ଛୁଆଙ୍କର କୃମି ସମସ୍ୟାକୁ ନେଇ ଚିନ୍ତିତ କି? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

ଛୋଟ ପିଲାଙ୍କର କୃମି ଦୋଷ ହେବାର କାରଣ କ’ଣ? ଜାଣନ୍ତୁ, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଲାଶ ଦାସଙ୍କ ପରାମର୍ଶ।

ଅନେକ ସମୟରେ ଛୋଟ ପିଲାମାନେ ମଳଦ୍ୱାର କୁଣ୍ଡାଇ ହେଉଥିବାର ଅଭିଯୋଗ କରିଥା’ନ୍ତି। ଏହି ସମୟରେ ସେମାନଙ୍କ ମଳରେ ଛୋଟ ଛୋଟ କୃମି ପଡ଼ିଥିବା ଦେଖିବାକୁ ମିଳେ। ଏହାକୁ ଆମେ କୃମି ଦୋଷ ବୋଲି କହିଥାଉ। କୃମି ହେଲେ ଅନେକ ପିଲାଙ୍କର ଖାଇବା କମିଯାଏ, ପେଟ ଫୁଲିଯାଏ, ପାଠ ପଢ଼ିବାରେ ମନ ଲାଗେ ନାହିଁ କିମ୍ବା ନିମୋନିଆ ଭଳି ଗୁରୁତର ସମସ୍ୟା ମଧ୍ୟ ହୋଇପାରେ।

କେତେ ପ୍ରକାରର କୃମି ରହିଛି? (What kind of worms are there in Odia)

କୃମି ତିନିପ୍ରକାର। ଯେପରିକି ନେମାଟୋଡ୍‌, ସିଷ୍ଟୋଡ୍‌ ଓ ଟ୍ରେମାଟୋଡ୍ସ।

ନେମାଟୋଡ୍‌: ଝାଡ଼ାରେ ସାଧାରଣତଃ ନୋମାଟୋଡ୍‌ କୃମି ଦେଖାଯାଏ। ଏଥିରେ ଗୋଲ କୃମି, ପିନ୍‌ କୃମି, ଟ୍ରାଇଚୁରିସ୍‌ ଟ୍ରାଇଚୁରିଆ କୃମି ଅନ୍ତର୍ଭୁକ୍ତ।

ସିଷ୍ଟୋଡ୍ସ: ଏଥିରେ ଟେପ୍‌ କୃମି ଅନ୍ତର୍ଭୁକ୍ତ।

ଟ୍ରେମାଟୋଡ୍ସ: ଏଥିରେ ଲିଭର ଫ୍ଲୁକ୍‌ ଅନ୍ତର୍ଭୁକ୍ତ।

ସାଧାରଣତଃ ଛୋଟଛୁଆଙ୍କର ନେମାଟୋଡ୍‌ କୃମି ଅଧିକ ଦେଖାଯାଏ। ଏଥିରେ ଛୋଟ ଛୁଆଙ୍କର ମଳଦ୍ୱାର ପାଖ କୁଣ୍ଡେଇ ହୋଇଥାଏ। ରାତି ସମୟରେ ମଳଦ୍ୱାର ପାଖ ବେଶି କୁଣ୍ଡାଇ ହୁଏ। ବେଳେ ବେଳେ ଏହି ଛୋଟ ଛୋଟ କୃମି ରହି ରହି ବହୁତ ବଡ଼ ଆକାରର ହୋଇଥା’ନ୍ତି। ସେହି କୃମିଗୁଡ଼ିକ ଅନ୍ତନଳୀ ଜାଗାରୁ ବାହାରି ପେଟକୁ ଯାଇଥାଏ, ଫଳରେ ଜଣ୍ଡିସ୍‌ ହୋଇଥାଏ।

କୃମି ଦୋଷର ଲକ୍ଷଣ (Symptoms of worm infestation in Odia)

ଯଦି ଛୋଟ ଛୁଆ ରାତି ସମୟରେ ମଳଦ୍ୱାର ପାଖ କିମ୍ବା ପରିସ୍ରା ଦ୍ୱାର କୁଣ୍ଡୋଉଛି, ତେବେ କୃମି ଥିବାର ସମ୍ଭାବନା ଅଧିକ।

