ବନ୍ଧ୍ୟାତ୍ଵର କାରଣ ଓ ଲକ୍ଷଣ ସମ୍ପର୍କରେ ଜାଣନ୍ତୁ।

ମାତୃତ୍ୱ ଲାଭ ହେଉଛି ପ୍ରତ୍ୟେକ ମହିଳାଙ୍କ ସ୍ୱପ୍ନ। ହେଲେ, ବନ୍ଧ୍ୟାତ୍ୱ କାରଣରୁ ମହିଳାମାନେ ଏହି ସୁଖ ପ୍ରାପ୍ତିରୁ ବଞ୍ଚିତ ହୋଇଥା’ନ୍ତି। ଜଣେ ମହିଳା ସ୍ୱାମୀଙ୍କ ସହିତ ଏକ ବର୍ଷ ପର୍ଯ୍ୟନ୍ତ କୌଣସି ଗର୍ଭନିରୋଧକ ଉପାୟ ନଆପଣାଇ ସହବାସ କରିବା ପରେ ଗର୍ଭଧାରଣ କରିନପାରିଲେ ତାଙ୍କର ବନ୍ଧ୍ୟାଦୋଷ (ବନ୍ଧ୍ୟାତ୍ୱ) ରହିଛି ବୋଲି କୁହାଯିବ। ବିଶୃଙ୍ଖଳିତ ଜୀବନଶୈଳୀ, ଖାରାପ ଖାଦ୍ୟାଭ୍ୟାସ ସହିତ ଜନନାଙ୍ଗ ସମ୍ବନ୍ଧିତ ସମସ୍ୟା ଓ ଅନ୍ୟ ବିଭିନ୍ନ କାରଣରୁ ମହିଳା ବନ୍ଧ୍ୟାତ୍ୱ ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅନେକ କ୍ଷେତ୍ରରେ ମହିଳା ବନ୍ଧ୍ୟାତ୍ୱର ଚିକିତ୍ସା ସମ୍ଭବ। ଏଣୁ ଗର୍ଭଧାରଣ କରିବାକୁ ଚାହୁଁଥିବା ମହିଳାମାନେ ଯଦି ବନ୍ଧ୍ୟାତ୍ୱର ଲକ୍ଷଣଗୁଡିକ ବିଷୟରେ ଜାଣିପାରିବେ ଓ ଏହାର ଉପଚାର ପାଇଁ  ଡାକ୍ତରଙ୍କ ସହିତ ପରାମର୍ଶ କରିବେ, ତାହାହେଲେ ସନ୍ତାନ ଲାଭ କରିପାରିବେ।

ବନ୍ଧ୍ୟାତ୍ୱର ଲକ୍ଷଣ: (Symptoms of infertility in women in Odia)

ଯଦି ଆପଣ ମଧ୍ୟ ନିମ୍ନଲିଖିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହାହେଲେ ସାବଧାନ ହୋଇଯାଆନ୍ତୁ। ଏହା ବନ୍ଧ୍ୟାତ୍ୱ ର ଲକ୍ଷଣ ହୋଇପାରେ। ଆସନ୍ତୁ ଏହି ସବୁ ଲକ୍ଷଣଗୁଡିକ ବିଷୟରେ ଜାଣିବା-

  • ଅନିୟମିତ, ପୀଡ଼ାଦାୟକ ଋତୁଚକ୍ର:

ମହିଳାଙ୍କ ଦୁଇଟି ଋତୁଚକ୍ର ମଧ୍ୟରେ ସାଧାରଣତଃ ୨୮ଦିନର ବ୍ୟବଧାନ ରହିଥାଏ। ବେଳେବେଳେ ଏହି ବ୍ୟବଧାନ ୨୮ ଦିନରୁ କମ୍‌‌ ବେଶୀ ହୋଇଥାଏ। ଯଦି ଆପଣ ନିଜର ଋତୁଚକ୍ର ଆରମ୍ଭ ସମୟ ନେଇ ସବୁବେଳେ ଅନିଶ୍ଚିତ ରହୁଛନ୍ତି ବା ଆପଣଙ୍କ ଦୁଇଟି ଋତୁଚକ୍ର ମଧ୍ୟରେ ବ୍ୟବଧାନ କମ୍‌ ବା ଅଧିକ ରହୁଛି ତାହାହେଲେ ଏହାକୁ ଅନିୟମିତ ଋତୁଚକ୍ର ବୋଲି କୁହାଯିବ। ଅନିୟମିତ ଋତୁଚକ୍ରର କାରଣ ହର୍‌ମୋନ୍‌ ଅସନ୍ତୁଳନ ବା ପଲିସିଷ୍ଟିକ୍‌ ଓଭାରୀୟାନ୍‌ ସିଣ୍ଡ୍ରୋମ୍‌ ହୋଇପାରେ। ଏହି ଦୁଇ କାରଣରୁ ବନ୍ଧ୍ୱାତ୍ୱ ଦେଖାଦେବା ସମ୍ଭାବନା ରହିଛି।

