ନ୍ୟୁରୋପାଥୀ ହେବାର କାରଣ ସବୁ କ’ଣ? ଏହି ରୋଗ ହେଲେ ଶରୀରରେ କ’ଣ ସମସ୍ୟା ଦେଖାଯାଏ? ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଆସନ୍ତୁ ଏବିଷୟରେ ଅଧିକ ଜାଣିବା।

ଆମ ଶରୀରରେ ଥିବା ସ୍ନାୟୁ ମଣ୍ଡଳ ବା ନର୍ଭସ ସିଷ୍ଟମ ମସ୍ତିଷ୍କ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ। ଶରୀରରେ କୌଣସି ଅଙ୍ଗରେ କିଛି ବି ଘଟଣା ଘଟିଲେ ସ୍ନାୟୁ ମାଧ୍ୟମରେ ଏକ ସିଗନାଲ ମସ୍ତିଷ୍କକୁ ଯାଇଥାଏ। ଏହା ପରେ ଆମେ ଏହି ବିଷୟରେ ଜାଣି ପାରିଥାଉ। ଏହି ସ୍ନାୟୁରେ କୌଣସି ସମସ୍ୟା କିମ୍ବା ରୋଗ ହେଲେ, ଏହାକୁ ନ୍ୟୁରୋପାଥୀ ବୋଲି କୁହାଯାଏ।

ନର୍ଭ ବା ସ୍ନାୟୁ ମୁଖ୍ୟତଃ ତିନି ପ୍ରକାରର। ଯଥା ସେନ୍‌ସୋରି ନର୍ଭ, ମୋଟର ନର୍ଭ, ଅଟୋନୋମିକ୍‌ ନର୍ଭ।

ସେନ୍‌ସୋରି ନର୍ଭ: ଶରୀରରେ କୌଣସି ଅଙ୍ଗରେ କିଛି ବି ସମ୍ବେଦନଶୀଳତା ହେଲେ ସେନ୍‌ସୋରି ସ୍ନାୟୁ ମାଧ୍ୟମରେ ସିଗ୍‌ନାଲ ନେଇ ମସ୍ତିଷ୍କକୁ ପହଞ୍ଚାନ୍ତି। ଯାହାଦ୍ୱାରା ଆପଣ ଗରମ, ଥଣ୍ଡା ବା ଯନ୍ତ୍ରଣା ଅନୁଭବ କରିପାରନ୍ତି।

ମୋଟର ନର୍ଭ: ମସ୍ତିଷ୍କରୁ ଇମ୍‌ପଲ୍ସ ଯାଇ ମୋଟର ନର୍ଭ ଦେଇ ମାଂସପେଶୀକୁ ଯାଏ। ମାଂସପେଶୀ ଦ୍ୱାରା ଆମେ ବିଭିନ୍ନ ପ୍ରକାର କାମ କରିପାରୁ, ଯେପରିକି ଲେଖିବା, ଚାଲିବା, କଥା କହିବା ସେଗୁଡ଼ିକ ମୋଟର ନର୍ଭ ଦ୍ଵାରା ହୋଇଥାଏ।

ଅଟୋନୋମିକ୍‌ ନର୍ଭସ୍‌ ସିଷ୍ଟମ୍‌: ନିଶ୍ୱାସ ପ୍ରଶ୍ୱାସ ନେବା, ହୃଦୟ କାମ କରିବା, ଖାଦ୍ୟ ହଜମ ହେବା ଭଳି କାର୍ଯ୍ୟଗୁଡ଼ିକ ଅଟୋନୋମିକ୍‌ ନର୍ଭସ୍‌ ସିଷ୍ଟମ୍‌ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ।

ଏହିସବୁ ନର୍ଭସ ସିଷ୍ଟମ୍‌ ମାଧ୍ୟମରେ ଇମ୍‌ପଲ୍ସ ଆସି ମସ୍ତିଷ୍କକୁ ସକ୍ରିୟ କରିଥା’ନ୍ତି। ଯଦି ଏହି ସ୍ନାୟୁରେ କୌଣସି ସମସ୍ୟା ହୁଏ, ତେବେ ତାକୁ ପେରିଫେରାଲ ନ୍ୟୁରୋପାଥୀ କହିଥାଉ।

ନ୍ୟୁରୋପାଥୀ ରୋଗର କାରଣ (Causes of Neuropathy in Odia)

