ଡାଏବେଟିସ୍‌ ନିୟନ୍ତ୍ରଣ କରିବାକୁ ହେଲେ ଜୀବନଶୈଳୀରେ ପରିବର୍ତ୍ତନ କରିବା ନିହାତି ଜରୁରୀ। ଆସନ୍ତୁ ଜାଣିବା। 

diabetes

ମଧୁମେହ ହେବାର ମୁଖ୍ୟ କାରଣ ହେଉଛି ଅନିୟନ୍ତ୍ରିତ ବା ଅସ୍ୱାସ୍ଥ୍ୟକର ଜୀବନଶୈଳୀ। ଅତ୍ୟଧିକ ମୋଟା ଲୋକ, ଶାରିରୀକ ପରିଶ୍ରମ କରୁନଥିବା ଲୋକେ, ଫାଷ୍ଟଫୁଡ୍ ଅଧିକ ମାତ୍ରାରେ ଖାଉଥିବା ଲୋକ, ମାନସିକ ଅବସାଦ ଯୋଗୁଁ ମଧୁମେହ ହୋଇଥାଏ। ତେବେ ଡାଏବେଟିସ୍‌ରୁ ମୁକ୍ତି ଓ ନିଜକୁ ସୁସ୍ଥ କରିବାର ସର୍ବୋତ୍ତମ ଉପାୟ ହେଉଛି ଜୀବନଶୈଳୀରେ ପରିବର୍ତ୍ତନ। ଆସନ୍ତୁ ଜାଣିବା କ’ଣ ସବୁ ପରିବର୍ତ୍ତନ କଲେ ଆମେ ଡାଏବେଟିସ୍‌କୁ ନିୟନ୍ତ୍ରଣ କରିପାରିବା।

ଆମ ଶରୀର ପାଇଁ ସୂର୍ଯ୍ୟ କିରଣ ନିହାତି ଜରୁରୀ। ଏଣୁ, ପ୍ରତିଦିନ ସକାଳେ କିମ୍ବା ସନ୍ଧ୍ୟା ବେଳେ ସୂର୍ଯ୍ୟକିରଣରେ ଚଲାବୁଲା କରନ୍ତୁ।

ନିଜ ଖାଦ୍ୟରେ ସତେଜ କଞ୍ଚା ଫଳମୂଳ ଓ ପରିବା ସାମିଲ କରନ୍ତୁ। ପ୍ରତି ଭୋଜନରେ ସାଲାଡ ସେବନ କରନ୍ତୁ। ପ୍ୟାକେଟ୍‌ରେ ମିଳୁଥିବା ଖାଦ୍ୟ, ଫାଷ୍ଟଫୁଡ୍‌ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ। କୋଲ୍ଡ ଡ୍ରିଙ୍କ୍‌, ଫ୍ରିଜ୍‌ ପାଣି ଓ ଅନ୍ୟାନ୍ୟ ମୃଦୁ ପାନୀୟ ପିଅନ୍ତୁ ନାହିଁ।

ଦିନକୁ ଅତିକମ୍‌ରେ ୫ କିଲୋମିଟର ଚାଲନ୍ତୁ। କିନ୍ତୁ,ଏହାର ଅର୍ଥ ନୁହେଁ ଯେ, ଆପଣ ପ୍ରଥମ ଦିନରୁ ହିଁ ଅଧିକ ଚାଲିବେ। ପ୍ରଥମେ ଅଳ୍ପ ବାଟ ଚାଲନ୍ତୁ, ଧୀରେ ଧୀରେ ଆପଣ ଚାଲିବାର ବେଗ ବଢ଼ାଇବା ସହ ଅଧିକ କିଲୋମିଟର ଚାଲନ୍ତୁ। ନଚେତ୍‌ ପ୍ରତିଦିନ ଯୋଗ କରନ୍ତୁ।

ମାନସିକ ଚାପ ବିଭିନ୍ନ ରୋଗର କାରଣ ପାଲଟେ। ମାନସିକ ଶାନ୍ତି ପାଇଁ ପ୍ରତିଦିନ ମେଡିଟେସନ୍‌ କରନ୍ତୁ। ଏହା ଆପଣଙ୍କ ମନକୁ ଶାନ୍ତ ରଖିବା ସହ ମାନସିକ ଚାପରୁ ଦୂରେଇ ରଖିବ।

ସୁସ୍ଥ ଶରୀର ଓ ସୁସ୍ଥ ମସ୍ତିଷ୍କ ପାଇଁ ପର୍ଯ୍ୟାପ୍ତ ଶୋଇବା ଜରୁରୀ। ଦିନକୁ ପ୍ରାୟ ୭ରୁ ୯ ଘଣ୍ଟା ଶୋଇବା ଜରୁରୀ। ଜଲଦି ଶୁଅନ୍ତୁ, ଜଲଦି ଉଠନ୍ତୁ।

ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ।