ସାପ କାମୁଡ଼ିଲେ ପ୍ରାଥମିକ ଚିକିତ୍ସା କ’ଣ କରିବେ? କେଉଁ ଦିଗ ପ୍ରତି ଧ୍ୟାନ ଦେବେ? ଆସନ୍ତୁ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଏବିଷୟରେ ଅଧିକ ଜାଣିବା।

ଓଡ଼ିଶାରେ ସାପ କାମୁଡ଼ା କେତେ ସାଧାରଣ? (The situation of Snakebite death in Odisha in Odia)

ଗାଁ ଗହଳିରେ ଆଜିବି ସାପ କାମୁଡ଼ିଲେ ଅନେକ ଲୋକେ ଅନ୍ଧବିଶ୍ୱାସକୁ ଆପଣାଉଛନ୍ତି, ଯାହା ଜୀବନ ପାଇଁ ବିପଦ। ସାପ କାମୁଡ଼ିଥିଲେ ଏହାର ସଫଳ ଚିକିତ୍ସା ରହିଛି। ଅନ୍ଧବିଶ୍ୱାସରେ ନପଡ଼ି ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିଲେ ଜୀବନ ବଞ୍ଚିଯିବ।

ଭାରତରେ ପାଖାପାଖି ୫୫୦ରୁ ଅଧିକ ପ୍ରଜାତିର ସାପ ଅଛନ୍ତି। ଏଥିମଧ୍ୟରୁ ୧୦ରୁ ୧୦ ପ୍ରଜାତିର ସାପ ବିଷଧର। ତେଣୁ, ସବୁ ସାପ କାମୁଡ଼ିଲେ ଜୀବନ ପ୍ରତି ବିପଦପୂର୍ଣ୍ଣ ହୋଇନଥାଏ।

ବିଭିନ୍ନ ପ୍ରଜାତିର ବିଷଧର ସାପକୁ ଜାଣନ୍ତୁ (Know different species of poisonous snakes in Odia)

୧୦ରୁ ୧୫ ପ୍ରଜାତିର ସାପ ବିଷଧର ହୋଇଥାଆନ୍ତି। ଏହି ସାପ କାମୁଡ଼ିବା ଦ୍ୱାରା ସ୍ନାୟୁ ଦୁର୍ବଳ ହୋଇଥାଏ। ଏହାଛଡ଼ା କେତେକ ସାପ ଭାସ୍କୁଲୋଟକ୍ସିକ୍‌ ଓ ହେମାଟୋଟକ୍ସିକ୍‌। ଏହି ପ୍ରଜାତିର ସାପ କାମୁଡ଼ିବା ଦ୍ୱାରା ବିଷ ରକ୍ତ କଣିକାକୁ ସଂକ୍ରମଣ କରିଥାଏ।

ମୁଖ୍ୟତଃ ଓଡ଼ିଶାରେ ଦେଖାଦେଉଥିବା ସାପଗୁଡ଼ିକ ନ୍ୟୁରୋଟକ୍ସିକ୍‌। କିନ୍ତୁ, ବୋଡ଼ା ସାପ ଭାସ୍କୁଲୋଟକ୍ସିକ୍‌।

ଅଧିକ ପଢ଼ନ୍ତୁ: ସାପ କାମୁଡ଼ିଲେ କେମିତି କରିବେ ପ୍ରାଥମିକ ଚିକିତ୍ସା

ସାପ କାମୁଡ଼ିଲେ କ’ଣ ଲକ୍ଷଣ ଦେଖାଯାଏ? (Symptoms of Snakebites in Odia)

କେଉଁ ପ୍ରଜାତିର ସାପ କାମୁଡ଼ିଛି? କେତେ ପରିମାଣର ବିଷ ଶରୀରକୁ ପ୍ରବେଶ କରିଛି? ସେହି ଅନୁଯାୟୀ ଲକ୍ଷଣ ପରିଲିଖିତ ହୁଏ। ଯଦି ଗୋଟେ ସାପ ରାଗିଯାଇ କାମୁଡ଼ିଥାଏ, ସମ୍ଭବତଃ ତା’ ଦେହରୁ ବେଶୀ ବିଷ ମଣିଷ ଶରୀରକୁ ପ୍ରବେଶ କରିଥାଇପାରେ।

