ବୟସ ଅନୁଯାୟୀ ଶିଶୁର ଶାରୀରିକ ଓ ମାନସିକ ବିକାଶରେ ଅସୁବିଧା ହେବା ଏକ ସ୍ୱାସ୍ଥ୍ୟ ସମସ୍ୟା। କିଭଳି ଏହି ସମସ୍ୟାର ଚିକିତ୍ସା କରାଯିବ, ସେନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କଠାରୁ ଆସନ୍ତୁ ଜାଣିବା।

ବୟସ ଅନୁଯାୟୀ ଶିଶୁର ବିକାଶ ହୋଇଥାଏ। ଯେପରିକି, ଦେଢ଼ ମାସ ବେଳକୁ ଶିଶୁ ମାଆକୁ ଦେଖି ହସିବା ଦରକାର, ଦୁଇମାସ ଓ ଅଢ଼େଇମାସ ବେଳକୁ ମା’କୁ ଚିହ୍ନିବା ଦରକାର, କିଛି ମାସ ପରେ କଡ଼ ଲେଉଟେଇବା ଦରକାର, ୮ମାସରୁ ୧୦ ମାସ ବେଳକୁ ବସିବା ଦରକାର ଓ ବର୍ଷେ ବେଳକୁ ଛୁଆ ଚାଲିବା ଦରକାର। ଯେଉଁ ଶିଶୁମାନେ ଏହିସବୁ କାର୍ଯ୍ୟକଳାପ ଡେରିରେ କରିଥାଆନ୍ତି, ଆମେ ଜାଣିବା ଯେ, ଶିଶୁ ବିକାଶରେ ସମସ୍ୟା ହେଉଛି।

ଅଧିକ ପଢ଼ନ୍ତୁ: ନବଜାତ ଶିଶୁକୁ ଜଣ୍ଡିସ୍‌ ହେଲେ କ’ଣ କରିବେ?

ଶିଶୁ ବିକାଶରେ କାହିଁକି ହେଉଛି ସମସ୍ୟା (Causes of Developmental delays in Odia)

 କରୋନା ସମୟରେ ଛୁଆମାନେ ଘରେ ରହିବା ଯୋଗୁଁ ସେମାନଙ୍କର ସାମାଜିକ ବିକାଶରେ ବାଧା ସୃଷ୍ଟି ହୋଇଛି। ଅଧିକାଂଶ ଛୁଆ ଡିଜିଟାଲ ମିଡିଆରେ ଆତ୍କୃଷ୍ଟ ହେବା ଫଳରେ ସେମାନଙ୍କର କଥା କହିବାରେ ବିଳମ୍ବ ହୋଇଥାଏ।

କେତେକ ଅଭିଭାବକଙ୍କର ଅଭିଯୋଗ ଥାଏ ଯେ, ତାଙ୍କ ଛୁଆ ବର୍ଷକରେ ମାଆ, ବାପା କହୁଥିଲେ ହେଲେ ୧୩-୧୪ ମାସରେ କିଛି କହୁନାହିଁ। ଏଭଳି ସମସ୍ୟା ହେଲେ ତୁରନ୍ତ ଶିଶୁ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ।

ମନେକର, ଗୋଟେ ଛୁଆ ୬ମାସ ପରେ ବି ମୁଣ୍ଡ ରଖୁନି, ମା’କୁ ଦେଖିଲେ ଚିହ୍ନିପାରୁନି, ହସୁନାହିଁ, ଦେଢ଼ ବର୍ଷ ପରେ ବି ଶିଶୁ ଠିଆ ହୋଇ ନାହିଁ, କଥା କହୁନାହିଁ, ତେବେ ଏହା ଜଟିଳ ସମସ୍ୟା।

ଅନ୍ଧ ବିଶ୍ୱାସରୁ ଦୂରେଇ ରହନ୍ତୁ

କେତେକ ଶିଶୁ ବିଳମ୍ବରେ କଥା କହନ୍ତି। ଏଭଳି କ୍ଷେତ୍ରରେ ଲୋକେମାନେ କହନ୍ତି, ଶିଶୁର ବାପା ୪ ବର୍ଷରେ କଥା କହୁଥିଲା, ତେଣୁ ତାଙ୍କ ପିଲା ୪ ବର୍ଷରେ କଥା କହିବ। ଏଭଳି ଭାବିବା ଭୁଲ। ପିଲା ବିଳମ୍ବରେ କଥା ହେଉଛି ମାନେ ଶିଶୁ ଡାକ୍ତରଙ୍କ ପାଖକୁ ଯାଇ ସ୍ପିଚ୍‌ ଥେରାପି କରାନ୍ତୁ।

