ଆଜିକାଲି ସବୁ ବୟସର ଲୋକଙ୍କ ନିକଟରେ ମଧୁମେହ ବା ଡାଏବେଟିସ ଦେଖିବାକୁ ମିଳୁଛି। ତେଣୁ ଏହି ରୋଗର ଲକ୍ଷଣ ବାବଦରେ ଜାଣିବା ନିହାତି ଆବଶ୍ୟକ।

diabetesଅପରିବର୍ତ୍ତିତ ଜୀବନଶୈଳୀ ମଧୁମେହ ରୋଗର ପ୍ରମୁଖ କାରଣ। ଆଜିକାଲି ଛୁଆଙ୍କଠାରୁ ଆରମ୍ଭ କରି ବଡ଼ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଏହି ରୋଗ ଦେଖିବାକୁ ମିଳୁଛି। ସବୁ ରୋଗ ଶରୀରକୁ ଆକ୍ରାନ୍ତ କରିବା ପୂର୍ବରୁ କୌଣସି ଲକ୍ଷଣ ଦେଖାଇଥାଏ। ସେହି ଭଳି ଶରୀରର କେତେକ ଲକ୍ଷଣରୁ ଡାଏବେଟିସ ବାବଦରେ ଜଣାପଡ଼ିଥାଏ। ତେବେ ଲକ୍ଷଣ ବାବଦରେ ଜାଣି ଆରମ୍ଭରୁ ଚିକିତ୍ସା କରାଇ ନେଲେ ଏହି ରୋଗର କିଛିଟା ଉପଶମ ହେବା ସମ୍ଭବ।

ଯଦି ସବୁ ସମୟରେ ଅଧିକ ଶୋଷ ଲାଗୁଛି ତେବେ ଆପଣଙ୍କୁ ଡାଏବେଟିସ ହେବାର ଆଶଙ୍କା ରହିଛି।

ଯଦି ଆପଣ ବାରମ୍ବାର ପରିସ୍ରା ପାଇଁ ବାଥରୁମ ଯାଉଛନ୍ତି ତେବେ ଆପଣ ମଧୁମେହରେ ଶିକାର ହୋଇଛନ୍ତି। ବାରମ୍ବାର ବାଥରୁମ ଯିବା ଫଳରେ ପରିସ୍ରା ସହ ଶରୀରରୁ ଶର୍କରା ବାହାରି ଆସିଥାଏ। ଯଦ୍ୱାରା ବ୍ୟକ୍ତି ଡାଏବେଟିସରେ ପୀଡ଼ିତ ଥିବାର ଜଣାପଡ଼ିଥାଏ।

ଶୋଇବା ପରେ ମଧ୍ୟ ଅନେକ ଲୋକଙ୍କୁ ଥକ୍କା ଲାଗିଥାଏ। ମଧୁମେହ ରୋଗ ହେବା ଦ୍ୱାରା ଶରୀରକୁ ଆବଶ୍ୟକୀୟ ଶକ୍ତି ମିଳିନଥାଏ। ଯାହା ଦ୍ୱାରା ଶୋଇବା ପରେ ଏବଂ ଶୋଇକି ଉଠିବା ପରେ ମଧ୍ୟ ଥକ୍କା ଲାଗିଥାଏ।

ମଧୁମେହ ରୋଗୀମାନେ ସବୁ ସମୟରେ ଖାଇବା ଆବଶ୍ୟକ କରନ୍ତି। ତେଣୁ ସେମାନେ ଯେତେ ଖାଇଲେ ସୁଦ୍ଧା ସେମାନଙ୍କୁ ଭୋକ ଲାଗିଥାଏ।

ବିନା କାରଣରୁ ଶରୀରରୁ ଓଜନ ହ୍ରାସ ପାଇବା ଡାଏବେଟିସ ରୋଗର ବଡ଼ ଲକ୍ଷଣ। ମଧୁମେହ ରୋଗ ହେବା ଦ୍ୱାରା ନିଜ ଓଜନ ଉପରେ ନିୟନ୍ତ୍ରଣ ରୁହେ ନାହିଁ। ଫଳରେ ବ୍ୟକ୍ତି ଅଧିକ ମୋଟା କିମ୍ବା ଅଧିକ ପତଳା ହୋଇଯାଆନ୍ତି।

ଅନେକ ସମୟରେ ପାଟି ଶୁଖିଯିବା ପରି ମନେ ହୁଏ। ସେଥିପାଇଁ ଆମେ ବାରମ୍ବାର ପାଣି ପିଇଥାଉ। କିନ୍ତୁ ଏହି ସମସ୍ୟା ଡାଏବେଟିସ ହେବାର ପୂର୍ବ ସୂଚନା ମଧ୍ୟ ହୋଇପାରେ।

type 2 diabetesଡାଏବେଟିସ ହେବା ପୂର୍ବରୁ ସାମ୍ନା ବସ୍ତୁ ଆଖିକୁ ସ୍ପଷ୍ଟ ଦେଖାଯାଏ ନାହିଁ। ବିଶେଷ କରି ଅନ୍ଧାରରେ କୌଣସି ବସ୍ତୁକୁ ଦେଖିବା ପାଇଁ ଆଖି ଉପରେ ଅଧିକ ଚାପ ପକାଇବା ଫଳରେ ଆଖି ଯନ୍ତ୍ରଣା ହୋଇଥାଏ।

କୌଣସି ଆଘାତ ହେଲେ କିମ୍ବା କ୍ଷତ ହୋଇଗଲେ ଶୀଘ୍ର ସେହି ଜାଗା ଭଲ ନ ହେବା ମଧୁମେହର ଲକ୍ଷଣ।

ଯଦି ଆପଣଙ୍କ ନିକଟରେ ଏହି ସବୁ ସମସ୍ୟା ଦେଖା ଦେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରାଇ ନେବା ଆବଶ୍ୟକ।