ଦାନ୍ତରେ କ୍ୟାଭିଟି ହେଲେ କେମିତି କରିବେ ଚିକିତ୍ସା? ଏନେଇ ବିଶିଷ୍ଟ ଓରାଲ ଏବଂ ମ୍ୟାକ୍ସିଲୋଫେସିଆଲ ସର୍ଜନ ଡାକ୍ତର ପ୍ରିତିଶ ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ପୋକଡ଼ା ଦାନ୍ତ ବା ଦାନ୍ତରେ କ୍ୟାଭିଟି କ’ଣ? (What is Dental cavity in Odia)

ମିଠାଯୁକ୍ତ ଖାଦ୍ୟ ଯେପରିକି ବିସ୍କୁଟ୍‌, ଚକୋଲେଟ୍‌, ମିଠା ଭଳି ଖାଦ୍ୟ ଖାଇବା ପରେ ପାଟି ନ ଧୋଇବା ଫଳରେ ଏହା ଧୀରେ ଧୀରେ ଦାନ୍ତରେ ପରସ୍ତ ହୋଇ ଲାଗିଥାଏ। ଏହାଫଳରେ ଦାନ୍ତରେ ଛୋଟ ଛୋଟ ଛିଦ୍ର ସୃଷ୍ଟି ହୁଏ। ପରେ ଏହି ଛିଦ୍ରରେ ଦାନ୍ତରେ ପୋକ ଲାଗିବା ଆରମ୍ଭ ହୁଏ। ଏହାବ୍ୟତୀତ ଦାନ୍ତରେ ସଂକ୍ରମଣ ହେଲେ ମଧ୍ୟ କ୍ୟାଭିଟି ସୃଷ୍ଟି ହୋଇପାରେ। ଏହାକୁ ଠିକ୍‌ ସମୟରେ ଚିକିତ୍ସା ନ କଲେ ଦାନ୍ତ ନଷ୍ଟ ହେବାର ସମ୍ଭାବନା ରହିଛି।

ଡେଣ୍ଟାଲ କ୍ୟାଭିଟିକୁ ସରଳ ଭାଷାରେ ଦାନ୍ତ ପୋକ ଖାଇଛି ବା ଦାନ୍ତରେ କଣା ହୋଇଛି ବୋଲି କୁହାଯାଏ। ଖାଦ୍ୟ ଚୋବାଇବା ବେଳେ ଦାନ୍ତ ମଧ୍ୟରେ ଥିବା ଫାଙ୍କାସ୍ଥାନରେ ଖାଦ୍ୟଗୁଡ଼ିକ ଜମିଯାଏ। ବିଶେଷକରି ଅଠାଳିଆ ଖାଦ୍ୟ, ମିଠା ଜାତୀୟ ଖାଦ୍ୟ ଦାନ୍ତର ଫାଙ୍କା ସ୍ଥାନରେ ଜମିଗଲେ, ସେଥିରେ ଥିବା ବ୍ୟାକ୍ଟେରିଆ ଲାକ୍ଟିକ୍‌ ଏସିଡ୍‌ ତିଆରି କରେ। ଏହି ଏସିଡ୍‌ ଦାନ୍ତର ମିନେରାଲ୍ସକୁ ନଷ୍ଟ କରିଦିଏ। ଫଳରେ ସେ ସ୍ଥାନରେ କଣା ହୋଇଯାଉଛି, ଯାହାକୁ ଡେଣ୍ଟାଲ କ୍ୟାଭିଟି ବା ଡେଣ୍ଟାଲ କେରିଜ୍‌ ବୋଲି କୁହାଯାଏ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ଦାନ୍ତରେ ଦେଖାଯାଉଥିବା ୫ଟି ସମସ୍ୟା ବାବଦରେ

ଦାନ୍ତ ପୋକ ଖାଇବାର କାରଣ (Causes of tooth decay in Odia)

ଦାନ୍ତ ପୋକ ଖାଇବାର ମୂଳ କାରଣ ହେଉଛି ଅତ୍ୟଧିକ ଚିନିଯୁକ୍ତ ଖାଦ୍ୟ ଖାଇବା, ରିଫାଇଣ୍ଡ ଖାଦ୍ୟ, ମଇଦା ଆଦି ଖାଇବା ଦ୍ୱାରା ଏହା ଦାନ୍ତର ଅବଡ଼ାଖବଡ଼ା ସ୍ଥାନରେ ଜମିଯାଏ। ଫଳରେ ଜମିଯାଇଥିବା ଖାଦ୍ୟଗୁଡ଼ିକ ବ୍ୟାକ୍ଟେରିଆ ସହ ମିଶି ଏସିଡ୍‌ ସୃଷ୍ଟି କରିଥାଏ।

