କାହିଁକି ହୁଏ ଯୌନ ସମସ୍ୟା? କେମିତି କରିବେ ଏହାର ଚିକିତ୍ସା? ଏନେଇ ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ତଥା ଯୌନରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ପ୍ରତ୍ୟେକ ବ୍ୟକ୍ତି ବଞ୍ଚିବା ପାଇଁ ଯେପରି ଖାଦ୍ୟ, ବସ୍ତ୍ର ଓ ବାସଗୃହର ଆବଶ୍ୟକତା ରହିଛି ସେହିପରି ଏକ ସୁସ୍ଥ ଜୀବନଯାପନ ପାଇଁ ନିଦ୍ରା ଏବଂ ଯୌନ କ୍ରିୟାର ଆବଶ୍ୟକ ରହିଛି। ଯୌନ କ୍ରିୟା ଦ୍ୱାରା ମଣିଷ ଚିନ୍ତାମୁକ୍ତ ହୋଇଥାଏ, ମନକୁ ଆରାମ ଲାଗେ ଏବଂ ନିଦ୍ରା ମଧ୍ୟ ଭଲ ଭାବରେ ହୋଇଥାଏ। ତେବେ ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ଉଭୟ ପୁରୁଷ ଏବଂ ମହିଳାଙ୍କଠାରେ ଯୌନ ସମସ୍ୟା ଦେଖିବାକୁ ମିଳୁଛି।

unhappy couple_Sexual dysfunction

ଯୌନ ସମସ୍ୟାର ପ୍ରକାର (Types of sexual problems in Odia)

ବିଭିନ୍ନ ପ୍ରକାରର ଯୌନ ସମସ୍ୟା ରହିଛି। ପୁରୁଷଙ୍କଠାରେ ସବୁଠୁ ଅଧିକ ଦେଖାଯାଉଥିବା ଯୌନ ସମସ୍ୟା ହେଉଛି ପ୍ରିମାଚ୍ୟୋର ଇଜାକୁଲେସନ୍। ଶାରୀରିକ ସମ୍ପର୍କ ରଖିବା ସମୟରେ ଧାତୁ ଶ୍ରୀଘ୍ର ନିର୍ଗତ ହେବାକୁ ପ୍ରିମାଚ୍ୟୋର ଇଜାକୁଲେସନ୍ କୁହାଯାଏ। ସେହିପରି ପୁରୁଷଙ୍କ ପାଖରେ ଦେଖାଯାଉଥିବା ଅନ୍ୟ ଏକ ସମସ୍ୟା ହେଉଛି ଇରେକ୍ଟାଇଲ ଡିସଫଙ୍ଗସନ୍। ପୁରୁଷଙ୍କ କ୍ଷେତ୍ରରେ ୪୦ରୁ ଅଧିକ ବର୍ଷ ବୟସର ବ୍ୟକ୍ତିଙ୍କଠାରେ ଇରେକ୍ଟାଇଲ ଡିସଫଙ୍ଗସନ୍ ସମସ୍ୟା ଦେଖାଦେଇଥାଏ।

ଅନ୍ୟ ପକ୍ଷରେ ମହିଳାମାନଙ୍କଠାରେ ସବୁଠୁ ଅଧିକ ଦେଖାଯାଉଥିବା ଯୌନ ସମସ୍ୟା ହେଉଛି ଭଜାଇନିସମସ୍। ଶାରୀରିକ ସମ୍ପର୍କ ରଖିବା ସମୟରେ ଅତ୍ୟଧିକ ଯନ୍ତ୍ରଣା ହେବାକୁ ଭଜାଇନିସମସ୍ ବୋଲି କୁହାଯାଏ। ସେହିପରି ଶାରୀରିକ ସମ୍ପର୍କ ରଖିବାକୁ ଆଦୌ ଇଚ୍ଛା ନହେବା ମଧ୍ୟ ଏକ ପ୍ରକାରର ଯୌନ ସମସ୍ୟା। ଏହାକୁ ହାଇପୋଆକ୍ଟିଭ୍ ସେକ୍ସୁଆଲ ଡିଜାୟର ଡିଜଅର୍ଡର ବୋଲି କୁହାଯାଏ।

ନବ ବିହାହିତା ମହିଳାଙ୍କଠାରେ ଏହି ସମସ୍ୟାଗୁଡ଼ିକ ଅଧିକ ଦେଖାଦେଇଥାଏ। ସାଧାରଣତଃ ଧୀରେ ଧୀରେ ଏହା ଠିକ୍ ହୋଇଯାଇଥାଏ। ହେଲେ ଅନେକ ସମୟରେ ଏହି ସମସ୍ୟା ଭବିଷ୍ୟତରେ ଅଧିକ ଦେଖାଯାଏ, ଯାହା ଭବିଷ୍ୟତରେ ସନ୍ତାନ ଜନ୍ମ କ୍ଷେତ୍ରରେ ଅସୁବିଧା ସୃଷ୍ଟି କରିଥାଏ।

unhappy couple_Sexual dysfunction

ଅଧିକ ପଢ଼ନ୍ତୁ: ଅତ୍ୟଧିକ ସଫାସୁତରା ହେଉଛନ୍ତି କି? ହୋଇଥାଇପାରେ ଶୂଚୀବାଇ ରୋଗ

ଯୌନ ସମସ୍ୟାର କାରଣ (Causes of sexual problems in Odia)

