ଆସନ୍ତୁ ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ସେଠୀଙ୍କଠାରୁ ଅଲସରର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା।

ଅଲସର୍ କ’ଣ?(What is an Ulcer in Odia)

ଅଲସର ମାନେ କ୍ଷତ ବା ଘା’। ଖାଦ୍ୟନଳୀ କିମ୍ବା ପାକସ୍ଥଳୀରେ ଘା‘ ହେବାକୁ ଅଲସର ବୋଲି କୁହାଯାଏ। ଏହାକୁ ପେପ୍‌ଟିକ୍‌ ଅଲସର ଡିଜିଜ୍‌ ବୋଲି ମଧ୍ୟ କୁହାଯାଏ। ଠିକ୍ ସମୟରେ ଅଲସରର ଚିକିତ୍ସା କରାନଗଲେ, ଏହା କ୍ୟାନସର ସୃଷ୍ଟି କରିପାରେ। ତେଣୁ ଶରୀରରେ ଅଲସରର ଲକ୍ଷଣ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଅଲସର୍ ହେଲେ କ’ଣ ଲକ୍ଷଣ ଦେଖାଯାଏ? (What are the symptoms of Stomach Ulcer in Odia)

କେଉଁ ସ୍ଥାନରେ ଅଲସର ହୋଇଛି, ସେହି ଅନୁଯାୟୀ ଏହାର ଲକ୍ଷଣ ଜଣାପଡ଼େ। ଯଦି ଖାଦ୍ୟନଳୀ ଭିତରେ ଅଲସର ହୋଇଛି, ତାହାହେଲେ ଖାଦ୍ୟ ଗିଳିବାରେ ଅସୁବିଧା ହୁଏ, ଖାଦ୍ୟ ଢୋକିବା ବେଳେ ଯନ୍ତ୍ରଣା ହୋଇପାରେ।

ଖାଦ୍ୟ ନଳୀରେ ବଡ଼ କ୍ଷତ ହୋଇଥିଲେ ରକ୍ତ ବାନ୍ତି ମଧ୍ୟ ହୋଇପାରେ। ଯଦି ପାକସ୍ଥଳୀରେ ଅଲସର ହୋଇଛି, ତେବେ ଯନ୍ତ୍ରଣା ହୋଇପାରେ। ଏହି ଯନ୍ତ୍ରଣା ଖାଇ ସାରିବା ପରେ ହୋଇପାରେ। କେତେକ କ୍ଷେତ୍ରରେ ରକ୍ତ ବାନ୍ତି ବା କଳା ଝାଡ଼ା ହୋଇପାରେ। କଳା ଝାଡ଼ା ହେବାର କାରଣ ହେଲା, ଯେତେବେଳେ ଅଲସରରୁ ରକ୍ତସ୍ରାବ ହୁଏ, ସେତେବେଳେ ଏହି ରକ୍ତ ତଳକୁ ଯାଇ କଳାଝାଡ଼ା କରାଏ। ପାକସ୍ଥଳୀରେ ଅଲସର ହୋଇଥିଲେ ତାହା କ୍ୟାନ୍‌ସରରେ ବି ପରିଣତ ହେବାର ଆଶଙ୍କା ଥାଏ।

ଅଧିକ ପଢ଼ନ୍ତୁ: ଆପେଣ୍ଡିସାଇଟିସ୍ କାହିଁକି ହୁଏ?

ଅଲସରର ବିଭିନ୍ନ ପ୍ରକାର ଓ ଏହାର କାରଣ (Different types of Stomach Ulcer and their causes in Odia)

ଖାଦ୍ୟନଳୀରେ ଅଲସର ହୋଇଥିଲେ ତାକୁ ଇସୋଫାଗସ୍‌ ଅଲସର ବୋଲି କୁହାଯାଏ। ଏସିଡ୍‌ ରିଫ୍ଲକ୍ସ, ପେନ୍‌କିଲର ସେବନ ଯୋଗୁଁ ବା ଅତ୍ୟଧିକ ଆଣ୍ଟିବାୟୋଟିକ୍‌ ଖାଇବା ଯୋଗୁଁ ମଧ୍ୟ ଖାଦ୍ୟନଳୀରେ ଅଲସର ହୋଇପାରେ। ଏଚ୍‌ ପାଇଲୋରି ସଂକ୍ରମଣ ଯୋଗୁଁ ପାକସ୍ଥଳୀରେ ଅଲସର ହୋଇପାରେ।

ଅଲସରକୁ ଚିହ୍ନିବା କେମିତି? (Diagnosis of Stomach Ulcer in Odia)

ଦୁଇ ପ୍ରକାରର ଅଲସର ଦେଖାଦିଏ, ଯେପରିକି ବିନାଇଙ୍ଗ ଅଲସର, ମାଲିଗ୍‌ନାଣ୍ଟ ଅଲସର। ଏହି ଅଲସର କ୍ୟାନ୍‌ସର ସୃଷ୍ଟି କରିପାରେ। ଯଦି ଜଣେ ବ୍ୟକ୍ତିଙ୍କୁ ରକ୍ତ ବାନ୍ତି ବା କଳାଝାଡ଼ା ଭଳି ଲକ୍ଷଣ ଦେଖାଦେଇଥାଏ, ତାହାହେଲେ ଜାଣିବା ଅଲସର ହୋଇଥାଇପାରେ। କେତେକ କ୍ଷେତ୍ରରେ ଅଲସରର କୌଣସି ଲକ୍ଷଣ ପ୍ରକାଶ ନ ପାଇପାରେ। ଏଣ୍ଡୋସ୍କୋପି ଜରିଆରେ ରୋଗୀର ଖାଦ୍ୟନଳୀ, ପାକସ୍ଥଳୀ ଏବଂ ଅନ୍ତନଳୀ ପରିଷ୍କାର ଭାବେ ଦେଖାଯାଏ।

