ଭ୍ରମଣ କରିବା ସମୟରେ ଅନେକ ଲୋକ ଖାଦ୍ୟ ଖରାପ ହୋଇଯିବ ବୋଲି ଭାବି ଘରୁ ଖାଦ୍ୟ ନେଇନଥାନ୍ତି ଓ ବାହାରେ ଖାଇବାକୁ ପସନ୍ଦ କରିଥା’ନ୍ତି। ହେଲେ ବାହାର ଖାଦ୍ୟ ଓ ପାଣି ପିଇ ବିଭିନ୍ନ ରୋଗରେ ପଡ଼ନ୍ତି। ତେଣୁ ଭ୍ରମଣ ସମୟରେ ଘରୁ ତିଆରି କରି ଖାଦ୍ୟ ନିଅନ୍ତୁ।

ଭ୍ରମଣ ସମୟରେ କେଉଁଭଳି ଖାଦ୍ୟ ଖାଇବେ?

ପୁରି ବା ପରଟା: ଭ୍ରମଣ କରିବାକୁ ଯିବା ପୂର୍ବରୁ ସବୁବେଳେ ଖାଦ୍ୟର ଯୋଜନା କରିବା ଭଲ। ଦୂରସ୍ଥାନକୁ ଯିବାକୁ ଥିଲେ ସାଙ୍ଗରେ ପୁରି କିମ୍ବା ପରଟା ନେଇଯିବା ଏକ ଭଲ ବିକଳ୍ପ। ପୁରି ସହିତ ଆପଣ ଚଟଣି କିମ୍ବା ଆଳୁକଷା ଲଗାଇ ଖାଇପାରିବେ। ଏହିସବୁ ଜିନିଷ ଏତେ ଶୀଘ୍ର ନଷ୍ଟ ହୋଇନଥାଏ। ସେହିଭଳି ପରଟା  ପାଇଁ ଅଟା ଦଳିବା  ସମୟରେ ପାଣି ବଦଳରେ କ୍ଷୀର ବ୍ୟବହାର କରନ୍ତୁ। ଏହା ଦୀର୍ଘ ସମୟ ଯାଏଁ ପରଟା ଓ ପୁରିକୁ ନରମ ରଖିଥାଏ। ଆବଶ୍ୟକ ହେଲେ ଆପଣ ପରଟାରେ କିଛି ପରିବା ଯେପରିକି ମେଥି, ମୂଳା, ଆଳୁ, ପାଳଙ୍ଗ ପ୍ରଭୃତି ପକାଇ ପ୍ରସ୍ତୁତ କରିପାରିବେ।

ଇନଷ୍ଟାଣ୍ଟ ଫୁଡ୍‌: ଆଜିକାଲି ବଜାରରେ ବହୁତ ଇନଷ୍ଟାଣ୍ଟ ଖାଦ୍ୟ ମିଳୁଛି। ଏଥିପାଇଁ ଆପଣଙ୍କୁ  ଅଧିକ କିଛି କରିବାର ଆବଶ୍ୟକତା ନାହିଁ। କେବଳ ଗରମ ପାଣିରେ ଏହାକୁ ପକାଇ ଆପଣ ଖାଦ୍ୟର ମଜା ଉଠାଇପାରିବେ। ଏଥିଲାଗି ସାଙ୍ଗରେ ଇନଷ୍ଟାଣ୍ଟ ଉପମା, ନୁଡୁଲ୍ସ ଆଦି ନେଇ ଯାଆନ୍ତୁ। ଆବଶ୍ୟକ ସମୟରେ ଥର୍ମୋଫ୍ଲାସ୍କରୁ ଗରମ ପାଣି ଏଥିରେ ମିଶାଇ ଖାଇପାରିବେ।

ଶୁଖିଲା ଜଳଖିଆ: ସାଧାରଣତଃ ସନ୍ଧ୍ୟା ସମୟରେ ଲୋକମାନେ ଟିକେ ଚଟାପଟ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ଭ୍ରମଣ ସମୟରେ ଏପରି ଇଚ୍ଛା ହେଲେ ଲୋକେ ବାହାରୁ ଟିଫିନ ଯେପରିକି ବରା, ସିଙ୍ଗଡ଼ା, ଆଳୁଚପ ପ୍ରଭୃତି ଛଣାଛଣି ଖାଆନ୍ତି,  ଯାହାକି ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ତାକୁ ଏଡ଼ାଇବା ଲାଗି ଆପଣ ନିଜ ସହିତ ଶୁଖିଲା ସ୍ନାକ୍ସ ଯେପରିକି ଭଜା ଚୁଡ଼ା, ସେଉ ଭଜା, ଗାଣ୍ଠିଆ, ମୁଗ କିମ୍ବା ବୁଟର ଭଜା ଡାଲି, ଚଣା ଭଜା, ଚିପ୍ସ, ବିସ୍କୁଟ, ଫଳ ଯେପରିକି କଦଳୀ, ସେଓ, କମଳା ଆଦି ସାଙ୍ଗରେ ନିଅନ୍ତୁ। ସାଙ୍ଗରେ ଡ୍ରାଏଫ୍ରୁଟ୍ସ ବି ନେଇପାରିବେ।