ଆସନ୍ତୁ, ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନ୍‌ଗୋଙ୍କଠାରୁ ଡାଏବେଟିସର କାରଣ, ଲକ୍ଷଣ, ପରୀକ୍ଷଣ ଏବଂ ଚିକିତ୍ସା ବିଷୟରେ ସବିଶେଷ ତଥ୍ୟ ଜାଣିବା।

ଡାଏବେଟିସ୍ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ଡାଏବେଟିସ୍ ଯୋଗୁଁ ଉଚ୍ଚ ରକ୍ତଚାପ, ହାର୍ଟ ଆଟାକ ମଧ୍ୟ ହୋଇପାରେ। ତେବେ ଡାଏବେଟିସକୁ ସମ୍ପୂର୍ଣ୍ଣ ଭାବେ ଭଲ କରି ହେବନି ସିନା ହେଲେ ଏହାକୁ ନିୟନ୍ତ୍ରଣରେ ରଖି ବିଭିନ୍ନ ଦୂରାରୋଗ୍ୟ ରୋଗରୁ ରକ୍ଷା ପାଇ ପାରିବା।

ଡାଏବେଟିସ୍ ବା ମଧୁମେହ କ’ଣ? ( What is Diabetes in Odia)

ଡାଏବେଟିସ୍ ବା ମଧୁମେହ ମଣିଷର ସବୁ ଦିନିଆ ଅତିଥି ହୋଇଗଲାଣି। ବର୍ତ୍ତମାନ ସମୟରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୨୦ରୁ ୨୫ ଜଣଙ୍କୁ ଡାଏବେଟିସ୍ ହେବାର ଦେଖିବାକୁ ମିଳୁଛି। ଡାଏବେଟିସ୍‌ ରୋଗ ହେବାର ମୁଖ୍ୟ କାରଣ ହେଉଛି ବଂଶଗତ। ପରିବାରରେ କୌଣସି ସଦସ୍ୟକୁ ଡାଏବେଟିସ୍ ହୋଇଥିଲେ ଅନ୍ୟ ସଦସ୍ୟକୁ ଡାଏବେଟିସ୍ ହେବାର ଆଶଙ୍କା ଅଧିକ ଥାଏ।

ସାଧାରଣତଃ ଲୋକେ ଏହାକୁ ସୁଗାର ବେମାରୀ କହିଥା’ନ୍ତି। ଡାଏବେଟିସ୍‌ ରୋଗୀଙ୍କ ରକ୍ତ ଶର୍କରା ସାଧାରଣ ସ୍ତରଠାରୁ ଅଧିକ ଥାଏ।

ରକ୍ତ ଶର୍କରାର ସାଧାରଣ ସ୍ତର ହେଲା – ଖାଲିପେଟରେ ରକ୍ତ ଶର୍କରା ୧୨୬

ଖାଇବା ପରେ ରକ୍ତ ଶର୍କରା ୨୦୦ରୁ କମ୍‌

ଖାଲିପେଟରେ ରକ୍ତଶର୍କରା ୧୨୬ରୁ ଅଧିକା, ଖାଇବା ପରର ରକ୍ତ ଶର୍କରା ୨୦୦ରୁ ଅଧିକା ତେବେ ଜାଣିବା ବ୍ୟକ୍ତି ଡାଏବେଟିସ୍‌ରେ ପୀଡ଼ିତ।

diabetes

ଅଧିକ ପଢ଼ନ୍ତୁ: ହାଇପୋଗ୍ଲାଇସେମିଆ କ’ଣ?

କାହିଁକି ହୁଏ ଡାଏବେଟିସ୍ ରୋଗ? (Causes of Diabetes in Odia)

ଡାଏବେଟିସ୍‌ର ମୁଖ୍ୟ କାରଣ ହେଲା ବଂଶଗତ ବା ଗୁଣସୂତ୍ରରୁ ହୁଏ। ବାପାଙ୍କର, ମାଙ୍କର, ଜେଜେଙ୍କର ଡାଏବେଟିସ୍‌ ଥିଲେ ତାଙ୍କ ପିଲାଙ୍କୁ ଡାଏବେଟିସ୍‌ ହୋଇପାରେ। ଗୋଟେ ପୁରୁଷରୁ ଆଉ ଗୋଟେ ପୁରୁଷକୁ ଡାଏବେଟିସ୍‌ ଯାଇଥାଏ।

