ରକ୍ତରେ ଶର୍କରା ସ୍ତର କମିଯିବାକୁ ହାଇପୋଗ୍ଲାଇସେମିଆ ବୋଲି କୁହାଯାଏ। ଡାଏବେଟିସ୍‌ ରୋଗୀଙ୍କ ରକ୍ତ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଇନ୍‌ସୁଲିନ୍‌ ଇଞ୍ଜେକ୍‌ସନ୍‌ ବ୍ୟବହାର କରିବାକୁ ପଡ଼ିଥାଏ। ଅନେକ ସମୟରେ ଇନ୍‌ସୁଲିନ୍‌ ବ୍ୟବହାର ପରେ ଡାଏବେଟିସ୍‌ ରୋଗୀଙ୍କର ରକ୍ତରେ ଶର୍କରା ପରିମାଣ ହଠାତ୍‌ କମିଯିବାକୁ ନିମ୍ନ ରକ୍ତ ଶର୍କରା ବା ହାଇପୋଗ୍ଲାଇସେମିଆ କୁହାଯାଏ। ଏହି ଅବସ୍ଥାରେ ରକ୍ତରେ ଶର୍କରା ପରିମାଣ ହଠାତ୍‌ କମିଯାଏ।

ଡାଏବେଟିସ୍‌ ରୋଗୀ ଅଧିକ ସମୟ ଉପବାସରେ ରହିଲେ, ଇନ୍‌ସୁଲିନ୍‌ ନେବା ପରେ ଠିକ୍‌ ସମୟରେ ନଖାଇଲେ କିମ୍ବା ଖାଦ୍ୟପେୟରେ ଅଧିକ ନିୟନ୍ତ୍ରଣ କରିଲେ ତାଙ୍କ ନିକଟରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ।

ହାଇପୋଗ୍ଲାଇସେମିଆର ଲକ୍ଷଣ

ମୁଣ୍ଡ ବୁଲାଇ ହୁଏ

ଦୁର୍ବଳ ଲାଗିଥାଏ

ଚେତାଶୂନ୍ୟ ହୋଇଯିବା

ଝାଳ ଆସିବା

ଡାଏବେଟିସ୍‌ ରୋଗୀଙ୍କର ଇନ୍‌ସୁଲିନ୍‌ ପରିମାଣ ବଢ଼ିଗଲେ ମଧ୍ୟ ଏହି ସମସ୍ୟା ଦେଖାଦିଏ। ତୁରନ୍ତ ଏହାର ଚିକିତ୍ସା କରାଯିବା ଆବଶ୍ୟକ। ନଚେତ ରୋଗୀର ପକ୍ଷାଘାତ କିମ୍ବା ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା ଅଧିକ।

ପ୍ରତିକାର

ଡାଏବେଟିସ୍‌ ରୋଗୀମାନେ ଡାକ୍ତରଙ୍କ ଦ୍ୱାରା ଦର୍ଶାଯାଇଥିବା ଡାଏଟ୍‌ ଚାର୍ଟ ଓ ଔଷଧ ଖାଇବା ଜରୁରୀ। ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ଛାଡ଼ନ୍ତୁ ନାହିଁ କିମ୍ବା ଅନ୍ୟ କୌଣସି ମେଡିସିନ୍‌ ଖାଆନ୍ତୁ ନାହିଁ।

ନିୟମିତ ଭାବରେ ରକ୍ତ ଶର୍କରା ସ୍ତର ପରୀକ୍ଷା କରାଇ ନିଅନ୍ତୁ।

ହାଇପୋଗ୍ଲାଇସେମିଆର ଲକ୍ଷଣ ଅନୁଭବ ହେଲେ ସଙ୍ଗେ ସଙ୍ଗେ ଚିନିକୁ ପାଟିରେ ପକାଇ କିଛି ସମୟ ବିଶ୍ରାମ ନିଅନ୍ତୁ।

ଇନ୍‌ସୁଲିନ୍‌ ନେବା ପରେ ଆଦୌ ଉପବାସରେ ରହନ୍ତୁ ନାହିଁ।

କୌଣସି ଫଳ ରସ ପିଇବା ଦ୍ଵାରା ତୁରନ୍ତ ଆରାମ ମିଳିଥାଏ।