ପ୍ରଥମ ଋତୁସ୍ରାବ ହେଲେ ଝିଅମାନେ ସାଧାରଣତଃ ଡରି ଯାଆନ୍ତି। ତେଣୁ, ନିଜ ଝିଅକୁ ପ୍ରଥମ ପିରିୟଡ୍‌ ହେବା ପୂର୍ବରୁ ହିଁ ଶାରୀରିକ ମାନସିକ ଭାବେ ପ୍ରସ୍ତୁତ କରାନ୍ତୁ।

ଅଧିକାଂଶ ମହିଳା ନିଜର ପ୍ରଥମ ପିରିୟଡ୍ ବା ଋତୁସ୍ରାବର ଅନୁଭବକୁ ମନେ ରଖିଥା’ନ୍ତି। ଆଜିକାଲିର ମୋବାଇଲ, ଟିଭି, ସୋସିଲ ମିଡିଆ ଯୁଗରେ ଏ ବିଷୟରେ ତଥ୍ୟ ହାସଲ କରିବା କିଛି ବିଚିତ୍ର କଥା ନୁହେଁ। ତଥାପି ମଧ୍ୟ ପିଲାମାନଙ୍କ ଅପେକ୍ଷା ଅଭିଭାବକମାନେ ଏ ସଂପର୍କରେ ନିଶ୍ଚିତ ଭାବେ ଅଧିକ ଜାଣିଥା’ନ୍ତି। ତେଣୁ ଏ ସଂପର୍କରେ ଝିଅମାନଙ୍କୁ ସଚେତନ କରିବା ଏବଂ ମାନସିକ ଭାବେ ପ୍ରସ୍ତୁତ ରଖିବା ଜରୁରୀ।

କଥା ହୁଅନ୍ତୁ: ଆଜିକାଲି ୯-୧୧ ବର୍ଷ ବୟସରେ ବି ଝିଅମାନଙ୍କର ପ୍ରଥମ ଋତୁସ୍ରାବ ହୋଇଯାଉଛି। ତେଣୁ ତାଙ୍କୁ ପୂର୍ବରୁ ଏଥିପାଇଁ ପ୍ରସ୍ତୁତ ରଖିବା ନିହାତି ଆବଶ୍ୟକ। ପିଲାର ମାନସିକ ସ୍ଥିତିକୁ ଦେଖି ତା’ ସହ ଏ ନେଇ କଥା ହୁଅନ୍ତୁ। ହୁଏତ ଏ ସବୁ ତା’ ଲାଗି ଏକ ଆଘାତ ଭଳି ହୋଇଥିବ, ତେଣୁ ତାକୁ ବୁଝାଇବା ଜରୁରୀ। ପିଲାଟି ଏ ନେଇ ପ୍ରଶ୍ନ କଲେ ତାକୁ ନ ଟାଳି ଉତ୍ତର ଦିଅନ୍ତୁ। ଏହା କୌଣସି ରୋଗ ନୁହେଁ, ଏହା କେବଳ ଏକ ଶାରୀରିକ ପରିବର୍ତ୍ତନ ବୋଲି ବୁଝାନ୍ତୁ।

ସବୁକଥା ଜଣାନ୍ତୁ: ସାଧାରଣତଃ ୧୧-୧୪ ବର୍ଷ ବୟସରେ ଝିଅମାନଙ୍କର ପ୍ରଥମ ଋତୁସ୍ରାବ ହୋଇଥାଏ। ପ୍ରଥମ ଋତୁସ୍ରାବଠାରୁ ଦ୍ୱିତୀୟ ଋତୁସ୍ରାବର ବ୍ୟବଧାନ ୨୫-୩୫ ଦିନ ହୋଇଥାଏ। ପ୍ରାଥମିକ ଭାବେ କିଛି ବର୍ଷ ଋତୁସ୍ରାବର ରଙ୍ଗ ହାଲକା ଲାଲ, ଗାଢ଼ ଲାଲ ବା କଳା ବି ହୋଇପାରେ। ଏହା ୪-୭ ଦିନ ଯାଏ ଜାରି ରହିପାରେ। ଏହାକୁ ନେଇ ଭୟଭୀତ ହେବାର କାରଣ ନାହିଁ। ସେହିପରି କିଛି ମାସ ଯାଏ ଋତୁସ୍ରାବ ନିୟମିତ ବି ହୁଏନାହିଁ। ଏପରିସ୍ଥଳେ ଭୟଭୀତ ହେବାର କିଛି କାରଣ ନାହିଁ ବୋଲି ବୁଝାନ୍ତୁ। ପ୍ରଥମେ ପ୍ରଥମେ ଝିଅମାନଙ୍କର ଅଧିକ ଋତୁସ୍ରାବ ହୋଇଥାଏ। ତେଣୁ ପ୍ରତି ୪-୫ ଘଣ୍ଟାରେ ତାକୁ ପ୍ୟାଡ୍ ବଦଳାଇବା ପାଇଁ ଶିଖାନ୍ତୁ। ପରିସ୍କାର ରହିବା ଉପରେ ଧ୍ୟାନ ଦେବାକୁ ବୁଝାନ୍ତୁ।

