skin care

ରାଇତାରୁ ଆରମ୍ଭ କରି ସାଲାଡ୍‌ର ସ୍ୱାଦ ବଢ଼ାଇବା ଯାଏଁ କଳା ଲୁଣ ପ୍ରାୟ ସମସ୍ତଙ୍କ ଘରେ ବ୍ୟବହାର ହୋଇଥାଏ। କିନ୍ତୁ ସୌନ୍ଦର୍ଯ୍ୟଚର୍ଚ୍ଚା ତଥା ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସଂପର୍କରେ ଅଧିକାଂଶ ଜାଣିନଥାନ୍ତି। ଏହାକୁ ଆପଣ ତ୍ୱଚା ଏବଂ କେଶର ବିଭିନ୍ନ ସମସ୍ୟାର ଉପଚାର ପାଇଁ ବ୍ୟବହାର କରିପାରିବେ।

-ପାଦର ଗୋଇଠି ଫାଟିଥିଲେ ଗାଧୋଇବା ଲାଗି ଉଷୁମ ପାଣି ନେଇ ସେଥିରେ ୩ ଚାମଚ କଳା ଲୁଣ ମିଶାଇ ନିଅନ୍ତୁ। ସେହି ପାଣିରେ ନିୟମିତ ଭାବେ କିଛି ଦିନ ଧରି ଗାଧୋଇଲେ ଗୋଇଠି ଫାଟିବା କମ୍ ହେବା ସହିତ ମୃତ କୋଷ ବାହାରିଯିବ। କେବଳ ସେତିକି ନୁହେଁ, ଏହା ପାଦ ଫୁଲା କିମ୍ବା ଦରଜ ଭଳି ସମସ୍ୟାକୁ ବି ଦୂର କରିବ।

-ମୁହଁରେ ବ୍ରଣ କିମ୍ବା କଳାଦାଗ ହେଉଥିଲେ ଫେସୱାସ ବ୍ୟବହାର କରିବା ସମୟରେ ସେଥିରେ କିଛି କଳା ଲୁଣ ମିଶାଇ ନିଅନ୍ତୁ। ସେହି ମିଶ୍ରଣକୁ ଭଲ ଭାବେ ସ୍କ୍ରବ୍ କରନ୍ତୁ। ଏହାଦ୍ୱାରା ଆପଣଙ୍କ ମୁହଁରେ ଜମିଥିବା ଧୂଳି ତଥା ମଇଳାର ପରସ୍ତ ଭଲ ଭାବେ ସଫା ହୋଇଯିବ। ଫଳରେ ଚେହେରା ଉଜ୍ଜ୍ୱଳ ଲାଗିବ। ମୁହଁରେ ଭଙ୍ଗ ମଧ୍ୟ ପଡ଼ିବ ନାହିଁ।

-କଳାଲୁଣ ମୁହଁରେ ଥିବା ଲୋମଛିଦ୍ରକୁ ଭଲ ଭାବେ ପରିଷ୍କାର କରିଥାଏ। ଫଳରେ ସେଥିରେ ଆଉ ବ୍ୟାକ୍ଟେରିଆ ସୃଷ୍ଟି ହୋଇ ପାରନ୍ତି ନାହିଁ। ପରୋକ୍ଷରେ ଏହାଦ୍ୱାରା କଳାଦାଗ ସମସ୍ୟା ଦୂର ହୁଏ।

-କଳାଲୁଣରେ ପ୍ରଚୁର ପରିମାଣରେ ମିନେରାଲ୍ସ ଥାଏ। ତେଣୁ ତାକୁ ତେଲରେ ମିଶାଇ ନ ହେଲେ ପାଣିରେ ମିଶାଇ ଘୋଳ କରି ସେହି ମିଶ୍ରଣକୁ କେଶର ମୂଳରେ ଲଗାନ୍ତୁ। ପ୍ରାୟ ୧ ମାସ ଧରି ଏପରି କଲେ କେଶ ଝଡ଼ିବା ବନ୍ଦ ହେବା ସହିତ ଅସୟରେ ତାହା ପାଚିବ ନାହିଁ।

-ଶୀତଦିନେ ଅଧିକାଂଶ ସମୟରେ କେଶରେ ରୂପି ହୋଇଥାଏ। ଏପରିସ୍ଥଳେ କଳା ଲୁଣକୁ ଟମାଟୋ ରସରେ ମିଶାଇ କିମ୍ବା ଲେମ୍ବୁ ରସରେ ମିଶାଇ କେଶର ମୂଳରେ ଲଗାନ୍ତୁ। ନିୟମିତ ବ୍ୟବଧାନରେ ଏପରି କଲେ ରୂପି ତଥା କେଶରେ ହେଉଥିବା ଅନ୍ୟାନ୍ୟ ସଂକ୍ରମଣ କମିଯିବ।

-ଯଦି ଆପଣଙ୍କର ମୁହଁ ତୈଳାକ୍ତ ହୋଇଥାଏ ତା’ହେଲେ ତେଲ ଅଂଶ କମ୍ କରିବା ଲାଗି ଟୋନର ଭାବେ ମଧ୍ୟ ଏହାକୁ ବ୍ୟବହାର କରିହେବ। ଏଥିଲାଗି ଗୋଲାପ ଜଳରେ କଳା ଲୁଣ ମିଶାଇ ନିୟମିତ ଭାବେ ରାତିରେ ମୁହଁରେ ଲଗାନ୍ତୁ।

-ଶୀତଦିନେ ତ୍ୱଚା ରୁକ୍ଷ ହୋଇଯାଇଥିଲେ କଳା ଲୁଣରେ କେଇ ବୁନ୍ଦା ଅଲିଭ ଅଏଲ ପକାଇ ଭଲ ଭାବେ ମାଲିସ କରନ୍ତୁ। ଏହାଦ୍ୱାରା ରକ୍ତ ସଞ୍ଚାଳନ ଭଲ ଭାବେ ହେବ।

-ଶରୀରର ଅନ୍ୟ କୌଣସି ସ୍ଥାନରେ ଯନ୍ତ୍ରଣା ହେଉଥିଲେ ଗରମ ପାଣିରେ କଳା ଲୁଣ ପକାଇ ଗୋଡ଼ ବୁଡ଼ାଇ ବସନ୍ତୁ। ଏହା ରକ୍ତ ସଞ୍ଚାଳନକୁ ବୃଦ୍ଧି କରିବା ସହିତ ମାଂସପେଶୀକୁ ଆରାମ ପ୍ରଦାନ କରିବ।