ପେଟରେ ଗ୍ୟାସ ସମସ୍ୟା ହୁଏ କାହିଁକି? ଏହାର ନିରାକରଣ ପାଇଁ ପରାମର୍ଶ ଦେଇଛନ୍ତି ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ଦେବାଶିଷ ମିଶ୍ର। (Gastric Problems: Causes & Treatment in Odia)

ପେଟରେ ଗ୍ୟାସ୍‌ ବା ଗ୍ୟାଷ୍ଟ୍ରିକ୍‌ ହେବା ଏକ ସାଧାରଣ ସମସ୍ୟା। ଖାଦ୍ୟ ହଜମ ହୋଇନପାରିଲେ ପେଟରେ ସାଧାରଣତଃ ଗ୍ୟାସ୍‌ ସୃଷ୍ଟି ହୋଇଥାଏ।

ଗ୍ୟାସ ହେବା କୌଣସି ରୋଗ ନୁହେଁ। ବିଭିନ୍ନ ରୋଗ ତଥା ଶାରୀରିକ ସମସ୍ୟା ଯୋଗୁଁ ଆମକୁ ଗ୍ୟାସ ହୋଇଥାଏ। ଏହାର ନିରାକରଣର ମୁଖ୍ୟ ମାଧ୍ୟମ ହେଉଛି ଆମ ଜୀବନଶୈଳୀ ଓ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଦରକାର।

ଗ୍ୟାସ୍‌ ହେବାର ଲକ୍ଷଣ (Symptoms of gas in Odia)

ପେଟରେ ଗ୍ୟାସ୍‌ ହେଲେ ସାଧାରଣତଃ ବାନ୍ତି ହେବା ଭଳି ଲକ୍ଷଣ ଦେଖାଦିଏ।

ଭୋକ କମିଯିବା।

କୋଷ୍ଠକାଠିନ୍ୟ ସମସ୍ୟା ହେବା।

ମଳରେ ରକ୍ତ ପଡ଼ିବା

ଓଜନ କମିଯିବା।

ଏଭଳି ଲକ୍ଷଣ ବାରମ୍ବାର ଦେଖାଦେଲେ ପେଟରେ ସାଙ୍ଘାତିକ ଗ୍ୟାସ୍‌ ସମସ୍ୟା, ଅଲସର କିମ୍ବା ପେଟରେ କ୍ୟାନ୍‌ସର ବି ହୋଇଥାଇପାରେ।

କାହିଁକି ହୋଇଥାଏ ଗ୍ୟାସ୍‌? (Why gas problems occur in Odia)

ବେଳେ ବେଳେ ଲୋକ କହନ୍ତି ଯେ, ସେମାନଙ୍କ ଛାତି ପୋଡ଼ୁଛି, ହାକୁଟି ହେଉଛି ବା ତଣ୍ଟି ପାଖରେ କିଛି ଲାଖି ରହିବା ଭଳି ଲାଗୁଛି, ତେବେ ଏହାକୁ ଗାର୍ଡ (GERD) ବୋଲି କୁହାଯାଏ। ସାଧାରଣତଃ ଆମ ପେଟରେ ଏସିଡ୍‌ ଥାଏ। ଖାଦ୍ୟ ସଠିକ୍‌ ଭାବରେ ହଜମ କରିବା ପାଇଁ ଏସିଡ୍‌ ନିହାତି ଜରୁରୀ। ଯଦି ସେହି ଏସିଡ୍‌ ଖାଦ୍ୟ ନଳି ଦେଇ ଛାତି ଉପରକୁ ଯାଏ, ତାହାକୁ ଗାର୍ଡ ବୋଲି କୁହାଯାଏ।

ମେଦବହୁଳତା, ଡାଏବେଟିସ୍‌, ଚକୋଲେଟ୍‌ ବା ଛଣାଛଣି, ତେଲମସଲା, ଅଧିକ ପିଆଜ ଖାଉଥିବା ଲୋକଙ୍କଠାରେ ଛାତି ପୋଡ଼ିବା, ଆମ୍ବିଳା ହାକୁଟି ହେବା ଅଧିକ ହୁଏ।

