ଦୃଢ଼ ରୋଗ ପ୍ରତିରୋଧକ ଶକ୍ତି ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ତେବେ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏହି ୫ଟି ଫର୍ମୂଲା ଆପଣାନ୍ତୁ।

୧. ସୁଷମ ଖାଦ୍ୟ ଖାଆନ୍ତୁ

ରୋଗ ପ୍ରତିରୋଧକ ଶକ୍ତି ପାଇଁ ଥିବା ଶ୍ୱେତ ରକ୍ତ କଣିକା ଜୀବାଣୁ ବା ଭୂତାଣୁ ସହିତ ଲଢ଼େଇ କରିବା ପାଇଁ କେମୋକାଇନ୍, ସାଇଟୋକାଇନ୍, ଆଣ୍ଟିବଡି ଭଳି ରସାୟନର ବ୍ୟବହାର କରଥା’ନ୍ତି। ଏଗୁଡ଼ିକ କାମ କରିବା ପାଇଁ କେତେଗୁଡ଼ିଏ ଖାଦ୍ୟ ପଦାର୍ଥର ଆଶ୍ୟକତା ରହିଛି, ଯାହାକୁ ଆମେ ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍ ବୋଲି କହିଥାଉ। ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍ ଯଥା – ସେଲେନିୟମ୍, କପର, ଆଇରନ୍, ଭିଟାମିନ୍-ଏ, ଡି, ବି-୬ ଏବଂ ଫୋଲିକ୍ ଏସିଡ୍। ଏହି ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍‌କୁ ଖାଦ୍ୟରେ ପ୍ରଚୁର ପରିମାଣରେ ସାମିଲ କଲେ, ଏହା ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ତାଜା ଫଳ ଏବଂ ପନିପରିବା ଅଧିକ ଖାଇଲେ ଏହି ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍ ଶରୀରକୁ ମିଳିପାରିବ।

ଅଙ୍ଗୁର, କମଳା, ଲେମ୍ବୁ, ବ୍ରୋକଲି, ରେଡ୍‌ କ୍ୟାପ୍‌ସିକମ୍ ଆଦି ଖାଦ୍ୟ ଖାଇଲେ ଆପଣଙ୍କୁ ଭିଟାମିନ୍-ସି ଅଧିକ ମିଳିବ। ଆଲ୍‌ମଣ୍ଡ୍ ଅଏଲ, ଆଭାକାଡୋ ଆଦି ଖାଇଲେ ଭିଟାମିନ୍-ଇ ଅଧିକ ମିଳିବ। ସେହିପରି ନିୟମିତ ଦହି ବା କ୍ଷୀର ଖାଇଲେ ଆପଣଙ୍କ ଶରୀରକୁ ଭିଟାମିନ-ଡି ମିଳିଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆପଣଙ୍କୁ ଏହି ଭଳି ସୁଷମ ଖାଦ୍ୟ ଖାଇବା ଦରକାର। ଜଙ୍କ୍ ଫୁଡ୍‌ଠାରୁ ଦୂରେଇ ରହିବାକୁ ହେବ।

people, woman, exercise

୨. ନିୟମିତ ବ୍ୟାୟାମ କରିବା ଦରକାର

ଆମ ଶରୀରର ଦୁଇ ପ୍ରକାରର ନର୍ଭସ ସିଷ୍ଟମ ରହିଛି। ସିମ୍ପାଥେଟିକ୍ ନର୍ଭସ ସିଷ୍ଟମ ଏବଂ ପାରା ସିମ୍ପାଥେଟିକ୍ ନର୍ଭସ ସିଷ୍ଟମ। କର୍ମକ୍ଷେତ୍ରରେ କାମ କରିବା ବେଳେ ଆମେ ଅନେକ ସମୟରେ ଚାପରେ ରହିଥାଉ। ଫଳରେ ଏହି ସ୍ନାୟୁ ଆମ ରୋଗ ପ୍ରତିରୋଧକ ଶକ୍ତିକୁ ଠିକ୍ ଭାବେ କାମ କରିବାକୁ ଦେଇନଥାଏ।

ଆମେ ନିୟମିତ ଯୋଗ କିମ୍ବା ପ୍ରାଣାୟମ କଲେ ଏହି ସମସ୍ୟାରୁ ମୁକୁଳି ପାରିବା। ଅନୁଲୋମ ବିଲୋମ ଭଳି ଦୀର୍ଘ ନିଶ୍ୱାସ ପ୍ରଶ୍ୱାସ ନିଅନ୍ତୁ। ଏହା ରୋଗ ପ୍ରତିରୋଧକ ଶକ୍ତି ଠିକ୍ ଭାବେ କାମ କରିବାରେ ସାହାଯ୍ୟ କରିଥାଏ। ତେଣୁ ନିୟମିତ ଯୋଗ କିମ୍ବା ପ୍ରାଣାୟମ କରୁଥିବା ବ୍ୟକ୍ତିଙ୍କର ସଂକ୍ରମଣ ହେବାର ସମ୍ଭାବନା ବହୁତ କମ୍‌।