ଟାଇପ୍‌-୧ ଡାଏବେଟିସ୍‌ ବଂଶଗତ ନୁହେଁ। ଏହା ଅଟୋ ଇମ୍ୟୁନ୍‌ ଡିସ୍‌ଅର୍ଡର। ଏହା ସାଧାରଣତଃ ଛୋଟ ପିଲାଙ୍କୁ ହୋଇଥାଏ। ଛୋଟ ଛୁଆଙ୍କର ରୋଗ ପ୍ରତିରୋଧକ ଶକ୍ତିରେ କୌଣସି ତ୍ରୁଟି ହେଲେ ଶରୀରରେ ବିଟାକୋଷ ନଷ୍ଟ ହୋଇଯାଏ। ବିଟା କୋଷ ନଷ୍ଟ ହେବାର ୪-୬ ଦିନ ଭିତରେ ଟାଇପ୍‌-୧ ଡାଏବେଟିସ୍‌ ହୋଇଥାଏ। ଫଳରେ ପିଲା ବହୁତ ଅସୁସ୍ଥ ହୋଇଯାଆନ୍ତି।

ଜେଷ୍ଟେସ୍‌ନାଲ ଡାଏବେଟିସ୍‌ – ଏହି ଡାଏବେଟିସ୍‌ ଗର୍ଭାସ୍ଥାରେ ହୋଇଥାଏ। ପିଲା ଗର୍ଭରେ ବଢ଼ୁଥିବା ବେଳେ ଓ ପିଲାକୁ ବଢ଼ାଇବା ପାଇଁ ଯେଉଁ ହରମୋନ୍‌ ସୃଷ୍ଟି ହୁଏ, ତାହା ଇନ୍‌ସୁଲିନ୍‌କୁ ଅଚଳ କରାନ୍ତି। ତାହାହେଲେ ଇନ୍‌ସୁଲିନ୍‌ ଅଭାବ ହୋଇ ଡାଏବେଟିସ୍‌ ହୋଇଥାଏ।

ମୁଖ୍ୟତଃ ଜେନେଟିକ୍‌ କାରଣ ଯୋଗୁଁ ଡାଏବେଟିସ୍‌ ହୋଇଥାଏ। ହେଲେ ବର୍ତ୍ତମାନ ଜୀବନଶୈଳୀ ଯେପରିକି ଅଳସୁଆମି, ଜଙ୍କଫୁଡ୍‌ ଖାଇବା ଦ୍ୱାରା, ମାନସିକ ଚାପ, ସଠିକ୍‌ ବିଶ୍ରାମ ନ ନେଲେ, ବ୍ୟାୟାମ କରୁନଥିଲେ ଡାଏବେଟିସ୍‌ ହେବାର ଆଶଙ୍କା ବହୁତ ଅଧିକ।

ଡାଏବେଟିସ୍ ହେବାର ବୈଜ୍ଞାନିକ କାରଣ? (Scientific cause behind Diabetes in Odia)

ମନେକରାଯାଉ, ଆପଣ ୨ଟା ରୁଟି ଓ ସନ୍ତୁଳା ଖାଇବା ପରେ ଆପଣଙ୍କ ରକ୍ତ ଶର୍କରା ୩୦୦ ହେଉଛି। କିନ୍ତୁ ଆପଣଙ୍କ ପରିବାରରେ କିଏ ୩ଟା ରସଗୋଲା, ୪ଟା ପରଟା ଖାଇଲା ପରେ ବି ତାଙ୍କର ରକ୍ତ ଶର୍କରା ୧୧୦ ରହୁଛି।  ଏହା ହେବାର କାରଣ ହେଲା, ଆମେ ଯେଉଁ ଖାଦ୍ୟ ଖାଉ ତାହା ଆମ ପେଟକୁ ଯାଇ ହଜମ ହୁଏ। ଏହି ଖାଦ୍ୟ ଭାଙ୍ଗି ରକ୍ତରେ ମିଶେ।

ଶରୀରରେ ଶ୍ୱେତସାର ଜାତୀୟ ଖାଦ୍ୟ ଭାଙ୍ଗି ଗ୍ଲୁକୋଜ୍‌ ବା ଶର୍କରାରେ ପରିଣତ ହୁଏ। ଶର୍କରାରେ ପରିଣତ ହେଲେ ହିଁ ଏହା ରକ୍ତରେ ମିଶିପାରିବ। ମଣିଷ ରକ୍ତରେ ଥିବା ଶର୍କରାକୁ ଜୀବକୋଷ ଭିତରେ ପ୍ରବେଶ କରେଇବା ପାଇଁ ଆମ ପେଟ ଭିତରେ ଅଗ୍ନାଶୟ ଗ୍ରନ୍ଥି ଅଛି। ସେହି ଗ୍ରନ୍ଥିରେ ବିଟାଜୀବକୋଷ ରହିଛି। ଏଥିରୁ ଇନ୍‌ସୁଲିନ୍‌ ନାମକ ହରମୋନ୍‌ ବା ଜୀବରସ ଝରିଥାଏ।