ଯେଉଁ ଲୋକମାନେ ଧୂମପାନ, ମଦ୍ୟପାନ କରନ୍ତି କିମ୍ବା ଚା’କଫି ଅତ୍ୟଧିକ ପିଅନ୍ତି, ସେମାନଙ୍କଠାରେ ଗାର୍ଡର ଲକ୍ଷଣ ଦେଖାଦେଇଥାଏ।

vegetable

ଗ୍ୟାସ୍‌ ସମସ୍ୟାରୁ କେମିତି ପାଇବେ ମୁକ୍ତି? (How to Eat Food to Get Rid of Gas Problems)

ଦିନରେ ଅଳ୍ପ ଅଳ୍ପ କରି ୫ରୁ ୬ ଥର ଖାଇବା ଜରୁରୀ। ଅଧିକ ସମୟ ଧରି ଖାଲି ପେଟରେ ରହିବା ଉଚିତ ନୁହେଁ କିମ୍ବା ଏକାଥରରେ ଅଧିକ ଖାଇବା ବି ଠିକ୍‌ ନୁହେଁ। ଖାଦ୍ୟରେ ସବୁଜ ପନିପରିବା, ଫଳମୂଳ ଆଦିକୁ ଅଧିକ ଖାଇବା ଦରକାର। ତେଲ ମସଲା, ଛଣାଛଣିଯୁକ୍ତ ଖାଦ୍ୟରୁ ନିବୃତ୍ତ ରହନ୍ତୁ। ଖାଇ ସାରିବା ପରେ ସାଙ୍ଗେ ସାଙ୍ଗେ ପାଣି ପିଇବା କଥା ନୁହେଁ କିମ୍ବା ଶୋଇଯିବା କଥା ନୁହେଁ।

ଖାଇବା ପରେ ୧୦ରୁ ୧୫ ମିନିଟ୍‌ ଏପଟ ସେପଟ ହେବା ଭଲ। ଏହାଛଡ଼ା ଖାଇବାର ୧ ଘଣ୍ଟା ଯାଏ ଶୁଅନ୍ତୁ ନାହିଁ। ଯଦି ଖାଇବା ପରେ ପରେ ଶୋଇପଡ଼ିବେ, ତେବେ ଖାଦ୍ୟ ଉପରକୁ ଉଠିଯିବାର ଆଶଙ୍କା ଅଧିକ। ଫଳରେ ଛାତି ପୋଡ଼ିବା ଓ ଛାତିରେ କିଛି ଅଟକିଲା ଭଳି ଲାଗିବା। ଖାଇବାର ୩୦ ମିନିଟ୍‌ ପରେ ପାଣି ପିଇବା ଉଚିତ।

ଯଦି ରାତିରେ ୧୦ଟାରେ ଶୋଉଛନ୍ତି, ତେବେ ୮.୩୦ ସୁଦ୍ଧା ରାତି ଭୋଜନ କରିଦିଅନ୍ତୁ। ଏହାପରେ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ।

ଜୀବନଶୈଳୀ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା (Focus on lifestyle and food)

ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ପାଇବାର ମୂଳ ମନ୍ତ୍ର ହେଉଛି ସୁସ୍ଥ ଲାଇଫ୍‌ଷ୍ଟାଇଲ ଏବଂ ଡାଏଟ୍‌। ପ୍ରତିଦିନ ୩୦ ମିନିଟ୍‌ ବା ଘଣ୍ଟେ ବ୍ୟାୟାମ କରିବା ଜରୁରୀ। ନଚେତ୍‌ ୫ କିଲୋମିଟର ଚାଲିବା ଜରୁରୀ। ନିଜ ଡାଏଟ୍‌ ଉପରେ ଧ୍ୟାନ ଦିଅନ୍ତୁ। ଯେଉଁ ଖାଦ୍ୟ ଆପଣ ହଜମ କରିପାରୁ ନାହାନ୍ତି ବା ଖାଇଲେ ଗ୍ୟାସ୍‌ ହେଉଛି ତାହାକୁ ଖାଆନ୍ତୁ ନାହିଁ। କିଛି ଲୋକଙ୍କର କ୍ଷୀର, ଅଟାରେ ତିଆରି ଖାଦ୍ୟ ଖାଇଲେ ଗ୍ୟାସ୍‌ ହୋଇଥାଏ। ତେଣୁ ସେଭଳି ଜିନିଷ ଖାଆନ୍ତୁ ନାହିଁ।