ଯେଉଁମାନଙ୍କର ଡ୍ରାଏ ମାଉଥ୍‌ ବା ପାଟି ଶୁଖିଲା ରହେ, ସେମାନଙ୍କର ଦାନ୍ତରେ ବ୍ୟାକ୍ଟେରିଆ ଅଂଶ ବଢ଼ିଯାଏ। ଫଳରେ କ୍ୟାଭିଟି ହୋଇଥାଏ।

ଏହାସହ ଦାନ୍ତର ପରିଚ୍ଛନତା ପରିଚାଳନା ନ କଲେ ଦାନ୍ତରେ କ୍ୟାଭିଟି ହୋଇଥାଏ। ଆମେ କୌଣସି ଖାଦ୍ୟ ଖାଇସାରିବା ପରେ ଭଲକରି ବ୍ରସ୍‌ ନ କଲେ ବା କୁଳକୁଜା ନ କଲେ ଦାନ୍ତରେ କ୍ୟାଭିଟି ହୋଇପାରେ।

କେତେକ କ୍ଷେତ୍ରରେ ଦାନ୍ତକୁ ସଠିକ୍‌ ଭାବରେ ବ୍ରସ୍‌ କରିବା ପରେ ବା ଓରାଲ ହାଇଜିନ୍‌ ପରିଚାଳନା କରିବା ପରେ ବି ଦାନ୍ତର ସନ୍ଧିରେ ଖାଦ୍ୟଗୁଡ଼ିକ ଜମିଯାଏ। ତା’ ଯୋଗୁଁ ମଧ୍ୟ କ୍ୟାଭିଟି ହୋଇପାରେ।

ପିଲାଙ୍କର କ୍ୟାଭିଟି ହେବାର କାରଣ କ’ଣ? (Causes of tooth decay in children in Odia)

ପିଲାଙ୍କର ଦାନ୍ତରେ କ୍ୟାଭିଟି ହେବାର ମୂଳ କାରଣ ହେଉଛି, ସେମାନେ ଦାନ୍ତକୁ ଭଲ ଭାବରେ ବ୍ରସ୍‌ କରିବା କିମ୍ବା କୁଳକୁଜା କରିପାରନ୍ତି ନାହିଁ। ଫଳରେ ଦାନ୍ତରେ କ୍ୟାଭିଟି ହୋଇଥାଏ।

ଅଧିକ ପଢ଼ନ୍ତୁ: ଦାନ୍ତର ସଠିକ୍ ଯତ୍ନ, ଦାନ୍ତ ବିନ୍ଧାରୁ ମୁକ୍ତି ଦେଇଥାଏ

ଦାନ୍ତରେ କ୍ୟାଭିଟି ହେଲେ କ’ଣ ଲକ୍ଷଣ ଦେଖାଦିଏ? (Symptoms of a Dental Cavity in Odia)

ଦାନ୍ତରେ କ୍ୟାଭିଟି ହେବାର ପ୍ରାଥମିକ ଲକ୍ଷଣ ହେଉଛି ଦାନ୍ତରେ ଧଳା ଦାଗ ସୃଷ୍ଟି ହେବା ଓ ଧୀରେ ଧୀରେ ଏହା ବାଦାମୀ ରଙ୍ଗର ହୋଇ କଳା ରଙ୍ଗ ପଡ଼ିଯାଏ।

ଦାନ୍ତର ଡେଣ୍ଟିନ୍‌ ଯାଏଁ କ୍ୟାଭିଟି ବ୍ୟାପିଯାଇଥିଲେ, ଦାନ୍ତ ଝିମ୍‌ ଝିମ୍‌ ହେବା ତଥା ଥଣ୍ଡା କିମ୍ବା ଗରମ ଖାଇଲେ ଦାନ୍ତ ଝିମ୍‌ଝିମ୍‌ ହେବା ଭଳି ଲକ୍ଷଣ ଦେଖାଦିଏ।