ଇନ୍‌ସୁଲିନ୍‌ ହରମୋନ୍‌ ଅଗ୍ନାଶୟରୁ ବାହାରି ରକ୍ତରେ ମିଶିଯାଏ। ଇନ୍‌ସୁଲିନ୍‌ର କାମ ହେଉଛି ଜୀବକୋଷ ଭିତରକୁ ଶର୍କରାକୁ ପ୍ରବେଶ କରାଇବା। ଅର୍ଥାତ୍‌ ଶର୍କରା ଇନ୍‌ସୁଲିନ୍‌ ସାହାଯ୍ୟରେ ଜୀବକୋଷ ଭିତରେ ପ୍ରବେଶ କରେ। ଜୀବକୋଷ ଭିତରେ ଥିବା ଏଞ୍ଜାଇମ୍‌ ଶର୍କରାକୁ ଭାଙ୍ଗି କାର୍ବନଡାଇଅକ୍ସାଇଡ୍‌ ଓ ପାଣିରେ ପରିଣତ କରିଥା’ନ୍ତି। କାର୍ବନଡାଇଅକ୍ସାଇଡ୍‌ ନିଶ୍ୱାସ ବାଟରେ ବାହାରିଯାଏ ଓ ପାଣି ପରିସ୍ରାରେ ବାହାରିଯାଏ। ଏହି ଭାଙ୍ଗିବା ସମୟରେ ସେଥିରୁ ଶକ୍ତି ବାହାରେ, ଯାହା ବିଭିନ୍ନ ଅଙ୍ଗକୁ ଚଳାଇବାରେ ସାହାଯ୍ୟ କରେ। ପାନ୍‌କ୍ରିୟାଜ୍‌ରୁ କ୍ଷରଣ ହେଉଥିବା ଇନ୍‌ସୁଲିନ୍‌ ଗ୍ଲୁକୋଜକୁ ଶକ୍ତିରେ ରୁପାନ୍ତର କରେ।

ଯେଉଁ ଲୋକଙ୍କର ଅଗ୍ନାଶୟ ସଠିକ୍‌ ଭାବରେ କାର୍ଯ୍ୟ ନ କରେ ଓ ଇନ୍‌ସୁଲିନ୍‌ ସଠିକ୍‌ ଭାବରେ ଝରୁନି, ତେବେ ରକ୍ତରେ ଶର୍କରାଗୁଡ଼ିକ ଭାସେ ଓ ତାହା ଜୀବକୋଷ ଭିତରକୁ ଯିବ ନାହିଁ। ଫଳରେ ରକ୍ତରେ ଶର୍କରା ଏତେମାତ୍ରାରେ ରହିବା ଯୋଗୁଁ ରକ୍ତ ଭିତରେ ଜମାଟ ବାନ୍ଧିଯାଏ ଓ ରକ୍ତକୁ ଶିରା କରିଦିଏ। ରକ୍ତନଳୀରେ ଜମାଟ ବାନ୍ଧିବା ଫଳରେ ଧୀରେ ଧୀରେ ରକ୍ତନଳୀ ସରୁ ହୋଇଯାଏ, ଫଳରେ ଯେଉଁ ରକ୍ତ ପ୍ରବାହ ହେଉଥିଲା, ତାହା କମିବା ଆରମ୍ଭ ହୁଏ। ହୃଦୟକୁ ଯାଉଥିବା ରକ୍ତ ସଞ୍ଚାଳନ କମିଲେ, ହୃଦଘାତ ହେବ। ଆଖିକୁ ଯାଉଥିବା ରକ୍ତ ସଞ୍ଚାଳନ କମିଗଲେ ଅନ୍ଧତ୍ଵ ହେବ, ମସ୍ତିଷ୍କକୁ ଯାଉଥିବା ରକ୍ତ ସଞ୍ଚାଳନ କମିଲେ, ଷ୍ଟ୍ରୋକ୍‌ ହେବ, ଯୌନାଙ୍ଗକୁ ଯାଉଥିବା ରକ୍ତ ସଞ୍ଚାଳନ କମିଲେ ଯୌନ ସମସ୍ୟା ହୋଇପାରେ, ପାଦକୁ ଯାଉଥିବା ରକ୍ତ କମିଲେ ପାଦରେ ଘା’ ଓ ଗାଙ୍ଗ୍ରିନ୍‌ ଭଳି ସମସ୍ୟା ଉପୁଜିଥାଏ।