ଋତୁଚକ୍ର ସମୟରେ ପୀଡ଼ା ଅନୁଭବ ହେବା ବା ଅତ୍ୟଧିକ ରକ୍ତସ୍ରାବ ହେବା ମଧ୍ୟ ବନ୍ଧ୍ୟାତ୍ୱର ଲକ୍ଷଣ ହୋଇପାରେ।

  • ମାସିକ ଋତୁସ୍ରାବ ବନ୍ଦ ହୋଇଯିବା

ବେଳେବେଳେ ଅତ୍ୟଧିକ ଚାପ ବା କାମ ଯୋଗୁଁ ମାସିକ ଋତୁସ୍ରାବ ବନ୍ଦ  ହୋଇଯାଏ। ହେଲେ, ଯଦି ଦୀର୍ଘ ଦିନ ପର୍ଯ୍ୟନ୍ତ ଆପଣଙ୍କ ମାସିକ ଋତୁସ୍ରାବ ବନ୍ଦ ରହୁଛି, ତାହାହେଲେ ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ, ଏହା ବନ୍ଧ୍ୟାତ୍ୱର ଲକ୍ଷଣ ହୋଇପାରେ।

  • ଅସନ୍ତୁଳିତ ହର୍‌ମୋନ୍‌ ସ୍ତର

ମହିଳାଙ୍କ ଶରୀରରେ ହର୍‌ମୋନ ଅସନ୍ତୁଳନଜନିତ ବିଭିନ୍ନ ଲକ୍ଷଣ ପ୍ରକାଶ ପାଇଥାଏ ଯେପରିକି ମୁଁହ, ପିଠି ଆଦି ସ୍ଥାନରେ ଅଧିକ ବ୍ରଣ ହେବା, ପୁରୁଷଙ୍କ ଭଳି ମୁହଁ, ଥୋଡ଼ି ଓ ପିଠି ଆଦି  ସ୍ଥାନରେ କେଶ ବୃଦ୍ଧି, ମୁଣ୍ଡର କେଶ ଝଡ଼ିବା ଓ ପତଳା ହୋଇଯିବା,  ଓଜନ ବୃଦ୍ଧି , ସଂମ୍ଭୋଗ ପାଇଁ ଇଚ୍ଛା ନହେବା ଆଦି।

  •  ସହବାସ ବେଳେ ପୀଡ଼ା ଅନୁଭବ ହେବା
  • ସହବାସ ସମୟରେ ଯଦି ସବୁବେଳେ ପୀଡ଼ା ବା ଯନ୍ତ୍ରଣା ଅନୁଭବ ହେଉଛି ତାହାହେଲେ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ। ସହବାସ ବେଳେ ପୀଡ଼ା ଏଣ୍ଡୋମାଟ୍ରିଓସିସ୍‌ ବା ଅନ୍ୟ କାରଣରୁ ହୋଇଥାଏ ଯାହା ମହିଳାମାନଙ୍କ ବନ୍ଧ୍ୟାତ୍ୱ ସମସ୍ୟାର ଲକ୍ଷଣ ଅଟେ।

ବନ୍ଧ୍ୟାତ୍ୱର ବିଭିନ୍ନ କାରଣଗୁଡ଼ିକ କ’ଣ? (Causes of infertility in Odia )