ବିଭିନ୍ନ କାରଣ ଯୋଗୁଁ ପେରିଫେରାଲ ନର୍ଭସ୍‌ ସିଷ୍ଟମ୍‌ ଉପରେ ପ୍ରଭାବ ପଡ଼ିଥାଏ। ପେରିଫେରାଲ ନ୍ୟୁରୋପାଥୀର ସବୁଠୁ ବଡ଼ କାରଣ ହେଲା ଡାଏବେଟିସ୍‌ ରୋଗ, ଭିଟାମିନ୍‌ ଅଭାବ ହେଲେ, ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଲେ, କର୍କଟ ଜନିତ ଔଷଧ ସେବନ କରୁଥିଲେ, ଟ୍ରୋମା ବା ଦୁର୍ଘଟଣାରେ ଆଘାତ ହୋଇଥିଲେ, ଅଟୋଇମ୍ୟୁନ୍‌ ଡିଜିଜ୍‌ ଯେପରିକି ଏସ୍‌ଏଲ୍‌ଇ, ରିଉମାଟୋଏଡଥ ଆର୍ଥାଇଟିସ୍‌ ଯୋଗୁଁ ମଧ୍ୟ  ପେରିଫେରାଲ ନର୍ଭସ୍‌ ସିଷ୍ଟମ୍‌ ଉପରେ ପ୍ରଭାବ ପଡ଼ିଥାଏ।

ନ୍ୟୁରୋପାଥୀ ରୋଗର ଲକ୍ଷଣ (Symptoms of Neuropathy in Odia)

ସେନ୍‌ସୋରି ନର୍ଭ, ମୋଟର ନର୍ଭ, ଅଟୋନୋମିକ୍‌ ନର୍ଭସ୍‌ ସିଷ୍ଟମ୍‌ରେ କୌଣସି ପ୍ରଭାବ ପଡ଼ିଲେ ନ୍ୟୁରୋପାଥୀ ସମସ୍ୟା ହୋଇପାରେ। ଯଦି ସେନ୍‌ସୋରି ସିଷ୍ଟମ୍‌ରେ ପ୍ରଭାବ ପଡ଼େ, ତେବେ ସକରାତ୍ମକ ଲକ୍ଷଣ ଓ ନକରାତ୍ମକ ଲକ୍ଷଣ ଜଣାପଡ଼ିଥାଏ। ସକରାତ୍ମକ ଲକ୍ଷଣଗୁଡ଼ିକ ହେଲା, ଗୋଡ଼ରେ ଯନ୍ତ୍ରଣା ହୁଏ, ଚାଲିବା ବେଳେ ପାଦ ବଧିରା ଭଳି ଲାଗିବା, ବେଳେ ବେଳେ ବରଫ ବା କଣ୍ଟା ଉପରେ ଚାଲିବା ଭଳି ଅନୁଭବ ହୁଏ, ଗୋଡ଼ରେ ଏତେମାତ୍ରାରେ ଯନ୍ତ୍ରଣା ହୁଏ ଯେ ଶୋଇହୁଏ ନାହିଁ ଏବଂ ଗୋଡ଼ ଜଳିଲା ଭଳି ଲାଗେ।

ନକରାତ୍ମକ ଲକ୍ଷଣ ହେଲା, ସ୍ପର୍ଶ, ଯନ୍ତ୍ରଣା ଅନୁଭବ କରିପାରନ୍ତି ନାହିଁ। ପାଦରେ କିଛି ଆଘାତ ହେଲେ ଜାଣିପାରନ୍ତି ନାହିଁ। ବେଳେ ବେଳେ ମଶା କାମୁଡ଼ିଲେ ବି ସେମାନେ ଅନୁଭବ କରିପାରନ୍ତି ନାହିଁ।

ପେରିଫେରାଲ ନର୍ଭ ସିଷ୍ଟମ୍‌ରେ ପ୍ରଭାବ ପଡ଼ିଲେ ଦୁର୍ବଳ ଲାଗିଥାଏ। କୌଣସି କାର୍ଯ୍ୟ ଯେପରିକି ଲେଖିବା, ଚାଲିବାରେ ଅସୁବିଧା ହୁଏ। ମାଂସପେଶୀ ଶୁଖିଯାଏ ଓ ହାତ ଥରେ।

ଯଦି ଅଟୋମେଟିକ୍‌ ନର୍ଭ ସିଷ୍ଟମ୍‌ ଦୁର୍ବଳ ହୋଇଯାଏ, ତେବେ ଝାଳ ବାହାରିବା କମିଯାଏ, କୋଷ୍ଠକାଠିନ୍ୟ ଦେଖାଯାଏ, ପରିସ୍ରାକୁ ନୟନ୍ତ୍ରଣ କରିପାରନ୍ତି ନାହିଁ, ହଠାତ୍‌ ଉଠିପଡ଼ିଲେ ମୁଣ୍ଡ ବୁଲେଇ ହୋଇ ତଳେ ପଡ଼ିଯା’ନ୍ତି।

ନ୍ୟୁରୋପାଥୀ ଜନିତ ବିଭିନ୍ନ ସମସ୍ୟା (Problems of Neuropathy in Odia)

ପେରିଫେରାଲ ନ୍ୟୁରୋପାଥୀ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ ହୋଇଛି।

୧.  ମନୋ ନ୍ୟୁରୋପାଥୀ: ଯେଉଁଥିରେ ଗୋଟିଏ ନ୍ୟୁରୋ ବା ସ୍ନାୟୁ ପ୍ରଭାବିତ ହୁଏ। ସାଧାରଣତଃ ମହିଳାଙ୍କ ହାତ ରାତିରେ ଶୂନ ହୋଇଯାଇଥାଏ। ରାତିରେ ସଠିକଭ୍ ଭାବରେ ଶୋଇପାରନ୍ତି ନାହିଁ। ଆମର କଚୋଟି ପାଖରେ ଏକ ମିଡିଆ ନର୍ଭ ରହିଛି, ଯାହା ସଙ୍କୋଚିତ ହୋଇ ଏହା ହୋଇଥାଏ। କିଛି ସମୟ ଲେଖିବା ପରେ ସେମାନଙ୍କ ହାତ ଝିମ୍‌ ଝିମ୍‌ ହୋଇଥାଏ। ଏହା ଜିନ୍‌ ଗତ କାରଣ ଯୋଗୁଁ ବା ଭିଟାମିନ୍‌ ଅଭାବ ଯୋଗଁ ହୋଇଥାଏ।

୨. ପଲି ନ୍ୟୁରୋପାଥୀ: ଯେଉଁଥିରେ ଅଧିକ ନ୍ୟୁରୋ ବା ସ୍ନାୟୁ ପ୍ରଭାବିତ ହୁଏ।

 ନ୍ୟୁରୋପାଥୀର ପରୀକ୍ଷଣ (Diagnosis of Neuropathy in Odia)

ପ୍ରଥମେ ରୋଗୀର ଅସୁବିଧା ଓ ଇତିହାସ ପଚାରି ବୁଝାଯାଏ। ଏହାପରେ ପାଦକୁ ସ୍ପର୍ଶ କରି ଓ ଛୁଞ୍ଚି ଫୋଡ଼ି ଦେଖାଯାଏ ଯେ, ରୋଗୀଙ୍କୁ କିପରି ଲାଗୁଛି। ଏହାପରେ ନର୍ଭ କଣ୍ଡକ୍ସନ୍‌ ସ୍ଟଡି ବା ଇଏମ୍‌ଜି ଷ୍ଟଡି କରାଯାଏ। ଏହାସହ ରକ୍ତପରୀକ୍ଷା କରାଯାଏ।

ନ୍ୟୁରୋପାଥୀର ଚିକିତ୍ସା (Treatment of Neuropathy in odia)

ନ୍ୟୁରୋପାଥୀର କାରଣ ଜାଣି ଏହାର ଚିକିତ୍ସା ଭିନ୍ନ ଭିନ୍ନ।

ଡାଏବେଟିସ୍‌ ନ୍ୟୁରୋପାଥୀ ଥରେ ହେଲେ ପାଦର ସେନ୍‌ସେସନ୍‌ କମିଯାଏ। କିଛି ଖଣ୍ଡିଆ ହେଲେ, ସେଗୁଡ଼ିକ ଧୀରେ ଧୀରେ ବ୍ୟାପିଯାଏ। କେତେକ କ୍ଷେତ୍ରରେ ଗୋଡ଼ କାଟିବାକୁ ପଡ଼ିଥାଏ। ଯଦି ଡାଏବେଟିକ୍‌ ପଲିନ୍ୟୁରୋପାଥୀ ଅଛି, ତେବେ ସତର୍କ ରହିବା ନିହାତି ଜରୁରୀ।

କ’ଣ ସତର୍କତା ଅବଲମ୍ବନ କରିବେ? (Precautions of Neuropathy in Odia)

ସବୁଦିନେ ଗୋଡ଼କୁ ସଫା ରଖିବାର ଆବଶ୍ୟକତା ଅଛି।

ଉଷୁମ ପାଣିରେ ନରମ କପଡ଼ା ବୁଡ଼ାଇ ପାଦକୁ ପୋଛନ୍ତୁ। ଆଙ୍ଗୁଠିର ସନ୍ଧିକୁ ମଧ୍ୟ ସଫା ରଖନ୍ତୁ।

ଡାଏବେଟିସ୍‌ ନ୍ୟୁରୋପାଥୀ ହେଲେ ଗୋଡ଼ ଶୁଷ୍କ ହୋଇଯାଏ, ତେଣୁ ମଇଶ୍ଚରାଇଜର ବ୍ୟବହାର କରିବା ଦରକାର।

ଘର ଭିତର କିମ୍ବା ବାହାରେ ନରମ ଚପଲ ବ୍ୟବହାର କରନ୍ତୁ।

ରାତିରେ ଶୋଇବା ବେଳେ ମୋଜା ପିନ୍ଧନ୍ତୁ।

ନଖ ବଡ଼ ଥିଲେ କାଟିକି ଛୋଟ କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on causes, symptoms, treatment & prevention of Neuropathy, in Odia language, is based on an extensive interview with neurologist Dr Subhansu Sekhar Jena.