ଡାକ୍ତର ସତ୍ୟକାମ ମହାପାତ୍ର

Anxiety Disorder_mental health

ଆମ ସମସ୍ତଙ୍କ ପାଇଁ ପୁଣି ଥରେ ଏକ କଠିନ ଲଢ଼େଇର ସମୟ ଆସିଛି। ଏହି ଲଢ଼େଇ ଆମେ ଗତ ଏକ ବର୍ଷ ହେଲା ଲଢ଼ି ଆସୁଥିଲୁ। ନିଜର ପୂର୍ବ ଅଭିଜ୍ଞତାକୁ ନେଇ ଆମକୁ ଆହୁରି ମଜଭୁତ ହୋଇ କରୋନା ବିରୋଧରେ ଏହି ଲଢ଼େଇ ଜାରି ରଖିବାକୁ ପଡ଼ିବ।

କରୋନା ମହାମାରୀର ପ୍ରଥମ ଲହର ଆରମ୍ଭ ହେବାର କିଛି ମାସ ପରେ ଯେତେବେଳେ ପରିସ୍ଥିତି ଅନେକ ମାତ୍ରାରେ ଭଲ ହୋଇ ଆସୁଥିଲା, ସେତିକି ବେଳେ ପୁଣି ଥରେ କରୋନା ସଂକ୍ରମଣର ଦ୍ଵିତୀୟ ଲହର ଆରମ୍ଭ ହୋଇଛି। ଗତ ଏକ ମାସ ହେବ ହଠାତ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦ୍ଵିତୀୟ ଲହରରେ ହେଉଥିବା ସବୁ ସଂକ୍ରମଣଗୁଡ଼ିକ ଯେ ନୂଆ ପ୍ରକାରର ଭୂତାଣୁ ଦ୍ଵାରା ହେଉଛି ତାହା ନୁହେଁ, କିଛି ସଂକ୍ରମଣ ପୁରୁଣା ସାର୍ସ କୋଭିଡ-୨ ଭୂତାଣୁ ଦ୍ଵାରା ଓ କିଛି ସଂକ୍ରମଣ ନୂଆ ମ୍ୟୁଟାନ୍ତ ଭୂତାଣୁ ଦ୍ଵାରା ହେଉଛି। ପ୍ରଥମ ଲହରରେ ଲୋକଙ୍କଠାରେ ଯେଉଁ ପ୍ରକାରର ଲକ୍ଷଣ ସବୁ ଦେଖିବାକୁ ମିଳୁଥିଲା, ଦ୍ଵିତୀୟ ଲହରରେ ତା’ଠାରୁ କିଛି ଅଲଗା ପ୍ରକାରର ଲକ୍ଷଣ ଦେଖିବାକୁ ମିଳୁଛି। ଏଥିରେ ଖୁବ୍‌ କମ୍‌ ଦିନ ମଧ୍ୟରେ ସଂକ୍ରମଣ ହାର ଅତି ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏଥର ଯୁବ ବର୍ଗ ଓ ଛୋଟ ପିଲାମାନେ ଅଧିକ ମାତ୍ରରେ ସଂକ୍ରମିତ ହେଉଛନ୍ତି, ଯାହା କି ଏକ ଚିନ୍ତାଜନକ ବିଷୟ। କିନ୍ତୁ ଦ୍ଵିତୀୟ ଲହରରେ ସଂକ୍ରମଣ ହାର ଯଥେଷ୍ଟ ଅଧିକ ଥିବା ବେଳେ ମୃତ୍ୟୁ ହାର କମ ରହିଛି।

