ଆଜିକାଲି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଫାଷ୍ଟଫୁଡ୍‌ ପ୍ରିୟ। କିନ୍ତୁ, ଫାଷ୍ଟଫୁଡ୍‌ ଖାଇବା ଦ୍ୱାରା ମୋଟାପଣ, ଡାଏବେଟିସ୍‌ ଓ କୋଲେଷ୍ଟ୍ରୋଲ ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଏପରିସ୍ଥଳେ ଜଙ୍କଫୁଡ୍‌କୁ ବି ଆପଣ ସ୍ୱାସ୍ଥ୍ୟପ୍ରଦ ବନାଇ ପାରିବେ।

ପାସ୍ତା, ସାଣ୍ଡୱିଚ୍, ପିଜ୍ଜା ଇତ୍ୟାଦିକୁ ବାହାରୁ ମଗାଇବା ପରିବର୍ତ୍ତେ ଘରେ ପ୍ରସ୍ତୁତ କରନ୍ତୁ। ଏସବୁକୁ ବନାଇବା ସମୟରେ ଅଧିକ ପରିବା ବ୍ୟବହାର କରିବା ଭଲ। ପିଲାମାନଙ୍କର ପସନ୍ଦ ଅନୁସାରେ ପରିବା ପକାଇ ପାରିବେ। ଏହାଛଡ଼ା ଏହିସବୁ ଜିନିଷକୁ ବାହାରୁ କିଣିବା ଅପେକ୍ଷା କରିବା ଭଲ। କାରଣ ଘରେ ତିଆରି କଲେ ଆପଣ ଭଲ ତେଲ, ଅଳ୍ପ ତେଲ ଏବଂ ସେହି ତେଲକୁ ବାରମ୍ବାର ବ୍ୟବହାର କରିବେ ନାହିଁ। ଫଳରେ ଫାଷ୍ଟଫୁଡ୍‌ ବି ସ୍ୱାସ୍ଥ୍ୟକର ହୋଇପାରିବ।

ମେୟୋନିଜ ବ୍ୟବହାର କରିବା ବଦଳରେ ଆଭୋକାଡୋର ସସ୍ ବ୍ୟବହାର କରନ୍ତୁ। ଏହାଯୋଗୁଁ ଏହିସବୁ ଖାଦ୍ୟରେ ଭିଟାମିନ୍‌ର ଅଭାବ ପୂରଣ ହେବ।

ପାସ୍ତାରେ ପରିବା ସହିତ ଡାଲି ମଧ୍ୟ ବ୍ୟବହାର କରିପାରିବେ। ଏହାଯୋଗୁଁ ପାସ୍ତା ସ୍ୱାଦିଷ୍ଟ ହେବା ସହିତ ଶରୀର ପ୍ରତି ଅଧିକ କ୍ଷତିକାରକ ହେବନାହିଁ।

ମଇଦା ସ୍ୱାସ୍ଥ୍ୟ ପ୍ରତି ଖୁବ୍ କ୍ଷତିକାରକ। ତେଣୁ ପିଜ୍ଜା ବନାଇବା ସମୟରେ ମଇଦା ବଦଳରେ ଗହମ ଅଟାର ବେସ୍ ବ୍ୟବହାର କରନ୍ତୁ।

ଘରେ ରୋଲ ତିଆରି କରୁଥିଲେ ମଇଦା ବଦଳରେ ଅଟା ବ୍ୟବହାର କରିପାରିବେ।

ସେହିଭଳି ସାଣ୍ଡୱିଚ୍ ବନାଇବା ସମୟରେ ଧଳା ପାଉଁରୁଟି ବଦଳରେ ବ୍ରାଉନ୍‌ ବ୍ରେଡ୍‌ର ବ୍ୟବହାର କରିପାରିବେ। ସାଣ୍ଡଓ୍ୱିଚ୍‌ରେ କାକୁଡ଼ି, ଟମାଟୋ, ପିଆଜ, ପନିର, ସିଝା ଅଣ୍ଡା ବ୍ୟବହାର କରିପାରିବେ। ସସ୍‌ ବଦଳରେ ଏଥିରେ ପୁଦିନା ଧନିଆପତ୍ର ଚଟଣୀ ବ୍ୟବହାର କରିପାରିବେ, ଯାହା ସ୍ୱାଦିଷ୍ଟ ହେବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟକର।

ଜଙ୍କଫୁଡ୍‌କୁ ସ୍ୱାସ୍ଥ୍ୟକର ବନାଇବା ଲାଗି ଭିନେଗାର ବଦଳରେ ଲେମ୍ବୁରସ ବ୍ୟବହାର କରନ୍ତୁ। ସାଣ୍ଡୱିଚ, ପିଜ୍ଜା ବନାଇବା ସମୟରେ ଚିଜ୍ ବଦଳରେ କ୍ଷୀରଛେନା ବ୍ୟବହାର କରିପାରିବେ। ଏଥିରେ ଚର୍ବିର ପରିମାଣ କମ୍ ଥିବାରୁ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ।

ଜଙ୍କଫୁଡ୍‌ରେ ପ୍ରିଜରଭେଟିଭ୍ ଦେଇ ରଖାଯାଇଥିବା କଞ୍ଚାଲଙ୍କା, ରସୁଣ ପେଷ୍ଟ ବଦଳରେ ସଙ୍ଗେ ସଙ୍ଗେ କରାଯାଇଥିବା ଅଦା ରସୁଣ ପେଷ୍ଟ ଉପଯୋଗ କରନ୍ତୁ।

ସେଜୱାନ୍ ଚଟଣୀ, ପିଜ୍ଜା ସସ୍ ଆଦି କିଣିବା ବଦଳରେ ଘରେ ପ୍ରସ୍ତୁତ କରନ୍ତୁ। ଏହାଯୋଗୁଁ ପିଲାମାନେ ପ୍ରିଜରଭେଟିଭର ହାନିକାରକ ପ୍ରଭାବରୁ ରକ୍ଷା ପାଇବେ।

ପିଲାଙ୍କ ପାଇଁ ନୁଡୁଲ୍ସ ବନାଉଥିଲେ ତାକୁ ଖାଲି କରିବା ବଦଳରେ ସବୁଜ ପନିପରିବା ମାତ୍ରାକୁ ବଢ଼ାଇ ଦିଅନ୍ତୁ। କଟ୍‌ଲେଟକୁ ତେଲରେ ଛାଣିବା ବଦଳରେ ସେକନ୍ତୁ। ନଚେତ୍‌ କଟ୍‌ଲେଟ୍‌କୁ ଓଭନରେ ବେକ୍‌ କରିପାରିବେ। ପାଉଁରୁଟି ଗୁଣ୍ଡ ବଦଳରେ ଓଟ୍ସରେ ଗଡ଼ାଇ ସେକି ପାରିବେ।