ଯୌନାଙ୍ଗରେ କୌଣସି ସମସ୍ୟା ଥିଲେ, ଡିପ୍ରେସନରେ ଥିଲେ, ନିଜକୁ ଦୋଷୀ ମନେ କରୁଥିଲେ, ପିଲାଦିନେ କୌଣସି କାରଣରୁ ଯଦି ଯୌନ ଶୋଷିତ ହୋଇଥିଲେ ଯୌନ ସମସ୍ୟା ଦେଖାଦେବାର ଅଶଙ୍କା ଥାଏ। ଏହା ଯୌନ ସମସ୍ୟାର ସାଧାରଣ କାରଣ ହୋଇପାରେ।

ଅନ୍ୟ କାରଣ ଦେଖିବାକୁ ଗଲେ ଦୁର୍ଘଟଣା ଯୋଗୁଁ ଯଦି ଅଣ୍ଟାରେ ଆଘାତ ଲାଗେ କିମ୍ବା ମେରୁଦଣ୍ଡରେ ଓମସ୍ୟା ଦେଖାଦିଏ ତେବେ କେତେକାଂଶରେ ଯୌନ ସମସ୍ୟା ଦେଖା ଦେଇପାରେ। ଡାଏବେଟିସ, ଉଚ୍ଚ ରକ୍ତଚାପ, ହାର୍ଟ ଆଟାକ୍ ରୋଗ କାରଣରୁ ମଧ୍ୟ ଯୌନ ସମସ୍ୟା ଦେଖିବାକୁ ମିଳିପାରେ।

ବ୍ୟକ୍ତିଜଣକ ଯଦି ନିଶାଦ୍ରବ୍ୟ ସେବନ କରୁଥିବେ କିମ୍ବା କୌଣସି ଔଷଧ ଖାଉଥିବେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଭାବେ ଯୌନ ସମସ୍ୟା ଦେଖା ଦେଇପାରେ। ସେହିପରି ଅଧିକ ଡିପ୍ରେସନ କିମ୍ବା ନିଦ୍ରାହୀନତା ଯୌନ ସମସ୍ୟାର କାରଣ ହୋଇପାରେ।

ଯୌନ ସମସ୍ୟାର ପରୀକ୍ଷଣ କେମିତି ହୁଏ? (Diagnosis of sexual problems in Odia)

ଅନେକ ସମୟରେ ଯୌନ ସମସ୍ୟାକୁ ନେଇ ପତି ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥାଏ। ବେଳେ ବେଳେ କଥା ଛାଡ଼ପତ୍ର ଯାଏଁ ମଧ୍ୟ ଯାଇଥାଏ। ତେବେ ସମସ୍ତଙ୍କୁ ଜାଣି ରଖିବାକୁ ହେବ ଯେ, ଏହି ସମସ୍ୟାର ଚିକିତ୍ସା ଏବଂ ସମାଧାନ ରହିଛି। ଏଥିପାଇଁ ଡାକ୍ତରଙ୍କ ସହ ପରାମର୍ଶ କରିବା ସହିତ ସଠିକ ପରୀକ୍ଷଣ କରାଇନେବା ଆବଶ୍ୟକ।

ଯୌନ ସମସ୍ୟା ପ୍ରଥମ ଥର ପାଇଁ ହେଉଛି ନା ଜନ୍ମରୁ ଥିଲା, ଏହା ଜାଣିବା ପାଇଁ ଡାକ୍ତର ପ୍ରଥମେ ରୋଗୀର ଅତୀତ ବିଷୟରେ ପଚାରି ବୁଝିଥା’ନ୍ତି। ଅଧିକାଂଶ ସମୟରେ ସାଇକୋଲୋଜିକାଲ ସମସ୍ୟା ଯୋଗୁଁ ଯୌନ ସମସ୍ୟା ଦେଖାଦେଇଥାଏ। ଯେପରିକି ଅତୀତରେ ବ୍ରେକ-ଅପ୍ ହୋଇଥିବା, ସ୍ୱାମୀ ପସନ୍ଦ ଆସୁନଥିବା, ପାରିବାରିକ ସମସ୍ୟା, ନିଦ୍ରାହୀନତା, ଡିପ୍ରେସନ୍ ଭଳି ବିଭିନ୍ନ ବିଷୟରେ ଡାକ୍ତର ଯାଞ୍ଚ କରିଥା’ନ୍ତି।