ଗତବର୍ଷର କରୋନା ମହାମାରୀ ଆମର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥିଲା। ଆମେ ସମସ୍ତେ ଅନେକ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିଲେ। ଅନେକ ଲୋକ ନିଜ ପରିବାରର ଲୋକଙ୍କୁ ହରାଇଥିଲେ। ଅନେକ  ଲୋକ ଏହି ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରି ପାରି ନାହାନ୍ତି। ପିଲାଙ୍କ ପାଠ ପଢ଼ା ପ୍ରଭାବିତ ହୋଇଛି, ଅନେକ ଲୋକ ଚାକିରି ହରାଇଛନ୍ତି, ବହୁ  ଲୋକ ଆର୍ଥିକ ଦୂରାବସ୍ଥା ଦେଇ ଗତି କରିଛନ୍ତି। ଏସବୁ ଫଳରେ ଆମେ ସମସ୍ତେ ଅନେକ ଦିନ ଧରି ମାନସିକ ଚାପ ଦେଇ ଗତି କରୁଛୁ। ଗବେଷଣାରୁ ଜଣାପଡ଼ିଛି କରୋନା ମହାମାରୀ ଯୋଗୁଁ ଭାରତୀୟମାନଙ୍କଠାରେ ବିଭିନ୍ନ ମାନସିକ ସମସ୍ୟା ଦୁଇ ଗୁଣ ବୃଦ୍ଧି ପାଇଛି। ଏଥିମଧ୍ୟରୁ ପ୍ରମୁଖ ମାନସିକ ସମସ୍ୟାଗୁଡ଼ିକ ହେଲା ଅବସାଦ ବା ଡିପ୍ରେସନ, ଆଙ୍ଗଜାଇଟି ରୋଗ ବା ମାନସିକ ଉଦ୍‌ବେଗ ରୋଗ, ଅନିଦ୍ରା ରୋଗ ଆଦି।

ଅଧିକ ପଢ଼ନ୍ତୁ: ମାନସିକ ଚାପରୁ କେମିତି ପାଇବେ ମୁକ୍ତି?

ଗତ କିଛି ମାସ ହେବ ଯେତେବେଳେ ସଂକ୍ରମଣ ହାର କମି ଯାଇଥିଲା ସେତେବେଳେ ଲୋକମାନଙ୍କ  ମନରେ ନୂଆ ଆଶା ସଂଚାର ହୋଇଥିଲା ଯେ ସବୁକିଛି ପୂର୍ବ ଭଳି ଠିକ୍‌ ହୋଇ ଯିବ। ମାତ୍ର ଯେତେବେଳେ କରୋନାର ଦ୍ଵିତୀୟ ଲହର ଆରମ୍ଭ  ହେଲା ସେବେଠାରୁ ଲୋମାନେ ଆତଙ୍କିତ ଓ ଭୟଭୀତ। ଲୋକମାନଙ୍କ ମନରେ ଥିବା ଆଶା ଯେ କରୋନାଠାରୁ ଆମକୁ ମୁକ୍ତି ମିଳିଗଲା ତାହା ଏକ ପ୍ରକାରର ଧୂଳିସାତ ହୋଇ ଗଲା ପରି ଲାଗୁଛି। କେହି କେହି ଏ ପର୍ଯ୍ୟନ୍ତ ବିଶ୍ଵାସ କରି ପାରୁ ନାହାନ୍ତି ଯେ ଦ୍ଵିତୀୟ ଲହର ଥରେ ଆସିବ ଓ ଏହା ପ୍ରଥମ ଲହର ଅପେକ୍ଷା ଆହୁରି ଭୟାନକ ହେବ। କରୋନା ଟିକା ନେଲା ପରେ ଲୋକମାନେ ଭାବିଥିଲେ ଯେ ଏହା ପରେ ଆଉଥରେ ସଂକ୍ରମଣ କେବେ ବି ହେବ ନାହିଁ। କିନ୍ତୁ ଦେଖାଯାଉଛି ଯେ, ଟିକା ନେଇଥିବା ଲୋକମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି। ଏହା ଜାଣି ଅନେକ ଲୋକ ହତାଶ ହୋଇ ଯାଇଛନ୍ତି।

