ଶିଶୁମାନଙ୍କଠାରେ ଥଣ୍ଡା, ଜ୍ଵର, କାଶ ଓ ତରଳ ଝାଡ଼ା ସମସ୍ୟା ହେବାର କାରଣ ଓ ନିରାକରଣ ବିଷୟରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କଠାରୁ ଅଧିକ ଜାଣିବା।

ଛୋଟ ପିଲାଙ୍କଠାରେ ଦେଖାଯାଉଥିବା ରୋଗ ମଧ୍ୟରେ ଥଣ୍ଡା, କାଶ ଓ ଜ୍ୱର ହେଉଛି ଅତି ସାଧାରଣ। ଋତୁ ପରିବର୍ତ୍ତନ ହେଲେ ଛୋଟ ପିଲାଙ୍କୁ ଥଣ୍ଡା, କାଶ ଓ ଜ୍ୱର ମାଡ଼ି ବସେ। ହେଲେ ଏହାକୁ ନେଇ ମା’ମାନେ ଅଧିକ ଚିନ୍ତିତ ହୋଇପଡ଼ନ୍ତି। ସେହିପରି ଶିଶୁମାନଙ୍କୁ ତରଳ ଝାଡ଼ା ହେବା ଅନ୍ୟ ଏକ ଗୁରୁତର ରୋଗ।

ଋତୁ ପରିବର୍ତ୍ତନ ହେଲେ ଛୋଟ ପିଲାଙ୍କଠାରେ ଥଣ୍ଡା, ଜ୍ୱର, କାଶ ଓ ତରଳ ଝାଡ଼ା ଭଳି ସମସ୍ୟା ଦେଖାଦିଏ। ଶିଶୁଙ୍କୁ ଜ୍ୱର ହେଲେ ପାରାସିଟାମଲ୍‌ ଔଷଧ ଖାଇବାକୁ ଦେଇପାରିବେ। ଏହି ଔଷଧ ସମ୍ପୂର୍ଣ୍ଣ ସୁରକ୍ଷିତ।  

କେତେକ କ୍ଷେତ୍ରରେ ପିଲାମାନଙ୍କୁ ଥଣ୍ଡା ହୋଇଥିଲେ ବାପା, ମା’ମାନେ ପାଖ ମେଡିସିନ୍‌ ଦୋକାନରୁ ଆଣ୍ଟିବାୟୋଟିକ୍‌ କିଣି ପିଲାଙ୍କୁ ଖାଇବାକୁ ଦେଇଦିଅନ୍ତି। ହେଲେ ଆଣ୍ଟିବାୟୋଟିକ୍‌ ବ୍ୟାକ୍ଟେରିଆ ଜନିତ ସଂକ୍ରମଣରେ ସେବନ କରାଯାଇଥାଏ। ଥଣ୍ଡା, ଜ୍ୱର ପାଇଁ ଆଣ୍ଟିବାୟୋଟିକ୍‌ ଖାଇବା ଅନୁଚିତ।

ଯେତେବେଳେ ଜଣେ ଛୋଟ ଛୁଆର ଥଣ୍ଡା, କାଶ, ଜ୍ୱର ହୋଇକରି ଛାଡ଼ିଯାଇଛି ଓ ପୁଣି ଥଣ୍ଡା, କାଶ ଓ ଅଧିକ ଜ୍ୱର ଅଛି, ଧଇଁ ସଇଁ ହେଉଥିବ, ଛାତିରେ କଫ ଅଛି, ସେତେବେଳେ ଆଣ୍ଟିବାୟୋଟିକ୍‌ ଦେଇପାରିବେ। କିନ୍ତୁ,  ଶିଶୁଙ୍କୁ ବିନା ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବାୟୋଟିକ୍ ଦିଅନ୍ତୁ ନାହିଁ।

ବେଳେ ବେଳେ ଶିଶୁଙ୍କୁ ଶୁଖିଲା କାଶ ହୁଏ, ରାତିରେ ଶୋଇବା ବେଳେ କାଶ ହୁଏ। ଏଭଳି କ୍ଷେତ୍ରରେ ଦୁଇ ଢ଼ୋକ ପାଣି ପିଆଇ ଦିଅନ୍ତୁ।

child

ଶିଶୁର ତରଳ ଝାଡ଼ାର ଚିକିତ୍ସା (Treatment of Diarrhea in a Child in Odia)

