ଜଣାଶୁଣା ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସଂଘମିତ୍ରା ଦାଶଙ୍କଠାରୁ ଆସନ୍ତୁ ଜାଣିବା କେମିତି ନେବେ ଆଖିର ଯତ୍ନ? (EYE CARE TIPS IN ODIA)

ଆଖି ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର ଯତ୍ନ ନେବା ନିହାତି ଆବଶ୍ୟକ। ଆମେ ଯଦି ଆମ ଆଖିର ସଠିକ୍‌ ଯତ୍ନ ନ ନେବା, ତେବେ ଆଗାମୀ ଦିନରେ ବିଭିନ୍ନ ସମସ୍ୟା ଉପୁଜିବାର ଆଶଙ୍କା ଥାଏ।

ଦିନ ତମାମ ସମସ୍ତ କାର୍ଯ୍ୟ କରିବା ପାଇଁ ଆମେ ଆମ ଆଖି ଉପରେ ନିର୍ଭର କରିଥାଉ। ତେଣୁ ଆଖିକୁ ସବୁବେଳେ ସୁସ୍ଥ ରଖିବା ଆବଶ୍ୟକ।

ଆଖିକୁ କେମିତି ରଖିବେ ସୁରକ୍ଷିତ? (How to Keep Your Eyes Healthy in Odia)

ଆଖିକୁ ସବୁବେଳେ ସଂକ୍ରମଣ ହେବାରୁ ରକ୍ଷା କରନ୍ତୁ। ଗାଡ଼ି ଚଳାଇବା ବେଳେ ହେଲମେଟ୍‌ ପିନ୍ଧନ୍ତୁ ଏବଂ ହେଲମେଟ୍‌ର ଗ୍ଲାସ୍‌ ବନ୍ଦ ରଖନ୍ତୁ। ଆଖିରେ ଅପରିସ୍କାର ହାତ ମାରନ୍ତୁ ନାହିଁ। ମଇଳା ପାଣି ଆଖିରେ ଲଗାନ୍ତୁ ନାହିଁ। ଦୃଷ୍ଟିଶକ୍ତିକୁ ଭଲ ରଖିବା ପାଇଁ ନିଜର ଦୈନନ୍ଦିନ ଖାଦ୍ୟରେ ଯଥେଷ୍ଟ ପରିମାଣରେ ସବୁଜ ପନିପରିବା, ଗାଜର, ଶାଗ, କ୍ଷୀର ଓ ଫଳ ଆଦି ସାମିଲ କରନ୍ତୁ। ଏହାଛଡ଼ା ଫାଷ୍ଟଫୁଡ୍‌, ତେଲମସଲା ବା ଛଣାଛଣି ଯୁକ୍ତ ଖାଦ୍ୟଠାରୁ ନିଜକୁ ଦୂରେଇ ରଖନ୍ତୁ।

ପିଲାମାନଙ୍କୁ ମୋବାଇଲ ଏବଂ ଟିଭିଠାରୁ ଯେତେ ସମ୍ଭବ ଦୂରେଇ ରଖନ୍ତୁ। ମୋବାଇଲ୍‌, ଟିଭି ଓ ଲାପଟପ୍‌ରୁ ବାହାରୁଥିବା ରଶ୍ମି ଆଖିକୁ ଖରାପ କରିଦିଏ।

ଗ୍ରାମାଞ୍ଚଳ ପିଲାଙ୍କ ଅପେକ୍ଷା ସହରାଞ୍ଚଳର ପିଲାଙ୍କର ଦୃଷ୍ଟି ଶକ୍ତି ସମସ୍ୟା ଅଧିକ ଦେଖାଦେଉଛି। କାରଣ ସହରାଞ୍ଚଳ ପିଲାମାନେ ବେଶି ସମୟ ମୋବାଇଲ, ଭିଡିଓ ଗେମ୍‌, ଟିଭି ଆଦି ଦେଖିବାରେ ବ୍ୟସ୍ତ ରହୁଛନ୍ତି। ସେମାନେ ବାହାରେ ବେଶି ଖେଳାଖେଳି ନ କରି ମୋବାଇଲରେ ଖେଳୁଛନ୍ତି। ଯାହାଫଳରେ ଅଳ୍ପ ବୟସରୁ ଏହି ପିଲାମାନେ ଚଷମା ବ୍ୟବହାର ମଧ୍ୟ କରୁଛନ୍ତି।

ଦୃଷ୍ଟିଶକ୍ତି କମିଲେ କେମିତି ଜାଣିବେ?

