ମହିଳାମାନେ ନିଜ ସ୍ୱାସ୍ଥ୍ୟକୁ ସବୁବେଳେ ଅଣଦେଖା କରନ୍ତି। ହେଲେ ଯୁବାବସ୍ଥାରୁ ଶାରୀରିକ ସମସ୍ୟା ଜାଣି ଯଦି ପ୍ରତିକାର କରିବେ, ତେବେ ବୃଦ୍ଧାବସ୍ଥାରେ ସୁସ୍ଥ ଜୀବନଯାପନ କରିପାରିବେ।

ପ୍ରତିବର୍ଷ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବା ଜରୁରୀ। ମହିଳାମାନେ ନିଜ ସ୍ୱାସ୍ଥ୍ୟବସ୍ଥା ବିଷୟରେ, ପରିବାର ରୋଗର ଇତିହାସ, ମଦ୍ୟପାନ ଓ ଧୂମପାନ ସମ୍ପର୍କରେ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ। ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଆପଣଙ୍କୁ ସୁସ୍ଥ ରହିବାକୁ ସାହାଯ୍ୟ କରିଥାଏ। ଏହାଦ୍ୱାରା ଆଗକୁ କୌଣସି ରୋଗର ଚେତାବନୀ ମିଳିଯିବ।

ହୃଦରୋଗ, ମଧୁମେହ, କର୍କଟ ରୋଗ ଯଦି ପ୍ରାଥମିକ ଅବସ୍ଥାରେ ଜଣାପଡ଼େ, ତେବେ ଏହାର ଚିକିତ୍ସାର ପ୍ରଭାବଶାଳୀ ହୋଇଥାଏ। ଯଦି ଆପଣଙ୍କ ପରିବାରରେ କୌଣସି ବଂଶଗତ ରୋଗ ଥିଲେ, ନିୟମିତ ଡାକ୍ତରୀ ପରୀକ୍ଷା ଦ୍ୱାରା ଏହାର ଯାଞ୍ଚ କରି ହେବ ଓ ରୋଗର ଚିକିତ୍ସା ବି ସମ୍ଭବ ହୋଇପାରିବ।

ରକ୍ତଚାପ ପରୀକ୍ଷା: ୧୮ ବର୍ଷ ବୟସ ପରେ ପ୍ରତି ଦୁଇ ବର୍ଷରେ ଥରେ ରକ୍ତଚାପର ପରୀକ୍ଷା କରାଇ ନିଅନ୍ତୁ। ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ରହିଛି ବା ପରିବାରରେ କାହାକୁ ହୃଦରୋଗ, ଷ୍ଟ୍ରୋକ୍‌ କିମ୍ବା ଉଚ୍ଚ ରକ୍ତଚାପ ସମସ୍ୟା ଅଛି, ତେବେ ଆପଣ ନିୟମିତ ଭାବେ ରକ୍ତଚାପ ପରୀକ୍ଷା କରାନ୍ତୁ।

ରକ୍ତ ପରୀକ୍ଷା: ଉଚ୍ଚ କୋଲେଷ୍ଟ୍ରୋଲ ହୃଦଘାତର ଆଶଙ୍କାକୁ ଦର୍ଶାଏ। ତେଣୁ ରକ୍ତରେ କୋଲେଷ୍ଟ୍ରୋଲ ସ୍ତର ପରୀକ୍ଷା କରାଇ ନିଅନ୍ତୁ।

ଓଜନ: ଅଧିକ ଓଜନ ବା ମୋଟାପଣ ଯୋଗୁଁ ହୃଦରୋଗ, ମଧୁମେହ ସମେତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ। ପ୍ରତି ଦୁଇ ବର୍ଷରେ ଥରେ ବିଏମ୍‌ଆଇ ଯାଞ୍ଚ କରି ନିଅନ୍ତୁ। ଯଦି ଓଜନ ବଢ଼ିଛି, ତେବେ ବ୍ୟାୟାମ ଓ ଖାଦ୍ୟପେୟ ଦ୍ୱାରା କମେଇବାକୁ ଚେଷ୍ଟା କରନ୍ତୁ।

