ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟପ୍ରକାଶ ଶିବନାରାୟଣ ଚୌଧୁରୀଙ୍କଠାରୁ ଡିମେନସିଆ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ଜାଣିବା।  

ସାରା ବିଶ୍ୱରେ ୫୦ ମିଲିୟନ୍‌ ଲୋକ ଡିମେନ୍‌ସିଆରେ ପ୍ରଭାବିତ ହୋଇଥିବା ବେଳେ ଭାରତରେ ୫ ମିଲିୟନ୍‌ ଲୋକ ପ୍ରଭାବିତ। ବୟସ ବଢ଼ିବା ସହିତ ମସ୍ତିଷ୍କରେ ଥିବା କେତେକ ନ୍ୟୁରୋ ହରମୋନ୍ ଶୁଖିଗଲେ, ସ୍ମରଣଶକ୍ତି କମିଯିବା ଭଳି ଲକ୍ଷଣ ଦେଖାଯାଇଥାଏ। ଏହି ସମସ୍ୟାକୁ ଡିମେନସିଆ ବୋଲି କୁହାଯାଏ। ଅନେକ ଯୁବାବସ୍ଥାରେ ମଧ୍ୟ ଡିମେନସିଆର ଶିକାର ହୋଇଥା’ନ୍ତି।

ଡିମେନସିଆ ରୋଗ କ’ଣ? (What is dementia in odia)

କଗ୍ନିଟିଭ୍‌ ଡୋମେନ୍‌ ଧୀରେ ଧୀରେ କମିଯିବାକୁ ଡିମେନ୍‌ସିଆ ବୋଲି କହିଥାଉ। କେବଳ ସ୍ମରଣଶକ୍ତି କମିଯିବାକୁ ଆମ୍ନେସିଆ ବୋଲି କୁହାଯାଏ। ଆମ୍ନେସିଆ ହେଉଛି ଡିମେନ୍‌ସିଆର ଏକ ପ୍ରକାର।

ଡିମେନ୍‌ସିଆର ଅର୍ଥ ହେଉଛି ସ୍ମରଣ ଶକ୍ତି କମିଯିବା ସହିତ ଅଲଗା ସମସ୍ୟା ଦେଖାଦେବା। ଯଥା- ହଠାତ୍‌ ଭାବିବାରେ ଅସୁବିଧା ହୁଏ, ଠିକ୍‌ ସ୍ଥାନରେ ଠିକ୍‌ କଥା କହିପାରେ ନାହିଁ କିମ୍ବା ଲୋକଙ୍କୁ ଜାଣୁଥିବେ ଚିହ୍ନୁଥିବେ ହଠାତ୍‌ ନାମ ମନେ ପଡ଼ୁନଥିବ, ନିୟମିତ ଯାଉଥିବା ରାସ୍ତା ବି ଭୁଲିଯାଆନ୍ତି।

ଅଧିକ ପଢ଼ନ୍ତୁ: ମୁଣ୍ଡ ବିନ୍ଧା କାହିଁକି ହେଉଛି? କେମିତି ପାଇବେ ମୁକ୍ତି

ଡିମେନସିଆ କେତେ ପ୍ରକାରର (Types of dementia in Odia)

ଡିମେନସିଆ ଦୁଇ ପ୍ରକାରର। ୧ – କ୍ୟୁରେବୁଲ, ୨- ନନ୍‌ କ୍ୟୁରେବୁଲ

ଯେଉଁ ଡିମେନ୍‌ସିଆ ରୋଗ ଭଲ ହୋଇପାରିବ ତାକୁ କ୍ୟୁରେବୁଲ ଡିମେନ୍‌ସିଆ କୁହାଯାଏ। ଯେଉଁ ଡିମେନ୍‌ସିଆ ଭଲ ହୋଇପାରିବ ନାହିଁ ତାକୁ ନନ୍‌ କ୍ୟୁରେବୁଲ କୁହାଯାଏ।

ସାଧାରଣତଃ ମେଟାବୋଲିକ୍‌ ଡିସ୍‌ଅର୍ଡର ଯେପରିକି ଥାଇରଏଡ୍‌, ଡାଏବେଟିସ୍‌, ଭିଟାମିନ୍‌ ଅଭାବ ଯୋଗୁଁ, ବ୍ରେନ୍‌ ଟ୍ୟୁମର, ଏନ୍‌ସେଫାଲିଟିସ୍‌, ଅଟୋଇମ୍ୟୁନ୍‌ ମସ୍ତିଷ୍କ ରୋଗୀଙ୍କୁ ଡିମେନ୍‌ସିଆ ହେଲେ ତାହା ଭଲ ହୋଇପାରିବ।