ଦୃଷ୍ଟିଶକ୍ତି ଦୁଇ ପ୍ରକାର। ଗୋଟେ ହେଉଛି ସେଣ୍ଟ୍ରାଲ ଭିଜନ୍‌ ଓ ଅନ୍ୟଟି ହେଉଛି ପେରିଫେରାଲ ଭିଜନ୍‌

ସେଣ୍ଟ୍ରାଲ ଭିଜନ୍

ଯେତେବେଳେ ଗୋଟେ ପଟ ଆଖିକୁ ସଫା ଦେଖାଯାଉଥିବ ଏବଂ ଅନ୍ୟ ପଟ ଆଖିକୁ ଜାଲଜୁଲିଆ ଦେଖାଯାଉଥିବ, ତେବେ ତାହାକୁ ସେଣ୍ଟ୍ରାଲ ଭିଜନ୍‌ ବୋଲି କୁହାଯାଏ। ଗୋଟେ ପଟ ଆଖି ଭଲ ଥିବା ବେଳେ ଅନ୍ୟ ପଟ ଆଖିର ଦୃଷ୍ଟି ଶକ୍ତି କମିଥାଏ। ସେଣ୍ଟ୍ରାଲ ଭିଜନ୍‌ ସମସ୍ୟାରେ ଆଖିକୁ ଜାଲିଜାଲିଆ ବା କୁହୁଡ଼ିଆ ଭଳି ଦେଖାଯାଏ। ଦୂର ଲୋକ ଚିହ୍ନିବାରେ ଅସୁବିଧା ହୁଏ, ପଢ଼ିବାରେ ଅସୁବିଧା ହୁଏ।

ତେବେ ଆଖିର ଭିଜନ୍‌ ପରୀକ୍ଷା କରିବା ପାଇଁ ଗୋଟିଏ ପଟ ଆଖିକୁ ବନ୍ଦ କରି ଅନ୍ୟ ପଟ ଆଖିରେ ଦେଖନ୍ତୁ, ଯଦି ଆଖିକୁ ଭଲ ଦେଖା ନଯାଏ ବା ଜାଲିଜାଲିଆ ଦେଖାଯାଏ, ତେବେ ଏହା ସେଣ୍ଟ୍ରାଲ ଭିଜନ୍‌ ବୋଲି ଜାଣିପାରିବେ।

ପେରିଫେରାଲ ଭିଜନ୍

ପେରିଫେରାଲ ଭିଜନ୍‌ ହୋଇଥିଲେ ବ୍ୟକ୍ତି ଜଣଙ୍କୁ ଦୃଷ୍ଟିଶକ୍ତି ବିଷୟରେ ଜାଣିବା କଷ୍ଟକର ହୋଇଥାଏ। କିନ୍ତୁ ଧୀରେ ଧୀରେ ଆଖିକୁ ଠିକ୍‌ସେ ଦେଖାଯାଇ ନଥାଏ।

ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଢ଼ା ପର୍ଯ୍ୟନ୍ତ ସମସ୍ତେ ନିୟମିତ ବ୍ୟବଧାନରେ ଆଖି ପରୀକ୍ଷା କରାଇନେବା ଭଲ। କାରଣ ଆଖିରେ କିଛି ବି ସମସ୍ୟା ଥିଲେ ପ୍ରାଥମିକ ଅବସ୍ଥାରେ ଚିକିତ୍ସା କରାଇନେଲ ଅନ୍ଧତ୍ୱ ଭଳି ସମସ୍ୟାକୁ ଏଡ଼ାଇପାରିବା। ଯାହାର ଗୋଟେ ଆଖି ନଷ୍ଟ ହୋଇଯାଇଛି ବା ଖରାପ ଅଛି, ତେବେ ଛଅ ମାସ ବ୍ୟବଧାନରେ ନିଶ୍ଚିତ ଭାବରେ ଆଖି ପରୀକ୍ଷା କରାଇନେବା ଉଚିତ।

(ସ୍ୱାସ୍ଥ୍ୟ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ପ୍ଲାଟଫର୍ମସ୍ୱାସ୍ଥ୍ୟ ପ୍ଲସ୍ସହିତ ଡାକ୍ତର ସଂଘମିତ୍ରା ଦାଶଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Eye care, in Odia language, is based on an extensive interview with Senior consultant ophthalmologist Dr Sanghamitra Dash.