ହାର୍ଟ ଆଟାକ୍ ହେବାର କାରଣ କ’ଣ? ଏହାର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ଜଣାଶୁଣା ଡାକ୍ତର ଜେ.କେ ପାଢ଼ୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (Heart Attack: Causes, Symptoms and Treatment in Odia)

  • କାହିଁକି ହୁଏ ହାର୍ଟ ଆଟାକ୍?
  • ହାର୍ଟ ଆଟାକ୍‌ର ପ୍ରମୁଖ କାରଣ କ’ଣ?
  • ହାର୍ଟ ଆଟାକ୍‌ର ଲକ୍ଷଣ କ’ଣ?
  •  ହାର୍ଟ ଆଟାକ୍‌ର ନିରାକରଣ କିପରି କରିବା?
  • ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କାହିଁକି ଜରୁରୀ?

ହୃତ୍‌ପିଣ୍ଡ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମଣିଷର ହୃତପିଣ୍ଡ ଏକ ମାଂସ ପିଣ୍ଡୁଳା ସଦୃଶ। ଏହା ଶରୀରର ସମସ୍ତ କୋଷ, ଟିସୁ ଓ ଅଙ୍ଗକୁ ଅମ୍ଳଜାନ ଓ ରକ୍ତ ପ୍ରବାହିତ କରିଥାଏ ଫଳରେ ଶରୀରର ସମସ୍ତ ଅଙ୍ଗ ନିଜ ନିଜ କାର୍ଯ୍ୟ କରିଥା’ନ୍ତି। ହାର୍ଟ ଯଦି ରକ୍ତ ପମ୍ପ କରିବ ନାହିଁ ତେବେ ଶରୀରର ସମସ୍ତ କୋଷ ଓ ଟିସୁ ମରିଯିବ ଯାହାକି ଷ୍ଟ୍ରୋକ, କିଡ୍‌ନି ଓ ହୃଦୟଜନିତ ସମସ୍ୟା ସୃଷ୍ଟି କରିବ।

ଫୁସ୍‌ଫୁସ୍‌ରେ ରକ୍ତ ବିଶୁଦ୍ଧ ହେବା ପରେ ହୃତପିଣ୍ଡ ସମ୍ପୂର୍ଣ୍ଣ ଶରୀରକୁ ରକ୍ତ ଯୋଗାଇଥାଏ। ସେହିପରି ହୃତପିଣ୍ଡ ବଞ୍ଚିବା ପାଇଁ ନିଜସ୍ୱ ରକ୍ତ ସଞ୍ଚାଳନ ବ୍ୟବସ୍ଥା ରହିଛି। ହାଟର୍କୁ ରକ୍ତ ଯୋଗାଉଥିବା ରକ୍ତ ନଳୀରେ ଯଦି କୋଲେଷ୍ଟ୍ରଲ ଜମା ହୋଇଯିବ ଓ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହେବ। ସମୟ କ୍ରମେ ରକ୍ତନଳୀରେ କୋଲେଷ୍ଟ୍ରଲ ଜମା ହୋଇ ରକ୍ତନଳୀ ଫାଟିଯାଏ। ଯାହାଦ୍ୱାରା ରକ୍ତନଳୀରେ ରକ୍ତ ଜମାଟ ବାନ୍ଧିଯାଏ। ଜମାଟ ବାନ୍ଧିଯିବା ହେତୁ ହାର୍ଟକୁ ରକ୍ତ ସଞ୍ଚାଳନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ। ଫଳରେ ହୃଦୟର ମାଂସପେଶୀ ମରିଯା’ନ୍ତି ଫଳରେ ହାର୍ଟ ଆଟାକ ବା ଫେଲ୍ୟୁୟରର କାରଣ ପାଲଟେ।

ହୃଦୟକୁ ରକ୍ତସଞ୍ଚାଳନ ବନ୍ଦ ହେଲେ ହୃଦୟ ମାଂସପେଶୀ ୨୦ ମିନିଟ୍‌ ବା ସର୍ବାଧିକ ୧ ଘଣ୍ଟା ପର୍ଯ୍ୟନ୍ତ ବଞ୍ଚିପାରିବ। ୧ ଘଣ୍ଟା ପରେ ହୃଦୟ ମାଂସପେଶୀ ବଞ୍ଚିବନି ଯାହାକି ହାର୍ଟ ଆଟାକର କାରଣ ହୋଇଥାଏ।