diabetes in children

ଅଧିକ ପଢ଼ନ୍ତୁ: ଟାଇପ୍-୨ ମଧୁମେହ ସଂପର୍କରେ ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଡାଏବେଟିସ୍‌ର ପ୍ରକାର (Type of Diabetes in Odia)

ଡାଏବେଟିସ୍‌ ବହୁତ ପ୍ରକାରର ଅଛି। କିନ୍ତୁ, ସାଧାରଣତଃ ଡାଏବେଟିସ୍‌ ୩ ପ୍ରକାରର କୁହାଯାଏ।

ଟାଇପ୍‌ ୧ ଡାଏବେଟିସ୍‌ – ଏହା ଛୋଟ ପିଲାଙ୍କୁ ହୋଇଥାଏ।

ଟାଇପ୍‌-୨ ଡାଏବେଟିସ୍‌ –  ସାଧାରଣତଃ ଏହା ସବୁ ବୟସର ଲୋକଙ୍କୁ ହୋଇଥାଏ।

ଜେଷ୍ଟେସ୍‌ନାଲ ଡାଏବେଟିସ୍‌ – ଗର୍ଭ ସମୟରେ ଡାଏବେଟିସ୍‌ ଥିବା ଜଣାପଡ଼ିଲେ, ତାକୁ ଜେଷ୍ଟେସ୍‌ନାଲ ଡାଏବେଟିସ୍‌ କୁହାଯାଏ।

ଡାଏବେଟିସ୍‌ଲକ୍ଷଣ (Symptoms of Diabetes in Odia)

ଦୁର୍ବଳ ଲାଗିବା

ହଠାତ୍‌ ଓଜନ କମିଯିବ

ଭୋକ ଅଧିକ ଲାଗିବ

ବାରମ୍ବାର ପରିସ୍ରା ଯିବେ

ଅଧିକ ଶୋଷ ହେବ

ଦେହରେ ଖଣ୍ଡିଆ ହୋଇଥିଲେ ଶୂଖିବା ପାଇଁ ସମୟ ଲାଗିବ

ପରିସ୍ରା ଦ୍ୱାର କୁଣ୍ଡେଇ ହେବ

ପାଇଲ୍ସ ଥିବା ଲୋକଙ୍କ ପାଇଲ୍ସ ବଢ଼ିଯିବ ଓ ଶୁଖିବନି

ଆଖିକୁ ଜାଲିଜୁଲିଆ ଦେଖାଯିବ

ପାଦ ଝିମ୍ ଝିମ୍‌ ହେବ

ପାଦ ବଧିରା ହୋଇପାରେ

ଡାଏବେଟିସ୍ ସନ୍ଦେହ ହେଲେ କ’ପରୀକ୍ଷା କରିବେ? (Diagnosis of diabetes in Odia)

ଡାଏବେଟିସ୍‌ ସନ୍ଦେହ ହେଲେ ପରିସ୍ରା ଓ ରକ୍ତ ଶର୍କରା ପରୀକ୍ଷା କରାଯାଏ। ରକ୍ତ ଶର୍କରା ଖାଲି ପେଟରେ କେତେ ଅଛି ଓ ଖାଇବା ପରେ କେତେ ଅଛି ତାହା ପରୀକ୍ଷା କରାଯାଏ। ଏହାଛଡ଼ା ଗ୍ଲାଇକୋସିଲେଟେଡ୍‌ ହିମୋଗ୍ଲୋବିନ୍‌ (HbA1c) ପରୀକ୍ଷା କରାଯାଏ।

