କମ୍ପ୍ୟୁଟର, ମୋବାଇଲ କିମ୍ବା ଟିଭି ଦେଖିବାରେ ଅଧିକ ସମୟ ବିତାଇଲେ ଆମର ଆଖି ଉପରେ କୁପ୍ରଭାବ ପଡ଼ିଥାଏ। ସେଥିପାଇଁ ଆଖି ଥକି ଯିବା ସହିତ ଆଖିରୁ ପାଣି ବାହାରିବା ଭଳି ହୋଇଥାଏ।

ବର୍ତ୍ତମାନ ସମୟରେ ଲୋକେ ଘଣ୍ଟା ଘଣ୍ଟା କମ୍ପ୍ୟୁଟର ଆଗରେ ବସି କାମ କରୁଛନ୍ତି। ଦିନକୁ ୮ରୁ ୧୦ ଘଣ୍ଟା କମ୍ପ୍ୟୁଟରରେ କାମ କରିବା ଫଳରେ ଆଖି ଯନ୍ତ୍ରଣା ହେବା, ଆଖିରୁ ପାଣି ବାହାରିବା, ମୁଣ୍ଡ ବିନ୍ଧିବା ସହ ଧୀରେ ଧୀରେ ଆଖିକୁ ଠିକ୍‌ ଭାବରେ ଦେଖାଯାଇ ନଥାଏ। ତେବେ ଅଧିକ ସମୟ ଯଦି କମ୍ପ୍ୟୁଟର ସମ୍ନାରେ ରହି କାମ କରିବାକୁ ପଡ଼ୁଛି, ତେବେ ଏହି ଟିପ୍ସ ଆପଣାନ୍ତୁ।

ଯଦି କମ୍ପ୍ୟୁଟରରେ ଅଧିକ ସମୟ କାର୍ଯ୍ୟ କରି ଆଖିକୁ ଥକ୍କା ଲାଗୁଛି, ତେବେ ବ୍ୟସ୍ତ ନ ହୋଇ ଥଣ୍ଡା ପାଣିରେ ଆଖିକୁ ଧୁଅନ୍ତୁ। ଏହାଦ୍ୱାରା ଆଖିର ଶିରାଗୁଡ଼ିକ ରିଲାକ୍ସ ହେବେ ଓ ଆପଣ ଆରାମ ଅନୁଭବ କରିବେ।

ଆଖିକୁ ଆରାମ ଦେବାର ଆଉ ଏକ ଉପାୟ ହେଲା ପ୍ରାଣାୟମ କରିବା। ଆଖିରେ ଜ୍ୱଳନ ଆରମ୍ଭ ହେବା ମାତ୍ରେ ୫-୧୦ ମିନିଟ ଆଖି ବନ୍ଦ ରଖି କରନ୍ତୁ। ଏହାଦ୍ୱାରା ଥକ୍କାପଣ ଦୂର ହୋଇ ଆପଣ ସତେଜ ଅନୁଭବ କରିବେ। ଆବଶ୍ୟକ ପଡ଼ିଲେ ୫-୧୦ ମିନିଟ ଧରି ଶବାସନ ମଧ୍ୟ କରିପାରିବେ।

ଦୁଇ ହାତର ପାପୁଲିକୁ ରଗଡ଼ନ୍ତୁ। ତାହା ଗରମ ହୋଇଗଲା ପରେ ତାକୁ ନେଇ ଆଖିରେ ଲଗାନ୍ତୁ।

ଦୀର୍ଘ ସମୟ ଧରି କମ୍ପ୍ୟୁଟର ବ୍ୟବହାର କରିବାକୁ ପଡ଼ୁଥିଲେ ପ୍ରତି ଘଣ୍ଟାରେ ଥରେ ବିରତି ନେଇ ଅନ୍ୟମାନଙ୍କ ସହିତ କଥା ହୁଅନ୍ତୁ। କିଛି ନ ହେଲେ ସିଡ଼ିରେ ଏପଟସେପଟ ହୁଅନ୍ତୁ। ଏପରି କଲେ ଆଖି କମ୍ପ୍ୟୁଟରରୁ ବାହାରୁଥିବା ବିକିରଣ ଦ୍ୱାରା ଅଧିକ ପ୍ରଭାବିତ ହେବନାହିଁ।

ଆଖିକୁ ସୁସ୍ଥ ରଖିବା ପାଇଁ ପ୍ରତି ୨୦ ମିନିଟରେ ୨୦ ସେକେଣ୍ଡ ପାଇଁ ୨୦ ଫୁଟ ଦୂରକୁ ଦେଖନ୍ତୁ।

ଆଖିକୁ ବାମ ପାଖ ଏବଂ ଡାହାଣ ପାଖ, ତଳ ଉପର ବାରମ୍ବାର ବୁଲାନ୍ତୁ। ଯେକୌଣସି ସମୟରେ ଆପଣ ଆଖିକୁ ଚାରିଆଡ଼କୁ ବୁଲାଇପାରିବେ।

ସେହିପରି ପ୍ରତି ୬ ମାସରେ ଥରେ ଆଖିକୁ ପରୀକ୍ଷା କରାଇ ନିଅନ୍ତୁ। କମ୍ପ୍ୟୁଟରଠାରୁ କେତେ ଦୂରରେ ବସିବେ ତାହା ଡାକ୍ତରଙ୍କଠାରୁ ପଚାରି ନିଅନ୍ତୁ।

କାମ କରିବା ସମୟରେ ଠିକ୍ ଲାଇଟ ଅଛି କି ନାହିଁ ତାହା ଦେଖନ୍ତୁ। ଅଧିକାଂଶ ସମୟରେ ଆଲୋକର ଅଭାବ ହେଲେ ଆଖିରେ ଜ୍ୱଳନ ହୋଇଥାଏ। ମୁଣ୍ଡ ବି ବିନ୍ଧିଥାଏ। ସେହିପରି ଆବଶ୍ୟକତାଠାରୁ ଅଧିକ ଆଲୋକ ମଧ୍ୟ ଆଖିପାଇଁ କ୍ଷତିକାରକ। ଆପଣ କାମ କରୁଥିବା ସ୍ଥାନରେ ଆବଶ୍ୟକତାଠାରୁ ଅଧିକ ଆଲୋକ ପଡ଼ୁଥିଲେ ସ୍କ୍ରିନ ଦ୍ୱାରା ତାକୁ କଭର କରିପାରିବେ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା କମ୍ପ୍ୟୁଟରର ବ୍ରାଇଟନେସ କେତେ ଅଛି ତାହା ଦେଖନ୍ତୁ। ଆପଣଙ୍କ ଆଖିକୁ ସୁହାଇବା ଭଳି ତାକୁ ସେଟ କରିପାରିବେ।