ଚିତି ସାପ କାମୁଡ଼ିଲେ ତା’ର ଦାନ୍ତ ଚିହ୍ନ ଦେଖାଯାଏ ନାହିଁ। ଚିତି କାମୁଡ଼ିଥିବା ସ୍ଥାନ ଦରଜ ହେବା, ଫୁଲିବା ଓ ଲାଲ ହେବା ଭଳି ଲକ୍ଷଣ ଦେଖାଯାଏ ନାହିଁ। କିନ୍ତୁ, ନାଗ ସାପ କାମୁଡ଼ିଥିଲେ ଶରୀରରେ ଦାନ୍ତ ଚିହ୍ନ ଦେଖାଯିବା ସହ ଉକ୍ତ ସ୍ଥାନ ଫୁଲିଯାଏ।

ଭାସ୍କୁଲୋଟକ୍ସିକ୍‌ ସାପ କାମୁଡ଼ିଥିଲେ, ଶରୀରରେ ଦାନ୍ତ ଚିହ୍ନ ପଡ଼ିବା ସହ ଉକ୍ତ ସ୍ଥାନ ଫୁଲିଯାଏ, ରକ୍ତସ୍ରାବ ହୁଏ। କ୍ରମାଗତ ଭାବେ ବିଷଟି ଶରୀରରେ ଚରିଯାଏ। ଏହାଛଡ଼ା ବାନ୍ତି ଲାଗିବା, ପେଟ କାଟିବା, ଦେହରୁ ରକ୍ତସ୍ରାବ ହେବା ଏବଂ କ୍ରମାଗତ ଭାବେ ରକ୍ତସ୍ରାବ ହୋଇ କିଡ୍‌ନି ଖରାପ ହେବା ଭଳି ଲକ୍ଷଣ ଦେଖାଯାଏ।

ଯଦି ସାପ କାମୁଡ଼ିବା ଦ୍ୱାରା ସ୍ନାୟୁ ପ୍ରଭାବିତ ହୁଏ, ତେବେ ଆଖିକୁ ନ ଦିଶିବା, ଦୁଇ ଦୁଇଟା ଜିନିଷ ଦେଖାଯିବା, ଛେପ ଢୋକିବା ପାଇଁ କଷ୍ଟ ହେବା, ବେକରେ ଦୁର୍ବଳତା ଅନୁଭବ ହେବା, ମାଂସପେଶୀ ଦୁର୍ବଳତା, ପାଲାଲିସିସ୍‌ ହେବା, ନିଶ୍ୱାସ ନେବା ପାଇଁ କଷ୍ଟ ହୁଏ। ଫଳରେ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିପାରନ୍ତି। ଏସବୁ କ୍ଷେତ୍ରରେ ଡାକ୍ତରଙ୍କୁ ତୁରନ୍ତ ପରାମର୍ଶ କରିବା ଜରୁରୀ।

ସାପ କାମୁଡ଼ାର ପ୍ରାଥମିକ ଚିକିତ୍ସା କ’ଣ? (First aid for Snakebites in Odia)

ସାପ କାମୁଡ଼ିଥିବା ବ୍ୟକ୍ତିଙ୍କ ମନୋବଳ ଦୃଢ଼ ରଖିବା ଆବଶ୍ୟକ। କାରଣ ସବୁ ସାପ ବିଷଧର ନୁହଁନ୍ତି, ତେଣୁ ଡାକ୍ତରଙ୍କ ପରାମର୍ଶ କରି ଚିକିତ୍ସା କରାଇବା ଉଚିତ।

ସାପ କାମୁଡ଼ିବା ପରେ ଚେଷ୍ଟା କରିବେ ବିଷ ଯେପରି ଶରୀରରେ ଚରି ନଯାଏ। ବେଶୀ ହଲଚଲ ହେବେ ନାହିଁ, ବେଶୀ ଚାଲିବେ ନାହିଁ। ଯଦି ସାପ ହାତରେ କାମୁଡ଼ିଛି, ତାହାହେଲେ ସେହି ସ୍ଥାନକୁ ସାବୁନ୍‌ରେ ବାରମ୍ବାର ଧୋଇଦେବେ ଏବଂ ହାତକୁ ବେଶୀ ହଲଚଲ କରିବେ ନାହିଁ। ହାତର ଚଳାଚଳ କମ୍‌ ହେଲେ ବିଷ ବେଶୀ ସ୍ଥାନକୁ ମାଡ଼ିବ ନାହିଁ।

