ବ୍ରେନ୍ ଷ୍ଟ୍ରୋକ୍ ହେବାର କାରଣ କ’ଣ, ଏହାର ଲକ୍ଷଣ ଓ ନିରାକରଣକୁ ନେଇ ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

  • ବ୍ରେନ୍ ଷ୍ଟ୍ରୋକ୍ କାହିଁକି ହୁଏ?
  • ବ୍ରେନ୍ ଷ୍ଟ୍ରୋକ୍ ହେବାର ଲକ୍ଷଣ
  • ବ୍ରେନ୍ ଷ୍ଟ୍ରୋକର ଚିକିତ୍ସା ଏବଂ ନିରାକରଣ

ଆମ ଶରୀର ସମସ୍ତ କାର୍ଯ୍ୟ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। କୌଣସି କାରଣରୁ ଏଥିରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଗଲେ କିମ୍ବା ମସ୍ତିଷ୍କର ଶୀରା ଫାଟିଗଲେ ବ୍ରେନ୍ ଷ୍ଟ୍ରୋକ୍ ହୋଇଥାଏ।

ବ୍ରେନ୍‌ ବା ମସ୍ତିଷ୍କ ଆମ ଶରୀରର ଏକ ମୁଖ୍ୟ ଅଙ୍ଗ। ମସ୍ତିଷ୍କ ଆମ ଶରୀରର ସମସ୍ତ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥାଏ। ଏହିସବୁ କାର୍ଯ୍ୟ ମସ୍ତିଷ୍କରେ ଥିବା ବିଭିନ୍ନ କୋଷିକା ମାଧ୍ୟମରେ ହୋଇଥାଏ। ମସ୍ତିଷ୍କର କୋଷିକାଗୁଡ଼ିକ ଅହରହ ରକ୍ତ ପ୍ରବାହ, ଅମ୍ଳଯାନ ଓ ଗ୍ଲୁକୋଜ ଉପରେ ନିର୍ଭର କରିଥା’ନ୍ତି। କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ପ୍ରବାହ ଠିକ୍‌ ଭାବେ ହୋଇ ନ ପାରିଲେ, ମସ୍ତିଷ୍କର କୋଷିକାଗୁଡ଼ିକ ମରିଯା’ନ୍ତି। ଫଳରେ ବ୍ୟକ୍ତିଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ ବା ମସ୍ତିଷ୍କ ପକ୍ଷାଘାତ ହୋଇଥାଏ।

ବ୍ରେନ୍‌ ଷ୍ଟ୍ରୋକ୍‌ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ। ଯଦି କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ପ୍ରବାହ ଠିକ୍‌ ଭାବରେ ହୋଇପାରେ ନାହିଁ, ତେବେ ଏହାକୁ ଇସ୍ଚେମିକ୍‌ ଷ୍ଟ୍ରୋକ କୁହାଯାଏ। ଯଦି କୌଣସି କାରଣରୁ ମସ୍ତିଷ୍କର ଶୀରା ଫାଟି ଯାଇ ରକ୍ତ ସ୍ରାବ ହୁଏ, ତେବେ ଏହା ହେମରଜିକ୍‌ ଷ୍ଟ୍ରୋକ କୁହାଯାଏ।

brain tumor

ବ୍ରେନ୍‌ ଷ୍ଟ୍ରୋକ୍‌ର କାରଣ (Causes of Stroke in Odia)

ଡାଏବେଟିସ୍‌, ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ, ହୃଦରୋଗ, ମାନସିକ ଚାପ, ମେଦବହୁଳତା ହେଉଛି ବ୍ରେନ୍‌ ଷ୍ଟ୍ରୋକର ମୁଖ୍ୟ କାରଣ। ଏହାଛଡ଼ା ଯଦି ଜଣେ ବ୍ୟକ୍ତିଙ୍କ ବୟସ ୬୦ ବର୍ଷରୁ ଅଧିକ ଓ ବଂଶଗତ କାରଣରୁ ବି ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇପାରେ। ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ବ୍ରେନ୍‌ ଷ୍ଟ୍ରୋକ ହେବାର ଅଧିକ ଆଶଙ୍କା ଥାଏ।

ବ୍ରେନ୍‌ ଷ୍ଟ୍ରୋକର ଲକ୍ଷଣ (Symptoms of Brain Stroke in Odia)

ବିଶ୍ୱ ପକ୍ଷାଗାତ ସଂସ୍ଥା ବ୍ରେନ୍‌ ଷ୍ଟ୍ରୋକର ଲକ୍ଷଣ ଜାଣିବା ପାଇଁ ଏକ ଫର୍ମୂଲା ବାହାର କରିଛନ୍ତି। BEFAST ଫର୍ମୂଲା ଜାରିଆରେ ଜାଣି ହେବ ବ୍ରେନ୍‌ ଷ୍ଟ୍ରୋକର ଲକ୍ଷଣ ସମ୍ପର୍କରେ।

Balance (ବାଲାନ୍ସ): ଯଦି ଆପଣ ସଙ୍ଗେ ସଙ୍ଗେ ନିଜର ନିୟନ୍ତ୍ରଣ କରିପାରୁ ନାହାନ୍ତି ଏବଂ ବେଳେ ବେଳେ ପଡ଼ିଯାଉଛନ୍ତି, ତେବେ ଏହା ଷ୍ଟ୍ରୋକ୍‌ର ଲକ୍ଷଣ।

EYE (ଆଖି): ସଠିକ୍‌ ଭାବେ ଦେଖା ନଗଲେ ବା ଦୁଇଟା ଦୁଇଟା ଦେଖାଯିବା।

FACE (ମୁହଁ): ମୁହଁ ବଙ୍କା ହୋଇଗଲେ ବା ମୁହଁରେ ଝିମ୍‌ ଝିମ୍‌ ଲାଗିବା।

ARM (ବାହୁ): ହାତରେ କୌଣସି ଜିନିଷ ଉଠାଇ ପାରୁ ନାହାନ୍ତି ବା ହାତ ବଧିରା ଭଳି ଲାଗିବା।

SPEECH: କଥା କହିବା ବେଳେ ଖନି ମାରିଲେ।

TIME (ସମୟ): ଷ୍ଟ୍ରୋକ୍‌ ହେଲେ ଠିକ୍‌ ସମୟରେ ହସ୍ପିଟାଲରେ ପହଞ୍ଚିବା ଦରକାର। ବ୍ରେନ୍‌ ଷ୍ଟ୍ରୋକ୍‌ ହେବା ଏକ ଜରୁରୀକାଳୀନ ପରିସ୍ଥିତି। ଷ୍ଟ୍ରୋକ ହେବାର ସାଢ଼େ ୪ ଘଣ୍ଟା ମଧ୍ୟରେ ହସ୍ପିଟାଲରେ ପହଞ୍ଚିବା ଦରକାର। ଏହି ୪ ଘଣ୍ଟାର ସମୟକୁ ଗୋଲ୍ଡେନ ଓ୍ୱିଣ୍ଡୋ ପିରିୟଡ୍‌ ବୋଲି କୁହାଯାଏ। କାରଣ ଷ୍ଟ୍ରୋକ୍‌ର ଚିକିତ୍ସା ଯେତେ ଶୀଘ୍ର ହେବ ଏହା ଠିକ୍‌ ହେବାର ସମ୍ଭାବନା ସେତିକି ଜଲଦି। ଡେରିରେ ଚିକିତ୍ସା କରାଗଲେ ରୋଗୀର ଠିକ୍‌ ହେବାରେ ବିଳମ୍ବ ହୋଇଥାଏ।

ବ୍ରେନ୍‌ ଷ୍ଟ୍ରୋକ୍‌ର ଚିକିତ୍ସା (Treatment of Stroke in Odia)

ଯଦି ଜଣେ ରୋଗୀଙ୍କର ବ୍ରେନ୍‌ ଷ୍ଟ୍ରୋକର କୌଣସି ଲକ୍ଷଣ ଦେଖାଦିଏ ତେବେ ଡାକ୍ତର ପ୍ରଥମେ ସିଟି ସ୍କାନ କିମ୍ବା ଏମ୍‌ଆରଆଇ ଜରିଆରେ ମସ୍ତିଷ୍କର ଫଟୋ ନିଅନ୍ତି। ଏହି ଫଟୋ ମାଧ୍ୟମରେ କେଉଁ ପ୍ରକାରର ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଛି ତାହା ନିରୂପଣ କରାଯାଏ। ଏହାଛଡ଼ା ରୋଗୀଙ୍କର ମଧୁମେହ, ରକ୍ତଚାପ, କୋଲେଷ୍ଟ୍ରଲ ଓ ହୃଦୟ ସମ୍ବନ୍ଧୀୟ ପରୀକ୍ଷା କରାଯାଏ। ରୋଗୀର ଅବସ୍ଥା ଜଟିଳ ଥିଲେ ଆଇସିୟୁରେ ଭର୍ତ୍ତି କରାଯାଏ। କେତେକ କ୍ଷେତ୍ରରେ ଷ୍ଟ୍ରୋକ୍‌ର ଆକାର ବଡ଼ ଥିଲେ ନ୍ୟୁରୋ ସର୍ଜରୀ ଦରକାର ପଡ଼ିଥାଏ। ଏହାପରେ ଫିଜିଓଥେରାପି, ଅକ୍ୟୁପେସନାଲ ଥେରାପି, ସ୍ପିଚ୍‌ ଥେରାପି ଓ ଔଷଧ ମାଧ୍ୟରେ ରୋଗୀ ଧୀରେ ଧୀରେ ସୁସ୍ଥ ହୁଅନ୍ତି।

ଯଥାଶୀଘ୍ର ଅପରେସନ୍‌ କରାଗଲେ ରୋଗୀର ଜୀବନ ବଞ୍ଚିଯାଇପାରେ। ବ୍ରେନ୍‌ ଷ୍ଟ୍ରୋକର ଚିକିତ୍ସା ପରେ ଜୀବନସାରା ଔଷଧ ଖାଇବାକୁ ପଡ଼େ। ଔଷଧ ଖାଇବାରେ ଅବହେଳା କଲେ ଆଉ ଥରେ ଷ୍ଟ୍ରୋକ ହେବାର ଆଶଙ୍କା ବଢ଼ିଥାଏ। ଏହାସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ।

ବ୍ରେନ୍‌ ଷ୍ଟ୍ରୋକର ନିରାକରଣ (Prevention of Brain Stroke in Odia)

ସୁଷମ ଖାଦ୍ୟ ଖାଇବାକୁ ହେବ।

ଡାଏବେଟିସ୍‌ ଥିଲେ ନିଜ ରକ୍ତ ଶର୍କରାକୁ ନିୟନ୍ତ୍ରଣ ରଖିବାକୁ ହେବ।

ତେଲ, ମସଲା, ଲୁଣ, ଛଣାଛଣି ଯୁକ୍ତ ଖାଦ୍ୟ କମ୍‌ ଖାଇବେ।

ଧୂମପାନ, ମଦ୍ୟପାନରୁ ନିବୃତ୍ତ ରହନ୍ତୁ।

ଚିନ୍ତାମୁକ୍ତ ରହନ୍ତୁ।

ନିୟମିତ ଯୋଗ, ମର୍ଣ୍ଣିଂ ଓ୍ୱାକ୍‌ କରିବା ଜରୁରୀ।

ମୋଟାପଣ କମ୍‌ କରିବା ପାଇଁ ବ୍ୟାୟାମ ଓ ସଠିକ୍‌ ଡାଏଟ୍‌ ଖାଆନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, causes, symptoms, prevention and treatment of Brain Stroke, based on the interview with Dr Subhransu Sekhar Jena, Consultant Neurologist.