ଡାଏବେଟିସ, ଉଚ୍ଚ ରକ୍ତଚାପ ଭଳି କୌଣସି ରୋଗ କାରଣରୁ ଯୌନ ସମସ୍ୟା ଦେଖା ଦେବାକୁ ନେଇ ବିଭିନ୍ନ ପରୀକ୍ଷା କରାଯାଇଥାଏ। ରକ୍ତ ପରୀକ୍ଷା, ଲିପିଡ୍ ପରୀକ୍ଷା ଆଦି କରିବା ପରେ ଡାକ୍ତର ଫିଜିକାଲ୍ ଏବଂ ହରମୋନ୍ ପରୀକ୍ଷା କରି ଯୌନ ସମସ୍ୟାର କାରଣ ନିରୁପଣ କରିଥା’ନ୍ତି।

mental health

ଅଧିକ ପଢ଼ନ୍ତୁ: ଡିପ୍ରେସନ ହିଁ ଆତ୍ମହତ୍ୟାର ମୁଖ୍ୟ କାରଣ

ଯୌନ ସମସ୍ୟାର ଚିକିତ୍ସା (Treatment of sexual problems in Odia)

ଯୌନ ସମସ୍ୟାର ଚିକିତ୍ସା ପାଇଁ ପ୍ରଥମେ ଜୀବନଶୈଳୀକୁ ପରିବର୍ତ୍ତନ କରିବାକୁ ହେବ। ମେଦ ବହୁଳତା ଥିଲେ ଖାଦ୍ୟପେୟ ଏବଂ ବ୍ୟାୟାମ ଦ୍ୱାରା ଓଜନ କମାଇବାକୁ ପରାମର୍ଶ ଦିଆଯାଇଥାଏ। ଡାଏବେଟିସ୍, ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ କୁହାଯାଇଥାଏ। ନିୟମିତ ଯୋଗ ବ୍ୟାୟାମ କରିବାକୁ ପରାମର୍ଶ କରାଯାଇଥାଏ। ରାସ୍ତା କଡ଼ର ତେଲ ଭାଜି, ଜଙ୍କ୍ ଫୁଡ୍, ଚା’, କଫି, ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ପାଇଁ ଉପଦେଶ ଦିଆଯାଇଥାଏ।

ନବ ବିବାହିତା ଦମ୍ପତ୍ତିମାନଙ୍କ ପାଇଁ କପଲ ଥେରାପି, ସେକ୍ସ ଥେରାପି ଆଦି ରହିଛି। ସେମାନଙ୍କୁ ଯୌନ ଶିକ୍ଷା ବା ସେକ୍ସ ଏଜୁକେସନ ଦିଆଯାଇଥାଏ। ଜଣେ ଜଣକୁ କେମିତି ବୁଝିବେ, ନିଜ ସମସ୍ୟାକୁ ନେଇ ପରସ୍ପରକୁ କେମିତି ଜଣାଇବେ, ସେ ବିଷୟରେ ତାଙ୍କୁ ଉପଦେଶ ଦିଆଯାଇଥାଏ।

ଜୀବନଶୈଳୀକୁ ପରିବର୍ତ୍ତନ, କପଲ ଥେରାପି, ସେକ୍ସ ଏଜୁକେସନ ଆଦି ପରେ ମଧ୍ୟ ଯୌନ ସମସ୍ୟା ଠିକ୍ ନହେଲେ ଡାକ୍ତର ଔଷଧୀୟ ଚିକିତ୍ସା ଉପରେ ଗୁରୁତ୍ୱ ଦେଇଥା’ନ୍ତି। ଏନେଇ ବିଭିନ୍ନ ପ୍ରକାରର ମେଡିସିନ୍ ରହିଛି। ସବୁବେଳେ ଡାକ୍ତରଙ୍କ ପରାମର୍ଶ ମୂତାବିକ ଔଷଧ ସେବନ କରିବା ଉଚିତ।

happy couple_Sexual dysfunction

ଯୌନ ସମସ୍ୟାର ସମାଧାନ ସମ୍ଭବ (Sexual problems are curable)

ବର୍ତ୍ତମାନ ସମୟରେ ଯୌନ ସମସ୍ୟାର ସମାଧାନ ଓ ଚିକିତ୍ସା ସମ୍ଭବ। ଏଥିପାଇଁ ଜୀବନଶୈଳୀ ପରିବର୍ତ୍ତନର ଆବଶ୍ୟକ। ଯଦି ମେଦ ବହୁଳତା ରହିଛି, ତେବେ ବ୍ୟାୟାମ କରି ଏହାକୁ କମ କରନ୍ତୁ। ଦେଖିବାକୁ ଗଲେ ଆଜିକାଲି ପ୍ରାୟ ନବବିବାହିତା ଦମ୍ପତ୍ତିଙ୍କଠାରେ ଯୌନ ସମସ୍ୟା ଦେଖିବାକୁ ମିଳୁଛି। ତେଣୁ ପ୍ରଥମେ ଦୁହେଁ ଦୁହିଁଙ୍କୁ ଭଲ ଭାବରେ ଜାଣନ୍ତୁ। ସମସ୍ୟା ବିଷୟରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହୁଅନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

(ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ’ ସହିତ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ)

Note: This information on Sexual Problems, in Odia language, is based on an extensive interview with Neuropsychiatrist & Sexologist Dr Suvendu Narayan Mishra.