ଛୋଟ ପିଲାଙ୍କଠାରେ ଅସ୍ଥିର ମନ କିମ୍ବା ଅତି ଚଞ୍ଚଳପଣ ଏକ ମାନସିକ ସମସ୍ୟା। ଏନେଇ ଜାଣନ୍ତୁ ବିଶିଷ୍ଟ ମନୋବିଜ୍ଞାନି ସମ୍ବିତ ନନ୍ଦଙ୍କ ପରାମର୍ଶ।

ଆଜିକାଲି ଛୋଟ ପିଲାଙ୍କଠାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି। କେତେକ ପିଲାଙ୍କଠାରେ ଅସ୍ଥିର ମନ ଦେଖାଯାଏ। ସେମାନେ କୌଣସି ଗୋଟିଏ କାର୍ଯ୍ୟରେ ଧ୍ୟାନ ଦେଇପାରନ୍ତି ନାହିଁ। ଅତି ଚଞ୍ଚଳଭାଗ ଯୋଗୁଁ ପାଠ ପଢ଼ାଠାରୁ ଆରମ୍ଭ କରି ସବୁ କାର୍ଯ୍ୟରେ ଭୁଲ କରୁଥିବେ। ପିଲାଟି ଚଗଲା ହେଉଛି ବୋଲି ପରିବାର ଲୋକ ଭାବି ପାରନ୍ତି। ହେଲେ ଛୋଟ ପିଲାଙ୍କଠାରେ ଅସ୍ଥିର ମନ କିମ୍ବା ଅତି ଚଞ୍ଚଳପଣ ଏକପ୍ରକାର ମାନସିକ ସମସ୍ୟା।

ପିଲାର ଅସ୍ଥିର ମନ କାହିଁକି ହୋଇଥାଏ? (Why does the child have a restless mind in Odia)

ଯଦି ମହିଳାମାନେ ଗର୍ଭାବସ୍ଥା ସମୟରେ ଧୂମପାନ କିମ୍ବା ମଦ୍ୟପାନ କରନ୍ତି, ତେବେ ଜନ୍ମ ପିଲାଙ୍କର ମାନସିକ ଅସ୍ଥିରତା ଦେଖାଦିଏ। ଏହାଛଡ଼ା ବଂଶଗତ କାରଣ ଯୋଗୁଁ ଛୋଟ ପିଲାଙ୍କର ମାନସିକ ଅସ୍ଥିରତା ଦେଖାଦିଏ। ପିଲାର ମୁଣ୍ଡରେ କୌଣସି ପ୍ରକାର ଆଘାତ ଲାଗିଲେ ମାନସିକ ଅସ୍ଥିରତା ସମସ୍ୟା ଦେଖାଦିଏ। ଅଧିକ କେମିକାଲ ସଂସ୍ପର୍ଶରେ ଆସୁଥିବା ପିଲାଙ୍କଠାରେ ବି ଅସ୍ଥିରତା ଭାବ ଦେଖାଦେଇଥାଏ।

ଅଧିକ ପଢ଼ନ୍ତୁ: ଶିଶୁ ବିଳମ୍ବରେ କଥା କହୁଛି କି? ଜାଣନ୍ତୁ ଏହାର କାରଣ ଓ ନିରାକରଣ

ଅସ୍ଥିର ମନର ଲକ୍ଷଣ (Symptoms of ADD & ADHD in Odia)

ଛୋଟ ପିଲାଙ୍କର ଅସ୍ଥିର ମନକୁ ଚଞ୍ଚଳିଆପଣକୁ ମା’ବାପାମାନେ ଚଗଲା ଭାବି ଅଣଦେଖା କରିଦିଅନ୍ତି। ହେଲେ ଛୁଆବେଳୁ ଏହାର ଲକ୍ଷଣ ଜାଣି ଚିକିତ୍ସା କରାଗଲେ ପିଲାର ମନ ଓ ଭାବନା ସ୍ଥିର ହୋଇପାରିବ। ଜାଣନ୍ତୁ ପିଲାଙ୍କଠାର ଅସ୍ଥିର ଭାବନା ହେଲେ କେଉଁ ସବୁ ଲକ୍ଷଣ ଦେଖାଦିଏ?

