ଆସନ୍ତୁ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ଲୋଚନ ସ୍ୱାଇଁଙ୍କଠାରୁ ପାଇରିଆ ରୋଗର କାରଣ, ଲକ୍ଷଣ, ଜଟିଳତା ଏବଂ ଚିକିତ୍ସା ବିଷୟରେ ଅଧିକ ଜାଣିବା।

ଦାନ୍ତ ମାଢ଼ିରୁ ରକ୍ତ ବାହାରିବା ସହ ମାଢ଼ି ସଂକ୍ରମଣ ହେବାକୁ ପାଇରିଆ ରୋଗ କୁହାଯାଏ। ଏହା ଏକ ସାଧାରଣ ପାଟି ରୋଗ, ଯାହା ଅଧିକାଂଶ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳେ। ପାଇରିଆ ରୋଗ ଯୋଗୁଁ ବ୍ୟକ୍ତିର ପାଟିରୁ ଦୁର୍ଗନ୍ଧ ବାହାରିଥାଏ, ମାଢ଼ି ଫୁଲିଯାଏ ଏବଂ ସେଥିରୁ ରକ୍ତ ବାହାରିଥାଏ। ତେବେ ଏହାକୁ ସଠିକ ସମୟରେ ଚିକିତ୍ସା ନକଲେ ପରିସ୍ଥିତି ଜଟିଳ ହୋଇପାରେ।

ପାଇରିଆ ରୋଗ ହେଲେ ମାଢ଼ି ଫୁଲିଯାଏ, ମାଢ଼ିରୁ ରକ୍ତ ବାହାରେ ଓ ପାଟି ଦୁର୍ଗନ୍ଧ କରିଥାଏ।

Pyorrhea (Gum Disease)

କାହିଁକି ହୁଏ ପାଇରିଆ? (Why does Pyorrhea occur in Odia)

ପାନ, ଗୁଟ୍‌ଖା, ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କର ପାଇରିଆ ହେବାର ସମ୍ଭାବନା ଅଧିକ। ଏହାଛଡ଼ା ଯେଉଁମାନେ ଦାନ୍ତ ଘଷନ୍ତି ନାହିଁ ବା ସଠିକ୍‌ ଶୈଳୀରେ ଦାନ୍ତ ଘଷନ୍ତି ନାହିଁ, ଖାଇସାରିବା ପରେ ଭଲ ଭାବରେ କୁଳି ନ କଲେ ପାଇରିଆ ଭଳି ସମସ୍ୟା ହୋଇଥାଏ।

ଡାଏବେଟିସ୍‌ ରୋଗୀଙ୍କର ପାଇରିଆ ହେବାର ଆଶଙ୍କା ଅଧିକ। ଡାଏବେଟିସ୍‌ ରୋଗୀ ନିୟମିତ ବ୍ୟବଧାନରେ ଦାନ୍ତର ପରୀକ୍ଷା କରାଇନେବା ଆବଶ୍ୟକ।

Pyorrhea (Gum Disease)

ଅଧିକ ପଢ଼ନ୍ତୁ: ମଧୁମେହ ରୋଗୀ କିଭଳି ନେବେ ଦାନ୍ତର ଯତ୍ନ

ପାଇରିଆ ରୋଗର ଲକ୍ଷଣ (Symptoms of Pyorrhea in Odia)

ସକାଳୁ ଉଠି ଛେପ ପକାଇବା ବେଳେ ଯଦି ରକ୍ତ ପଡ଼େ ତେବେ ଏହା ପାଇରିଆର ଲକ୍ଷଣ। ମାଢ଼ି ଫୁଲିଯିବା କାରଣରୁ ମାଢ଼ିରୁ ରକ୍ତ ବାହାରିଥାଏ।

ବ୍ରସ୍‌ କରିବା ବେଳେ ପାଟିରୁ ଓ ମାଢ଼ିରୁ ରକ୍ତ ବାହାରିବା।

ମାଢ଼ି ଫୁଲିଯିବା।

ମାଢ଼ି ଓ ଦାନ୍ତ ମୂଳରେ ମାଟିଆ କିମ୍ବା ପାଉଁଶିଆ ରଙ୍ଗର କିଛି ଜମିଲା ଭଳି ଥିଲେ, ତାହା ପାଇରିଆର ଲକ୍ଷଣ।

କେତେକ କ୍ଷେତ୍ରରେ ଦାନ୍ତର ଭିତରେ ପାଖରେ କିଛି ପଦାର୍ଥ ଜମିଯାଇଥାଏ, ଯାହା ଦେଖାଯାଏ ନାହିଁ। ଫଳରେ ମାଢ଼ି ଫୁଲିଯାଏ, ଦରଜ ହୁଏ।