ଭାସ୍କୁଲାର ଡିମେନ୍‌ସିଆ, ଫ୍ରଣ୍ଟୋଟେମ୍ପୋରାଲ ଡିମେନ୍‌ସିଆ, ଡିମେନ୍‌ସିଆ ଉଇଥ୍‌ ଲିଉ ବଡି, ପାର୍କିନ୍‌ସନ୍‌ ଡିଜିଜ୍‌ ଡିମେନ୍‌ସିଆ ହେଉଛି ଏକ ବିରଳ ପ୍ରକାର ଡିମେନ୍‌ସିଆ ରୋଗ।

ଡିମେନସିଆ ରୋଗର କାରଣ କ’ଣ? (What causes dementia in Odia)

ବୟସ ବଢ଼ିବା ସହିତ ଡିମେନ୍‌ସିଆ ରୋଗ ଦେଖାଦିଏ। ୧୦ ପ୍ରତିଶତ କ୍ଷେତ୍ରରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କଠାରେ ଡିମେନ୍‌ସିଆ ଦେଖାଯାଏ ଓ ୨୦ ପ୍ରତିଶତ କ୍ଷେତ୍ରରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କଠାରେ ଡିମେନ୍‌ସିଆ ହୋଇଥାଏ।

ବୟସ ବଢ଼ିଲେ ଡିମେନ୍‌ସିଆ ହୋଇଥାଏ ବୋଲି ସମସ୍ତଙ୍କର ଧାରଣା ଥାଏ। ହେଲେ ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁଛି ଯେ, କମ୍‌ ବୟସର ଲୋକଙ୍କୁ ବି ଡିମେନ୍‌ସିଆ ହେଉଛି। ଏଥିସହ ଅଧିକ ଫ୍ୟାଟ୍‌ଯୁକ୍ତ ଖାଦ୍ୟ ଖାଇବା ଯୋଗୁଁ ତଥା ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ କମ୍‌ ବୟସରୁ ଡିମେନ୍‌ସିଆ ହେଉଛି।

ଡିପ୍ରେସନ୍‌, ଏଙ୍ଗଜାଇଟି, ଗୋଟେ ସ୍ଥାନରେ ବସିକି ରହିବା, ନିୟମିତ ମଦ୍ୟପାନ, ଖରାପ ଖାଦ୍ୟଶୈଳୀ, ଲୋକଙ୍କ ସହ କମ୍‌ ମିଳାମିଶା କରିବା ହେଉଛି ଡିମେନ୍‌ସିଆର କାରଣ।

ଡିମେନସିଆ ରୋଗର ଲକ୍ଷଣ (Symptoms of dementia in Odia)

ସ୍ମରଣ ଶକ୍ତି କମିଯିବା, ନିଜ ବସ୍ତୁ କେଉଁଠି ରଖିଥିବେ ଭୁଲିଯିବା, କ’ଣ ଖାଇଥିବେ ଭୁଲିଯିବା, ପ୍ରତିଦିନ ବ୍ୟବହାର କରୁଥିବା ଜିନିଷ କେଉଁଠି ରଖିଥିବେ ଭୁଲିଯିବା ଆଦି ହେଉଛି ଡିମେନ୍‌ସିଆର ଲକ୍ଷଣ। ହେଲେ ବ୍ୟକ୍ତି ପୁରୁଣା କଥା ଯେପରିକି କେଉଁ ସ୍କୁଲରେ ପଢ଼ୁଥିଲେ, ସେମାନଙ୍କୁ ଶିକ୍ଷକ କିଏ ଥିଲେ, ଏଭଳି କଥା ମନେ ଥିବ ହେଲେ ଆଜିର ତାରିଖ, ସକାଳେ କ’ଣ ଖାଇଛନ୍ତି ଏସବୁ କଥା ଭୁଲିଯାଆନ୍ତି।

ଡିମେନ୍‌ସିଆ ଅଧିକ ଦିନ ଧରି ଲାଗି ରହିଲେ ବ୍ୟକ୍ତିଙ୍କର ଭାବିବା ଶକ୍ତି କମିଯାଏ ଓ ଧୀରେ ଧୀରେ ସେମାନେ ନିଜ ପିଲାଛୁଆ ଓ ବାପାମା’ଙ୍କ ନାମ ବି ଭୁଲିଯାଆନ୍ତି।

ଡିମେନସିଆ ରୋଗର ପରୀକ୍ଷଣ (Diagnosis of dementia in Odia)

