କରୋନାର ଦ୍ଵିତୀୟ ଲହରି ପୂର୍ବ ଅପେକ୍ଷା ବେଶୀ ଭୟାନକ ହେଲାଣି। ଏଥରୁ ରକ୍ଷା ପାଇବାକୁ ହେଲେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପଡ଼ିବ। ଏଥିପାଇଁ ଆପଣ ଘରେ କାଢ଼ା ପ୍ରସ୍ତୁତ କରି ପିଇପାରିବେ। ଏହା ସାମାନ୍ୟ ଥଣ୍ଡା, ଜ୍ଵର, କାଶ ଏବଂ ଗଳାଦରଜରୁ ରକ୍ଷା କରିବା ସହ ଶରୀରର ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ।

ଆବଶ୍ୟକୀୟ ସାମଗ୍ରୀ ଓ ଏହାର ଉପକାରିତା

ତେଜପତ୍ର – (ଏଥିରେ ଭିଟାମିନ ସି, ଆଇରନ, ପୋଟାସିୟମ, ମାଗ୍ନେସିୟମ ଥାଏ।)

ଗୁଜୁରାତି – (ଏହା ବିଭିନ୍ନ ପେଟ ଜନିତ ସମସ୍ୟାରୁ ମୁକ୍ତ କରିଥାଏ।)

ଡାଲଚିନି – (ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଥାଏ। ଏହା ସୁଗାର ଓ କୋଲେଷ୍ଟ୍ରୋଲ ସ୍ତରକୁ ସନ୍ତୁଳନ ରଖିଥାଏ।)

ଲବଙ୍ଗ – (ଲବଙ୍ଗରେ ବ୍ୟାକ୍ଟେରିଆ ନାଶ କରିବାର କ୍ଷମତା ଥାଏ। ପେଟ ପାଇଁ ଏହା ବହୁତ ଭଲ।)

ଅଦା – (ଅଦା ପେଟ ପାଇଁ ବେଶ୍‌ ଭଲ। ଏହା ଗ୍ୟାସ ସମସ୍ୟା ଦୂର କରିବା ସହ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ।)

ଗୋଲମରିଚ- (ଶ୍ୱାସ ଜନିତ ସମସ୍ୟା ଦୂର କରେ।)

ତାଳ ମିଶ୍ରି- (ଏଥିରେ ବହୁ ପରିମାଣରେ ମିନେରାଲ୍ସ, ଆଇରନ, ଜିଙ୍କ ଥାଏ। ଏହା ପେଟ ଥଣ୍ଡା କରିବାରେ ସହାୟକ ହୋଇଥାଏ)

ତୁଳସୀ- (ତୁଳସୀ ଆମ ଶରୀରରୁ ଅନେକ ସମସ୍ୟା ଦୂର କରିଥାଏ। ଥଣ୍ଡା, କାଶ ଭଳି ସମସ୍ୟାରୁ ଏହା ରକ୍ଷା କରିଥାଏ।

ପ୍ରସ୍ତୁତି ପ୍ରଣାଳୀ

ଯଦି ୨ କପ୍‌ କାଢ଼ା କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଏକ ପାତ୍ରରେ ୪ କପ୍‌ ପାଣି ନିଅନ୍ତୁ। ଏହି ପାଣିକୁ ଫୁଟାନ୍ତୁ।

ପାଣି ଫୁଟି ଆସିଲେ ଏଥିରେ ଗୋଟିଏ ତେଜପତ୍ର, ଦୁଇଟି ଗୁଜୁରାତି, ଦେଢ଼ ଇଞ୍ଚର ଡାଲଚିନିକୁ ଖଣ୍ଡ ଖଣ୍ଡ କରି ପକାନ୍ତୁ। ଏହାପରେ ଏଥିରେ ୪ଟି ଲବଙ୍ଗ, ଅଧା ଇଞ୍ଚ ଅଦା ଛେଚିକି ମିଶାନ୍ତୁ।

ଅଦା ପକାଇ ସାରିବା ପରେ ଅଳ୍ପ ଟିକିଏ ଗୋଲମରିଚ ଗୁଣ୍ଡ ଓ ତାଳ ମିଶ୍ରି ପକାନ୍ତୁ। ତାଳ ମିଶ୍ରି ଜାଗାରେ ଆପଣ ଗୁଡ଼ ନେଇପାରିବେ।

ଏବେ ଆପଣ ଏଥିରେ ତୁଳସୀ ପତ୍ର ପକାନ୍ତୁ। ୨ଟି କପ୍‌ କାଢ଼ା ପାଇଁ ଆପଣ ୧୦ଟି ତୁଳସୀ ପତ୍ର ନେଇପାରିବେ। ସବୁ ମସଲା ପଡ଼ିବା ପରେ ପାଣି ଭଲ ଭାବେ ଫୁଟି ଆସିଲେ ଗ୍ୟାସର ଜାଳ କମ୍‌ କରିଦିଅନ୍ତୁ ଏବଂ ଏକ ଘୋଡ଼ଣି ଢାଙ୍କି ଦିଅନ୍ତୁ। ଫଳରେ ପାଣି ଧୀରେ ଧୀରେ ଫୁଟିବ ଓ ମସଲାର ଔଷଧୀୟ ଗୁଣ ତା’ ଭିତରେ ହିଁ ରହିବ।

ପାଖାପାଖି ୨୦ ମିନିଟ ଏମିତି ଛାଡ଼ିବା ପରେ ଗ୍ୟାସ୍‌ ବନ୍ଦ କରି କାଢ଼ାକୁ ଗୋଟିଏ କପ୍‌ରେଢାଳି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ କାଢ଼ା।