ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା। ପ୍ରତି ମାସରେ ମହିଳାମାନଙ୍କୁ ଏହାର ସାମ୍ନା କରିବାକୁ ପଡ଼ିଥାଏ। ଏହି ସମୟରେ ମହିଳାମାନଙ୍କ ଶରୀରରୁ ରକ୍ତସ୍ରାବ କାରଣରୁ ସେମାନେ ଦୁର୍ବଳ ହୋଇପଡ଼ନ୍ତି। ଅନେକ ମହିଳାଙ୍କ ଅଣ୍ଟା, ପେଟ ଯନ୍ତ୍ରଣା ହେଉଥିବା ବେଳେ କେତେକ ମହିଳା ଏହି ସମୟରେ କୌଣସି କଷ୍ଟ ଅନୁଭବ କରି ନଥା’ନ୍ତି। ଋତୁସ୍ରାବ ସମୟରେ ଅଜାଣତରେ ହେଉ କିମ୍ବା ଜାଣତରେ ପ୍ରାୟ ମହିଳା କିଛି ନା କିଛି ଭୁଲ କରନ୍ତି। ସେହି ସାମାନ୍ୟ ଭୁଲ ସେମାନଙ୍କ ଶରୀର ପ୍ରତି ବିପଦ ଆଣିଦେଇଥାଏ।

ଋତୁସ୍ରାବ ସମୟରେ ମହିଳାମାନଙ୍କ ଶରୀରରେ ହରମୋନ୍‌ ପରିବର୍ତ୍ତନ ହୋଇଥାଏ। ଫଳରେ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଯନ୍ତ୍ରଣା ହୋଇଥାଏ। ତେଣୁ ଏସବୁରୁ ମୁକ୍ତି ପାଇବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ସନ୍ତୁଳିତ ଜୀବନଶୈଳୀ ଆପଣେଇବା ଆବଶ୍ୟକ।

ପିରିୟଡ୍‌ର ତାରିଖ ବାବଦରେ ନ ଜାଣିବା

ଋତୁସ୍ରାବ ତାରିଖ ବାବଦରେ ମନେ ରଖିବା ଉଚିତ। ନଚେତ ଗର୍ଭଧାରଣ କରିବାରେ ଅନେକ ସମସ୍ୟା ଦେଖାଦେଇଥାଏ। ମହିଳାମାନଙ୍କ ମନରେ ଏନେଇ ଅନେକ ସମୟରେ ଦ୍ଵନ୍ଦ୍ଵ ରହିଥାଏ। ଋତୁସ୍ରାବ ହେବା ସମୟ ମନେ ରଖିଲେ ଆପଣ ସେହି ସମୟରେ ଅଧିକ ସର୍ତକ ରହିପାରିବେ ଏବଂ ଯନ୍ତ୍ରଣାକୁ ଦୂର କରିବା ପାଇଁ ବିଭିନ୍ନ ଉପାୟ ଆପଣେଇ ପାରିବେ। ଋତୁସ୍ରାବ ହେବାର ତାରିଖରେ ଅନିୟମିତତା ଦେଖା ଦେଲେ ଏହାର କାରଣ ସ୍ପଷ୍ଟ ଭାବେ ଜାଣି ହୋଇଥାଏ। ଯଦି ଆପଣଙ୍କ ତାରିଖ ମନେ ରହୁ ନାହିଁ ତେବେ ଡାଏରୀ କିମ୍ବା କ୍ୟାଲେଣ୍ଡରରେ ଲେଖି ରଖନ୍ତୁ। ଆଜିକାଲି ସବୁ ସମୟରେ ପାଖରେ ଫୋନ ରହୁଛି। ତେଣୁ ଆପଣ ଫୋନରେ ମଧ୍ୟ ତାରିଖ ରଖିପାରିବେ।

ସାନିଟାରୀ ପ୍ୟାଡ୍‌ ନ ବଦଳାଇବା

ପିରିୟଡ୍‌ସ ସମୟରେ ଗୋଟିଏ ପ୍ୟାଡ୍‌କୁ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ନାହିଁ। ଆବଶ୍ୟକତା ଅନୁସାରେ ପ୍ୟାଡ୍‌ ବଦଳାନ୍ତୁ। ଫଳରେ କୌଣସି ସଂକ୍ରମଣ ହେବ ନାହିଁ। ଅଧିକ ସମୟ ପ୍ୟାଡ୍‌ ରହିବା ଯୋଗୁଁ ବ୍ୟାକ୍ଟେରିଆ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ।

ସ୍ୱାସ୍ଥ୍ୟକର ଖାଦ୍ୟ ନ ଖାଇବା

ଋତୁସ୍ରାବ ସମୟରେ ରକ୍ତସ୍ରାବ ଯୋଗୁଁ ମହିଳାମାନେ ଦୁର୍ବଳ ଅନୁଭବ କରିଥା’ନ୍ତି। ସାଧାରଣ ଦିନ ଅପେକ୍ଷା ଏହି ଦିନମାନଙ୍କରେ ସ୍ୱାସ୍ଥ୍ୟକର ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ। ପିରିୟଡ୍‌ସ ବେଳେ ରକ୍ତସ୍ରାବ ଯୋଗୁଁ ଶରୀରରେ ରକ୍ତର ଅଭାବ ଦେଖାଦେଇପାରେ। ଏହି ସମୟରେ ଆଇରନଯୁକ୍ତ ଖାଦ୍ୟ ଯେପରିକି ଡାଳିମ୍ବ, ଅଣ୍ଡା, କଲିଜା, ପାଳଙ୍ଗ ଶାଗ ଖାଇବା ଜରୁରୀ। ବିଭିନ୍ନ ପ୍ରକାର ଶାଗ ଏବଂ ପନିପରିବାରେ ଆଇରନ ରହିଛି, ଯାହା ଆପଣଙ୍କ ରକ୍ତହୀନତା ଦୂର କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ପାଣି ପିଇବାରେ ଅବହେଳା କରିବା

ଋତୁସ୍ରାବ ସମୟରେ ଶରୀରରେ ବିଭିନ୍ନ ପ୍ରକାରର ହରମୋନ ପରିବର୍ତ୍ତନ ହୋଇଥାଏ। ତେଣୁ ଏହି ସମୟରେ ଶରୀରକୁ ଅଧିକ ପାଣିର ଆବଶ୍ୟକତା ରହିଛି। ଇଷ୍ଟ୍ରୋଜେନ ଏବଂ ପ୍ରୋଜେଷ୍ଟେରନ ଭଳି ହରମୋନ ପରିବର୍ତ୍ତନ ହୋଇ ପେଟ ଫୁଲିବା ଭଳି ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଅଧିକ ମାତ୍ରାରେ ପାଣି ପିଇବା ଉଚିତ। ଏହା ଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ ଏବଂ ଋତୁସ୍ରାବ ସମୟରେ ଅନେକ ସମସ୍ୟା ଦେଖା ଦେଇନଥାଏ।

ପ୍ରତିମାସରେ ଋତୁସ୍ରାବ ହେବା ସୁନିଶ୍ଚିତ ଭାବି ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିବା ଉଚିତ ନୁହେଁ। ନିଜ ସ୍ୱଚ୍ଛତା, ଖାଦ୍ୟପେୟ ଏବଂ ଜୀବନଶୈଳୀକୁ ନେଇ ସଚେତନ ରହିବା ଉଚିତ।