ଯଦି ତଳ ପଟ ଦାନ୍ତ ଓ ମାଢ଼ି ଝିମ୍‌ ଝିମ୍‌ ହୁଏ ବା ଦରଜ ହୁଏ, ତାହାହେଲେ ଏହା ମଧ୍ୟ ପାଇରିଆ ବୋଲି କହିପାରିବା।

Pyorrhea (Gum Disease)

ପାଇରିଆ ରୋଗର ଜଟିଳତା (Complications of Pyorrhea in Odia)

ପ୍ରାଥମିକ ଅବସ୍ଥାରେ ଯଦି ପାଇରିଆ ରୋଗକୁ ଜାଣି ନ ପାରିଲେ ବା ଦାନ୍ତର ପରୀକ୍ଷା ନ କଲେ ଓ ଡେରି କଲେ ତେବେ ଏହା ଜଟିଳ ହୋଇପାରେ। ଦାନ୍ତର ମାଢ଼ି ତଳେ ହାଡ଼ ରହିଛି। ଯେତେବେଳେ ଦାନ୍ତରେ ମଇଳା ଜମେ, ତାକୁ ପ୍ରାଥମିକ ଅବସ୍ଥାରେ ଚିକିତ୍ସା କରି କାଢ଼ିଦିଆଯାଏ। ଯଦି ଆପଣ ଚିକିତ୍ସା କରାଇବାରେ ଡେରି କଲେ ଏବଂ ମଇଳା ଦାନ୍ତ ମୂଳରେ ବଢ଼ିଯାଏ, ତେବେ ଏହି ମଇଳା ଦାନ୍ତ ଭିତରକୁ ଧୀରେ ଧୀରେ ପଶି ମାଢ଼ି ଖାଇଯାଏ।  ଫଳରେ ମାଢ଼ି ଓ ମାଢ଼ି ତଳ ହାଡ଼ ବି ନଷ୍ଟ ହୋଇଯାଏ। ମାଢ଼ି ଓ ହାଡ଼ ନଷ୍ଟ ହୋଇଗଲେ ଦାନ୍ତ ବି ଗଳି ପଡ଼ିବ।

ଦାନ୍ତର ଆଉଗୋଟେ ବଡ଼ ରୋଗ ହେଲା ଲ୍ୟୁକୋମିଆ। ଏହା ହେଉଛି କର୍କଟ ରୋଗ। ପାଇରିଆ ରୋଗ ବେଶି ଦିନ ଧରି ରହିଲେ କ୍ୟାନ୍‌ସର ହେବାର ଆଶଙ୍କା ଥାଏ ଓ କ୍ୟାନ୍‌ସରରୁ ବି ପାଇରିଆ ହେବାର ଆଶଙ୍କା ଥାଏ।

ପାଇରିଆ କାରଣରୁ ଆପଣଙ୍କର ହୃଦରୋଗ ହୋଇପାରେ। ଯେତେବେଳେ ଦାନ୍ତରେ ସଂକ୍ରମଣ ହୁଏ, ସେତେବେଳେ ମାଢ଼ି ଫୁଲିଯାଏ ଓ ରକ୍ତନଳୀରେ ସମସ୍ୟା ଉପୁଜିବ। ଧୀରେ ଧୀରେ ଧମନୀରେ ରକ୍ତ ସଞ୍ଚାଳନ କମିଯିବ। ଫଳରେ ହୃଦ୍‌ରୋଗ ହୋଇପାରେ।

Pyorrhea (Gum Disease)

ପାଇରିଆ ରୋଗର ଚିକିତ୍ସା (Treatment of Pyorrhea in Odia)

ପାଇରିଆ ରୋଗର ତିନୋଟି ପର୍ଯ୍ୟାୟ ରହିଛି। ପାଇରିଆର ପ୍ରାଥମିକ ଅବସ୍ଥାରେ ଯଦି ଜଣେ ରୋଗୀ ଡାକ୍ତରଙ୍କ ପାଖକୁ ଯାଏ, ତେବେ ଡାକ୍ତର ପ୍ରଥମେ ଦାନ୍ତ ସଫା କରି ଦାନ୍ତରେ ଲାଗିଥିବା ମଇଳାକୁ କାଢ଼ିଦିଅନ୍ତି।