Heart attack

ହୃଦରୋଗ ବିଭିନ୍ନ ପ୍ରକାରର

ହୃଦପିଣ୍ଡ ଜନିତ ଅନେକ ରୋଗ ରହିଛି।

କଞ୍ଜେନିଟାଲ ହୃଦରୋଗ: ଏହା ଏକ ଜନ୍ମଗତ ରୋଗ।

ହାଇପରଟେନ୍‌ସିଭ୍‌ ହୃଦରୋଗ: ଉଚ୍ଚରକ୍ତଚାପ ଯୋଗୁଁ ହାଇପରଟେନ୍‌ସିଭ୍‌ ହୃଦରୋଗ ହୋଇଥାଏ।

ଇସ୍କେମିକ୍‌ ହୃଦରୋଗ: ଅତ୍ୟଧିକ ଚର୍ବି ଜାତୀୟ ଖାଦ୍ୟ ଖାଇଲେ ହୃଦୟର ରକ୍ତନଳୀ ବନ୍ଦହୋଇ ସେଥିରେ ରକ୍ତ ପ୍ରବାହ ବନ୍ଦ ହୋଇଗଲେ ଇସ୍କେମିକ୍‌ ହୃଦରୋଗ ହୋଇଥାଏ।

ମାୟୋକାର୍ଡିଆଲ ହୃଦରୋଗ: ହୃତପିଣ୍ଡର ମାଂସପେଶୀ ଦୁର୍ବଳ ହେଲେ ମାୟୋକାର୍ଡିଆଲ ହୃଦରୋଗ ହୁଏ। ଏଥିରେ ହାର୍ଟ ଫେଲ୍ୟୁୟର ହେବାର ଆଶଙ୍କା ଥାଏ।

ପେରିକାର୍ଡିଅମ୍‌ ହୃଦରୋଗ: ହୃତପିଣ୍ଡର ଉପରି ଭାଗରେ ଯଦି ପାଣି ଜମେ ବା ସଂକ୍ରମଣ ହୁଏ, ତାହାହେଲେ ପେରିକାର୍ଡିଅମ୍‌ ହୃଦରୋଗ ହୁଏ।

heart-attack

ହାର୍ଟ ଆଟାକର କାରଣ (Causes of Heart attack in Odia)

ହାର୍ଟ ଆଟାକର ଅନେକ କାରଣ ରହିଛି। ବଂଶଗତ କାରଣରୁ ହାର୍ଟ ଆଟାକ ହୋଇପାରେ। ପରିବାରରେ କାହାକୁ ହାର୍ଟ ଆଟାକ ହୋଇଥିଲେ ଆପଣଙ୍କୁ ହେବାର ଆଶଙ୍କା ଅଧିକ।

ଉଚ୍ଚ ରକ୍ତଚାପ, ଡାଏବେଟିସ୍‌, ଧୂମପାନ, ମଦ୍ୟପାନ କିମ୍ବା ଚର୍ବି ଜାତୀୟ ଖାଦ୍ୟ ଅଧିକ ଖାଉଥିବା ଲୋକଙ୍କଠାରେ ହାର୍ଟ ଆଟାକ ହେବାର ଆଶଙ୍କା ବେଶି ରହିଛି। ଏହାଛଡ଼ା ବୟସ ଅଧିକ ହେଲେ ବି ହାର୍ଟ ଆଟାକ ହେବାର ରିସ୍କ ରହିଛି।

ହାର୍ଟ ଆଟାକର ଲକ୍ଷଣ (Symptoms of Heart attack in Odia)

ପୂର୍ବ ଭଳି ସାମର୍ଥ ସହ କାର୍ଯ୍ୟ କରିପାରିବେ ନାହିଁ।

ପୂର୍ବରୁ ଯେତିକି ଚାଲି ପାରୁଥିଲେ, ଆଉ ସେଭଳି ଚାଲି ପାରିବେ ନାହିଁ।

ଚାଲିବା ବେଳେ ଧଇଁସଇଁ ଲାଗିବ

ଛାତି ଯନ୍ତ୍ରଣା ହେବ

ହାର୍ଟ ଆଟାକର ଲକ୍ଷଣ କେବଳ ଛାତିରେ ଯନ୍ତ୍ରଣା ହେବ ତାହା ନୁହେଁ। ଯନ୍ତ୍ରଣା ଛାତିର ଆଗ ଭାଗରେ ହୋଇପାରେ, ପଛ ବେକ ପାଖରେ ଯନ୍ତ୍ରଣା ହୋଇପାରେ ବା ଦୁଇ ହାତରେ ବି ଯନ୍ତ୍ରଣା ହୋଇପାରେ। ନାଭିର ଉପରକୁ ଓ ଦାନ୍ତ ମାଢ଼ିର ତଳ ପର୍ଯ୍ୟନ୍ତ ଯଦି କିଛି ଯନ୍ତ୍ରଣା ହୁଏ, ତେବେ ଏହା ହାର୍ଟ ଯନ୍ତ୍ରଣା ବୋଲି ଧରାଯାଏ।

