କେମିତି କମିବ ଦୀର୍ଘ ଦିନର ଶାରୀରିକ ଯନ୍ତ୍ରଣା? ଜାଣନ୍ତୁ ଡାକ୍ତର ଶୋଭନ କୁମାର ରଥ କ’ଣ କହୁଛନ୍ତି।(Pain Management in Odia)

ଦୀର୍ଘଦିନ ଧରି ଯଦି ଆପଣଙ୍କଠାରେ ଶାରୀରିକ ଯନ୍ତ୍ରଣା ଦେଖାଦେଉଛି, ଔଷଧ ଖାଇଲେ ସୁଦ୍ଧା ଭଲ ହେଉନି ତେବେ ଏଥିପାଇଁ ସ୍ୱତନ୍ତ୍ର କ୍ଲିନକ୍ ରହିଛି। ଏହାକୁ ଆମେ ପେନ୍ କ୍ଲିନିକ ବୋଲି କହିଥାଉ। ବିଭିନ୍ନ ରୋଗ କାରଣରୁ ହେଉଥିବା ଯନ୍ତ୍ରଣା ବା ସର୍ଜରୀ ପରବର୍ତ୍ତୀ ଯନ୍ତ୍ରଣାର ନିବାରଣ ଏହି କ୍ଲିନିକ୍‌ରେ କରାଯାଇପାରିବ।

ଯନ୍ତ୍ରଣା ନିବାରଣ କେନ୍ଦ୍ର ବା ପେନ୍‌ କ୍ଲିନିକ୍‌ କ’ଣ?

ଚିକିତ୍ସା କ୍ଷେତ୍ରରେ ଏକ ନୂଆ ବିଭାଗ ହେଉଛି ପେନ୍‌ କ୍ଲିନିକ୍‌। ଦୀର୍ଘ ଦିନରୁ ଲାଗି ରହିଥିବା ଶାରୀରିକ ଯନ୍ତ୍ରଣାକୁ ବିଭିନ୍ନ ଚିକିତ୍ସା ମାଧ୍ୟମରେ ଦୂର କରାଯାଏ। ଯନ୍ତ୍ରଣା ନିବାରଣ କେନ୍ଦ୍ରଗୁଡ଼ିକରେ କିଛି ଇନ୍‌ଜେକ୍ସନ ଓ ଅନ୍ୟ ପଦ୍ଧତିର ବ୍ୟବହାର କରି ଯନ୍ତ୍ରଣା ଦୂର କରିହୁଏ। ଏହିସବୁ ଚିକିତ୍ସା ପାଇଁ ପେନ୍‌ କ୍ଲିନିକ୍‌ରେ ଭର୍ତ୍ତି ହେବାକୁ ପଡ଼େ ନାହିଁ। ଏଠାରେ ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସବୁ ବୟସର ବ୍ୟକ୍ତିଙ୍କ ଚିକିତ୍ସା ସମ୍ଭବପର।

କ’ଣ ରହିଛି ଚିକିତ୍ସା ପଦ୍ଧତି?

ମସ୍ତିଷ୍କକୁ ଯନ୍ତ୍ରଣା ପହଞ୍ଚାଉଥିବା ସ୍ନାୟୁକୁ ରେଡିଓ ଫ୍ରିକ୍ୟୁଏନ୍ସି ଅବ୍ଲାସନ୍‌ ପଦ୍ଧତିରେ ପୋଡ଼ି ଦିଆଯାଏ। ଫଳରେ ରୋଗୀଙ୍କୁ କଷ୍ଟ ଅନୁଭବ ହୁଏ ନାହିଁ।

ଷ୍ଟେମ୍‌ ସେଲ୍‌ ଥେରାପି ବା ପ୍ଲେଟ୍‌ରିଚ ପ୍ଲାଜ୍‌ମା ଥେରାପି: ଏହି ପଦ୍ଧତିରେ ଶରୀରରୁ ରକ୍ତ ନିଆଯାଇ ସେଥିରୁ ପ୍ଲେଟ୍‌ଲେଟ୍‌ ରିଚ୍‌ ପ୍ଲାଜ୍‌ମା ବାହାର କରାଯାଏ। ଏହି ପ୍ଲେଟ୍‌ଲେଟ୍‌କୁ ଇନ୍‌ଜେକ୍ସନ ଜରିଆରେ ଯନ୍ତ୍ରଣା ହେଉଥିବା ଗଣ୍ଠି ଏବଂ ମାଂସପେସୀରେ ଦିଆଯାଏ। ମାଂସପେଶୀରେ ଆଘାତ ଥିଲେ ମଧ୍ୟ ଷ୍ଟେମ୍‌ ସେଲ୍‌ ଥେରାପି ଦିଆଯାଏ। ଫଳରେ ରୋଗୀ ଯନ୍ତ୍ରଣା ଅନୁଭବ କରିପାରିବେନି।