ଯଦି ଦାନ୍ତ ମୂଳରେ ମଇଳା ଜମି ମାଢ଼ି କ୍ଷୟ ହୋଇଥିବ ବା ଦୁଇ ଦାନ୍ତ ମଝିରେ ପକେଟ୍‌ ବା ଖାଲ ଭଳି ହେଉଥିବ ଓ ଖାଦ୍ୟ ପସୁଥିବ, ତେବେ ପାଇରିଆ ଦ୍ୱିତୀୟ ପର୍ଯ୍ୟାୟରେ ଅଛି। ଏହି ପର୍ଯ୍ୟାୟରେ ଦାନ୍ତ ସଫା କରିବା ସହ ମାଢ଼ି ଭିତରକୁ ଯାଇ ସଫା କରାଯାଏ, ଯାହାକୁ ସବ୍‌ଜିଞ୍ଜାଇଭାଲ କ୍ଲିନିଂ କୁହାଯାଏ। ଏହାଛଡ଼ା କେତେକ ପେଷ୍ଟ, ଜେଲ ଓ ଔଷଧର ବ୍ୟବହାର କରିବାକୁ ରୋଗୀଙ୍କୁ ପରାମର୍ଶ ଦିଆଯାଇଥାଏ।

ତୃତୀୟ ପର୍ଯ୍ୟାୟରେ ବା କ୍ରୋନିକ୍‌ ଅବସ୍ଥାରେ ଫ୍ଲାପ୍‌ ସର୍ଜରୀ କରାଯାଇଥାଏ। ଏଥିରେ ମାଢ଼ିକୁ ପୁନଃରୁଦ୍ଧାର କରାଯାଇଥାଏ। ଏଥିରେ ଦାନ୍ତ ଓ ଦାନ୍ତ ମାଢ଼ି ସଫା କରାଯାଇଥାଏ।  ଯଦି ଦାନ୍ତ ମୂଳରେ ମଇଳା ଜମି ହାଡ଼ ନଷ୍ଟ ହୋଇଥାଏ, ତେବେ ଆର୍ଟିଫିସିଆଲ ହାଡ଼ ବ୍ୟବହାର କରିଥାଉ। ଏହାଛଡ଼ା ପାନ, ଗୁଟ୍‌ଖା ଭଳି ବଦଭ୍ୟାସ ଥିଲେ ଛାଡ଼ିବାକୁ ପଡ଼ିବ।

ତେଣୁ ସବୁବେଳେ ପ୍ରାଥମକି ଅବସ୍ଥାରୁ ଚିକିତ୍ସା କରାଇନିଅନ୍ତୁ।

ପାଇରିଆ ଯୋଗୁଁ କ୍ୟାନ୍‌ସର ହୋଇପାରେ କି? (Is cancer possible due to Pyorrhea?)

ମାଦକ ଦ୍ରବ୍ୟ ସେବନ କରିବା ଦ୍ୱାରା ମୁଖ ଗହ୍ୱର କର୍କଟ ହୋଇପାରେ। ଏହାଛଡ଼ା ପାଟିରେ ଛୋଟ ଖଣ୍ଡିଆ ହେଲେ, ଅଲସର ହେଲେ ବା ପାଇରିଆ ହୋଇ ମାଢ଼ିରେ ଲାଲ ରଙ୍ଗର ବ୍ରଣ ସଦୃଶ ହେଉଛି, ତାହାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ। ମାଢ଼ିରେ କିଛି ବି ସଂକ୍ରମଣ ହେଲେ ତାହା ଅଲସରକୁ ଗତି କରିପାରେ। ତେଣୁ ପାଟିରେ କିଛି ବି ସମସ୍ୟା ହେଲେ ଡେରି ନ କରି ଦନ୍ତ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରନ୍ତୁ।

ଏଣୂ ସକାଳୁ ଉଠି ପ୍ରଥମେ ଛେପ ପକାନ୍ତୁ। ଯଦି ଛେପରେ ରକ୍ତ ପଡ଼ୁଛି, ତେବେ ତୁରନ୍ତୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Pyorrhea (Gum Disease)

ଅଧିକ ପଢ଼ନ୍ତୁ: ଅତି ଥଣ୍ଡା ବା ଗରମ ଖାଦ୍ୟ ଖାଇବା ପରେ ଦାନ୍ତ ଝିମ୍‌ଝିମ୍‌ ହେଉଛି କି?

