ଅଧିକ ପଢ଼ନ୍ତୁ: ମାନସିକ ସମସ୍ୟା ସୋମାଟୋଫର୍ମ ଡିସଅର୍ଡର, ଜାଣନ୍ତୁ ଏହାର ଲକ୍ଷଣ

ମନ ସହିତ ମସ୍ତିଷ୍କର ସଂପର୍କ ବିଷୟରେ ସମସ୍ତେ ପରିଚିତ। କିନ୍ତୁ ଆମ ଭାବନାର ଶରୀରର ବିଭିନ୍ନ ଅଙ୍ଗ ଉପରେ  ପଡୁଥିବା ପ୍ରଭାବ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି। ପରିସ୍ଥିତି ଅନୁସାରେ ଭାବନା ପରିବର୍ତ୍ତନ ହୋଇଥାଏ, କିନ୍ତୁ କିଛି ଭାବନା ଦୀର୍ଘ ସମୟ ଯାଏ ଜାରି ରହିଲେ ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।

ଦୁଃଖ: ଦୁଃଖ ଭଳି ଭାବନା ଆମର ନର୍ଭସ ସିଷ୍ଟମକୁ ଦୁର୍ବଳ କରିଦିଏ। ଫଳରେ ଆମକୁ ଅବଶ ଲାଗିବା ସହିତ ଥକ୍କାପଣ ଅନୁଭବ ହୋଇଥାଏ। ଏହାର ସଂପର୍କ ସିଧାସଳଖ ଭାବେ ଫୁସଫୁସ୍ ସହ ରହିଛି। ଦୀର୍ଘ ଦିନ ଧରି ଜଣେ ଦୁଃଖୀ ରହିଲେ ଛାତି, କାନ୍ଧ, ପିଠି ଯନ୍ତ୍ରଣା, କାଶ, ଓଜନ କମିବା ଭଳି ଲକ୍ଷଣ ଦେଖାଯାଏ। ଫୁସଫୁସ ଆମ ଲୋମଛିଦ୍ରକୁ ବି ନିୟନ୍ତ୍ରିତ କରିଥାଏ। ଏଭଳିସ୍ଥଳରେ ଦୁଃଖୀ ରହିଲେ ତ୍ୱଚା ଶୁଷ୍କ ହେବା ସହ ସେଥି ସମ୍ବନ୍ଧୀୟ ରୋଗ ଦେଖାଯାଏ।

ଅଧିକ ପଢ଼ନ୍ତୁ: ଗୋଡ଼ ହଲାଇବା ମାନସିକ ଅସନ୍ତୁଳନର ଲକ୍ଷଣ

ଡର: ଡର ସହିତ କିଡ୍‌ନିର ସଂପର୍କ ରହିଛି। ଆମକୁ ଡର ଲାଗିବା ମାତ୍ରେ କିଡ୍‌ନି ସହ ସଂଯୁକ୍ତ ଆଡ୍ରେନାଲ ଗ୍ଲାଣ୍ଡ ସକ୍ରିୟ ହୋଇଯାଏ। ତେଣୁ ପରିସ୍ରା କରିବାକୁ ଇଚ୍ଛା ହୁଏ। ବିଶେଷ କରି ପିଲାମାନେ ଭୟଭୀତ ହେଲେ ବାରମ୍ବାର ପରିସ୍ରା କରିଥା’ନ୍ତି।

ଚିନ୍ତା: ସମସ୍ତଙ୍କୁ କିଛି ନା କିଛି ଚିନ୍ତା ଥାଏ। ତେବେ ଯଦି ଆପଣ ଦୀର୍ଘ ସମୟ ଧରି ସେ ବିଷୟରେ ଭାବି ଚାଲନ୍ତି ତା’ହେଲେ ତା’ର ସିଧା ପ୍ରଭାବ ପେଟ ଉପରେ ପଡ଼େ। ସର୍ବପ୍ରଥମେ ଏହା ଜଠରାଗ୍ନିକୁ ଦୁର୍ବଳ କରିଥାଏ, ଯାହାଦ୍ୱାରା ବ୍ୟକ୍ତିକୁ ଭୋକ କମ୍ ଲାଗେ। ଚିନ୍ତା ଯୋଗୁଁ ପେଟରେ ସୃଷ୍ଟି ହେଉଥିବା ହାଇଡ୍ରୋକ୍ଲୋରିଡ୍ ଏସିଡ୍‌ର ପ୍ରସ୍ତୁତି କମିଯାଏ। ତେଣୁ ଖାଦ୍ୟ ହଜମ ନହେବା, ବାନ୍ତି ଲାଗିବା, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଏ। ଏହା ପାନକ୍ରିୟାଜ୍‌କୁ ମଧ୍ୟ ପ୍ରଭାବିତ କରେ।

ମାନସିକ ଧକ୍କା: ସମୟ ସମୟରେ ଜୀବନରେ ଏପରି କିଛି ଘଟଣା ଘଟିଥାଏ ଯାହାକି ଆମକୁ ମାନସିକ ଭାବେ ଗଭୀର ଧକ୍କା ପହଞ୍ଚାଇଥାଏ। ସେହି ମାନସିକ ଧକ୍କାର ସିଧା ପ୍ରଭାବ ଗଲ୍ ବ୍ଲାଡର ଉପରେ ପଡ଼ିଥାଏ। ଏହାଯୋଗୁଁ ଦ୍ୱିଧା, ସାହସ, ଆତ୍ମବିଶ୍ୱାସର ଅଭାବ ଦେଖାଯାଏ।

ଅତି ଉତ୍ସାହ: ଖୁସି, ଉତ୍ସାହ ଭଳି ଭାବନାର ସିଧା ଆମ ହୃଦୟ ସହିତ ସଂପର୍କ ରହିଛି। ଖୁସି ଆମ ମନରେ ସକରାତ୍ମକ ଅନୁଭୂତି ଆଣି ଦେଇଥାଏ। ତେବେ କିଛି ଲୋକ ସବୁ ସମୟରେ ଅତ୍ୟଧିକ ଉତ୍ସାହୀ ରହିଥାନ୍ତି। ଏହାଯୋଗୁଁ ସେମାନେ ବିଚଳିତ ଅନୁଭବ କରିଥା’ନ୍ତି। ଏହା ଦେଖିବାକୁ ସାଧାରଣ ଲାଗୁଥିଲେ ମଧ୍ୟ ପ୍ରକୃତରେ ଏକ ମେନିଆ। ବହୁତ ଅଧିକ ଉତ୍ସାହୀ ହୋଇଗଲେ ଆମ ହୃଦ୍‌ସ୍ପନ୍ଦନ ବଢ଼ିଯାଏ। ନିଦ ଆସେନାହିଁ। ତେଣୁ ନିଦ୍ରାହୀନତା ଭଳି ସମସ୍ୟା ଦେଖାଯାଏ।

ଅଧିକ ପଢ଼ନ୍ତୁ: ମାନସିକ ଦୁଶ୍ଚିନ୍ତା, ଲକ୍ଷଣ ଏବଂ କାରଣ