ବେଳେ ବେଳେ ଛୋଟଛୁଆମାନେ ଟିକେ ଟିକେ କଥାରେ ଚିଡ଼ି ଯାଆନ୍ତି। ସେହି ସମୟରେ ସେମାନଙ୍କ ରାଗକୁ କିପରି ନିୟନ୍ତ୍ରଣ କରିବେ ଆସନ୍ତୁ ଜାଣିବା।

ଅଧିକାଂଶ ସମୟରେ ଛୋଟପିଲାମାନେ କୌଣସି କାରଣ ପାଇଁ ଅଧିକ କ୍ରୋଧିତ ହୋଇଯାଆନ୍ତି। ବାରମ୍ବାର ପଚାରିବା ସତ୍ତ୍ଵେ ମଧ୍ୟ ଉତ୍ତର ଦିଅନ୍ତି ନାହିଁ। ଅଧିକ ରାଗ ଯୋଗୁଁ ଅନେକ ପିଲା ଘରର ଜିନିଷପତ୍ର ଭଙ୍ଗାରୁଜା କରିବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନ୍ତି। ସେମାନଙ୍କ ରାଗ ଶାନ୍ତ କରାଇବା ନେଇ ବାପାମା’ମାନେ ଚିନ୍ତିତ ହୋଇପଡ଼ନ୍ତି। ବିଭିନ୍ନ ଜିନିଷ ଦେଇ ସେମାନଙ୍କୁ ବୁଝେଇବା ପାଇଁ ଚେଷ୍ଟା କରି ବିଫଳ ହୋଇଯାଆନ୍ତି। ରାଗି ଥିବା ସମୟରେ ଏପରି କିଛି କୌଶଳର ପ୍ରୟୋଗ କରନ୍ତୁ ଯାହା ପିଲାର ରାଗ ଶାନ୍ତ କରାଇଦେଇଥାଏ।

ପିଲାଙ୍କୁ ସେମାନଙ୍କ ଭାବନା ବିଷୟରେ କହିବାକୁ ଉତ୍ସାହିତ କରନ୍ତୁ:

ପିଲାମାନେ ସହଜରେ ସେମାନଙ୍କ ମନ କଥା ପ୍ରକାଶ କରିପାରନ୍ତି ନାହିଁ। ତେଣୁ ସେମାନଙ୍କୁ ନିଜ କଥା କହିବା ପାଇଁ ଉତ୍ସାହିତ କରନ୍ତୁ। ପିଲାମାନେ କ’ଣ ଚାହୁଁଛନ୍ତି ତା ସମ୍ପର୍କରେ ପଚାରି ବୁଝନ୍ତୁ। ସେମାନଙ୍କ ସହ ସାଙ୍ଗ ଭଳି ରହିଲେ, ସେମାନେ ସବୁ କଥା ସେୟାର କରିବେ। ଛୁଆମାନଙ୍କଠାରୁ ସଂପୂର୍ଣ୍ଣ କଥା ଜାଣି ସାରିବା ପରେ ସମସ୍ୟାର ସମାଧାନ କରିପାରିବେ।

ଶାନ୍ତ ରହନ୍ତୁ:

ଛୁଆମାନଙ୍କ ରାଗ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗି ରହିଥାଏ। ସେମାନଙ୍କୁ ବୁଝାଇବା ପାଇଁ ଧୈର୍ଯ୍ୟର ଆବଶ୍ୟକତା ରହିଛି। ତେଣୁ ବାପାମା’ମାନେ ନ ରାଗି ପିଲାଙ୍କ କଥା ଜାଣିବାକୁ ଚେଷ୍ଟା କରନ୍ତୁ। ବଡ଼ଲୋକମାନେ ରାଗିଯିବା ଫଳରେ ସମସ୍ୟାର ସମାଧାନ ହୋଇପାରିନଥାଏ। ଯଦି ଆପଣଙ୍କୁ ବିରକ୍ତିକର ମନେ ହେଉଛି ତେବେ କିଛି ସମୟ ପିଲାଙ୍କଠାରୁ ଦୂରକୁ ପଳାନ୍ତୁ। ସେମାନଙ୍କୁ କିଛି ସମୟ ପାଇଁ ଛାଡ଼ିଦିଅନ୍ତୁ। ପରେ କୌଣସି ଉପାୟରେ ପିଲାର ଅସୁବିଧା ବାବଦରେ ଜାଣି ତା’ର ସମାଧାନ କରନ୍ତୁ।

ପିଲାମାନଙ୍କୁ ଧ୍ୟାନ ଦିଅନ୍ତୁ:

କ୍ରୋଧ ସମୟରେ ପିଲାମାନେ ଅଜାଣତରେ ଅନେକ କାମ କରିଦିଅନ୍ତି, ଯାହା ବିଷୟରେ ସେମାନେ ଅବଗତ ନୁହଁନ୍ତି। ଏପରିସ୍ଥଳେ ବାପାମା’ମାନେ ପିଲା ଉପରେ ଧ୍ୟାନ ଦେବା ଜରୁରୀ। ପିଲାଙ୍କ ସାମ୍ନାରେ ନ ରହି ସେମାନଙ୍କ ଆଢ଼ୁଆଳରେ ରହି ତାଙ୍କ ଉପରେ ନଜର ରଖନ୍ତୁ।

ସଠିକ ସମୟରେ ଖାଇବାକୁ ଦିଅନ୍ତୁ

ପିଲାମାନେ ଭୋକିଲା କିମ୍ବା କ୍ଳାନ୍ତ ହେଲେ ଅଧିକ ଚିଡ୍‌ ଚିଡ୍‌ ହୋଇଯାଆନ୍ତି। ସଠିକ ସମୟରେ ସେମାନଙ୍କୁ ଖାଇବାକୁ ଦିଅନ୍ତୁ। ରାଗି ଥିବା ସମୟରେ ସେମାନଙ୍କର ପ୍ରିୟ ଖାଦ୍ୟ ଖାଇବା ଫଳରେ ରାଗ ଶାନ୍ତ ହୋଇଯାଏ। ପ୍ରଥମେ ସାମ୍ନାରେ ଖାଇବା ଥାଳି ରଖି ପରେ ପ୍ରଶ୍ନ ପଚାରନ୍ତୁ।