ନିଷେଚନ ବା ଫର୍ଟିଲାଇଜେସନ୍‌ ପ୍ରକ୍ରିୟାରେ ପୁରୁଷର ଶୁକ୍ରାଣୁ ସହିତ ସ୍ତ୍ରୀର ଡିମ୍ବାଣୁର ସଫଳ ମିଳନ ହୋଇପାରିଲେ ଜଣେ ମହିଳା ଗର୍ଭବତୀ ହେବାର ସୌଭାଗ୍ୟ ଅର୍ଜନ କରିଥାଏ। ଗର୍ଭଧାରଣ କରିବା ପାଇଁ ଜଣେ ମହିଳାଙ୍କର ଯେକୌଣସି ଏକ ଡିମ୍ବାଶୟରୁ ଗୋଟିଏ ଡିମ୍ବାଣୁ ନିର୍ଗତ ହେବା ଆବଶ୍ୟକ। ଏହି ଡିମ୍ବାଣୁ ଡିମ୍ବବାହୀ ନଳୀ ଦେଇ ଗର୍ଭାଶୟ ଆଡ଼କୁ ଗତି କରିଥାଏ। ଡିମ୍ବବାହୀ ନଳୀରେ ପୁରୁଷର ଶୁକ୍ରାଣୁ ସହିତ ଡିମ୍ବାଣୁର ମିଳନ (ନିଷେଚନ) ହୋଇ ନିଃସପ୍ତ ବୀଜ ସୃଷ୍ଟି ହୋଇଥାଏ।

ଏହା ଗର୍ଭାଶୟର ଭିତର ପାଖରେ ଭ୍ରୁଣ ଭାବେ ବଢ଼ିବାକୁ ଲାଗେ ଓ ସମ୍ପୂର୍ଣ୍ଣ ବିକଶିତ ହେବାପରେ ଶୁଶୁଟିଏ ହୋଇ ଭୂମିଷ୍ଠ ହୋଇଥାଏ। ହେଲେ, ଏହା ମଧ୍ୟରୁ ଯେକୌଣସି ପର୍ଯ୍ୟାୟରେ ସମସ୍ୟା ଦେଖାଦେଲେ ମହିଳାମାନେ ବନ୍ଧ୍ୟାତ୍ୱର ଶିକାର ହୋଇଥା’ନ୍ତି। ବନ୍ଧ୍ୟାତ୍ୱର ବିଭିନ୍ନ ସ୍ୱାସ୍ଥ୍ୟଗତ କାରଣଗୁଡ଼ିକ ବିଷୟରେ ନିମ୍ନରେ କୁହାଯାଇଛି-

କ) ଅଭ୍ୟୁଲେସନ୍‌ ଡିସ୍‌ଅର୍ଡର୍‌ ବା ଡିମ୍ବୋଦୟଜନିତ ସମସ୍ୟା-

ପ୍ରଜନନକ୍ଷମ ମହିଳାମାନଙ୍କ ଡିମ୍ବାଶୟରୁ ପ୍ରତି ମାସରେ ଗୋଟିଏ ଡିମ୍ବାଣୁ ବାହାରିଥାଏ। ହେଲେ, ଡିମ୍ବୋଦୟଜନିତ ସମସ୍ୟାରେ ପୀଡ଼ିତ ମହିଳାଙ୍କ କ୍ଷେତ୍ରରେ ଡିମ୍ବାଶୟରୁ ନିର୍ଗତ ହେବା ବନ୍ଦ ହୋଇଯାଏ ବା ବେଳେବେଳେ ନିର୍ଗତ ହୋଇଥାଏ ଯାହାଫଳରେ ନିଷେଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ। ଡିମ୍ବୋଦୟଜନିତ ସମସ୍ୟା ବର୍ତ୍ତମାନ ବୃଦ୍ଧି ପାଉଥିବା ମହିଳା ବନ୍ଧ୍ୟାତ୍ୱର ଏକ ପ୍ରମୂଖ କାରଣ ଅଟେ। ଡିମ୍ବୋଦୟଜନିତ ସମସ୍ୟାଗୁଡ଼ିକର ପ୍ରମୂଖ କାରଣଗୁଡିକ ହେଉଛି:

  • ସମୟ ପୂର୍ବରୁ ଡିମ୍ବାଶୟ ଅଚଳ ହୋଇଯିବା ବା ପିଓଆଇ ସମସ୍ୟା
  • ପଲିସିଷ୍ଟିକ୍‌ ଓଭାରୀ ସିଣ୍ଡ୍ରୋମ୍‌ (ପିସିଓଏସ୍‌)
  • ବର୍ଦ୍ଧିତ ପ୍ରୋଲାକ୍ଟିନ୍‌ ସ୍ତର
  • ନିମ୍ନ ଗୁଣବତ୍ତା ଯୁକ୍ତ ଡିମ୍ବାଣୁ କ୍ଷରଣ ତଥା ଡିମ୍ବାଶୟରେ ଗଚ୍ଛିତ ଡିମ୍ବାଣୁ ପରିମାଣ ହ୍ରାସ ପାଇବା
  • ଅନ୍ତସ୍ରାବୀ ଗ୍ରନ୍ଥିଜନିତ ସମସ୍ୟା ଯେପରିକି ଥାଇରଏଡ୍‌ ସମସ୍ୟା, ହାଇପୋଥାଲାମସ୍‌ରେ ସମସ୍ୟା

ଖ) ଟ୍ୟୁବାଲ୍‌ ବ୍ଲକେଜ୍‌ ବା ଡିମ୍ବବାହୀନଳୀ ଅବରୋଧଜନିତ ସମସ୍ୟା

ଡିମ୍ବବାହୀ ନଳୀ ଗର୍ଭଧାରଣରେ ପ୍ରମୂଖ ଭୂମିକା ଗ୍ରହଣ କରିଥାଏ। ଡିମ୍ବାଶୟରୁ ଡିମ୍ବାଣୁ କ୍ଷରଣ ହେବା ପରେ ଏହା ଡିମ୍ବବାହୀନଳୀ ଦେଇ ଗତି କରିଥାଏ ଯେଉଁଠାରେ ପୁରୁଷ ଶୁକ୍ରାଣୁ ସହିତ ଏହାର ମିଳନ ହୋଇଥାଏ। ପୁଣି ଏହି ନଳୀ ବାଟରେ ନିଃସପ୍ତ ବୀଜଟି ଗର୍ଭାଶୟରେ ପହଞ୍ଚି ଥାଏ ଓ ସେଠାରେ ଭ୍ରୁଣ ଭାବେ ବଢ଼ିବାକୁ ଲାଗେ। ଏଣୁ ଡିମ୍ବବାହୀନଳୀରେ ଅବରୋଧ ହେଲେ ଜଣେ ମହିଳା ଗର୍ଭଧାରଣ କରିପାରେ ନାହିଁ। ଡିମ୍ବବାହୀନଳୀ ବନ୍ଦ ହେବାର ମୁଖ୍ୟ କାରଣଗୁଡ଼ିକ ହେଉଛି-

  • ଗନେରିଆ ଓ କ୍ଲେମାଇଡିଆ ପରି ଯୌନ ସଂକ୍ରମିତ ରୋଗଜନିତ ପେଲ୍‌ଭିକ୍‌ ଇନ୍‌ଫ୍ଲାମେଟୋରି ଡିଜିଜ୍‌ (ପିଆଇଡି)
  • ପେଲ୍‌ଭିକ୍‌ ଟ୍ୟୁବେରୋକ୍ୟୁଲୋସିସ୍‌
  • ଏକ୍ଟୋପିକ୍‌ ପ୍ରେଗ୍‌ନେନ୍‌ସି
  • ଏଣ୍ଡୋମେଟ୍ରିଓସିସ୍‌
  • ପ୍ରଜନନ ଅଙ୍ଗରେ କରାଯାଉଥିବା ସର୍ଜରୀଜନିତ ସଂକ୍ରମଣ