ଶିଶୁ ଦୁଇ ବର୍ଷ ଭିତରେ ଯଦି କଥା କହିପାରୁନି, ଚାଲି ପାରୁନି ବା ଅନ୍ୟ କୌଣସି କାର୍ଯ୍ୟକଳାପ କରିପାରୁ ନାହିଁ, ତେବେ ତା’ର ଚିକିତ୍ସା କରିବା ଦରକାର।

ଅଧିକ ପଢ଼ନ୍ତୁ: ଛୁଆଙ୍କର କୃମି ସମସ୍ୟାକୁ ନେଇ ଚିନ୍ତିତ କି? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

କେମିତି କରିବେ ଚିକିତ୍ସା (Treatment of Developmental delays in Odia)

ଶିଶୁର ଚିକିତ୍ସାରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଛୁଆଙ୍କ ସ୍ନାୟୁର ବିକାଶ ପାଇଁ କେତେକ ଔଷଧ ଦିଆଯାଏ। ଏହାସହ ପିଲାକୁ ସ୍ପିଚ୍‌ ଥେରାପି, ବ୍ୟବହାରିକ ଉପଚାର ଦେବାକୁ ହୋଇଥାଏ। ଛୁଆଙ୍କ ସମସ୍ୟାକୁ ଦେଖି ଡାକ୍ତରଙ୍କ ଭିନ୍ନ ଭିନ୍ନ ଥେରାପି ପରାମର୍ଶ କରିଥା’ନ୍ତି। ଏହି ଥେରାପି ପାଇଁ ଛୁଆଙ୍କୁ ବର୍ଷେ କିମ୍ବା ଦୁଇ ବର୍ଷ କିମ୍ବା ୫ ବର୍ଷ ସମୟ ଲାଗିପାରେ।

ମୋବାଇଲ ନିଶା ଶିଶୁ ପାଇଁ ଖରାପ (Mobile addiction is bad for child in Odia)

ସାମାଜିକ କାରଣ, ପାରିପାର୍ଶ୍ୱିକ କାରଣ ଶିଶୁ ଉପରେ କୁପ୍ରଭାବ ପକାଇଥାଏ। ଏହାଛଡ଼ା ଗର୍ଭଧାରଣ ବେଳେ ଯଦି ମା’ ମାନସିକ ଚାପରେ ରହନ୍ତି, ତେବେ ମଧ୍ୟ ଶିଶୁର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ। ବର୍ତ୍ତମାନ ସମୟରେ ମୋବାଇଲ ନିଶା ଶିଶୁର ବିକାଶ ଉପରେ ଖରାପ ପ୍ରଭାବ ପକାଉଛି। ତେଣୁ, ଛୁଆଙ୍କୁ ଖାଦ୍ୟ ଖୁଆଇବା ପାଇଁ ମୋବାଇଲ ଦେଖାନ୍ତୁ ନାହିଁ। ମୋବାଇଲରୁ ବାହାରୁଥିବା ରେଡିଏସନ୍‌ ସିଧାସଳଖ ମସ୍ତିଷ୍କ ଉପରେ ପଡ଼ିଥାଏ। ଫଳରେ ଛୁଆ ଅଟିଜିମ୍‌ର ଶୀକାର ହୋଇପାରନ୍ତି।

ଏଣୁ, ଛୁଆକୁ ମୋବାଇଲ ଦିଅନ୍ତୁ ନାହିଁ। ଛୁଆଙ୍କୁ ପ୍ରାକୃତିକ ଭାବେ ବଢ଼ିବାରେ ସାହାଯ୍ୟ କରନ୍ତୁ। ଛୁଆଙ୍କୁ ଖୁଆଇବା ପାଇଁ ହେଉ ବା ଛୁଆ କାନ୍ଦୁଥିଲେ ବୁଝାଇବା ପାଇଁ ମୋବାଇଲର ସାହାଯ୍ୟ ନିଅନ୍ତୁ ନାହିଁ। ଛୁଆଙ୍କ ସହ କଥା ହୁଅନ୍ତୁ, ଛୁଆଙ୍କୁ ଚିତ୍ର ବହି ଦେଖାନ୍ତୁ, ଖେଳନା ଦେଖାନ୍ତୁ ଓ ସେମାନଙ୍କୂ ବିଭିନ୍ନ କ୍ରିଡ଼ାରେ ଜଡ଼ିତ କରାନ୍ତୁ। ପିଲାଙ୍କୁ ଯେତେ ସମୟ ଦେବେ ପିଲା ସେତେ ଶିଖିବେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Child Development, in Odia language, is based on an extensive interview with Paediatrician Dr Ranjit Kumar Joshi.