ସ୍ୱଚ୍ଛପଟ୍ଟଳ ବା କର୍ଣ୍ଣିଆରେ ଆଘାତ ବାଜିବାରୁ ଆମେ କେମିତି ସୁରକ୍ଷିତ ରହିବା? ଯଦି ଦୁର୍ଘଟଣା ଘଟୁଛି, ତେବେ କେମିତି ଏହାର ଚିକିତ୍ସା କରିବା। ଏ ବିଷୟରେ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୁଜାତା ଦାସଙ୍କଠାରୁ ଜାଣନ୍ତୁ।

ବିଭିନ୍ନ କାରଣରୁ ଆଖିରେ ଆଘାତ ଲାଗିବା ଫଳରେ ଏଥିରେ ଥିବା ସ୍ୱଚ୍ଛପଟ୍ଟଳ ବା କର୍ଣ୍ଣିଆ କଟିଯାଏ। ଆପଣଙ୍କୁ ଜାଣିବା ଦରକାର ଯେ, ଏହା ଏକ ବିପଦଜନକ ଅବସ୍ଥା। ଯଦି ଆଖିରେ କୌଣସି ବି ଆଘାତ ଲାଗୁଛି ଏବଂ ଆପଣଙ୍କୁ ଅସହଜ ମନେ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ନଚେତ୍ ଦୃଷ୍ଟି ସମ୍ପୂର୍ଣ୍ଣ ରୂପେ ଚାଲିଯିବାର ଭୟ ମଧ୍ୟ ରହିଥାଏ।

ଆଖିରେ ମାଡ଼ ବାଜିବା କେତେ ବିପଦ? (Risk of Corneal Injury in Odia)

ଆଖିରେ ଯେତେ ଛୋଟ ଆଘାତ ଲାଗୂନା କାହିଁକି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଦରକାର। ଯଦି ଡାକ୍ତରଙ୍କୁ ପରାମର୍ଶ କରୁନାହାନ୍ତି, ତେବେ ଆଖିରୁ ପାଣି ବାହାରେ, ସଂକ୍ରମଣ ହୁଏ ଓ ଆଖି ନାଲି ପଡ଼ିଯାଏ। ଆଖିରେ ଆଘାତ ଲାଗିଲେ ବା ଆଖି କୁଣ୍ଡେଇ ହେଲେ କେତେକ ଲୋକ ଦୋକାନରୁ ଆଖି ଡ୍ରପ୍‌ ଆଣି ଆଖତରେ ପକାଇ ଦେଉଛନ୍ତି କିମ୍ବା ଘରେ ଥିବା ପୁରୁଣା ଔଷଧ ବ୍ୟବହାର କରୁଛନ୍ତି। ଜାଣିରଖନ୍ତୁ, ଆଖି ଡ୍ରପ୍‌ ଖୋଲିବାର ମାସେ ଭିତରେ ଏହାକୁ ବ୍ୟବହାର କରିବା ଦରକାର। ମାସେ ପରେ ବ୍ୟବହାର କଲେ ଆଖି ସଂକ୍ରମଣ ହୋଇପାରେ।

 ଆଉ କେତେକ ଲୋକ ଗୋଲାପ ଜଳ, କ୍ଷୀର ଭଳି ନାନାଦି ଜିନିଷ ଆଖିରେ ପକାଉଛନ୍ତି। ଏଭଳି କରିବା ଦ୍ୱାରା ଆଖି ସଂକ୍ରମଣ ଅଧିକ ବଢ଼ିଯାଏ।

ଯଦି ଆଖିରେ କୌଣସି ଜିନିଷ ବାଜିଲା, ତେବେ ୨୪ ଘଣ୍ଟା ଭିତରେ ଆଖିରେ ସଂକ୍ରମଣ ହୋଇ ଆଖି ଭିତରକୁ ମାଡ଼ିଯାଏ। ଶରୀରର ଅନ୍ୟାନ୍ୟ ଅଙ୍ଗ ଭଳି ଆଖି ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଆଖିରେ ଆଘାତ ଲାଗିଲେ ଯେତେ ଶୀଘ୍ର ଚିକିତ୍ସା କରିବେ, ସେତେ ଶୀଘ୍ର ଲାଭ ମିଳିଥାଏ।

ସଁବାଳୁଆ ଲୋମ ଯୋଗୁଁ ଆଖି ସମସ୍ୟା (Eye problems due to Caterpillar hair in Odia)

ବର୍ଷାଦିନରେ ସାଧାରଣତଃ ସଁବାଳୁଆ ହୋଇଥା’ନ୍ତି। କୌଣସି କାରଣରୁ ସଁବାଳୁଆର ଲୋମ ଆଖିର ପତା ଉପରେ ବାଜିଲେ ଆଖି ଖେଁଚିଖେଁଚି ହୋଇଥାଏ। ବେଳେ ବେଳେ ସଁବାଳୁଆ ଲୋମ କଳା ଡୋଳାରେ ପସି ଆଖି ଭିତରକୁ ଯାଇଥାଏ। ହେଲେ ଛୋଟ ପିଲାଙ୍କ କ୍ଷେତ୍ରରେ ଆଖିରେ ସଁବାଳୁଆ ଲାଗିଲେ ସେମାନେ ଜାଣିପାରନ୍ତି ନାହିଁ। ଫଳରେ ଆଖି କୁଣ୍ଡାଇ ହୋଇ ନାଲି ପଡ଼ିଯାଏ। ଏଭଳି କ୍ଷେତ୍ରରେ ପିଲାଙ୍କୁ ଚକ୍ଷୁ ଡାକ୍ତରଙ୍କ ପାଖକୁ ନିଅନନ୍ତୁ। ସେମାନେ ପିଲାଙ୍କୁ ବେହୋସ କରି ଆଖିରୁ ସଁବାଳୁଆ ଲୋମ ବାହାର କରିଥା’ନ୍ତି।

ଆଖିରେ ଆଘାତ ଲାଗିବାକୁ କେମିତି ରୋକିବା? (How to prevent Eye injuries in Odia)

ଯେଉଁମାନେ ସିମେଣ୍ଟ, ବାଲି, ଇଲେକ୍ଟ୍ରିକାଲ, ଲୁହା କାଟିବା ଭଳି କାର୍ଯ୍ୟ କରୁଛନ୍ତି, ସେମାନେ ଆଖିକୁ ସୁରକ୍ଷା ଦେବା ଭଳି ଚଷମା ପିନ୍ଧିବା ଦରକାର। ଯେଉଁମାନେ କୃଷକ ସେମାନଙ୍କୁ ବି ଆଖିରେ ଚଷମା ପିନ୍ଧିବାର ଆବଶ୍ୟକତା ରହିଛି।

ଦୁଇଚକିଆ ଗାଡ଼ିରେ ଯିବା ବେଳେ ହେଲ୍‌ମେଟ୍‌ ପିନ୍ଧନ୍ତୁ ଓ ହେଲମେଟ୍‌ର ଗ୍ଲାସ୍‌ ଘୋଡ଼ାନ୍ତୁ। ଏହାଦ୍ଵାରା ଆଖିରେ ଧୂଳିମଳି, ପୋକ ଆଦି ମାଡ଼ ହେବାରୁ ରକ୍ଷା ପାଇପାରିବେ।

ସବୁବେଳେ ଆଖିକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରିବା ଦରକାର। ଯଦି ଆଖିରେ ଛୋଟ ଆଘାତ ବି ଲାଗୁଛି, ତେବେ ତୁରନ୍ତ ଆଖି ବିଶେଷଜ୍ଞଙ୍କ ପରାମର୍ଶ ନେବା ଦରକାର।

କେମିତି କରିବେ ଚିକିତ୍ସା? (Treatment of Corneal Injury in Odia)

ଯଦି ଆଖିରେ କିଛି ଛୋଟ ପଥର ବା ମେଟାଲ ପଡ଼ିଛି, ତେବେ ତାକୁ କାଢ଼ିଦିଆଯାଏ। ଯଦି ଆଖିରେ ଅଧିକ କିଛି ପଡ଼ିଛି ଓ ତାହା ଆଖି ଭିତରକୁ ମାଡ଼ି ଯାଇଛି, ତେବେ ବ୍ୟକ୍ତିଙ୍କୁ ଆନାସ୍‌ଥେସିଆ ଦେଇ କାଢ଼ିବାକୁ ପଡ଼ିଥାଏ। ଯଦି ଆଖିର କଳାଡୋଳା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ତେବେ ପ୍ରଥମେ ତାକୁ ଷ୍ଟିଚ୍ କରିଦିଆଯାଏ, ଯେପରି ଆଖି ସଂକ୍ରମଣ ନ ହୁଏ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୁଜାତା ଦାସଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Treatment of Corneal injury, in Odia language, is based on an extensive interview with ophthalmologist Dr Sujata Das.