ଯେବେଠାରୁ କରୋନା ମହାମାରୀର ଦ୍ଵିତୀୟ ଲହର ଆରମ୍ଭ ହୋଇଛି ସେବେଠାରୁ ଲୋକମାନେ ନିଜର ଓ ନିଜ ପରିବାରର ଭବିଷ୍ୟତ ନେଇ ଚିନ୍ତିତ। ପୂର୍ବ ବର୍ଷର ଅନୁଭୂତିଗୁଡ଼ିକ ମନେ ପଡ଼ିଲେ ଲୋକଙ୍କ ଲୋମ ଟାଙ୍କୁରି ଉଠୁଛି। ସମସ୍ତେ ପ୍ରାୟ ଅତ୍ୟଧିକ ମାନସିକ ଚାପ ଦେଇ ଗତି କରୁଛନ୍ତି। ଲୋକଙ୍କ ନିଦ କମି ଯାଇଛି, ମନ ଅସ୍ତିର ରହୁଛି, ମନର ଏକାଗ୍ରତା କମି ଯାଉଛି, ମନରେ ଉଦ୍‌ବେଗ ଓ ଛାନିଆ ଲାଗି ରହୁଛି, ସେମାନେ କ’ଣ କରିବେ କ’ଣ ନ କରିବେ ସେ ନେଇ ଚିନ୍ତିତ ରହୁଛନ୍ତି। ଦିନକୁ ଦିନ ପରିସ୍ଥିତି ଆହୁରି ଭୟାନକ ହେଉଛି। ଟିଭି ଓ ସୋସିଆଲ ମିଡିଆରେ କରୋନା ସମ୍ପର୍କିତ ଖବର ଦେଖି ମନରେ ଭୟ ଆହୁରି ବଢ଼ିଯାଉଛି। ଯେହେତୁ ଛୋଟ ପିଲାମାନଙ୍କଠାରେ ଦ୍ଵିତୀୟ ଲହରରେ ସଂକ୍ରମଣ ଅଧିକ ଦେଖା ଦେଉଛି ସେଥିଯୋଗୁଁ  ମାତାପିତାମାନେ ଓ ପିଲାମାନେ ମଧ୍ୟ ଅତ୍ୟଧିକ ଆତଙ୍କିତ।

 ଲୋକମାନଙ୍କ ମନରେ ପ୍ରଶ୍ନ ଉଠୁଛି ଯେ କରୋନା ସଂକ୍ରମଣ କ’ଣ କେବେ ବନ୍ଦ ହେବ ନାହିଁ, ଭବିଷ୍ୟତରେ କ’ଣ ଏଭଳି ଲହର ପ୍ରତିବର୍ଷ ଆସୁଥିବ, ଦୁନିଆ କ’ଣ କରୋନା ମହାମାରୀ ଦ୍ଵାରା ସମାପ୍ତ ହୋଇ ଯିବ? ସମସ୍ତଙ୍କ ମନରେ ଏଭଳି ଅନେକ ଅସମାହିତ ପ୍ରଶ୍ନ ଆସୁଛି।

Mental Health of Children

ଅଧିକ ପଢ଼ନ୍ତୁ: ମାନସିକ ରୋଗକୁ ନେଇ ଦୂର କରନ୍ତୁ ଭୁଲ ଧାରଣା

କିଛି ଲୋକଙ୍କଠାରେ ପୁନଃ ସଂକ୍ରମଣ ମଧ୍ୟ ଦେଖା ଦେଉଛି। ଅର୍ଥାତ ଯେଉଁମାନଙ୍କୁ ପୂର୍ବ ବର୍ଷ ଥରେ ସଂକ୍ରମଣ ହୋଇଥିଲା, ଏ ବର୍ଷ ଦ୍ଵିତୀୟ ଲହରରେ ଆଉ ଥରେ ମଧ୍ୟ ସଂକ୍ରମଣ ହେଉଛି। ଏକଥା ଜାଣି ଲୋକଙ୍କ ମନରେ ପୁଣି ହସ୍ପିଟାଲ, ଆଇସୋଲସନ ଆଦି କଥା ମନେ ପଡ଼ିଯାଉଛି। ଯାହାଦ୍ୱାରା ମନରେ ଭୟ ଓ ଆତଙ୍କ ଖେଳି ଯାଉଛି।

