breast feeding

ନବଜାତ ଶିଶୁ ପାଇଁ ମା’କ୍ଷୀର ଶ୍ରେଷ୍ଠ ଆହାର।

ପିଲାଟିଏ ଜନ୍ମ ହେଲେ ତାକୁ ପ୍ରଥମେ ମା’ କ୍ଷୀର ଦିଆଯାଇଥାଏ।  କାରଣ ସେଥିରୁ ତାକୁ ସଂମ୍ପୂର୍ଣ୍ଣ ବିକାଶ ପାଇଁ ଆବଶ୍ୟକୀୟ ସବୁପ୍ରକାର ପୋଷକ ତତ୍ତ୍ୱ ମିଳିଥାଏ। ଶିଶୁଟିର ଜନ୍ମରୁ ଅତି କମ୍‌ରେ ୬ ମାସ ଯାଏଁ ଏହା ଜାରି ରଖିବାକୁ ଡାକ୍ତରମାନେ ପରାମର୍ଶ ଦେଇଥା’ନ୍ତି। ସ୍ତନ୍ୟପାନ କରୁଥିବା ପିଲାମାନଙ୍କର ଅନ୍ୟମାନଙ୍କ ତୁଳନାରେ ସଂକ୍ରମଣର ଶିକାର ହେବାର ଆଶଙ୍କା ବହୁତ କମିଯାଇଥାଏ। କେବଳ ସେତିକି ନୁହେଁ, ସ୍ତନ୍ୟପାନ କରାଉଥିବା ମହିଳାମାନେ ବି କମ୍ ରୋଗଗ୍ରସ୍ତ ହୋଇଥା’ନ୍ତି।

ଶିଶୁଙ୍କ ଓଜନ ବଢ଼େ: ସାଧାରଣତଃ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କର ଓଜନ କମ୍ ରହିଥାଏ। ଏପରିସ୍ଥଳେ ସେମାନଙ୍କୁ ସ୍ତନ୍ୟପାନ କରାଇବା ଜାରି ରଖିଲେ ସେମାନଙ୍କର ଓଜନ ବୃଦ୍ଧି ହୋଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ବଢ଼େ: ନବଜାତ ଶିଶୁଙ୍କର ରୋଗ ପ୍ରତିରୋଧକ ଶକ୍ତି ସାଧାରଣତଃ କମ୍ ଥାଏ। ତେଣୁ ସେମାନଙ୍କୁ ଥଣ୍ଡା, ଜ୍ୱର, କାଶ ଭଳି ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଥାଏ। ତେବେ ସ୍ତନ୍ୟପାନ କରୁଥିଲେ ସେହି ଆଶଙ୍କା ବହୁ ପରିମାଣରେ କମିଯାଏ। ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଡାକ୍ତରମାନଙ୍କ ଅନୁସାରେ ସ୍ତନ୍ୟପାନ କରୁଥିବା ଶିଶୁମାନେ ଶ୍ୱାସକ୍ରିୟା ତଥା କାନ ସଂକ୍ରମଣର ଶିକାର ହେବାର ଆଶଙ୍କା କମ୍ ରହିଥାଏ। ଏହାଛଡ଼ା ଆଲର୍ଜି, ଏକ୍‌ଜିମା ଭଳି ରୋଗ ହେବାର ଆଶଙ୍କା ରହେନାହିଁ। ମା’ କ୍ଷୀରରେ ଥିବା ପ୍ରାକୃତିକ ଆଣ୍ଟିବାଇଓଟିକ୍ ଗୁଣ ସଂକ୍ରମଣ ସହ ଲଢ଼େଇ କରିବାକୁ ଶିଶୁକୁ ସହାୟତା ପ୍ରଦାନ କରିଥାଏ।