ଗ) ଏଣ୍ଡୋମେଟ୍ରିଓସିସ୍‌

ଏଣ୍ଡୋମେଟ୍ରିଓସିସ୍‌ ହେଉଛି ଏପରି ଏକ ସ୍ଥିତି ଯେଉଁଥିରେ ଗର୍ଭାଶୟର ଆଭ୍ୟନ୍ତରରେ ଉପସ୍ଥିତ ଏଣ୍ଡୋମାଟ୍ରିଆଲ୍‌ ତନ୍ତୁ ଗର୍ଭାଶୟ ବାହାରେ ବୃଦ୍ଧି ପାଇଥାଏ ଯେପରିକି ଡିମ୍ବାଶୟ, ଡିମ୍ବବାହିନଳୀ ଆଦି। ଏହାଯୋଗୁଁ ମାସରେ ଏକାଧିକ ଥର ରକ୍ତସ୍ରାବ ହେବା ସହିତ ଅଧିକ ପରିମାଣରେ ରକ୍ତସ୍ରାବ ହୋଇ ଯନ୍ତ୍ରଣା ଅନୁଭବ ହୋଇଥାଏ ଓ ଡିମ୍ବବାହିନଳୀ ଅବରୋଧ ହୋଇଯାଏ।

ଘ) ଗର୍ଭାଶୟ ଗ୍ରୀବାରେ ମ୍ୟୁକସ୍‌ ସମସ୍ୟା

ଡିମ୍ବୋଦୟ ସମୟରେ ଗର୍ଭାଶୟର ଗ୍ରୀବାରେ ଥିବା ମ୍ୟୁକସ୍‌ ପତଳା ହୋଇଯାଏ ଯାହାଫଳରେ ଶୁକ୍ରାଣୁ ଏଥିରେ ସହଜରେ ଗତି କରିପାରେ। ଗ୍ରୀବାରେ ମ୍ୟୁକସ୍‌ଜନିତ ସମସ୍ୟା କାରଣରୁ ମଧ୍ୟ ମହିଳାମାନେ ଗର୍ଭଧାରଣ କରିବାରେ ବିଫଳ ହୋଇଥା’ନ୍ତି।

ଙ) ଗର୍ଭାଶୟରେ ଫାଇବ୍ରଏଡ୍‌ ଓ ପଲିପ୍‌ ସମସ୍ୟା

ଗର୍ଭାଶୟରେ ଫାଇବ୍ରଏଡ୍‌ ସସମ୍ୟା ଯୋଗୁଁ ମହିଳାମାନେ ଗର୍ଭଧାରଣ କରିବାରେ ବାଧା ଉପୁଜିଥାଏ। ଗର୍ଭାଶୟ ଭିତରେ ଓ ଏହାର ଚାରିପାଖରେ ଅସ୍ୱାଭାବିକ ଭାବେ ତନ୍ତୁ ବୃଦ୍ଧି ହେବା ଯୋଗୁଁ ଫାଇବ୍ରଏଡ୍‌ ସମସ୍ୟା ସୃଷ୍ଟି ହୋଇଥାଏ। ଫାଇବ୍ରଏଡ୍‌ କାରଣରୁ ବେଳେବେଳେ ଡିମ୍ବବାହିନଳୀ ଅବରୋଧିତ ହେବାରୁ ନିଷେଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ। ଏହାବ୍ୟତୀତ ଫାଇବ୍ରଏଡ୍‌ ସମସ୍ୟା ଯୋଗୁଁ ନିଃସପ୍ତ ବୀଜଟି ଗର୍ଭାଶୟର ଭିତର ସ୍ତରରେ ନିଜକୁ ସଂଲଗ୍ନ କରିବାରେ ମଧ୍ୟ ବିଫଳ ହୋଇଥାଏ।

ଉପରୋକ୍ତ ସ୍ୱାସ୍ଥ୍ୟଗତ କାରଣଗୁଡିକ ବ୍ୟତୀତ ଜୀବନଶୈଳୀଗତ ଅନେକ କାରକ ଯୋଗୁଁ ମହିଳାମାନଙ୍କ ଠାରେ ବନ୍ଧ୍ୟାତ୍ୱ ସମସ୍ୟା ଦେଖାଯିବା ସମ୍ଭାବନା ରହିଛି। ଏହି କାରକଗୁଡିକ ହେଉଛି:-

ବୟସ: ବୟସ ବୃଦ୍ଧି ସହିତ ମହିଳାଙ୍କ ପ୍ରଜନନ କ୍ଷମତା ପ୍ରଭାବିତ ହୋଇଥାଏ। ସାଧାରଣତଃ ୩୦ରୁ ଅଧିକ ବୟସ୍କ ମହିଳାଙ୍କ ଡିମ୍ବାଣୁର ଗୁଣବତ୍ତା ଓ ସଂଖ୍ୟା କ୍ରମଶଃ ହ୍ରାସ ପାଇବାକୁ ଆରମ୍ଭ ହୁଏ। ଏଣୁ ଅଧିକ ବୟସରେ ଗର୍ଭଧାରଣ କରିବା ସମ୍ଭାବନା କ୍ରମଶଃ ହ୍ରାସ ପାଇଥାଏ।