ଗୋଟେ ବର୍ଷ ମଧ୍ୟରେ ଶିଶୁର ତିନିରୁ ୪ ଥର ପତଳା ଝାଡ଼ା ହୋଇଥାଏ। ଏହା ବିଭିନ୍ନ ଭୂତାଣୁ କାରଣରୁ ହୋଇଥାଏ। ଯେପରିକି ରୋଟା ଭାଇରସ ଯୋଗୁଁ ସିଭିୟର ପତଳା ଝାଡ଼ା ହୋଇଥାଏ, ତେଣୁ ଟିକାକରଣ ବେଳେ ଶିଶୁଙ୍କୁ ରୋଟା ଭାଇରସ୍‌ର ଟିକା ଦିଆଯାଇଥାଏ। ହେଲେ ଅନ୍ୟ କିଛିଟା ଭାଇରସ ଯୋଗୁଁ ମଧ୍ୟ ପିଲାଙ୍କଠାରେ ତରଳ ଝାଡ଼ା ହୋଇଥାଏ, ଯାହାର ବର୍ତ୍ତମାନ ପର୍ଯ୍ୟନ୍ତ ଟିକା ବାହାରିନାହିଁ। ଯଦି ଗୋଟେ ପିଲାର ଦିନକୁ ପାଞ୍ଚଥରରୁ ଅଧିକ ଝାଡ଼ା ହୁଏ, ତେବେ ପିଲାଙ୍କୁ ଓଆର୍‌ଏସ୍‌ ଦିଅନ୍ତୁ। ଓଆରଏସ୍‌ ଦେବା ଦ୍ୱାରା ଛୁଆର ଶରୀରରେ ଜଳୀଅଅଂଶ ରହିଥାଏ। ଭାଇରାଲ ଡାଇରିଆର ପ୍ରଥମ ଚିକିତ୍ସା ହେଲା ଓଆର୍‌ଏସ୍‌।

ଯଦି ଶିଶୁର ତରଳ ଝାଡ଼ା ହେବା ବେଳେ ଝଡ଼ାରେ ବ୍ୟାକ୍ଟେରିଆ ପଡ଼ୁଛି, ତେବେ ତାହା ବ୍ୟାକ୍ଟେରିଆ ଜନିତ ଡାଇରିଆ। ଏଭଳି କ୍ଷେତ୍ରରେ ଆଣ୍ଟିବାୟୋଟିକ୍‌ ଦରକାର ପଡ଼ିଥାଏ ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଣ୍ଟିବାୟୋଟିକ୍‌ ଦିଅନ୍ତୁ। କେତେକ କ୍ଷେତ୍ରରେ ଶିଶୁମାନେ ଓଆରଏସ୍‌ ପିଅନ୍ତି ନାହିଁ, ଏଭଳି କ୍ଷେତ୍ରରେ ଖାଲି ପାଣି କିମ୍ବା  ଚିନି, ଲେମ୍ବୁ ପାଣିରେ ଚିମୁଟାଏ ଲୁଣ ମିଶାଇ ପିଲାକୁ ଦିଅନ୍ତୁ।

ସନ୍ତ୍ୟପାନ କରୁଥିବା ଶିଶୁକୁ ତରଳ ଝାଡ଼ା ହେଲେ, ପିଲାକୁ କେବଳ ସ୍ତନ୍ୟପାନ କରାନ୍ତୁ। ଏଭଳି ଜାଗାରେ ମା’ମାନେ ସଠିକ୍‌ ପାଣି ପିଇବା ଜରୁରୀ। ଫଳରେ ଶିଶୁର ଜଳୀୟଅଂଶ ଠିକ୍‌ ରହିବ। ଶିଶୁର ଜଳୀୟଅଂଶ କମିଗଲେ ଶିଶୁର ପରିସ୍ରା କମିଯିବ, ଶିଶୁ ନିସ୍ତେଜ ହୋଇ ରହିବ, ମୁହଁ ଶୁଖିଯିବ ବା ଜିଭ ଶୁଖିଯିବ। ସେହି ଜାଗାରେ ଶିଶୁକୁ ଡାକ୍ତରଙ୍କ ପାଖକୁ ତୁରନ୍ତ ନିଅନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Colds, coughs, and fevers in children, in Odia language, is based on an extensive interview with Paediatrician Dr Ranjit Kumar Joshi.