ମାନସିକ, ଶାରିରୀକ ବିକାଶ ହୁଏ: ମା’ କ୍ଷୀରରେ କିଛି ନିର୍ଦ୍ଦିଷ୍ଟ ଅମ୍ଳ ଥାଏ ଯାହାକି ପିଲାଟିର ମାନସିକ ବିକାଶରେ ସହାୟକ ହୋଇଥାଏ। ତେଣୁ ପିଲାଟି ଅଧିକ ବୁଦ୍ଧିମାନ ହୁଏ। ସେହିପରି ଏହା ପିଲାର ଶାରିରୀକ ବିକାଶ ପାଇଁ ବି ଜରୁରୀ। ମା’ କ୍ଷୀରରେ ଥିବା ପ୍ରୋଟିନ୍‌, କ୍ୟାଲସିୟମ, ଫ୍ୟାଟ୍‌, ଭିଟାମିନ୍‌, କାର୍ବୋହାଇଡ୍ରେଟ୍ ଭଳି ତତ୍ତ୍ୱ ଶିଶୁକୁ ଶାରିରୀକ ଭାବେ ଦୃଢ଼ କରେ।

newborn baby care

ଅଧିକ ପଢ଼ନ୍ତୁ: କିଭଳି ଶିଶୁକୁ ସଠିକ ସ୍ତନ୍ୟପାନ କରାଇବେ?

ମେଦବହୁଳତାର ଆଶଙ୍କା କମେ: ମା’ କ୍ଷୀରରେ ଇନସୁଲିନ୍‌ର ପରିମାଣ କମ୍ ରହୁଥିବାରୁ ପିଲାମାନେ ମେଦବହୁଳତାର ଶିକାର ହେବାର ଆଶଙ୍କା କମିଯାଏ। ଅନ୍ୟପଟେ ସ୍ତନ୍ୟପାନ କରାଉଥିବା ମହିଳାଙ୍କର ଏହାଯୋଗୁ ଅଧିକ କ୍ୟାଲୋରୀ ଖର୍ଚ୍ଚ ହେଉଥିବାରୁ ସେମାନେ ବି ମେଦବହୁଳତାରେ ପୀଡ଼ିତ ହେବାର ଆଶଙ୍କା ରହେନାହିଁ।

ଦୃଷ୍ଟିଶକ୍ତି ପ୍ରଖର କରେ: ସ୍ତନ୍ୟପାନ ଦ୍ୱାରା ଶିଶୁର ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ। ମା’ କ୍ଷୀରରେ ଥିବା ଫ୍ୟାଟି ଏସିଡ୍ ଏବଂ ଡିଏଚ୍‌ଏ ପିଲାର ଏକାଗ୍ରତାକୁ ବୃଦ୍ଧି କରିବା ସହିତ ଦୃଷ୍ଟି ଶକ୍ତିକୁ ଭଲ ରଖିଥାଏ।

ହଜମ ଭଲ ହୁଏ: ସ୍ତନ୍ୟପାନ କରୁଥିବା ପିଲାମାନେ ବଦହଜମି, ଗ୍ୟାସ ଭଳି ପେଟଜନିତ ରୋଗରେ ପୀଡ଼ିତ ହେବାର ଆଶଙ୍କା କମ୍ ଥାଏ। ପୋଷକ ତତ୍ତ୍ୱରେ ଠିକ୍ ସନ୍ତୁଳନ ବଜାୟ ରଖିବାରେ ଏହା ସହାୟକ ହୋଇଥାଏ। ସେହିପରି ଦନ୍ତକ୍ଷୟର ଆଶଙ୍କା ବି କମ୍ ରହେ।

ମା’ ଙ୍କର ଓଜନ କମେ: ସ୍ତନ୍ୟପାନ ଦ୍ୱାରା କେବଳ ପିଲାକୁ ଲାଭ ମିଳେନାହିଁ, ମା’ଙ୍କୁ ମଧ୍ୟ ଲାଭ ମିଳିଥାଏ। ମା’ଙ୍କର ଓଜନ କମିଥାଏ। ପିଲା ସହିତ ମା’ଙ୍କର କର୍କଟରେ ପୀଡ଼ିତ ହେବାର ଆଶଙ୍କା କମ୍ ରହେ। ବିଶେଷ କରି ମା’ ମାନଙ୍କୁ ସ୍ତନ କର୍କଟରୁ ରକ୍ଷା ମିଳିଥାଏ। ଏହାଛଡ଼ା ମା’ଙ୍କର ମାନସିକ ଚାପ କମିଥାଏ।

ଅଧିକ ପଢ଼ନ୍ତୁ: କର୍ମଜୀବୀ ମା’ଶିଶୁଙ୍କୁ କିପରି କରାଇବେ ସଠିକ ସ୍ତନ୍ୟପାନ?