ପୁଣିଥରେ ସରକାର ସାମୟିକ ଭାବେ ଲକ୍‌ଡାଉନ୍‌ ମଧ୍ୟ ଘୋଷଣା କରିଛନ୍ତି। ଗତବର୍ଷର ଲକ୍‌ଡାଉନ୍‌ କଥା ମନେ ପଡ଼ିଲେ ସମସ୍ତେ ବ୍ୟସ୍ତ ହୋଇ ଯାଉଛନ୍ତି। ସେ ସମୟର କଷ୍ଟ ଯଦି ଆଉ ଥରେ ଆସିବ ତେବେ କ’ଣ ହେବ ତାହା ନେଇ ସମସ୍ତେ ଚିନ୍ତିତ।

ଆମ ସମସ୍ତଙ୍କ ପାଇଁ ପୁଣି ଥରେ ଏକ କଠିନ ଲଢ଼େଇର ସମୟ ଆସିଛି। ଏହି ଲଢ଼େଇ ଆମେ ଗତ ଏକ ବର୍ଷ ହେଲା ଲଢ଼ି ଆସୁଥିଲୁ। ନିଜର ପୂର୍ବ ଅଭିଜ୍ଞତାକୁ ନେଇ ଆମକୁ ଆହୁରି ମଜଭୁତ ହୋଇ କରୋନା ବିରୋଧରେ ଏହି ଲଢ଼େଇ ଜାରି ରଖିବାକୁ ପଡ଼ିବ। ଏଥିନିମନ୍ତେ-

୧) ପ୍ରଥମତଃ ଆପଣ ଅତ୍ୟଧିକ ଛାନିଆ ବା ଭୟଭୀତ ହୁଅନ୍ତୁ ନାହିଁ କିମ୍ବା ହତାଶ ବା ନିରାଶାବାଦୀ ହୁଅନ୍ତୁ ନାହିଁ। ଜୀବନ ମାନେ ସଂଘର୍ଷ, ତେଣୁ ସବୁ କଠିନ ପରିସ୍ଥିତିରେ ଏହି କରୋନା ମହାମାରୀ ସହିତ ଆମକୁ ସଂଘର୍ଷ ଜାରି ରଖିବାକୁ ପଡ଼ିବ। ସେଥି ନିମନ୍ତେ  ସବୁଠାରୁ ପ୍ରମୁଖ ପଦକ୍ଷେପ ହେଲା ସରକାରଙ୍କ ଦ୍ଵାରା ଜାରି ହୋଇଥିବା କୋଭିଡ୍‌ ନିୟମବଳୀକୁ ସବୁବେଳେ ମାନିବା। ଯାହାଦ୍ୱାରା ଆମେ କରୋନାଠାରୁ ଦୂରେଇ ରହି ପାରିବା।

୨) ଯୁବବର୍ଗର ଲୋକ ଓ ଛୋଟ ପିଲାମାନେ ଅଧିକ ସଂକ୍ରମିତ ହେବାର ସମ୍ଭାବନା ଥିବାରୁ ସେମାନେ ଅଧିକ ସତର୍କ ରହନ୍ତୁ।

୩) ଗତବର୍ଷ ଆମେ ଏହି ମହାମାରୀର ମିକବିଲା ପାଇଁ ଆଦୌ ପ୍ରସ୍ତୁତ ନ ଥିଲୁ, କିନ୍ତୁ ଏ ବର୍ଷ ଆମେ ଆଗ ଅପେକ୍ଷା ଅଧିକ ପ୍ରସ୍ତୁତ। ଏହା ଏକ ଭଲ କଥା, ଯାହା ଆମକୁ କରୋନା ବିରୋଧୀ ଲଢ଼େଇ ଜିତିବାକୁ ସାହାଯ୍ୟ କରିବ।

୪) ଏହି କଠିନ ସମୟରେ ଆପଣ ନିଜକୁ ମାନସିକ ଚାପ ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ। ସେଥି ନିମନ୍ତେ

  • ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରନ୍ତୁ।
  • ପ୍ରତିଦିନ କିଛି ସମୟ ଶାରୀରିକ ବ୍ୟାୟମ କରନ୍ତୁ।
  • ଦିନକୁ ୩୦ରୁ ୪୫ ମିନିଟ୍‌ ଯୋଗ ଅଭ୍ୟାସ କରନ୍ତୁ।
  • ନିଜର ଖାଦ୍ୟପେୟର ଯତ୍ନ ନିଅନ୍ତୁ। ସନ୍ତୁଳିତ ଖାଦ୍ୟ ଖାଆନ୍ତୁ।  କୌଣସି ନିଶା ସେବନ କରନ୍ତୁ ନାହିଁ।
  • ମନରେ ସକାରାତ୍ମକ ଚିନ୍ତା ଧାରା ରଖନ୍ତୁ।
  • କରୋନା ରୋଗ ଯୋଗୁଁ ସମସ୍ତଙ୍କ ଭବିଷ୍ୟତ କଣ ହେବ ? କେତେ ଲୋକ ଏହା ଦ୍ଵାରା ଆକ୍ରାନ୍ତ ହେବେ ? କେତେ ଲୋକ ଏହା ଦ୍ଵାରା ମୃତ୍ୟୁ ବରଣ କରିବେ? ଏସବୁ କଥା ଭାବି ଅଯଥା ଚିନ୍ତିତ ହୁଅନ୍ତୁ ନାହିଁ। ନିଜ ମନକୁ ଦୃଢ ରଖନ୍ତୁ। 
  • ବେଶୀ ସମୟ ନ୍ୟୁଜ ଚ୍ୟାନେଲ କିମ୍ବା ସୋସିଆଲ ମେଡିଆରେ ଆସୁଥିବା କରୋନା ସମ୍ପର୍କିତ ଖବର ଦେଖନ୍ତୁ ନାହିଁ। ପରିବାରର ସଦସ୍ୟଙ୍କ ସହିତ ଏ ବିଷୟରେ ଅଯଥା ଆଲୋଚନା କରାନ୍ତୁ ନାହିଁ। ଏହା ଦ୍ଵାରା ନିଜର ମନ ବିଚଳିତ  ଓ ଚାପ ଗ୍ରସ୍ତ ରହିବ। କୌଣସି ଗୁଜବ ଓ ଭିତ୍ତି ହୀନ ଖବରକୁ ଅଯଥା ବିଶ୍ଵାସ କରନ୍ତୁ ନାହିଁ।  
  • ଘରେ ଥିବା ବୟସ୍କ ଲୋକମାନଙ୍କର ସ୍ଵତନ୍ତ୍ର ଯତ୍ନ ନିଅନ୍ତୁ। ସେମାନଙ୍କୁ ଏହି କଠିନ ସମୟରେ  ସାହସ ଦିଅନ୍ତୁ।
  • ଘରେ ଥିବା ଛୋଟ ପିଲାଙ୍କୁ ସାହସ ଓ ଆଶ୍ଵାସନା ଦିଅନ୍ତୁ। ସେମାନଙ୍କ ମନୋବଳ ଦୃଢ କରାନ୍ତୁ।
  • ପୂର୍ବ ବର୍ଷ କରୋନା ମହାମାରୀ ସହିତ ଆମେ  ଅନେକ ସଂଘର୍ଷ କରିଛେ ଓ ଅନେକ ପରିମାଣରେ ଆମେ ସଫଳ ମଧ୍ୟ ହୋଇଛେ। ଏଥର ଏହା ଏକ ଅନ୍ୟ ରୂପରେ ଆସିଛି। ତେଣୁ ଆମେ ଏ ବର୍ଷ ମଧ୍ୟ ନିଜର ମନୋବଳକୁ ଆହୁରି ଦୃଢ ରଖିବା ଏବଂ କରୋନ ସହିତ ଲଢେଇ ଜାରି ରଖିବା। ଆମେ ମଜବୁତ ରହିଲେ ଏହି ଯୁଦ୍ଧରେ ନିଶ୍ଚୟ ବିଜୟ ଲାଭ କରିବା।