ପିଲା ସବୁବେଳେ ଅସ୍ଥିର ରହୁଥିବ।

ଗୋଟେ ସ୍ଥାନରେ ୫ ମିନିଟ୍‌ରୁ ଅଧିକ ବସିପାରୁ ନଥିବ।

ଅତି ଚଞ୍ଚଳ ହେଉଥିବ।

ଏକାଗ୍ରତା ନଥାଏ।

କୌଣସି ନିୟମ ପାଳନ କରିପାରନ୍ତି ନାହିଁ।

ସାଧାରଣ ପିଲାଙ୍କୁ ପାଟି କଲେ ଚୁପ ହେଉଥିବା ବେଳେ ଅସ୍ଥିର ମନ ଥିବା ପିଲାଙ୍କୁ ପାଟି କଲେ ମାନନ୍ତି ନାହିଁ।

ଏହିସବୁ ଲକ୍ଷଣ ଜଣାପଡ଼ିଲେ ଏକାଗ୍ରତାର ପରୀକ୍ଷା (Cognitive assessment system)କରାଯାଏ। ଏହି ପରୀକ୍ଷା ଦ୍ୱାରା ପିଲାର ଏଡିଏଚ୍‌ଡି (Attention Deficit Hyperactivity Disorder) ଅଛି କି ନାହିଁ ଜଣାପଡ଼ିଥାଏ।

ମନର ଅସ୍ଥିରତା ପାଇଁ କ’ରହିଛି ପରୀକ୍ଷା? (Test for mental stability in Odia)

ସାଇଣ୍ଟିଫିକ୍‌ ପରୀକ୍ଷା, ପିଲାର ପରିବାର ଓ ଶିକ୍ଷକଙ୍କର ପର୍ଯ୍ୟପେକ୍ଷଣ ଅନୁସାରେ ନିର୍ଦ୍ଧାରଣ କରାଯାଏ ଯେ ପିଲାକୁ ହାଇପର ଆକ୍ଟିଭ୍‌ ଡିସ୍‌ଅର୍ଡର ଅଛି କି ନାହିଁ। ଏହାପରେ ପିଲାକୁ କେଉଁ ପ୍ରକାର ଥେରାପି ଦିଆଯିବ ସେନେଇ ନିର୍ଦ୍ଧାରିତ ହୋଇଥାଏ।

ପ୍ରଥମେ ଦୁଇରୁ ତିନି ବର୍ଷର ପିଲାକୁ ସେନ୍‌ସୋର ଥେରାପି ଦିଆଯାଏ। ଏହାଦ୍ୱାରା ଏଡିଏଚ୍‌ଡି ପିଲାର ମନ ଶାନ୍ତ ରହିବ ଓ ମନ ସ୍ଥିର ରହିବ। ଏହାପରେ ବ୍ରେନ୍‌ ଷ୍ଟିମୁଲେସନ୍‌ ଥେରାପି ଦିଆଯାଏ।

ମନର ଅସ୍ଥିରତା ପାଇଁ କ’ରହିଛି ଚିକିତ୍ସା ପଦ୍ଧତି (Treatment for ADHD in Odia)

ବୁଝିବା, ମନେ ରଖିବା, ମନ ଯୋଗ ଦେବା ଓ ଯୋଜନା କରିବା ଭଳି ଅନେକ ମଡେଲ ରହିଛି। ଏହି ମଡେଲ ଉପଯୋଗରେ ପିଲାମାନଙ୍କୁ ବିଭିନ୍ନ କାର୍ଯ୍ୟକଳାପ କରିବାକୁ ଦିଆଯାଏ। ଏହା କରିବା ଦ୍ୱାରା ପିଲାର ଏକାଗ୍ରତା ବଢ଼େ, ବୁଝିବା ଶକ୍ତି ବଢ଼େ, ଶୁଣିବା ଶକ୍ତି ବଢ଼େ ଓ ଧୀରେ ଧୀରେ ପିଲାମାନଙ୍କର ମନ ସ୍ଥିର ରହିବ।