ସ୍ତନ କର୍କଟ: ସ୍ତନର ଆକାରରେ ପରିବର୍ତ୍ତନ କିମ୍ବା କୌଣସି ପରିବର୍ତ୍ତନ ଜଣାପଡ଼ିଲେ ପରୀକ୍ଷା କରାଇନିଅନ୍ତୁ। ମହିଳାମାନେ ନିୟମିତ ବ୍ୟବଧାନରେ  ମାମୋଗ୍ରାଫି କରି କ୍ୟାନ୍‌ସର ଅଛି କି ନାହିଁ ପରୀକ୍ଷା କରାଇପାରିବେ। ମାସକୁ ଥରେ ନିଜ ସ୍ତନର ନିଜେ ପରୀକ୍ଷା କରିବେ। ଘରେ ଦର୍ପଣ ସାମ୍ନାରେ ଠିଆ ହୋଇ ଦୁଇ ସ୍ତନର ଉଚ୍ଚତା ସମାନ ଅଛି କି ନାହିଁ? ଦୁଇ ସ୍ତନର ନିପଲର ଆକାର ସମାନ ଅଛି କି ନାହିଁ? ନିଜ ହାତରେ ନିଜ ସ୍ତନକୁ ହାତ ମାରି ଦେଖିବେ ଯେ, କିଛି ଗୋଟାଳିଆ ବା ଗୁଳି ଭଳି ଲାଗୁଛି କି ନାହିଁ। ଯଦି ଏଭଳି କିଛି ଆକାରରେ ଭିନ୍ନତା ବା ଗେଟାଳିଆ ଭଳି ଲାଗେ, ତେବେ ଡାକ୍ତରଙ୍କ ପାଖକୁ ଯାଇ ପରାମର୍ଶ କରାଇନେବା ଜରୁରୀ।

ଚକ୍ଷୁ ପରୀକ୍ଷା: ପ୍ରତ୍ୟେକ ମହିଳା ନିଜର ଚକ୍ଷୁ ପରୀକ୍ଷା କରାଇବା ନିହାତି ଜରୁରୀ। ଯଦି ପରିବାରରେ କାହାର ଗ୍ଲକୋମା ରହିଛି, ତେବେ ତାଙ୍କ ପିଲା ଛୁଆ ଆଖି ପରୀକ୍ଷା କରିବା ଜରୁରୀ। ୫୦ରୁ ୬୦ ବର୍ଷ ବୟସର ମହିଳାମାନେ ପ୍ରତି ଦୁଇବର୍ଷରେ ଥରେ ଚକ୍ଷୁ ପରୀକ୍ଷା କରିନିଅନ୍ତୁ। ୬୫ ବର୍ଷରୁ ଅଧିକ ବୟସ ମହିଳାମାନେ ବର୍ଷକୁ ଥରେ ଆଖି ପରୀକ୍ଷା କରାଇ ନିଅନ୍ତୁ।

ଅସ୍ଥି ପରୀକ୍ଷା: ମହିଳାମାନଙ୍କର ହାଡ଼ ଜନିତ ସମସ୍ୟା ଅଧିକ ଥାଏ। ବୟସ ସହିତ ଅଷ୍ଟିଓପୋରୋସିସ୍‌, ଆର୍ଥାଇଟିସ୍‌ ସମସ୍ୟା ହୋଇଥାଏ। ୪୦ ବର୍ଷ ପରେ, ମେନୋପଜ, କ୍ୟାଲସିୟମ୍‌ର ଅଭାବ ଯୋଗୁଁ ଆଣ୍ଠୁଗଣ୍ଠି ସମସ୍ୟା ହୋଇଥାଏ। ଏଥିପାଇଁ ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ କରି ଔଷଧ ସେବନ କରିବା ଜରୁରୀ।