ଶାରୀରିକ ପରିବର୍ତ୍ତନ: ପ୍ରଥମ ଋତୁସ୍ରାବ ହେବାର କିଛି ଦିନ ପୂର୍ବରୁ ଝିଅମାନଙ୍କର ଶରୀରରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଡାକ୍ତରମାନଙ୍କ ଅନୁସାରେ ଝିଅମାନଙ୍କର କାଖ ତଳେ କେଶ ଉଠିଲେ ଯେକୌଣସି ସମୟରେ ଋତୁସ୍ରାବ ହୋଇପାରେ ବୋଲି ଧରି ନିଆଯାଏ। ଏପରିସ୍ଥଳେ ପିଲାଟି ଯେପରି ଅଚାନକ ଏହା ଦେଖି ଭୟଭୀତ ନ ହେବ ସେଥିଲାଗି ତାକୁ ମାନସିକ ଭାବେ ପ୍ରସ୍ତୁତ କରିବା ଜରୁରୀ।

ପିରିୟଡ୍ସ କିଟ୍ ବନାନ୍ତୁ: ପ୍ରଥମ ଥର ଋତୁସ୍ରାବ ହେବା ପୂର୍ବରୁ କିଶୋରୀଙ୍କ ପାଇଁ ପିରିୟଡ୍ସ କିଟ୍ ବନାନ୍ତୁ। ଏକ ପାଉଚରେ କିଛି ସାନିଟାରୀ ନାପ୍‌କିନ୍, ପ୍ୟାଣ୍ଟି ଏବଂ ଟିସ୍ୟୁ ପେପର ରଖିଦିଅନ୍ତୁ। ପିଲାକୁ ଏହାକୁ ସବୁ ସମୟରେ ବ୍ୟାଗ୍‌ରେ ରଖିବାକୁ କହନ୍ତୁ। ଅଚାନକ ଆବଶ୍ୟକ ପଡ଼ିଲେ ତାକୁ ବ୍ୟବହାର କରିବାକୁ ସଚେତନ କରାନ୍ତୁ।

ସମସ୍ୟା ବିଷୟରେ ସଚେତନ କରନ୍ତୁ: ଋତୁସ୍ରାବ ସମୟରେ ଅନେକଙ୍କର ମୁହଁରେ ବ୍ରଣ, ଅଣ୍ଟା ବିନ୍ଧା, ପେଟ କାଟିବା, ଗୋଡ଼ ବ୍ୟଥା, ଛାତି ଦରଜ ହୋଇଯିବା, ଗ୍ୟାସ୍‌ ହେବା ଭଳି ସମସ୍ୟା ହୋଇଥାଏ। ଏପରିସ୍ଥଳେ ଏହିସବୁ ଶାରୀରିକ ସମସ୍ୟା ସଂପର୍କରେ ପିଲାକୁ ଜଣାନ୍ତୁ। ଏ ସମୟରେ କିଶୋରୀମାନଙ୍କର ମୁଡ୍ ପରିବର୍ତ୍ତନ ବି ହୁଏ। ଏସବୁ ସମସ୍ୟା ସାଧାରଣ ଏବଂ ଏହା କିଛି କ୍ଷତିକାରକ ନୁହେଁ ବୋଲି ତାକୁ ବୁଝାନ୍ତୁ। ଏପରି ହେଲେ ପିଲାର ପ୍ରଥମ ଋତୁସ୍ରାବ ଏକ ସୁଖଦ ଅନୁଭବ ହୋଇ ରହିବ।