ଜନ୍ମରୁ ତିନି ବର୍ଷ ମଧ୍ୟରେ ପିଲାଙ୍କର ବୁଦ୍ଧିର ବିକାଶ ହୁଏ। ଏହି ସମୟରେ ପିଲା ଅନୁକରଣ କରି ସବୁଠୁ ବେଶି ଶିଖେ। ତେଣୁ, ଏଡିଏଚ୍‌ଡି ପିଲା ଥିଲେ ତାକୁ ପ୍ଲେସ୍କୁଲ, ପାର୍କ ଆଦିକୁ ଛାଡ଼ନ୍ତୁ। ଏହାସହ ପିଲାକୁ ବାଲି ଉପରେ ଖେଳାନ୍ତୁ। ବାଲି ଉପରେ ଦୌଡ଼ିଲେ ପିଲାଙ୍କର ଏନର୍ଜି ବାହାରିଥାଏ। ଏନର୍ଜି ନ ବାହାରିଲେ ପିଲା ଘର ଭିତରେ ଫୋପାଡ଼ ଫିଙ୍ଗା କରେ ଓ ମନ ଅଶାନ୍ତ ରହେ।

କେତେକ ଏଡିଏଚ୍‌ଡି ପିଲାଙ୍କୁ ୬ ମାସ ଥେରାପି ଦେବାକୁ ପଡ଼ିଥାଏ ଓ ଅନ୍ୟ କେତେକଙ୍କୁ ବର୍ଷେ ଯାଏଁ ଥେରାପି ଦେବାକୁ ପଡ଼ିଥାଏ।

ପରିବାର ସଦସ୍ୟଙ୍କ କର୍ତ୍ତବ୍ୟ (Duty of family members)

ପିଲାମାନଙ୍କୁ ସବୁବେଳେ ସୁସ୍ଥ ଆହାର ଦିଅନ୍ତୁ। ପିଲାଙ୍କୁ ମୃଦୁପାନୀୟ, ଛଣାଛଣି ଖାଦ୍ୟ, ଆଇସ୍‌କ୍ରିମ୍‌, ଫାଷ୍ଟଫୁଡ୍‌ ଓ ଅନ୍ୟାନ୍ୟ ମିଠାଜାତୀୟ ଖାଦ୍ୟ ଖାଇବାକୁ ଦିଅନ୍ତୁ ନହିଁ। ପିଲାଙ୍କୁ ବଭିନ୍ନ ପ୍ୟାକେଟ୍‌ ନୁଡୁଲ୍ସ ଖାଇବାକୁ ଦିଅନ୍ତୁ ନାହିଁ। କାରଣ ସେଥିରେ ବ୍ୟବହୃତ ଲୁଣ ମନର ଅସ୍ଥିରତା ବଢ଼ାଇଥାଏ।

କେତେକ ପିଲା ୫ କିମ୍ବା ୬ ବର୍ଷରେ ଏତେ ମାତ୍ରାରେ ଅସ୍ଥିର ଥା’ନ୍ତି, ସେମାନଙ୍କୁ ଥେରାପି ସାଙ୍ଗରେ ବି ଶିଶୁ ବିଶେଷଜ୍ଞ, ସ୍ନାୟୁ ବିଶେଷଜ୍ଞ ଓ ମାନସିକ ବିଣେଷଜ୍ଞମାନଙ୍କର ଆବଶ୍ୟକ ପଡ଼ିଥାଏ। କିନ୍ତୁ, ଏହି ସବୁ ଚିକିତ୍ସା ପାଇଁ ସମୟ ଲାଗିଥାଏ। ତେଣୁ, ପିଲାର ଏଡିଏଚ୍‌ଡି ଯେତେ ଶୀଘ୍ର ନିରୂପଣ କରାଯାଇ ସଠିକ୍‌ ଥେରାପି ଦିଆଗଲେ, ପିଲା ସମ୍ପୂର୍ଣ୍ଣ ଭଲ ହୋଇପାରିବ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସମ୍ବିତ ନନ୍ଦଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Mental health of children, in Odia language, is based on an extensive interview with Psychologist Dr Sambit Nanda.

.