ଷ୍ଟ୍ରେସ୍‌, ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଆଜିକାଲି ଲୋକେ ନିଦ୍ରାହୀନତାର ଶିକାର ହେଉଛନ୍ତି। ତେବେ ବର୍ତ୍ତମାନ ସମୟରେ ନିଦ୍ରାହୀନତାର କାରଣ କ’ଣ? ଏହାର ଚିକିତ୍ସା କ’ଣ ଏବଂ ଭଲ ନିଦରେ କେମିତି ଶୋଇବେ? ଏନେଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହାଂଶୁ ଦେ’ଙ୍କ ପରାମର୍ଶ ଜାଣନ୍ତୁ।

ଆମକୁ ବଞ୍ଚିବା ପାଇଁ ଯେମିତି ଖାଦ୍ୟ, ଜଳ, ବାୟୁ ଦରକାର ହୋଇଥାଏ, ସେହିପରି ସୁସ୍ଥ ଶରୀର ପାଇଁ ଭଲ ନିଦର ମଧ୍ୟ ଆବଶ୍ୟକତା ରହିଛି। ସଠିକ୍‌ ପରିମାଣରେ ଶୋଇବା ଦ୍ଵାରା ଶରୀରକୁ ଫୂର୍ତ୍ତି ଲାଗେ, କାମ କରିବାକୁ ଶକ୍ତି ମିଳିଥାଏ, ସତେଜ ଲାଗିଥାଏ।

ସମସ୍ତେ ଅଲଗା ଅଲଗା ସମୟ ପାଇଁ ଶୋଇଥାଆନ୍ତି। ଯେମିତିକି ଛୋଟ ପିଲାମାନେ ଅଧିକ ସମୟ ପାଇଁ ଶୋଇଥାଆନ୍ତି ଓ ବୃଦ୍ଧ ଲୋକମାନେ କମ୍‌ ସମୟ ପାଇଁ ଶୋଇଥାଆନ୍ତି। କିନ୍ତୁ, ପ୍ରତ୍ୟେକ ଲୋକକୁ ହାରାହାରି ୬ରୁ ୮ ଘଣ୍ଟା ଶୋଇବା ଦରକାର।

ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ମାସେ ପର୍ଯ୍ୟନ୍ତ ସଠିକ୍‌ ଭାବରେ ନିଦ ହେବ ନାହିଁ ବା ସପ୍ତାହକୁ ତିନି ଦିନରୁ ଅଧିକ ଦିନ ଯାଏଁ ନିଦ ନ ହେବାକୁ ନିଦ୍ରାହୀନତା କୁହାଯାଏ। ଯଦି କାହାକୁ ଗୋଟେ କିମ୍ବା ଦୁଇ ଦିନ ନିଦ ହେଉନି, ତେବେ ତାକୁ ନିଦ୍ରାହୀନତା କୁହାଯିବ ନାହିଁ।

ନିଦ୍ରାହୀନତାର ଲକ୍ଷଣ (Symptoms of insomnia in Odia)

ନିଦ୍ରାହୀନତାର ଲକ୍ଷଣ ତିନି ପ୍ରକାରର।

ଜଣେ ବ୍ୟକ୍ତି ଯେତେବେଳେ ବିଛଣାକୁ ଯିବ, ତାକୁ ନିଦ ଆସିବ ନାହିଁ।

ବିଛଣାରେ ଶୋଇବାର ଦୁଇ ତିନି ଘଣ୍ଟା ପରେ ନିଦ ଆସିବ।

ବିଛଣାରେ ଶୋଇବା ବେଳେ ସଙ୍ଗେ ସଙ୍ଗେ ନିଦ ହୋଇଯିବ କିନ୍ତୁ, ରାତିରେ ମଝିରେ ମଝିରେ ନିଦ ଭାଙ୍ଗିଯିବ।

ଜଣେ ଜଣେ ବ୍ୟକ୍ତି ବିଛଣାରେ ପଡ଼ୁ ପଡ଼ୁ ନିଦ ହୋଇଯିବ କିନ୍ତୁ, ବଡ଼ି ଭୋରରୁ ନିଦ ଭାଙ୍ଗିଯିବ।

sleeplessness

ଅଧିକ ପଢ଼ନ୍ତୁ: ସୁନିଦ୍ରା ପାଇଁ ଆପଣାନ୍ତୁ ଏହି ୧୦ ଟିପ୍ସ

ରାତିରେ ନିଦ ନ ହେବାର କାରଣ (Reason for not sleeping at night in Odia)

ବର୍ତ୍ତମାନ ସମୟରେ ନିଦ୍ରାହୀନତା ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ଏହାର ବିଭିନ୍ନ କାରଣ ରହିଛି। ଗୋଟେ ଜାଗାରୁ ଆଉ ଗୋଟେ ସ୍ଥାନକୁ ପରିବର୍ତ୍ତନ କଲେ ନିଦ୍ରାହୀନତା ଦେଖାଦେଇଥାଏ। ଶୋଇବା ଗୃହ ସଫା ନଥିଲେ, ଅନ୍ଧାର ନ ଥିଲେ ନିଦ ହୋଇନଥାଏ।

