ପ୍ରସବ ପରେ ମା’ମାନଙ୍କର ସମସ୍ତ ଧ୍ୟାନ ସେମାନଙ୍କ ଶିଶୁ ଉପରେ ରହିଥାଏ। ହେଲେ ପ୍ରସବ ପରେ ମା’ମାନେ ତାଙ୍କ ଶିଶୁ ସମେତ ନିଜର ଖାଦ୍ୟପେୟ ଉପରେ ବେଶି ଧ୍ୟାନ ଦେବା ଆବଶ୍ୟକ। ପ୍ରସବ ପରେ ଶରୀରକୁ ଶକ୍ତି ଯୋଗାଇବା ପାଇଁ ଏବଂ କ୍ଷୀର ହେବା ପାଇଁ କେଉଁ ଖାଦ୍ୟ ଖାଇବେ ଜାଣିରଖନ୍ତୁ।

ଓଟ୍ସ

ଆଇରନ୍‌, କ୍ୟାଲ୍‌ସିୟମ୍‌, ଫାଇବର, କାର୍ବୋହାଇଡ୍ରେଟ୍‌ସ ଓ ପ୍ରୋଟିନ୍‌ରେ ଭରପୂର ରହିଛି ଓଟ୍ସ। ପ୍ରସବ ପରେ ଏହା ଖାଇବା ଦ୍ୱାରା ଶରୀରକୁ ପୋଷଣ ମିଳିଥାଏ। ଓଟ୍ସକୁ ଭାଜି ଏଥିରେ କ୍ଷୀର, କଦଳୀ, ସେଓ ଏବଂ ଆମ୍ବ ମିଶାଇ ଖାଇପାରିବେ। ଓଟ୍ସର ଉପମା କିମ୍ବା ଖେଚେଡ଼ି ପ୍ରସ୍ତୁତ କରି ଖାଇପାରିବେ।

ହଳଦୀ

ହଳଦୀରେ ଭିଟାମିନ୍‌ ବି୬, ଇ, ଆଇରନ୍‌, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, ସେଲେନିୟମ୍‌ ଓ ମାଙ୍ଗାନିଜ୍‌ ଥାଏ। ଭାରତୀୟ ଖାଦ୍ୟ ପ୍ରସ୍ତୁତିରେ ହଳଦୀକୁ ବହୁତ ମାତ୍ରାରେ ବ୍ୟବହାର କରାଯାଏ। ହଳଦୀରେ ଆଣ୍ଟିଇନ୍‌ଫ୍ଲାମେଟୋରି ତତ୍ୱ ରହିଛି, ଯାହାକି ଶୀଘ୍ର ଘା’ ଶୁଖାଇବାରେ ସାହାଯ୍ୟ କରେ। ପ୍ରସବରେ ହୋଇଥିବା ସର୍ଜରି ଏବଂ ଯନ୍ତ୍ରଣାକୁ ଲାଘବ କରିଥାଏ ହଳଦୀ।

ପ୍ରସବ ପରେ ମହିଳାମାନେ ଗୋଟେ ଗ୍ଲାସ୍‌ ଉଷୁମ୍‌ କ୍ଷୀରରେ ଅଧ ଚାମଚରୁ କମ୍‌ ହଳଦୀ ମିଶାଇ ପିଇପାରିବେ। ଏହା ଭଲ ନିଦ କରିବାରେ ମଧ୍ୟ ସାହାଯ୍ୟ କରେ।

ବାଦାମ

ବାଦାମରେ କାର୍ବୋହାଇଡ୍ରେଟ୍‌, ଫାଇବର, ଭିଟାମିନ୍‌ ବି୧୨, ମ୍ୟାଗ୍ନେସିୟମ୍‌, କପର, ମାଙ୍ଗାନିଜ, ପୋଟାସିୟମ୍‌, କ୍ୟାଲ୍‌ସିୟମ୍‌ ଏବଂ ଜିଙ୍କ୍‌ ଭଳି ତତ୍ୱ ରହିଛି। ପ୍ରସବ ପରେ ବାଦାମ ଚଟଣୀ, ବାଦାମ ମିଶ୍ରିତ କ୍ଷୀର କିମ୍ବା ସିଧାସଳଖ ବାଦାମକୁ ଖାଇପାରିବେ।

ସବୁଜ ପନିପରିବା

ସବୁଜ ପନିପରିବା ଆଇରନ୍‌ର ଉଚ୍ଚତମ ସ୍ରୋତ। ପାଳଙ୍ଗ, ବିନ୍ସ, କାଙ୍କଡ଼, ମେଥି ଶାଗ, ସଜନା ଶାଗ, କୋଶଳା, କଳମ ଶାଗ, ଚଣା ଶାଗ ଭଳି ଶାଗକୁ ଖାଦ୍ୟରେ ସାମିଲ କରନ୍ତୁ।

ପ୍ରସବ ବେଳେ ଶରୀରରୁ ଅଧିକ ମାତ୍ରାରେ ରକ୍ତସ୍ରାବ ହୋଇଥାଏ। ଫଳରେ ଆଇରନ୍‌ ଓ ହିମୋଗ୍ଲୋବିନ୍‌ ସ୍ତର କମିଯାଇଥାଏ। ଏହି ଅଭାବକୁ ଦୂର କରିବା ପାଇଁ ପ୍ରଚୁର ପରିମାଣରେ ସବୁଜ ପନିପରିବାକୁ ଖାଇବା ଲାଭଦାୟକ ହୋଇଥାଏ।

ମେଥି

ମେଥି ଆଇରନ୍‌, କ୍ୟାଲ୍‌ସିୟମ, ଭିଟାମିନ୍‌ ଏବଂ ମିନେରାଲ୍ସର ଉଚ୍ଚ ସ୍ରୋତ। ସନ୍ତୁଳା, ଡାଲମା ପ୍ରସ୍ତୁତିରେ ମେଥିର ବ୍ୟବହାର କରିପାରିବେ।

ଡାଲିଜାତୀୟ ଖାଦ୍ୟ

ବଭିନ୍ନ ପ୍ରକାର ଡାଲିରେ ଫାଇବର, ପ୍ରୋଟିନ୍, ଭିଟାମିନ୍ ଓ ମିନେରାଲ୍ସ ମହଜୁଦ ଥାଏ। ମୁଗ ଓ ମସୁର ଡାଲି ଶୀଘ୍ର ହଜମ ହୋଇଥାଏ। ତେଣୁ ଖାଦ୍ୟରେ ଡାଲିକୁ ସାମିଲ କରନ୍ତୁ।