ଏହାଛଡ଼ା କୃମି ହେବାର ଆଉସବୁ ଲକ୍ଷଣଗୁଡ଼ିକ ହେଲା:

ଭୋକ ନ ହେବା

ପେଟ ଫୁଲିଯିବା

ସେତା ଦିଶିବା

ପାଠରେ ମନ ନ ଲାଗିବା

ଝାଡ଼ା ସମସ୍ୟା ହେବା

ବେଳେ ବେଳେ ନାଳ ଝାଡ଼ା ହୋଇପାରେ।

ଛୋଟ ପିଲାଙ୍କର ଏଭଳି ଲକ୍ଷଣ ଦେଖିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଯଦି କୃମି ଦୋଷ ବାହାରୁଛି, ତେବେ ଏହାର ତୁରନ୍ତ ଚିକିତ୍ସା କରନ୍ତୁ।

କୃମି ବ୍ୟାପେ କେମିତି? (Causes of worms in Odia)

ଫିକୋଓରାଲ ମାଧ୍ୟମରେ କୃମିଗୁଡ଼ିକ ବ୍ୟାପି ଥା’ନ୍ତି। ଫିକୋ ମାନେ ମଳ ଓ ଓରାଲ ମାନେ ପାଟି। ପରିଷ୍କାର ପରିଛନ୍ନତା ଅଭାବରୁ କୃମିର ଡିମ୍ବ ବ୍ୟକ୍ତିର ଝଡ଼ାରୁ ପାଟିକୁ ଯାଇଥାଏ।  

କୃମିଗୁଡ଼ିକ ଦିନକୁ ହଜାରରୁ ଆରମ୍ଭ କରି ଲକ୍ଷଲକ୍ଷ ଅଣ୍ଡା ଦିଅନ୍ତି। ସେହି ଅଣ୍ଡାଗୁଡ଼ିକ ଝାଡ଼ା ବାଟରେ ବାହାରିଯାଏ। ଯଦି ସେହି ମଳ କୌଣସି କ୍ଷେତ କିମ୍ବା ପଡ଼ିଆରେ କରାଯାଇଥାଏ, ତେବେ ସେହି ମଳ ଦୁଇରୁ ତିନି ସପ୍ତାହ ହେଲା ପରେ ସେଥିରୁ ଲାର୍ଭା ବାହାରିଥାଏ। ଏହି ଲାର୍ଭାଟି ଗୋଟେ ଛୁଆ ଦେହକୁ ଯାଇପାରେ। ଯଦି ସେହି କ୍ଷେତ୍ରରେ ଛୁଆଟି ଖାଲି ପାଦରେ ଖେଳାଖେଳି କରୁଛି, ତେବେ ଏହା ତ୍ୱଚା ବାଟରେ ଶରୀର ଭିତରକୁ ପସିପାରେ। ସାଧାରଣତଃ ଛୁଆମାନେ ମାଟିରେ ଖେଳନ୍ତି ଓ ସେହି ହାତକୁ ପାଟିରେ ପୁରାନ୍ତି। ଏହାଦ୍ୱାରା ମଧ୍ୟ ଲାର୍ଭା ପାଟିକୁ ଯାଇପାରେ। ସେହିପରି ଫଳ କିମ୍ବା ପନିପରିବାକୁ ଭଲ କରି ନ ଧୋଇଲେ କିମ୍ବା ଭଲ କରି ନ ରାନ୍ଧି ଖାଇଛନ୍ତି। ତାହାଦ୍ୱାରା ମଧ୍ୟ ସେଥିରେ ଥିବା ଲାର୍ଭା ପେଟକୁ ଯାଇପାରେ।

ଯେଉଁ ଲାର୍ଭାଗୁଡ଼ିକ ଗୋଡ଼ ବାଟରେ ପସିଥା’ନ୍ତି, ତାହା ବେଳେ ବେଳେ ଫୁସ୍‌ଫୁସ୍‌କୁ ବି ପଳାନ୍ତି, ଯାହାକି ନିମୋନିଆର କାରଣ ହୋଇଥାଏ। ବେଳେ ବେଳେ ପିଲାଙ୍କର ନିଶ୍ୱାସ ନେବାରେ ଅସୁବିଧା, କାଶ, ଜ୍ୱର ମଧ୍ୟ ହୋଇଥାଏ।

ପିଲାଙ୍କଠାରେ କୃମି ଦୋଷର ପ୍ରଭାବ (The effects of worm infestation on children in Odia)

ଶରୀରରେ କମ୍‌ କୃମି ଥିଲେ କୌଣସି ଲକ୍ଷଣ ଦେଖାଯାଇ ନଥାଏ। ହେଲେ ଛୋଟଛୁଆ ଶରୀରରେ ଅଧିକ କୃମି ଥିଲେ ପୁଷ୍ଟିହୀନତା, ରକ୍ତହୀନତା ଭଳି ସମସ୍ୟା ଦେଖାଦିଏ। ଫଳରେ ଶିଶୁ ଅଭିବୃଦ୍ଧିରେ ବିକାଶ ଧୀରେ ଧୀରେ ହୁଏ, ଉଚ୍ଚତା ଧୀର ଗତିରେ ବଢ଼େ କିମ୍ବା ଓଜନ ବି କମିପାରେ। ଅତ୍ୟଧିକ କୃମି ହେଲେ ଶିଶୁ ଶରୀରର ବିକାଶ, ବୁଦ୍ଧିର ବିକାଶରେ ଅସୁବିଧା ହୁଏ।

କୃମି ଶରୀରରୁ ପୋଷଣଗୁଡ଼ିକ ଖାଇଦିଅନ୍ତି। ଆପଣ ଯାହାବି ଖାଉଛନ୍ତି, ସେସବୁକୁ କୃମି ଖାଇଦିଅନ୍ତି। ଗୋଲ କୃମି ଅତ୍ୟଧିକ ହୋଇଗଲେ ଅନ୍ତନଳୀକୁ ବ୍ଲକ୍‌ କରିଦିଅନ୍ତି, ଯାହା ଜୀବନ ପ୍ରତି ବିପଦ ହୋଇପାରେ।

food

କୃମି ସମସ୍ୟାରୁ ଦୂରେଇ ରହିବା କେମିତି? (How to avoid worms in Odia)

କୃମି ଦୋଷକୁ ଅଣଦେଖା କରନ୍ତୁ ନାହିଁ। କୃମି ଦୋଷ ନ ହେବା ପାଇଁ ସ୍ୱଚ୍ଛତା ଅବଲମ୍ବନ କରନ୍ତୁ। ସବୁବେଳେ ପାଇଖାନା ବ୍ୟବହାର କରନ୍ତୁ।  ମଳ ତ୍ୟାଗ କରିବା ପାଇଁ ଖୋଲା ପଡ଼ିଆ କେବେ ହେଲେ ବ୍ୟବହାର କରନ୍ତୁ ନାହିଁ।

ପନିପରିବାକୁ ଭଲ ଭାବରେ ଧୋଇବା ସହ ଭଲକରି ରାନ୍ଧିକରି ଖାଆନ୍ତୁ।

ଫୁଟା ପାଣି ସବୁବେଳେ ପିଅନ୍ତୁ।

ଛୋଟ ଛୁଆମାନଙ୍କ ହାତ କିଭଳି ପରିଷ୍କାର ରଖିବେ ସେନେଇ ଧ୍ୟାନ ଦିଅନ୍ତୁ।

ଖାଇବା ପୂର୍ବରୁ ସବୁବେଳେ ପିଲାଙ୍କର ହାତ ଧୁଅନ୍ତୁ।

ପାଇଖାନା ବ୍ୟବହାର କରିବା ପରେ ଶିଶୁଙ୍କ ହାତକୁ ସାବୁନରେ ଧୁଅନ୍ତୁ।

ସୂତା କୃମିଗୁଡ଼ିକ ମଳଦ୍ଵାର ବାହାରେ ହଜାର ହଜାର ସଂଖ୍ୟାରେ ଡିମ୍ବ ଦିଅନ୍ତି। ଏହି କାରଣରୁ ରାତିରେ ମଳଦ୍ଵାର କୁଣ୍ଡାଇ ହୋଇଥାଏ। ଯେତେବେଳେ ଶିଶୁମାନେ ନଖରେ କୁଣ୍ଡାନ୍ତି ଡିମ୍ବଗୁଡ଼ିକ ନଖ ସନ୍ଧିରେ ଲାଗିଯାନ୍ତି ଏବଂ ତାହା ଖାଦ୍ୟରେ ପାଟି ମଧ୍ୟକୁ ଯାଆନ୍ତି। ଏଥିପାଇଁ ପିଲାର ଆଙ୍ଗୁଠିରନଖ ଛୋଟ କରି କାଟି ଦିଅନ୍ତୁ।

ଯଦି ମଳଦ୍ୱାର କୁଣ୍ଡାଇଛନ୍ତି ତେବେ ହାତ ଭଲକରି ଧୁଅନ୍ତୁ କିମ୍ବା ସାନିଟାଇଜର ବ୍ୟବହାର କରନ୍ତୁ।

ପିଲାର ପ୍ୟାଣ୍ଟକୁ ଗରମ ପାଣିରେ ଧୋଇ ଟାଣ ଖରାରେ ଶୁଖାନ୍ତୁ।

ବାହାରକୁ ଯିବାବେଳେ ଚପଲ ବ୍ୟବହାର କରନ୍ତୁ।

ପରିଚ୍ଛନ୍ନତା, ସୂତାକୃମି ସଂକ୍ରମଣର ସବୁଠାରୁ ଭଲ ପ୍ରତିଷେଧକ ଅଟେ।

କୃମି ଦୋଷର ଚିକିତ୍ସା (Treatment of worm infestation in Odia)

କୃମି ଚିକିତ୍ସାରେ କୃମି ଔଷଧ ଦିଆଯାଏ। ଡାକ୍ତର ଝାଡ଼ା ପରୀକ୍ଷା କରି ଔଷଧ ପରାମର୍ଶ କରିଥା’ନ୍ତି।

ଭାରତରେ ୧୦୦ ପ୍ରତିଶତରୁ ୨୦ ପ୍ରତିଶତ ଛୁଆଙ୍କର କୃମି ସମସ୍ୟା ଦେଖାଦେଉଛି। ଲୋକଙ୍କୁ ଏନେଇ ସଚେତନ କରିବା ପାଇଁ ଭାରତ ସରକାର ୨୦୧୫ରୁ କୃମିନିବାରଣ ଦିନ ଆରମ୍ଭ କରିଛନ୍ତି। ଓଡ଼ିଶାରେ କୃମି ନିବାରକ ପାଇଁ ୧ ବର୍ଷରୁ ୧୯ ବର୍ଷର ସମସ୍ତ ପିଲାଙ୍କୁ କୃମି ଔଷଧ ଦିଆଯାଉଛି।

କୃମିରୁ ମୁକ୍ତି ପାଇବା ନିହାତି ଜରୁରୀ

ଛୁଆମାନଙ୍କର ଅଭିବୃଦ୍ଧି ହେବା ବୟସରେ ପେଟରେ କୃମି ହେଲେ ପୃଷ୍ଟିହୀନତା, ରକ୍ତହୀନତା ଭଳି ସମସ୍ୟା ଦେଖାଦିଏ। ଛୁଆଙ୍କର କୃମି ହେଲେ, ସେମାନଙ୍କ ଉଚ୍ଚତା ଏବଂ ଓଜନ ବଢ଼ିବାରେ ଓ ବୁଦ୍ଧି ବିକାଶ ହୋଇପାରିନଥାଏ। ତେଣୁ କୃମିରୁ ମୁକ୍ତ ରହିବା ନିହାତି ଦରକାର।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ପଲାଶ ଦାସଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Deworming in children, in Odia language, is based on an extensive interview with Pediatrician Dr Palash Das.