ଫଳକୁ ରସ କରିଦେଲେ ସେଥିରୁ ଭିଟାମିନ ନଷ୍ଟ ହୋଇଯାଇଥାଏ ତେଣୁ ଫଳ ରସ ଅପେକ୍ଷା ଫଳକୁ ଚୋବାଇ ଖାଇବା ଶରୀର ପକ୍ଷେ ହିତକର

ଅନେକ ଲୋକ ଫଳ ଚୋବାଇ ଖାଇବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ସବୁବେଳେ ଫଳକୁ ରସ କରି ପିଇଥା’ନ୍ତି। ପ୍ରାୟ ଲୋକଙ୍କର ଭୁଲ ଧାରଣା ରହିଛି ଯେ, ଫଳ ରସ କରି ପିଇଲେ ଅଧିକ ଏନର୍ଜି ମିଳିଥାଏ। ହେଲେ ଫଳ ଏବଂ ପନିପରିବା ଜୁସ କରିବା ଦ୍ୱାରା ସେମାନଙ୍କ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ନଷ୍ଟ ହୋଇଯାଇଥାଏ।

ଫଳକୁ ରସ କରିବା ପାଇଁ ଆମେ ଫଳର ଚୋପା ଛଡ଼ାଇଥାଉ, ଯାହା ଭୁଲ। କାରଣ ଫଳର ଚୋପାରେ ମଧ୍ୟ ଭିଟାମିନ୍‌ ଥାଏ। ଏହାଛଡ଼ା ଲୋକେ ଫଳକୁ ଜୁସ୍‌ କରିବା ଲାଗି ଏଥିରେ ଆବଶ୍ୟକୀୟ ପାଣି, ଚିନି ଓ ବରଫ ଏବଂ ବେଳେ ବେଳେ କିଛି ଲୋକ ଲୁଣ ସ୍ୱାଦ ପାଇଁ ମିଶାଇଥା’ନ୍ତି। କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଖରାପ। ଫଳକୁ ଗୋଟା ଖାଇବାରେ ଯେତିକି ଭିଟାମିନ୍‌ ମଳିଥାଏ, ଜୁସ୍‌ କରିବାରେ ଏହାର ଭିଟାମିନ୍‌ ନଷ୍ଟ ହୋଇଥାଏ।

ଫଳକୁ ଜୁସ କରି ପିଇବା ଫଳରେ ସେଥିରେ ଥିବା ଉଦ୍ଭିଦଜାତ ପ୍ରୋଟିନ, ମିନେରାଲ୍ସ ଏବଂ ଭିଟାମିନ ନଷ୍ଟ ହୋଇଯାଇଥାଏ। ତେଣୁ ଯେତେ ସମ୍ଭବ ଫଳକୁ ଚୋବାଇ ଖାଇବା ପାଇଁ ଚେଷ୍ଟା କରନ୍ତୁ।

ମଧୁମେହ, ମେଦବହୁଳତା ଏବଂ ହୃଦ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଫଳ ରସ ଭଲ ନୁହେଁ। ରକ୍ତରେ ଶର୍କରା ନିୟନ୍ତ୍ରଣ ଉପରେ ପ୍ରଭାବ ପକାଇଥାଏ ଫଳରସ। ତେଣୁ ରସ ଅପେକ୍ଷା ଫଳକୁ ଚୋବାଇ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ।

କେବଳ ଫଳ ନୁହେଁ ଫଳର ଚୋପା ବି ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହାସହ ଫଳ ଜୁସ କରିବା ପରେ ମିଶ୍ରଣରୁ ଖଦଡ଼ ଅଂଶକୁ ଛାଣି ଦିଆଯାଏ। ଫଳରେ ଏଥିରୁ ଆବଶ୍ୟକୀୟ ଭିଟାମିନ ବାହାରିଯାଏ।

ଫଳକୁ ଚୋବାଇ ଖାଇଲେ ଦାନ୍ତ ଏବଂ ମାଢ଼ି ଶକ୍ତ ହୋଇଥାଏ। ଜୁସ ପିଇବାରେ ଦାନ୍ତର କୌଣସି ଭୂମିକା ନଥାଏ। ତେଣୁ ଫଳକୁ ଜୁସ ଅପେକ୍ଷା ଚୋବାଇ ଖାଇବା ଭଲ।

ଫଳ ଜୁସରେ ଅଧିକାଂଶ ଲୋକ ଚିନି ମିଶାଇ ପିଇବାକୁ ପସନ୍ଦ କରିଥାନ୍ତି। ଏପରି ସ୍ଥଳେ ଫଳକୁ ଚୋବାଇ ଖାଇଲେ ଚିନିର ଆବଶ୍ୟକତା ପଡ଼ିନଥାଏ।

ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ଫାଇବରର ଭୂମିକା ରହିଛି। ଫାଇବର ଖାଦ୍ୟକୁ ସଠିକ ଭାବେ ହଜମ କରାଇଥାଏ। ମାତ୍ର ଫଳ ରସ ଖାଦ୍ୟରୁ ଫାଇବରକୁ ଅଲଗା କରିଦେଇଥାଏ। ଯଦ୍ୱାରା କୋଷ୍ଠକାଠିନ୍ୟ ଭଳି ପେଟ ଜନିତ ସମସ୍ୟା ଦେଖା ଦେଇଥାଏ। ତେଣୁ ଜୁସ କରି ପିଇବା ଅପେକ୍ଷା ଚୋବାଇ ଖାଇବା ଭଲ ହୋଇଥାଏ।

ଫଳ ରସରେ ଫ୍ୟାଟ ଏବଂ ପ୍ରୋଟିନ କମ ପରିମାଣରେ ଥିବା ଯୋଗୁଁ ଫଳ ରସ ନ ପିଇ ଫଳକୁ ଚୋବାଇ ଖାଆନ୍ତୁ।