ସାପ ଗୋଡ଼କୁ କାମୁଡ଼ିଥିଲେ ଚେଷ୍ଟା କରିବେ ନ ଚାଲିବା ପାଇଁ। ସାପ କମୁଡ଼ିଥିବା ଜାଗାର ୫ ଇଞ୍ଚ ଉପରକୁ ବ୍ୟାଣ୍ଡେଜ୍‌ ବାନ୍ଧିବେ। ଧ୍ୟାନ ଦେବେ ଯେପରି ବ୍ୟାଣ୍ଡେଜ୍‌କୁ ବେଶୀ ଟାଇଟ୍‌କୁ ନ ବାନ୍ଧନ୍ତି। ଏହାଦ୍ୱାରା ରକ୍ତ ସଞ୍ଚାଳନ ହୋଇପାରିବ ନାହିଁ ଓ ସାପ କାମୁଡ଼ିଥିବା ସ୍ଥାନରେ ବିଷର ପ୍ରଭାବ ବେଶୀ ପଡ଼ି ଗାଙ୍ଗ୍ରିନ୍‌ ହେବାର ଆଶଙ୍କା ଥାଏ।

ଯଦି ସମ୍ଭବ, ତାହାହେଲେ କାମୁଡ଼ିଥିବା ସାପର ଫଟୋ ଉଠାଇପାରିବେ। ଏହାଦ୍ୱାରା ଡାକ୍ତର ଜାଣିପାରିବେ ସାପ ବିଷଧର କି ନୁହେଁ। ସେହିଅନୁସାରେ ଚିକିତ୍ସା ସହଜ ହୋଇଥାଏ।

ସାପ କାମୁଡ଼ାର କେମିତି ହୁଏ ପରୀକ୍ଷଣ? (Diagnosis of Snakebites in Odia)

ଲକ୍ଷଣ ଦେଖି ଜାଣିହୁଏ ସାପ କାମୁଡ଼ିଛି କି ନାହିଁ। ଏହାଛଡ଼ା ରକ୍ତ ଜମାଟ ବାନ୍ଧୁଛି କି ନାହିଁ ଜାଣିବା ପାଇଁ ରକ୍ତ ପରୀକ୍ଷା କରାଯାଏ। ଯେଉଁମାନଙ୍କର ରକ୍ତ ଜମାଟ ବାନ୍ଧୁ ନାହିଁ ସେମାନଙ୍କୁ ଆଣ୍ଟିସ୍ନେକ୍‌ ଭେନମ୍‌ ଦିଆଯାଏ।

କେଉଁ ସାପ କାମୁଡ଼ିଛି ତାହା ଜାଣିପାରିଲେ ଡାକ୍ତରଙ୍କ ପାଇଁ ଚିକିତ୍ସା କରିବା ସୁବିଧା ହୋଇଥାଏ।

ସାପ କାମୁଡ଼ାର ଚିକିତ୍ସା କେମିତି ହୁଏ? (Treatment of Snakebite in Odia)

ପ୍ରଥମେ କେଉଁ ପ୍ରକାରର ସାପ କାମୁଡ଼ିଛି, ତାହା ନିରୂପଣ କରାଯାଏ। ଅଧିକାଂଶ ସାପ ବିଷଧର ହୋଇ ନଥାଆନ୍ତି, ତେଣୁ ନ ଡରି ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

ଯଦି ବିଷଧର ସାପ କାମୁଡ଼ିଥାଏ, ତେବେ ତୁରନ୍ତ ଆଣ୍ଟିସ୍ନେକ୍‌ ଭେନମ୍‌ ଇଞ୍ଜେକ୍‌ସନ୍‌ ଦିଆଯାଏ। ୪ଟି ସାପର ବିଷକୁ ମିଶାଇ ଆଣ୍ଟିସ୍ନେକ୍‌ ଭେନମ୍‌ ମେଡିସିନ୍‌ ତିଆରି ହୋଇଛି। ରୋଗୀର ଅବସ୍ଥା ଦେଖି ଏହି ମେଡିସିନ୍‌ର ବ୍ୟବହାର କରାଯାଏ।

ଆଣ୍ଟିସ୍ନେକ୍‌ ଭେନମ୍‌ ମେଡିସିନ୍‌ ସବୁ ଡାକ୍ତରଖାନାରେ ମାଗଣାରେ ଉବଲବ୍ଧ। ସାପ କାମୁଡ଼ିବାର ତୁରନ୍ତ ବାଦ୍‌ ଡାକ୍ତରଙ୍କୁ ପରାମର୍ଶ କରିବା ନିହାତି ଜରୁରୀ।

ଚିକିତ୍ସାରେ ବିଳମ୍ବ ହେଲେ କ’ଣ ଅସୁବିଧା ହେବ? (Complication of Snakebites in Odia)