ମୁଣ୍ଡ ବୁଲାଇବ

ଅତ୍ୟଧିକ ଝାଳ ବୋହିବ

ହୃଦସ୍ପନ୍ଦନ ବଢ଼ିଯିବ

ଅଧିକାଂଶ କ୍ଷେତ୍ରରେ ଛାତି ଯନ୍ତ୍ରଣା ହୋଇଥାଏ। ୫୦ ପ୍ରତିଶତ କ୍ଷେତ୍ରରେ ମୃତ୍ୟୁ ହଠାତ୍‌ ଆସିଥାଏ ଯାହାକୁ କାର୍ଡିଆକଆରେଷ୍ଟ ବୋଲି କହିଥାଉ। ତେଣୁ ଲକ୍ଷଣ ଦେଖାଗଲେ ଏହାକୁ ଅଣଦେଖା ନ କରି ଡାକ୍ତରଙ୍କ ପରାମର୍ଶ କରନ୍ତୁ।

oily food

ହାର୍ଟ ଆଟାକର ନିରାକରଣ (Prevention of Heart attack in Odia)

ଯଦି ଜଣେ ବ୍ୟକ୍ତିଙ୍କୁ ଉଚ୍ଚ ରକ୍ତଚାପ ସମସ୍ୟା ରହିଛି, ତେବେ ତାଙ୍କୁ ରକ୍ତଚାପକୁ ନିୟନ୍ତ୍ରଣ କରିବାକୁ ହେବ।

ରକ୍ତ ଶର୍କରାକୁ ନିୟନ୍ତ୍ରଣ ରଖିବା ଜରୁରୀ ଫଳରେ ଏହା ହାର୍ଟକୁ ପ୍ରଭାବିତ କରିବ ନାହିଁ।

ଦୈନନ୍ଦିନ ବ୍ୟାୟାମ କରିବାକୁ ହେବ।

ଧୂମପାନଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରହନ୍ତୁ।

ଅଧିକ ତେଲ, ମସଲା ଓ ଚର୍ବିଜାତୀୟ ଖାଦ୍ୟଠାରୁ ଦୂରେଇ ରହିବେ।

ବଂଶଗତ କାରଣରୁ ମଧ୍ୟ ହାର୍ଟ ଆଟାକ ହୋଇଥାଏ। ଏଭଳି କ୍ଷେତ୍ରରେ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଜରୁରୀ।

lab test

ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା (Routine Health Checkup in Odia)

ହୃଦରୋଗର କୌଣସି ଲକ୍ଷଣ ଦେଖାଗଲା ମାତ୍ରେ ଅବହେଳା କରନ୍ତୁ ନାହିଁ, ଚିକିତ୍ସା କରନ୍ତୁ। ଅନ୍ୟପକ୍ଷରେ ବେଳେବେଳେ ଆମ ଶରୀରରେ ରୋଗର ଲକ୍ଷଣ ଦେଖାଦେଇ ନଥାଏ କିମ୍ବା ରୋଗୀ ତାହା ଜାଣି ପାରି ନଥାଏ। ତେବେ ଆମେ ଲକ୍ଷଣକୁ ଜାଣି ନପାରିଲେ ମଧ୍ୟ ରୋଗ ଭିତରେ ଭିତରେ ବଢ଼ିବାରେ ଲାଗେ।

ଏହି ସମସ୍ୟାକୁ ଦୂର କରିବାର ଗୋଟିଏ ସମାଧାନ ହେଉଛି ନିୟମିତ ହେଲ୍‌ଥ ଚେକ୍‌ଅପ୍। ଆପଣ ସୁସ୍ଥ ଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ରୁଟିନ୍ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦରକାର। ଏଥିରେ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥାଏ। ୪୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ନିୟମିତ ହେଲ୍‌ଥ ଚେକ୍‌ଅପ୍ ନିହାତି ଦରକାର। ସେହିପରି ସୁସ୍ଥ ବ୍ୟକ୍ତି ମଧ୍ୟ ବର୍ଷକୁ ଥରେ ହେଲ୍‌ଥ ଚେକ୍‌ଅପ୍‌ କରିବା ଦରକାର।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜେ.କେ ପାଢ଼ୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on Heart attack with their causes, symptoms & prevention based on the interview with Dr J.K. Padhi, cardiologist.