ଶାରୀରିକ ସମସ୍ୟା ଯେପରିକି, ଗଣ୍ଠିବାତ ରୋଗ ଥିଲେ, ଗୋଡ଼ ହାତ ବିନ୍ଧା ହେଉଥିଲେ, ମେରୁଦଣ୍ଡ ଯନ୍ତ୍ରଣା ହେଉଥିଲେ, ମାଇଗ୍ରେନ୍‌ ଥିଲେ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଭଳି ସମସ୍ୟା ଥିଲେ ନିଦ୍ରାହୀନତା ସମସ୍ୟା ଦେଖାଦିଏ।

ସେହିପରି ଅଧିକାଂଶ ବୟସ୍କ ଲୋକଙ୍କର ପ୍ରୋଷ୍ଟେଟ୍‌ ସମସ୍ୟା ଥାଏ, ଫଳରେ ରାତିରେ ବାରମ୍ବାର ପରିସ୍ରା କରିବା ପାଇଁ ଉଠନ୍ତି।       

ଏହାଛଡ଼ା ମାନସିକ କାରଣ ଯୋଗୁଁ ମଧ୍ୟ ନିଦ୍ରାହୀନତା ଦେଖାଦିଏ। ମାନସିକ ଅବସାଦ, ଛାନିଆ ରୋଗ, ସ୍କିଜୋଫ୍ରେିନିଆ, ମାନିଆ ଆଦି ମାନସିକ ରୋଗ ଥିଲେ ରାତିରେ ନିଦ ହୋଇନଥାଏ।

ଏହାସହ ବର୍ତ୍ତମାନ ସମୟରେ କାମର ଚାପ, ଆର୍ଥିକ ସମସ୍ୟା ଓ ପାରିବାରିକ କାରଣ ଯୋଗୁଁ ରାତିରେ ସଠିକ୍‌ ଭାବରେ ନିଦ ହେଉନି।

ଆଜିକାଲି ସମସ୍ତେ ଶୋଇବାକୁ ଯିବା ବେଳେ ମୋବାଇଲର ବ୍ୟବହାର କରିବା ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଗଲାଣି। ଏହି ମୋବାଇଲ ଏବଂ ଇଣ୍ଟରନେଟ୍‌ ଆଡିକ୍‌ସନ୍‌ ଯୋଗୁଁ ଲୋକଙ୍କୁ ରାତିରେ ନିଦ ହେଉନି। କାରଣ ମୋବାଇଲରୁ ବାହାରୁଥିବା ନୀଳ ରଶ୍ମୀ ଆଖିରେ ପଡ଼ିବା ଦ୍ୱାରା ନିଦ ହୁଏ ନାହିଁ। କେତେକ ଲୋକ ଟିଭି ଦେଖି ଦେଖି ଶୋଇବାକୁ ପସନ୍ଦ କରନ୍ତି। ହେଲେ ଶୋଇବାକୁ ଯିବାର ଅଧଘଣ୍ଟା କିମ୍ବା ଘଣ୍ଟାଏ ପୂର୍ବରୁ ଟିଭି ଓ ମୋବାଇଲର ବ୍ୟବହାର କରନ୍ତୁ ନାହିଁ।

କେତେକ ଲୋକ ନିଶା ସେବନ କରିବାରେ ଏତେମାତ୍ରାରେ ଅଭ୍ୟସ୍ତ ଥାଆନ୍ତି ଯେ, ଦିନେ ନିଶା ନ ନେଲେ ରାତିରେ ନିଦ ହୋଇନଥାଏ। ଫଳରେ ସେମାନେ ପ୍ରତିଦିନ ନିଶାର ସାହାରା ନେଇଥାଆନ୍ତି।

ନିଦ୍ରାହୀନତାର ପ୍ରଭାବ (Effects of insomnia in Odia)

ନିଦ୍ରାହୀନତାର ପ୍ରଭାବ ଆମ ଦୈନନ୍ଦିନ ଜୀବନ ଉପରେ ଅଧିକ ମାତ୍ରାରେ ପଡ଼ିଥାଏ। ନିଦ ନ ହେଲେ ମସ୍ତିଷ୍କକୁ ବିଶ୍ରାମ ମିଳିନଥାଏ। ଫଳରେ ଥକ୍କାପଣ, କାମ କରିବାରେ ଇଛା ନ ହେବା, ଆଖି ତଳ କଳାଦାଗ ପଡ଼ିବା, ମୁହଁରେ ବ୍ରଣ ବାହାରିବା, ଚୁଟି ଝଡ଼ିବା ଭଳି ସମସ୍ୟା ହୋଇଥାଏ।