ଅଣ୍ଟା ବ୍ୟଥା, ଆଣ୍ଠୁ ବ୍ୟଥା, ଅଷ୍ଟିଓ ଆର୍ଥାଇଟିସ୍‌ ଯୋଗୁଁ ହେଉଥିବା ଗଣ୍ଠିବାତ, ସ୍ପଣ୍ଡିଲାଇଟିସ୍‌, ମୁଣ୍ଡ ବ୍ୟଥାକୁ କିଛିଟା ଇନ୍‌ଜେକ୍ସନ ଜରିଆରେ ଯନ୍ତ୍ରଣା ଦୂର କରିହୁଏ।

କ୍ୟାନ୍‌ସର ଯନ୍ତ୍ରଣାରୁ ମିଳିବ ରକ୍ଷା

ଶରୀରର ବିଭିନ୍ନ ସ୍ଥାନରେ କ୍ୟାନ୍ସର ଉପୁଜିପାରେ। ଗଲ୍‌ ବ୍ଲାଡର କ୍ୟାନସର, ପାକସ୍ଥଳୀ କ୍ୟାନ୍ସର, ଯକୃତ କ୍ୟାନ୍‌ସର ଆଦି ପେଟର ଉପରି ଭାଗରେ ଦେଖାଦେଇଥାଏ। ଏହାକୁ ଲାଗି ସ୍ନାୟୁକୋଷ ରହିଥାଏ, ଯାହା ମସ୍ତିଷ୍କକୁ ଯନ୍ତ୍ରଣା ଅନୁଭବ କରାଏ। ଏହି ସ୍ନାୟୁକୋଷକୁ ଇନ୍‌ଜେକ୍ସନ ମାଧ୍ୟମରେ ପୋଡ଼ି ଦିଆଗଲେ ବ୍ୟକ୍ତିଙ୍କୁ ଯନ୍ତ୍ରଣା ଅନୁଭବ ହୁଏ ନାହିଁ।

ମେଟାଷ୍ଟାଟିକ କ୍ୟାନସର ଯନ୍ତ୍ରଣା ପାଇଁ ପ୍ୟାଚ୍‌ ପଦ୍ଧତିରେ ଚିକିତ୍ସା ରହିଛି। ଏହି ପ୍ୟାଚ୍‌ ପକାଇଲେ ୭ଦିନ ଯାଏଁ ଯନ୍ତ୍ରଣା ଅନୁଭବ ହୁଏ ନାହିଁ। ବାରମ୍ବାର ଏହି ପ୍ୟାଚ୍‌ ପଦ୍ଧତିରେ ଯନ୍ତ୍ରଣା ଦୂର କରାଯାଇପାରିବ।

ସର୍ଜରୀ ପରେ ଯନ୍ତ୍ରଣା ହେଉଥିଲେ

ପ୍ରାୟ ଲୋକମାନଙ୍କ ସର୍ଜରୀ ପରେ ବିଭିନ୍ନ ପ୍ରକାର ଯନ୍ତ୍ରଣା ହୋଇଥାଏ। ଏଥିପାଇଁ ସର୍ଜରୀ ପରେ ଅପରେସନ୍‌ କରିଥିବା ସ୍ଥାନରେ କୃତ୍ରିମ ପାଇପ ସାହାଯ୍ୟରେ ଇନ୍‌ଜେକ୍ସନ ଦିଆଯାଇଥାଏ। ଫଳରେ ଯନ୍ତ୍ରଣା ହୋଇ ନଥାଏ। ମେରୁଦଣ୍ଡ ସର୍ଜରୀ, ଆଣ୍ଠୁ ପ୍ରତିରୋପଣ ଆଦି ପଦ୍ଧତି ଅବଲମ୍ବନ କରାଯାଇ ଚିକିତ୍ସା କରାଯାଏ। ଭଙ୍ଗା ହାଡ଼ ଯୋଡ଼ି ହେବା ପରେ ମଧ୍ୟ ଯନ୍ତ୍ରଣା ଥିଲେ ଏହି ପଦ୍ଧତି ବ୍ୟବହାର କରି ଦୂର କରିହୁଏ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶୋଭନ କୁମାର ରଥଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

If you have been suffering from pain for a long time, there is a special clinic for it. We call it a pain clinic. Whether it is pain due to various diseases or post-surgery pain, it can be prevented. Let’s find out how to reduce pain from Dr. Shovan Kumar Rath.