ଦାନ୍ତରେ ଖାଦ୍ୟ ଜମିଯିବା।

ଦାନ୍ତର ଭିତର ସ୍ତର ତଥା ପଲ୍ପ ଯାଏଁ କ୍ୟାଭିଟି ବ୍ୟାପିଯାଇଥିଲେ ଦାନ୍ତ ବିନ୍ଧା ହୋଇଥାଏ। କେତେକ ଲୋକଙ୍କର ଅଳ୍ପ ବ୍ୟଥା ହୋଇଥାଏ, ଅଧିକ ଯନ୍ତ୍ରଣା ହୋଇପାରେ, ଶୋଇଲା ବେଳେ ବ୍ୟଥା ହୋଇଥାଏ, ମୁଣ୍ଡ ତଳକୁ ଯନ୍ତ୍ରଣା ହୋଇପାରେ, ବେଳେ ବେଳେ କାନ ବିନ୍ଧା, ମୁଣ୍ଡ ବିନ୍ଧା ମଧ୍ୟ ହୋଇପାରେ, ମାଢ଼ି ଫୁଲିଯିବା, ଆଖି ଫୁଲିଯିବା ଭଳି ଲକ୍ଷଣ ଦେଖାଦିଏ।

ଦାନ୍ତ ବିନ୍ଧାର ଚିକିତ୍ସା (Treatment of toothache in Odia)

ଦାନ୍ତର ଏକ୍ସରେ କରି ଜାଣିହୁଏ ଯେ, କେଉଁ ସ୍ଥାନରେ କ୍ୟାଭିଟି ହୋଇଛି। ଏହାପରେ ଫିଲିଂ କିମ୍ବା ରୁଟ୍‌ କେନାଲ କିମ୍ବା ଦାନ୍ତ ଓପାଡ଼ାଯିବ ତାହା ଦେଖାଯାଏ। ଯଦି ଦାନ୍ତର ଏନାମେଲ୍‌ ସ୍ତରରେ କ୍ୟାଭିଟି ହୋଇଛି, ତା’ହେଲେ କେବଳ ଫିଲିଂ କରାଯାଏ। ଯଦି ମଝି ସ୍ତର ଯାଏଁ କ୍ୟାଭିଟି ମାଡ଼ିଯାଇଛି, ତା’ ହେଲେ ରୁଟ୍‌ କେନାଲ ଚିକିତ୍ସା କରିବାକୁ ପଡ଼ିଥାଏ।

ଅଧିକ ପଢ଼ନ୍ତୁ: କିପରି ନେବେ ଛୋଟ ପିଲାଙ୍କ ଦାନ୍ତର ଯତ୍ନ?

କ୍ୟାଭିଟିକୁ ରୋକିବେ କିପରି? (Prevention of Cavity in Odia)

ଦାନ୍ତର କ୍ୟାଭିଟିକୁ ରୋକିବା ପାଇଁ ହେଲେ ଦାନ୍ତକୁ ସଠିକ୍‌ ଭାବରେ ବ୍ରସ୍‌ କରିବାକୁ ହେବ। ବ୍ରସ୍‌କୁ ୪୫ ଡିଗ୍ରୀରେ ଧରି ଦାନ୍ତର ଉପରୁ ତଳକୁ ଏବଂ ତଳୁ ଉପରକୁ କରି ସଫା କରିବା ଦରକାର।

ନିୟମିତ ବ୍ୟବଧାନରେ ଡେଣ୍ଟାଲ ଥ୍ରେଡ୍‌ ବ୍ୟବହାର କରିବା ଦରକାର।

ରାତିରେ ଶୋଇବା ପୂର୍ବରୁ ବ୍ରସ୍‌ କରିବା ନିହାତି ଜରୁରୀ।

ଚିନି, ମିଠା, ମଇଦା ଭଳି ଜିନିଷ ଖାଇବା କମ୍‌ କରନ୍ତୁ। ନଚେତ, ମିଠାଜାତୀୟ ଖାଦ୍ୟ ଖାଇସାରିବା ପରେ ଭଲ ଭାବରେ ବ୍ରସ୍‌ ଓ କୁଳକୁଜା କରନ୍ତୁ। ସବୁବେଳେ ଫ୍ଲୋରାଇଡ୍‌ ଯୁକ୍ତ ପେଷ୍ଟ ବ୍ୟବହାର କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ପ୍ରିତିଶ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Dental Cavity, in Odia language, is based on an extensive interview with Oral & Maxillofacial surgeon Dr Pritish Patnaik.