ଯାଦୁ ଏକ ପ୍ରକାର ଚର୍ମ ରୋଗ। ଶରୀରର କୌଣସି ସ୍ଥାନରେ ଯାଦୁ ହେଲେ ଏହାର ଚିକିତ୍ସା କରିବା ଦରକାର, କାରଣ ଗୋଟିଏ ସ୍ଥାନରେ ଯାଦୁ ହୋଇଥିଲେ ଏହା ଶରୀରର ଅନ୍ୟ ଅଙ୍ଗକୁ ମାଡ଼ିଥାଏ। ହେଲେ ଯାଦୁ ନ ହେବା ପାଇଁ କ’ଣ କରିବା ଦରକାର?

  • ଦେହରୁ ଅଧିକ ଝାଳ ବାହାରୁଥିଲେ ଗାଧୋଇବା ଜରୁରୀ। ଜିମ୍‌ରୁ ଆସିଲେ କିମ୍ବା ବ୍ୟାୟାମ, ଖେଳାଖେଳି କରିବା ପରେ ଗାଧୋଇବା ଜରୁରୀ।
  • ଅଧିକ ସମୟ ଝାଳରେ ରହନ୍ତୁ ନାହିଁ।
  • ଅଧିକାଂଶ ଲୋକ ଗାଧୋଇ ସାରିବା ପରେ ଦେହକୁ ଭଲ କରି ନ ପୋଛି ଲୁଗାପଟା ପିନ୍ଧି ପକାନ୍ତି। ହେଲେ ଓଦାରେ ପୋଷାକ ପିନ୍ଧିଲେ ଯାଦୁ ହେବାର ଆଶଙ୍କା ଥାଏ। ତେଣୁ, ଗାଧୋଇ ସାରିବା ପରେ ହେଦ ହାତ ଭଲକରି ପୋଛି କିମ୍ବା ଫ୍ୟାନ୍‌ ତଳେ ଦେହକୁ ଶୁଖାଇ ପୋଷାକ ପିନ୍ଧନ୍ତୁ।
  • ସବୁବେଳେ ଢିଲା ସୂତା ଲୁଗାପଟା ପିନ୍ଧନ୍ତୁ। ଅନ୍ତବସ୍ତ୍ର ମଧ୍ୟ ସୂତାର ପିନ୍ଧନ୍ତୁ।
  • ଟାଇଟ୍‌ ଜିନ୍ସ, ଟାଇଟ୍‌ ଜ୍ୟାକେଟ୍‌ ପିନ୍ଧନ୍ତୁ ନାହିଁ। ଯଦି ଶାଢ଼ି, ଶାୟା, ବ୍ଲାଉଜ୍‌ ପିନ୍ଧୁଛନ୍ତି, ତେବେ ଶାୟାକୁ ଅଧିକ ଟାଇଟ୍‌ ବାନ୍ଧନ୍ତୁ ନାହିଁ।
  • ଘରେ ଥିଲେ ଢିଲା ପୋଷାକ ପିନ୍ଧନ୍ତୁ। ଘରେ ଥିଲାବେଳେ ଅନ୍ତବସ୍ତ୍ର ପିନ୍ଧନ୍ତୁ ନାହିଁ।
  • ସକାଳେ ପିନ୍ଧିଥିବା ଲୁଗାପଟାକୁ ରାତିରେ ବଦଳାନ୍ତୁ।
  • ଗୋଟିଏ ପୋଷାକକୁ ଦୁଇ ଦିନ ପିନ୍ଧନ୍ତୁ ନାହିଁ।
  • ପ୍ରତ୍ୟେକ ଦିନ ପିନ୍ଧିଥିବା ପୋଷାକକୁ ନଖ ଉଷୁମ ପାଣିରେ ଧୁଅନ୍ତୁ। ଅଥବା ନଖ ଉଷୁମ ପାଣିରେ ଅଳ୍ପ ଡେଟଲ ମିଶାଇ ପୋଷାକପତ୍ରକୁ ବତୁରାଇ ଦିଅନ୍ତୁ। କିଛି ସମୟ ପରେ ଏହାକୁ ଧୁଅନ୍ତୁ।
  • ଯେଉଁ ବ୍ୟକ୍ତିଙ୍କର ଯାଦୁ ହୋଇଥିବ, ସେମାନଙ୍କ ଲୁଗାପଟାକୁ ଅଲଗା ସଫା କରିବା ଦରକାର। ସେମାନଙ୍କର ବେଡ୍‌ସିଟ୍‌କୁ ଦୁଇ ଦିନରେ ଥରେ ଥରେ ବଦଳେଇବା ଦରକାର। ଯାଦୁ ହୋଇଥିବା ଲୋକଙ୍କର ଲୁଗାପଟା, ବେଡ୍‌ସିଟ୍‌ ଓ ଅନ୍ୟ କପଡ଼ାକୁ ଗରମ ପାଣିରେ ଧୋଇ ଖରାରେ ଶୁଖାଇବା ଉଚିତ।
  • ବର୍ଷାରେ ଓଦା ହୋଇକି ଆସିଲେ ଲୁଗାପଟା ବଦଳେଇବା ଦରକାର।
  • ଅଧିକ ସମୟ ଓଦା ଲୁଗାପଟାରେ ରହନ୍ତୁ ନାହିଁ।
  • ଯାଦୁ ଜଣଙ୍କଠାରୁ ଜଣଙ୍କୁ ବ୍ୟାପିଥାଏ। ତେଣୁ, ଯାଦୁ ହୋଇଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରହନ୍ତୁ। ସେମାନେ ଅଲଗା ରୁମ୍‌ରେ ରହିବା ଦରକାର, ସେମାନଙ୍କର ଲୁଗାପଟା ଅଲଗା ଧୋଇବା ଦରକାର।
  • ମୋଟା ବ୍ୟକ୍ତିଙ୍କର ଯାଦୁ ହେବାର ଆଶଙ୍କା ଅଧିକ। ତେଣୁ ଓଜନ ନିୟନ୍ତ୍ରଣରେ ରଖିବା ଜରୁରୀ।
  • ଉଚ୍ଚ କ୍ୟାଲୋରିଯୁକ୍ତ ଖାଦ୍ୟ, ଚିକେନ୍‌, ମଟନ୍‌, ତେଲ ମସଲା, ଘିଅ, ବଟର, ମଇଦା, ଚିନିମିଶ୍ରିତ ଖାଦ୍ୟ, ଫାଷ୍ଟଫୁଡ୍‌ କମ୍‌ କରିବା ଦରକାର। ଏହାଦ୍ଵାରା ଓବେସିଟି ବଢ଼ିବ, ରୋଗ ପ୍ରତିରୋଧକ ଶକ୍ତି କମିବ ଓ ଫଙ୍ଗଲ ଇନ୍‌ଫେକ୍ସନ୍‌ ବାରମ୍ବାର ହେବାର ଆଶଙ୍କା ବଢ଼ିଯିବ।