ପାଇରିଆ ରୋଗର ନିରାକରଣ (Prevention of Pyorrhea in Odia)

  • ପ୍ରତିଦିନ ଗରମ ପାଣିରେ ଅଧ ଚାମଚ ଲୁଣ ମିଶାଇ କୁଳି କରନ୍ତୁ। ଏହା ପ୍ରତିଦିନ କରିବା ଦ୍ୱାରା ମାଢ଼ି ଫୁଲିବ ନାହିଁ, ଦାନ୍ତ ମୂଳରେ ମଇଳା ଜମିବ ନାହିଁ।
  • ଦାନ୍ତକୁ ସବୁବେଳେ ବୃତ୍ତାକାର ଗତିରେ ବ୍ରସ୍‌ କରନ୍ତୁ।
  • ସବୁବେଳେ ଦାନ୍ତର ବାହାର ପଟ, ଭିତର ପଟ ଓ ଉପର ପଟକୁ ବ୍ରସ୍‌ ସାହାଯ୍ୟରେ ସଫା କରିବେ।
  • ଫ୍ଲୋରାଇଡ୍‌ଯୁକ୍ତ ପେଷ୍ଟ ବ୍ୟବହାର କରନ୍ତୁ।  ଆପଣ ଯେଉଁ ପେଷ୍ଟରେ ଦାନ୍ତ ଘଷୁଛନ୍ତି, ସେହି ପେଷ୍ଟରେ ଛୋଟ ପିଲାଙ୍କର ଦାନ୍ତ ଘଷନ୍ତୁ ନାହିଁ।
  • ଦାନ୍ତକୁ ସବୁବେଳେ ୨ରୁ ୩ ମିନିଟ୍‌ ଯାଏଁ ଘଷନ୍ତୁ।
  • ସବୁବେଳେ ଏକ ଦର୍ପଣ ସାମ୍ନାରେ ବ୍ରସ୍‌ କରନ୍ତୁ। ଫଳରେ ଆପଣ ଜାଣିପାରିବେ ଯେ, ଆପଣଙ୍କ ଦାନ୍ତରୁ ରକ୍ତ ବାହାରୁଛି କି ନାହିଁ। ବ୍ରସ୍‌ କରି ଛେପ ପକାଇବା ବେଳେ ଦେଖନ୍ତୁ ରକ୍ତ ବାହାରୁଛି କି ନାହିଁ।
  • ଦାନ୍ତକୁ ଅଧିକ ଜୋରରେ କିମ୍ବା ଅଧିକ ସମୟ ବ୍ରସ୍‌ କରିବା ଦ୍ୱାରା ଦାନ୍ତରୁ ମଧ୍ୟ ରକ୍ତ ବାହାରିଥାଏ।
  • ମିଠା ଜାତୀୟ ଖାଦ୍ୟ ଓ ବାହାର ଖାଦ୍ୟ ଖାଇବକୁ କମ୍‌ କରନ୍ତୁ। କେବେ ମିଠା ଜାତୀୟ ଖାଦ୍ୟ, ଶିରାଯୁକ୍ତ ଖାଦ୍ୟ, ଅମୁଲ, ଚକୋଲେଟ୍‌ ଖାଇବାପରେ ଦାନ୍ତକୁ ବ୍ରସ୍‌ କରନ୍ତୁ। କାରଣ କେବଳ କୁଳୁକୁଜା କରିବା ଦ୍ୱାରା ଏହା ସଫା ହୋଇନଥାଏ।
  • ଦାନ୍ତର କୌଣସି ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ। ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ମେଡିସିନ୍‌ ଖାଆନ୍ତୁ ନାହିଁ।
  • ମନଇଛା ମାଉଥ୍‌ ଓ୍ୱାସ୍‌ ବ୍ୟବହାର କରନ୍ତୁ ନାହିଁ। ମାଉଥ୍‌ଓ୍ୱାସ୍‌ର ସଠିକ୍‌ ମାତ୍ରା ଓ ପଦ୍ଧତି ଜାଣି ପ୍ରତିଦିନ ରାତିରେ ପାଟି ସଫା କରିପାରିବେ।
  • ମାଉଥ୍‌ ଓ୍ୱାସ୍‌ ବ୍ୟବହାର କରିବାର ଅଧଘଣ୍ଟା ଯାଏଁ ପାଟିରେ ସାଧା ପାଣି ଦେବେ ନାହିଁ, କିଛି ଖାଦ୍ୟ ଖାଇବେ ନାହିଁ। ତେଣୁ ସବୁବେଳେ ଶୋଇବା ପୂର୍ବରୁ ମାଉଥ୍‌ ଓ୍ୱାସର ବ୍ୟବହାର କରନ୍ତୁ।
  • ସବୁବେଳେ ମାଉଥ୍‌ଓ୍ୱାସ୍‌କୁ ଗୋଟେ ମିନିଟ୍‌ ଯାଏଁ କୁଳି କରନ୍ତୁ।
  • ପାଇରିଆକୁ ସାଧାରଣ ସମସ୍ୟା ଭାବି ଅଣଦେଖା କରନ୍ତୁ ନାହିଁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଦିବ୍ୟ ଲୋଚନ ସ୍ୱାଇଁଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Pyorrhea, in Odia language, is based on an extensive interview with Senior dental surgeon Dr Dibya Lochan Swain.