ଯଦି ରକ୍ତ ଶର୍କରା ସ୍ତର ଖାଲି ପେଟରେ ୧୨୬ରୁ ବେଶି ଅଛି ଓ ଖାଇବା ପରେ ୨୦୦ରୁ ବେଶି ଅଛି, ତେବେ ଡାଏବେଟିସ୍‌ ଅଛି ବୋଲି ଜାଣିବା। ଡାଏବେଟିସ୍‌ ଜଣାପଡ଼ିଗଲା ପରେ ଲିପିଡ୍‌ ପ୍ରୋଫାଇଲ୍‌, ଲିଭର ପରୀକ୍ଷା, ପରିସ୍ରାରେ ପ୍ରୋଟିନ୍‌ ଆସୁଛି କି ନାହିଁ, କିଡ୍‌ନି ପରୀକ୍ଷା, ଆଖି, ହୃଦୟ  ଆଦି କରିବା ଜରୁରୀ। ମୂଳରୁ ଏହିସବୁ ପରୀକ୍ଷା କରିନେଲେ ତାହାର ପ୍ରତିଷେଧକ ଗ୍ରହଣ କରିପାରିବେ।

insulin

ଡାଏବେଟିସ୍‌ର ଚିକିତ୍ସା କେମିତି ହୁଏ? (Treatment of Diabetes in Odia)

ଡାଏବେଟିସ୍‌ର ପ୍ରଥମ ଚିକିତ୍ସା ହେଲା ଖାଦ୍ୟରେ ସଞ୍ଜମତା ଆଣିବା।

ଦ୍ୱିତୀୟ ଚିକିତ୍ସା ହେଲା ଔଷଧ।

ତୃତୀୟ ଚିକିତ୍ସା ହେଲା – କୌଣସି କାରଣରୁ ଶର୍କରା ୩୦୦-୪୦୦ ବା ଅଧିକ ବଢ଼ିଯାଇଥିଲେ, ସେତେବେଳେ ଔଷଧ କାମ କରିନଥାଏ। ସେତେବେଳେ ଇନ୍‌ସୁଲିନ୍‌ ଇଞ୍ଜେକ୍‌ସନ୍‌ ନେବାକୁ ପଡ଼ିଥାଏ। ଡାଏବେଟିସ୍‌ର ଭଲ ଚିକିତ୍ସା ହେଉଛି ଇନ୍‌ସୁଲିନ୍‌।

ଚତୁର୍ଥ ଚିକିତ୍ସା ହେଉଛି ଶାରୀରିକ ପରିଶ୍ରମ। ପ୍ରତିଦିନ ସକାଳେ ୧୦,୦୦୦ ଷ୍ଟେପ୍‌ ଚାଲିଲେ ଆପଣଙ୍କ ଶରୀରର ମାଂସପେଶୀ ସଚଳ ହୋଇଯିବ। ମାଂସପେଶୀ ଯେତେ ସଚଳ ହେବ, ତେବେ ଇନ୍‌ସୁଲିନ୍‌ ସାହାଯ୍ୟରେ ଶର୍କରା ଆପଣଙ୍କ ଦେହର ଜୀବକୋଷରେ ସେତେ ଭଲ ଭାବରେ ପ୍ରବେଶ କରିବ।

ସବୁଠୁ ବଡ଼ କଥା ହେଉଛି, ଡାଏବେଟିସ୍‌ ଶିକ୍ଷା। ଯେଉଁ ଲୋକ ଡାଏବେଟିସ୍‌ ବିଷୟରେ ଯେତେ ଅଧିକ ଜାଣିଛନ୍ତି, ସେମାନେ ସୁସ୍ଥ ଜୀବନ ଅତିବାହିତ କରିଛନ୍ତି।

ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ (Doctor’s advice in Odia)

ଡାଏବେଟିସ୍ ୬ମାସର ଛୁଆଠୁ ଆରମ୍ଭ କରି ୯୦ ବର୍ଷର ବୟସ୍କ ଲୋକଙ୍କୁ ମଧ୍ୟ ହେଉଛି। ସବୁବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବେ ଓ ଡାକ୍ତର କହୁଥିବା ଟିପ୍ସକୁ ଆପଣେଇବା ଜରୁରୀ। ଔଷଧକୁ ଅଳ୍ପ କିଛି ଦିନ ଖାଇ ଛାଡ଼ିଦେବେ ନାହିଁ। ଜୀବନଶୈଳୀରେ ପରିବର୍ତ୍ତନ ହିଁ ଡାଏବେଟିସ୍‌କୁ ନିୟନ୍ତ୍ରଣ କରେ ଓ ବ୍ୟକ୍ତି ସୁସ୍ଥ ଜୀବନଯାପନ କରିପାରିବେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଆଲୋକ କାନୁନଗୋଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Causes, symptoms & treatment of Diabetes, in Odia language, is based on an extensive interview with Diabetologist Dr Alok Kanungo.