ନିଦ୍ରାହୀନତା ଯୋଗୁଁ ଶାରୀରିକ ସମସ୍ୟା ଉଚ୍ଚ ରକ୍ତଚାପ, ଦୃଦ୍‌ରୋଗ, ମେଦବହୁଳତା ଓ ମଧୁମେହ ଭଳି ରୋଗ ମଧ୍ୟ ହୋଇପାରେ। ତା’ଛଡ଼ା ନିଦ୍ରାହୀନତା ଯୋଗୁଁ ମାନସିକ ରୋଗ ହେବାର ମଧ୍ୟ ଆଶଙ୍କା ବଢ଼ିଯାଏ।

ନିଦାହୀନତାର ଚିକିତ୍ସା (Treatment of insomnia in Odia)

ରାତିରେ ନିଦ ନ ହେଲେ ଅଧିକାଂଶ ଲୋକ ମନଇଛା ନିଦ ବଟିକା ଆଣି ଖାଇଦେଇଥାଆନ୍ତି। କିନ୍ତୁ, ଯେଉଁ କାରଣ ପାଇଁ ନିଦ୍ରାହୀନତା ହେଉଛି ତା’ର ଚିକିତ୍ସା କରାଗଲେ ନିଦ୍ରାହୀନତା ସମସ୍ୟା ଦୂର ହୋଇପାରିବ।

ଭଲ ନିଦରେ ଶୋଇବେ କେମିତି? (How to sleep well in Odia)

ନିଦ୍ରାହୀନତା ସମସ୍ୟା ଦୂର କରିବା ପାଇଁ ହେଲେ ‘ସ୍ଲିପ୍‌ ହାଇଜିନ୍‌’ ପାଳନ କରିବାକୁ ହୋଇଥାଏ। ଏହାଦ୍ୱାରା ୯୦ରୁ ୯୫ ପ୍ରତିଶତ ଅନିଦ୍ରା ରୋଗ ଦୂର ହୋଇଥାଏ। ଆସନ୍ତୁ ଜାଣିବା ସ୍ଲିପ୍‌ ହାଇଜିନ୍‌ କ’ଣ?

  • ସବୁବେଳେ ଗୋଟେ ସମୟରେ ଶୁଅନ୍ତୁ ଓ ଉଠନ୍ତୁ। ଶୋଇବାର ସମୟ ସ୍ଥିର କରନ୍ତୁ।
  • ଦିନରେ ଶୁଅନ୍ତୁ ନାହିଁ। ଯଦି ଦିନ ବେଳେ ନିଦ ଲାଗୁଛି, ତେବେ ୧୫ରୁ ୨୦ ମିନିଟ୍‌ ପାଇଁ ବିଶ୍ରାମ ନେଇପାରିବେ।
  • ଶୋଉଥିବା ବେଡ୍‌ ବା ବିଛଣାକୁ କେବଳ ଶୋଇବା ପାଇଁ ବ୍ୟବହାର କରନ୍ତୁ। ବେଡ୍‌ ଉପରେ ଖାଇବା, ଟିଭି ଦେଖିବା ଆଦି କାର୍ଯ୍ୟ ପାଇଁ ବ୍ୟବହାର କରନ୍ତୁ ନାହିଁ।
  • ସନ୍ଧ୍ୟା ୬ଟା ପରେ ଚା’, କଫି ପିଅନ୍ତୁ ନାହିଁ।  
  • ଧୂମପାନ ଓ ମଦ୍ୟପାନରୁ ନିବୃତ୍ତ ରହନ୍ତୁ।
  • ନିୟମିତ ୩୦ରୁ ୪୫ ମିନିଟ୍‌ ପାଇଁ ବ୍ୟାୟାମ କରନ୍ତୁ। ବ୍ୟାୟାମ କରିବା ଦ୍ୱାରା ଭଲ ନିଦ ହୋଇଥାଏ।
  • ରାତିରେ ତେଲ ମସଲା, ଆମିଷ ଜିନିଷ ଖାଆନ୍ତୁ ନାହିଁ ଏବଂ ରାତି ସମୟରେ ଅଳ୍ପ ପାଣି ପିଅନ୍ତୁ।
  •  ଶୋଇବାର ୩୦ ମିନିଟ୍‌ ପୂର୍ବରୁ ମୋବାଇଲ ବ୍ୟବହାର କରନ୍ତୁ ନାହିଁ। ଏହାସହ ଶୋଇବା ବେଳେ ମୋବାଇଲକୁ ନିଜଠାରୁ ଦୂରରେ ରଖନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସ୍ନେହାଂଶୁ ଦେ’ଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Sleep Hygiene Tips, in Odia language, is based on an extensive interview with Psychiatrist Dr Snehanshu Dey.