୩. ସଠିକ୍‌ ନିଦ୍ରାରେ ଶୁଅନ୍ତୁ

ଦୈନିକ ୬ରୁ ୮ ଘଣ୍ଟା ଶୋଇବା ଜରୁରୀ। ଶୋଇବା ପୂର୍ବରୁ କୌଣସି ଇଲେକ୍ଟ୍ରୋନିକ୍ସ ଜିନିଷ ବ୍ୟବହାର କରିବେ ନାହିଁ। ଶୋଇବାର ୧ ଘଣ୍ଟା ପୂର୍ବରୁ ମୋବାଇଲ କିମ୍ବା ଟିଭି ଦେଖିବେ ନାହିଁ। ରାତିରେ ହାଲ୍‌କା ଭୋଜନ ଗ୍ରହଣ କରିବେ।

ସେହିପରି ଚା’, କଫି, ଚକୋଲେଟ୍, ମଦ୍ୟପାନ ଭଳି ଦ୍ରବ୍ୟଠାରୁ ଦୂରେଇ ରହିବେ। ଗବେଷଣାରୁ ଜଣାପଡ଼ିଛି ଯେ, ଆମେ ଶୋଇଥିବା ସମୟରେ ଆମ ଶରୀରରୁ ଅନେକ ହରମୋନ୍ ଓ ରସାୟନ ନିର୍ଗତ ହୁଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ଠିକ୍ ଭାବେ କାମ କରାଇବାରେ ସାହାଯ୍ୟ କରିଥାଏ।

office stress

୪. ଚାପ ମୁକ୍ତ ରହନ୍ତୁ

ସମସ୍ତ ରୋଗର ମୂଳ କାରଣ ହେଉଛି ମାନସିକ ଚାପ। ରୋଗ ପ୍ରତିରୋଧକ ଶକ୍ତି ସଠିକ୍ ଭାବେ କାମ କରିବା ପାଇଁ ଆପଣଙ୍କୁ ମାନସିକ ଭାବେ ଚାପ ମୁକ୍ତ ରହିବା ଦରକାର। ଆମେ ଚାପମୁକ୍ତ ରହିଲେ ଆମ ଶରୀରରେ ଥିବା ଇମ୍ୟୁନିଟି ସିଷ୍ଟମ ଭଲ ଭାବେ କାମ କରିଥାଏ। ଚାପଗ୍ରସ୍ତ ଇମ୍ୟୁନିଟି ସିଷ୍ଟମର କ୍ଷମତା କମିଯାଇଥାଏ।

୫. ଧୂମପାନ ଏବଂ ମଦ୍ୟପାନଠାରୁ ଦୂରେଇ ରହିବେ

ଆମ ଶ୍ୱାସନଳୀରେ ପହଁରା ଭଳି ଏକ ଅଙ୍ଗ ରହିଛି, ଯାହାକୁ ଆମେ ସିଲିଆ କହିଥାଉ। ଆମେ ନିଶ୍ୱାସ ପ୍ରଶ୍ୱାସ ସମୟରେ ବାୟୁରେ ଥିବା ୯୦ରୁ ୯୫ ପ୍ରତିଶତ ଜୀବାଣୁକୁ ସିଲିଆ ଠେଲି ବାହାରରୁ ବାହାର କରିଦେଇଥାଏ। ତେବେ ନିୟମିତ ଧୂମପାନ କରୁଥିଲେ ଏହି ସିଲିଆ ଏବଂ ଫୁସ୍‌ଫୁସ୍‌ରେ ଥିବା କୋଷଗୁଡ଼ିକୁ କ୍ଷତି ପହଞ୍ଚିଥାଏ। ଫଳରେ ସେମାନଙ୍କୁ ଜୀବାଣୁ ବା ଭୂତାଣୁ ଶୀଘ୍ର ଆକ୍ରମଣ କରିବାର ସମ୍ଭାବନା ରହିଥାଏ।

ସେହିପରି ମଦ୍ୟପାନ କରୁଥିଲେ ଆମ ପାକସ୍ଥଳୀରେ ଥିବା ଶରୀର ଉପଯୋଗୀ ଜୀବାଣୁଗୁଡ଼ିକ ମରିଯା’ନ୍ତି। ଫଳରେ ଶରୀରକୁ କ୍ଷତି ପହଞ୍ଚାଉଥିବା ଜୀବାଣୁଗୁଡ଼ିକ ବଢ଼ି ରୋଗ ସୃଷ୍ଟି କରିଥା’ନ୍ତି। ତେଣୁ ଧୂମପାନ ଏବଂ ମଦ୍ୟପାନଠାରୁ ଦୂରେଇ ରହିଲେ ଆମେ ଆମ ରୋଗ ପ୍ରତିରୋଧକ ଶକ୍ତିଙ୍କୁ ମଜଭୁତ କରିପାରିବା।

ଉପରୋକ୍ତ ଏହି ୫ଟି ଫର୍ମୁଲାକୁ ଆମେ ଆମ ନିତିଦିନିଆ ଜୀବନରେ ଆପଣାଇପାରିଲେ, ଆମ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ। ଏହା ସହିତ ଆମେ ବାହ୍ୟ ଆକ୍ରମଣ କରୁଥିବା ଜୀବାଣୁ ଏବଂ ଭୂତାଣୁକୁ ଠିକ୍ ଭାବରେ ମୁକାବିଲା କରିପାରିବା।