ଡିମେନ୍‌ସିଆ ରୋଗକୁ ଚିହ୍ନିବାକୁ ହେଲେ ବ୍ୟକ୍ତିଙ୍କର ସମସ୍ୟା ବିଷୟରେ ପଚାରି ବୁଝାଯାଏ। ଏହାଛଡ଼ା ଏମ୍‌ଆର୍‌ଆଇ କରି ଦେଖାଯାଏ। ଯେଉଁଥିରେ ମସ୍ତିଷ୍କର କର୍ଟେକ୍ସ ଶୁଖିଯାଇଥାଏ। ଏହାସହ ଏମ୍‌ଏମ୍‌ଏସ୍‌ଇ ସ୍କୋରରେ ଦେଖାଯାଏ ଯେ, ବ୍ୟକ୍ତିଙ୍କୁ ମାଇଲ୍ଡ କିମ୍ବା ମଡରେଟ୍‌ କିମ୍ବା ସିଭିୟର ଡିମେନ୍‌ସିଆ ହୋଇଛି କି ନାହିଁ ତାହା ଜଣାପଡ଼େ।

ଡିମେନସିଆ ରୋଗର ଚିକିତ୍ସା (Treatment of dementia in Odia)

ରୋଗୀଙ୍କର ସମସ୍ୟାକୁ ଦେଖି ଚିକିତ୍ସା ଭିନ୍ନ ଭିନ୍ନ। ଯଦି ମସ୍ତିଷ୍କରେ ସଂକ୍ରମଣ ଯୋଗୁଁ ଡିମେନ୍‌ସିଆ ଥାଏ, ତାହେଲେ ତା’ର ଚିକିତ୍ସା କରାଯାଏ। ଏହାଛଡ଼ା ଭିଟାମିନ୍‌ ବି-୧୨ ଅଭାବ ଥିବା ଲୋକଙ୍କଠାରେ ଡିମେନ୍‌ସିଆ ରୋଗ ହେବାର ଆଶଙ୍କା ଅଧିକ। ମସ୍ତିଷ୍କରେ ନ୍ୟୁରୋଟ୍ରାନ୍ସମିଟର କ୍ଷରଣ ପାଇଁ ଭିଟାମିନ୍‌ ବି-୧୨ ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ ତତ୍ୱ।

ଡିମେନ୍‌ସିଆ ହେବାକୁ ରୋକିପାରିବା କି? (Can dementia be prevented in Odia)

ସନ୍ତୁଳିତ ଖାଦ୍ୟ ଯେପରିକି ଓମେଗା-୩ ଫ୍ୟାଟି ଏସିଡ୍‌, ମାଛ ତେଲ, ଭିଟାମିନ୍‌ ବି-ଡି-ସି ଯୁକ୍ତ ଖାଇବା ଆବଶ୍ୟକ।

ନିୟମିତ ବ୍ୟାୟାମ କରିବା ଦ୍ୱାରା ଉଭୟ ଶାରୀରିକ ଓ ମାନସିକ ଭାବେ ଫିଟ୍‌ ରହିପାରିବା। ଯୋଗ, ପ୍ରାଣାୟାମ କରିବା ଦ୍ଵାରା ଡିମେନ୍‌ସିଆ ଯେତେ ଜଲଦି ହେବା କଥା ସେତେ ଶୀଘ୍ର ହେବାର ସମ୍ଭାବନା କମିଯାଇପାରେ। ତା’ଛଡ଼ା ଅନ୍ୟ ଗୁରୁତର ରୋଗ ଡାଏବେଟିସ୍‌, ଉଚ୍ଚରକ୍ତଚାପ, ଥାଇରଏଡ୍‌, ଓବେସିଟି, ଲିଭର, କିଡ୍‌ନି ଜନିତ ସମସ୍ୟା ଥାଏ, ତାହେଲେ ଯଥାଶୀଘ୍ର ତାକୁ ନିୟନ୍ତ୍ରଣ କରନ୍ତୁ।

ଡାକ୍ତରଙ୍କ ପରାମର୍ଶ (Doctor’s Advice in Odia)

ସମସ୍ତ ରୋଗର ଶୀଘ୍ର ନିରୂପଣ ଓ ଶୀଘ୍ର ଚିକିତ୍ସା କଲେ ସୁସ୍ଥ ହେବାର ସମ୍ଭାବନା ଅଧିକ। ସେହିଭଳି ଡିମେନ୍‌ସିଆ ରୋଗକୁ ପ୍ରାଥମିକ ଅବସ୍ଥାରୁ ନିରୂପଣ କରି ଚିକିତ୍ସା କଲେ ଲାଭ ମିଳିଥାଏ।

ଯଦି ଆପଣଙ୍କ ପରିବାରରେ କିମ୍ବା ଆଖପାଖରେ କେହି ଛୋଟ ଛୋଟ କଥା ଭୁଲି ଯାଆନ୍ତି, ତେବେ ଏହାକୁ ଅଣଦେଖା ନ କରି ସ୍ନାୟୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୂର୍ଯ୍ୟପ୍ରକାଶ ଶିବନାରାୟଣ ଚୌଧୁରୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Dementia, in Odia language, is based on an extensive interview with Neurologist Dr Surjyaprakash S Choudhury.