ମଦ୍ୟପାନ, ଧୂମପାନ: ଯେଉଁ ମହିଳାମାନେ ମଦ୍ୟପାନ ବା ଧୂମପାନ କରନ୍ତି, ସେମାନେ ବନ୍ଧ୍ୟାତ୍ୱର ଶିକାର ହେବା ସମ୍ଭାବନା ବଢିଯାଏ।

ଅତ୍ୟଧିକ ବା ଅତିକମ୍‌ ଓଜନ: ଖରାପ ଜୀବନଶୈଳୀ ଯୋଗୁଁ ମହିଳାଙ୍କ ଓଜନ ବୃଦ୍ଧି ବନ୍ଧ୍ୟାତ୍ୱର ସମ୍ଭାବନାକୁ ବଢାଇଥାଏ। ସେହିଭଳି ଅସ୍ୱାଭାବିକ ଭାବେ କମ୍‌ ଓଜନ ବିଶିଷ୍ଟ ମହିଳାମାନଙ୍କ କ୍ଷେତ୍ରରେ ମଧ୍ୟ ଗର୍ଭଧାରଣ କରିବାରେ ସମସ୍ୟା ଦେଖା ଦେଇଥାଏ।

ବ୍ୟାୟାମ ନ କରିବା ବା ଅତ୍ୟଧିକ ବ୍ୟାୟାମ କରିବା: ଉଭୟ ବ୍ୟାୟାମ ନକରିବା ଓ ଆବଶ୍ୟକତାଠାରୁ ଅଧିକ ବ୍ୟାୟାମ କରିବା ଯୋଗୁଁ ବନ୍ଧ୍ୟାତ୍ୱର ସମ୍ଭାବନା ବୃଦ୍ଧି ପାଏ।

ଆହାର: ମହିଳାଙ୍କ ଆହାରରେ ଜିଙ୍କ୍‌, ଫୋଲିକ୍‌ ଏସିଡ୍‌, ଆଇରନ୍‌ ଓ ଭିଟାମିନ୍‌ ବି-୧୨ର ପରିମାଣ କମ୍‌ ଥିଲେ ମଧ୍ୟ ପ୍ରଜନନ କ୍ଷମତା ପ୍ରଭାବିତ ହେବା ସମ୍ଭାବନା ରହିଛି।

ମାନସିକ ଚାପ: ସବୁବେଳେ ବିଭିନ୍ନ ପ୍ରକାରର ମାନସିକ ଚାପ ମଧ୍ୟରେ କାମ କରୁଥିବା ମହିଳାମାନଙ୍କ ଠାରେ ବନ୍ଧ୍ୟାତ୍ୱର ସମ୍ଭାବନା ଖୁବ୍‌ ବେଶୀ ଅଟେ।

ବିଭିନ୍ନ କାରଣରୁ ମହିଳାମାନଙ୍କଠାରେ ବନ୍ଧ୍ୟାତ୍ୱ ସମସ୍ୟା ଦେଖାଦେଇଥାଏ। ସଠିକ୍‌ ସମୟରେ ବନ୍ଧ୍ୟାତ୍ୱର ଲକ୍ଷଣଗୁଡ଼ିକୁ ଚିହ୍ନି ତାହାର ଉପଚାର ପାଇଁ ଡାକ୍ତରଙ୍କ ସହିତ ପରାମର୍ଶ କରି ଓ ନିଜର ଜୀବନଶୈଳୀରେ କେତେକ ପରିବର୍ତ୍ତନ କରି ମହିଳାମାନେ ସେମାନଙ୍କ ବନ୍ଧ୍ୟାତ୍ୱ ସମସ୍ୟା ସମାଧାନ କରିବାରେ ବହୁଦୂର ପର୍ଯ୍ୟନ୍ତ ସଫଳ ହୋଇପାରିବେ।