ଗ୍ୟାସ୍‌ ସମସ୍ୟାର ଚିକିତ୍ସା (Treatment of gas problems in Odia)

ପ୍ରଥମେ ରୋଗୀକୁ ଗ୍ୟାସ୍‌ ଛଡ଼ା ଅନ୍ୟ ସବୁ ଲକ୍ଷଣ ବିଷୟରେ ପଚାରି ବୁଝାଯାଏ। ରୋଗୀର ଲକ୍ଷଣ ଦେଖି ତାହାର ଚିକିତ୍ସା କରାଯାଇଥାଏ। ଯଦି ରୋଗୀର ଗ୍ୟାସ୍‌ ସହ ମଳରେ ରକ୍ତ ପଡ଼ୁଛି, ତେବେ ଏଣ୍ଡୋସ୍କୋପି ଜରିଆରେ ଦେଖାଯାଏ ଯେ ପେଟରେ ଅଲସର ହୋଇଛି ନା ଟ୍ୟୁମର ବା କ୍ୟାନ୍‌ସର ହୋଇଛି କି ନାହିଁ। ଯଦି ପେଟରେ ଏସବୁ କିଛି ହୋଇନାହିଁ, କେବଳ ଗ୍ୟାଷ୍ଟ୍ରିକ ହୋଇଛି, ତେବେ ଏଚ୍‌ ପାଇଲୋରି ପରୀକ୍ଷା କରାଯାଏ। ଯଦି ଏଚ୍‌ ପାଇଲୋରି ପଜିଟିଭ୍‌ ବାହାରେ, ତାହାଲେ ଏଚ୍‌ ପାଇଲୋରି ଚିକିତ୍ସା କରାଯାଏ।

ଯଦି ଜଣେ ରୋଗୀର କେବଳ ଗ୍ୟାସ୍‌ ରହିଛି ତାହାଛଡ଼ା ଅନ୍ୟ କୌଣସି ଲକ୍ଷଣ ନାହିଁ, ତେବେ ଲାଇଫଷ୍ଟାଇଲ ଓ ଡାଏଟ୍‌ରେ ପରିବର୍ତ୍ତନ କରିବାକୁ କୁହାଯାଏ। ଯଦି ଏସବୁ ପରେ ବି ଗ୍ୟାସ୍‌ ନ କମେ, ତେବେ ମେଡିସିନ୍‌ ଖାଇବାକୁ ଦିଆଯାଏ।

ପ୍ରାୟ ଲୋକଙ୍କର ଗ୍ୟାସ୍‌ ମାନସିକ ଚାପ ଯୋଗୁଁ ମଧ୍ୟ ହୋଇଥାଏ, ତେଣୁ ସେମାନଙ୍କୁ ଆଣ୍ଟି ଷ୍ଟ୍ରେସ୍‌ ମେଡିସିନ୍‌ ଦିଆଯାଇଥାଏ।

exercise_workout_odisha

ଗ୍ୟାସ୍‌ ସମସ୍ୟାର ନିରାକରଣ (Doctor’s advice to correct gas problems in Odia)

ଗ୍ୟାସ୍‌ ସମସ୍ୟାକୁ ଏଡ଼ାଇବାକୁ ହେଲେ ସକାଳେ ସନ୍ଧ୍ୟାରେ ଏକ୍ସରସାଇଜ କରିବା ଦରକାର। ଜୋର ଜୋର ଚାଲନ୍ତୁ।

ଡାଏବେଟିସ୍‌ ଥିଲେ ଏହାକୁ ନିୟନ୍ତ୍ରଣ କରନ୍ତୁ।

ତେଲ ମସଲା, ଛଣାଛଣି, ଅଧିକ ରାଗ, ଫାଷ୍ଟଫୁଡ୍‌କୁ ଖାଆନ୍ତୁ ନାହିଁ।

ଅତ୍ୟଧିକ ଓଜନ ଥିଲେ କମାନ୍ତୁ।

ଯେଉଁ ଖାଦ୍ୟ ଖାଇଲେ ଗ୍ୟାସ୍‌ ହେଉଛି, ସେହି ଖାଦ୍ୟ ଖାଆନ୍ତୁ ନାହିଁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଦେବାଶିଷ ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on Gastric problems with their causes, symptoms, treatment and Preventions based on the interview with Dr. Debasis Misra, gastroenterologist.