ପାଳନ କରନ୍ତୁ;

ଖରାକୁ ବାହାରନ୍ତୁ ନାହିଁ। ବାହାରକୁ ଯାଉଥିଲେ ମୁଣ୍ଡରେ ଓଦା ଗାମୁଛା କିମ୍ବା ଛତା, ଚପଲ, କଳା ଚଷମା ଇତ୍ୟାଦି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ।

ଘରେ ଟିଣ ବା ଆଜବେଷ୍ଟ ଛାତ ଥିଲେ ତା’ ଉପରେ ନଡ଼ା ପକାନ୍ତୁ।

ପ୍ରଚୁର ପରିମାଣରେ ପାଣି, ତୋରାଣି, ଘୋଳଦହି, ଲେମ୍ବୁ ପାଣି, କାଞ୍ଜି, ପଇଡ଼ ପାଣି, ଓଆର୍‌ଏସ୍‌ ଏବଂ ସର୍ବତ ପିଅନ୍ତୁ। ଶରୀରରେ ଜଳୀୟଅଂଶ ସର୍ବଦା ଅଧିକ ରହିବା ଆବଶ୍ୟକ। ଫାଷ୍ଟଫୁଡ୍‌ଠାରୁ ଦୂରେଇ ରହନ୍ତୁ।

ହାଲିଆ ଲାଗିଲେ ଗଛ ଛାଇ ବା ପବନ ଚଳାଚଳ ହେଉଥିବା ସ୍ଥାନରେ ବିଶ୍ରାମ ନିଅନ୍ତୁ।

କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ଦେଖିଲେ ତୁରନ୍ତ ଥଣ୍ଡା ସ୍ଥାନ କିମ୍ବା ଏୟାରକଣ୍ଡିସନ୍‌ ରୁମ୍‌କୁ ନେଇଯାଆନ୍ତୁ। ରୋଗୀଠାରେ ଥଣ୍ଡା ପାଣି ଛିଞ୍ଚନ କରିପାରିବେ, ଓଦା କପଡ଼ାରେ ଦେହକୁ ବାରମ୍ବାର ପୋଛନ୍ତୁ।