ସାପ କାମୁଡ଼ିବା ଯୋଗୁଁ ଯଦି ବିଷ ଶରୀରରେ ଖେଳିଯାଏ, ତେବେ କିଡ୍‌ନି ଫେଲ୍ୟୁୟର ବା ଅନ୍ୟ ଅଙ୍ଗ ନଷ୍ଟ ହେବାର ଆଶଙ୍କା ଥାଏ। ସ୍ନାୟୁଗତ ଦୁର୍ବଳତା କରୁଥିବା ସାପ କାମୁଡ଼ିଲେ ବ୍ୟକ୍ତିଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ ଫଳରେ ରୋଗୀଙ୍କୁ ଭେର୍ଟିଲେଟରରେ ରଖିବାକୁ ପଡ଼ିଥାଏ। ଏସବୁ ଜଟିଳତାକୁ ଏଡ଼ାଯାଇପାରିବ, ଯଦି ପ୍ରାରମ୍ଭିକ ଅବସ୍ଥାରେ ବ୍ୟକ୍ତିଙ୍କୁ ଆଣ୍ଟି ସ୍ନେକ୍‌ ଭେନମ୍‌ ଦିଆଯାଏ।

ଅନ୍ଧବିଶ୍ୱାସରୁ ଦୂରେଇ ରହନ୍ତୁ (Stay away from superstitions in Odia)

ସାପ କାମୁଡ଼ିଥିବା ଲୋକଙ୍କୁ ଆମେ ବଞ୍ଚାଇପାରିବା, ଯଦି ତାଙ୍କର ଚିକିତ୍ସା ପ୍ରାରମ୍ଭିକ ଅବସ୍ଥାରେ କରାଯାଏ। ଏନେଇ ସଚେତନତାର ଆବଶ୍ୟକ ରହିଛି। ଅଧିକାଂଶ ଲୋକ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଡାକ୍ତରଙ୍କ ପାଖକୁ ନ ଯାଇ ଝଡ଼ାଫୁଙ୍କା କରିଥାଆନ୍ତି, ମନ୍ଦିର ଯାଆନ୍ତି, ଗୁଣି ଗାରେଡ଼ି କରନ୍ତି। ହେଲେ ଏସବୁ କରିବା ଦ୍ୱାରା ବ୍ୟକ୍ତିଙ୍କ ଶରୀରରେ ବିଷ ଖେଳିଯାଏ, ଯାହା ସେମାନଙ୍କ ଜୀବନ ପ୍ରତି ବିପଦ ଥାଏ।

ଅଧିକାଂଶ ଲୋକ ସାପ କାମୁଡ଼ିଥିବା ଜାଗାରେ ଟାଇଟ୍‌ କରି ଏକ କପଡ଼ା ବାନ୍ଧି ଦିଅନ୍ତି। ହେଲେ ଏହାକୁ ଟାଇଟ୍‌ କରି ନ ବାନ୍ଧି ହାଲ୍‌କା ବାନ୍ଧନ୍ତୁ ଓ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ (Doctor’s Advice in Odia)

ମୁଖ୍ୟତଃ ବର୍ଷାଦିନରେ ସାପ କାମୁଡ଼ିବା ଅଧିକ ଦେଖାଦିଏ। ତେଣୁ ଆମକୁ ସଞ୍ଜତ ରହିବାର ଆବଶ୍ୟକତା ଅଛି। ବାହାରକୁ ଗଲାବେଳେ ଚପଲ ପିନ୍ଧି ବାହାରକୁ ଯାଆନ୍ତୁ। ଅନ୍ଧାରରେ ଗଲାବେଳେ ଲାଇଟ୍‌ ନେଇ ଯାଆନ୍ତୁ। ସାପକୁ ଆଘାତ ଲାଗିଲେ ସାପ କାମୁଡ଼ିଥାଏ।

ଥଣ୍ଡାଦିନଗୁଡ଼ିକରେ ଚିତି ସାପ ଘର ଭିତରକୁ ପଶି ଆସନ୍ତି। କେତେକ କ୍ଷେତ୍ରରେ ସେମାନେ କାମୁଡ଼ିଦିଅନ୍ତି। ଚିତି ସାପ କାମୁଡ଼ିଲେ କୌଣସି କଷ୍ଟ ଜଣାପଡ଼ିନଥାଏ। ତେଣୁ ଲୋକେ ଜାଣିପାରନ୍ତି ନାହିଁ ଓ ସାପ କାମୁଡ଼ିଥିବା ସ୍ଥାନ ପାରାଲିସିସ୍‌ ହୋଇଯିବା ପରେ ଡାକ୍ତରଙ୍କ ପାଖକୁ ଯାଇଥାଆନ୍ତି। ଏଭଳି କ୍ଷେତ୍ରରେ ସତର୍କ ରହିବାର ଆବଶ୍ୟକତା ରହିଛି।

ସ୍ଵାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟ୍‌ଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍‌’ ସହିତ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।

Note: This information on Snake Bites, in Odia language, is based on an extensive interview with Medicine Specialist Dr Srikant Kumar Dhar.