ଅଲସରର ଚିକିତ୍ସା କେମିତି ହୁଏ? (Treatments of Stomach Ulcer in Odia)

ଅଲସରର ଚିକିତ୍ସା ପୂର୍ବରୁ ଦେଖିବାକୁ ହୁଏ ଯେ, ଏହା କେଉଁ ପ୍ରକାରର ଅଲସର। ଏଥିପାଇଁ ସେହି ସ୍ଥାନରୁ ମାଂସ ନେଇ ବାୟୋପ୍ସି କରିବାକୁ ହେବ। ଯଦି କ୍ୟାନ୍‌ସରସ୍‌ ଅଲସର, ତେବେ ସର୍ଜରୀ କିମ୍ବା କେମୋଥେରାପି କିମ୍ବା ରେଡିଓଥେରାପି ଦରକାର ପଡ଼ିପାରେ। ରୋଗୀର ସମସ୍ୟାକୁ ଦେଖି ଚିକିତ୍ସା ଭିନ୍ନ ଭିନ୍ନ।

ଅଧିକ ପେନ୍‌କିଲର ଖାଇବା ଦ୍ୱାରା ଖାଦ୍ୟନଳୀରେ ଅଲସର ହୋଇପାରେ। ଏଥିପାଇଁ ପ୍ରୋଟନ୍‌ ପମ୍ପ ଇନ୍‌ହିବିଟର ଚିକିତ୍ସା କରାଯାଏ। ପାକସ୍ଥଳୀ ଓ ଅନ୍ତନଳୀର ଅଲସରରୁ ରକ୍ତସ୍ରାବ ହେଉଥିଲେ ଏଣ୍ଡୋସ୍କୋପି ସାହାଯ୍ୟରେ ରକ୍ତସ୍ରାବ ବନ୍ଦ ମଧ୍ୟ କରିହୁଏ।

ଅଲସର୍‌ର ଚିକିତ୍ସା ନକଲେ କ’ଣ ଅସୁବିଧା ହେବ? (Complications of Stomach Ulcer in Odia)

ଖାଦ୍ୟନଳୀରେ ଅଲସର ହୋଇଥିଲେ ସେଥିରୁ ରକ୍ତସ୍ରାବ ହୋଇପାରେ, ଖାଦ୍ୟନଳୀ ଦରୁ ହୋଇଯିବ ଓ ଧୀରେ ଧୀରେ ରୋଗୀ ଖାଦ୍ୟ ଗିଳିପାରେ ନାହିଁ।

ଅଲସର ପାକସ୍ଥଳୀରେ ହୋଇଥିଲେ ଓ ଏହାର ଚିକିତ୍ସା କରାନଗଲେ ତାହାହେଲେ କ୍ୟାନ୍‌ସର ହୋଇପାରେ।

ଅଧିକ ପଢ଼ନ୍ତୁ: ଲିଭରରେ ଚର୍ବି ଜମା ହେଲେ ହୋଇପାରେ ଲିଭର ଫେଲ୍ୟୁଅର

ଅଲସର୍ ଅନ୍ୟ ଅଙ୍ଗକୁ ପ୍ରଭାବିତ କରିବ କି? (Will the ulcer affect other organs in Odia)

ଯଦି ଅଲସରରୁ ଅଧିକ ରକ୍ତସ୍ରାବ ହୁଏ, ତେବେ ହୃଦ୍‌ରୋଗ, କିଡ୍‌ନିକୁ ପ୍ରଭାବିତ କରିପାରେ। ଯଦି କ୍ୟାନ୍‌ସରସ୍‌ ଅଲସର ହୋଇଥାଏ, ତାହାହେଲେ ଏହା ଲିଭର, ଫୁସ୍‌ଫୁସ୍‌କୁ ବ୍ୟାପିପାରେ।

କାହିଁକି ବଢୁଛି ଅଲସର୍ ସମସ୍ୟା? (Why is the ulcer problem growing in Odia)

ତମାଖୁ ଜାତୀୟ ଜିନିଷ ମଧ୍ୟ ଅଲସର କରିପାରେ। ଅସ୍ଵାସ୍ଥ୍ୟକର ପରିବେଶ, ଦୂଷିତ ପାନୀୟ ଜଳ ଥିବା ସ୍ଥାନଗୁଡ଼ିକଲେ ଅଲସର ସମସ୍ୟା ଅଧିକ ଦେଖାଦେଉଛି।

ଅଲସର୍ ହେବାକୁ ରୋକିବା କେମିତି? (How to prevent ulcers in Odia)

ଅଲସର ରୋକିବାକୁ ହେଲେ ସୁସ୍ଥ ଲାଇଫ୍‌ଷ୍ଟାଇଲ୍‌ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଜରୁରୀ।

ଠିକ୍‌ ସମୟରେ ଖାଦ୍ୟ ଖାଇବେ।

ଜଙ୍କଫୁଡ୍‌ ଖାଇବେ ନାହିଁ।

ପେନ୍‌କିଲର ଓ ତମାଖୁ ସେବନ କରନ୍ତୁ ନାହିଁ।

ମାନସିକ ଚାପରୁ ନିଜକୁ ଦୂରେଇ ରଖନ୍ତୁ।

ନିୟମିତ ବ୍ୟାୟାମ, ଯୋଗ, ପ୍ରାଣାୟାମ କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୁଶାନ୍ତ କୁମାର ସେଠୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Stomach Ulcer, in Odia language, is based on an extensive interview with ‌gastroenterologist Dr Sushant Kumar Sethi.