ବୟସ ବଢ଼ିବା ସହିତ ମାନସିକତାରେ ପରିବର୍ତ୍ତନ ହୋଇଥାଏ। ବୟସ ସହିତ ତାଳଦେଇ ମନର ଉତ୍ସାବ ବି କମିଯାଏ। ଏପରିସ୍ଥଳେ ବୁଢ଼ା ବାପା, ମା ଯେପରି ଫିଟ୍ ରହିବେ ସେଥିପାଇଁ ସ୍ୱତନ୍ତ୍ର ଯତ୍ନ ନେବା ଆବଶ୍ୟକ।

ଫିଜିସିଆନ୍‌ଙ୍କ ସହ ପରାମର୍ଶ କରନ୍ତୁ: ବୃଦ୍ଧାବସ୍ଥାରେ ସବୁଠୁ ବଡ଼ ସମସ୍ୟା ହୋଇଥାଏ ଚଲାବୁଲା। ଜଣେ ଠିକ୍ ଭାବେ ଚଲାବୁଲା କଲେ ଯାଇ ନିଜ କାମ ନିଜେ କରିପାରିବ। ଫଳରେ ଅନ୍ୟ ଉପରେ ନିର୍ଭରଶୀଳ ହେବନାହିଁ। ଏହି ଆତ୍ମବିଶ୍ୱାସ ହିଁ ତାକୁ ଫିଟ୍ ରଖିବ। ତେଣୁ ବାପା, ମା’ ବୃଦ୍ଧାବସ୍ଥାରେ ଉପନୀତ ହୋଇଥିଲେ ସର୍ବପ୍ରଥମେ ଫିଜିସିଆନଙ୍କ ସହ ପରାମର୍ଶ କରନ୍ତୁ। ସେମାନଙ୍କ ପାଇଁ କିଭଳି ବ୍ୟାୟାମର ଆବଶ୍ୟକତା ରହିଛି ତାହା ବୁଝନ୍ତୁ। ଆବଶ୍ୟକ ସ୍ଥଳରେ ସେମାନଙ୍କୁ ପ୍ରତିଦିନ ବ୍ୟାୟାମ କରାନ୍ତୁ। ବ୍ୟାୟାମ ସେମାନଙ୍କ ମନରେ ଏକ ନୂଆ ଉତ୍ସାହ ଆଣିଦେବ।

ଡାଏଟିସିଆନଙ୍କ କଥା ମାନନ୍ତୁ: ବୟସ ବଢ଼ିଲେ ଶରୀରକୁ ଅଧିକ କ୍ୟାଲସିୟମ ଆବଶ୍ୟକତା ପଡ଼ିଥାଏ। ତେଣୁ ଡାଏଟିସିଆନଙ୍କ ସହ ପରାମର୍ଶ କରି ସେମାନଙ୍କର ଡାଏଟ୍ ସ୍ଥିର କରନ୍ତୁ। ଏହାଛଡ଼ା ପ୍ରତିଦିନ ଖରାରେ ସେମାନଙ୍କୁ ଅଧ ଘଣ୍ଟା ଲେଖାଏଁ ବସାନ୍ତୁ। ଛୋଟ ପିଲାଙ୍କ ଭଳି ଆଣ୍ଠୁ ଓ ଗଣ୍ଠି ସ୍ଥାନରେ ତେଲ ମାଲିସ କରନ୍ତୁ।

  • ଯୁବାବସ୍ଥାରେ ଆମେ ଯାହାବି ଖାଉ ତାହା ଖୁବ୍ ଶୀଘ୍ର ହଜମ ହୋଇଯାଇଥାଏ। କାରଣ ଆମର ଶାରୀରିକ ଗତିବିଧି ଏତେ ଅଧିକ ଥାଏ ଯେ ତାକୁ ହଜମ ହେବାକୁ ସମୟ ଲାଗେନାହିଁ। କିନ୍ତୁ ବୟସ ବଢ଼ିଲେ ସେପରି ହୁଏନାହିଁ। ଏହା ସହ ଶରୀରରେ ହରମୋନ୍‌ ସ୍ତର ବିଗିଡ଼ିଯାଏ। ଯାହାର ସିଧାସଳଖ ଭାବେ ମସ୍ତିଷ୍କର କାର୍ଯ୍ୟକ୍ଷମତା ଉପରେ ପ୍ରଭାବ ପକାଇଥାଏ। ଏହାଯୋଗୁଁ ମଣିଷ ଅନେକ କଥା ଭୁଲିବାକୁ ଲାଗେ। ବାପା ମା’ଙ୍କଠାରେ ଏଭଳି କିଛି ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯାନ୍ତୁ। ଯାହାଫଳରେ କି ସେମାନେ ଡିମେନ୍‌ସିଆ କିମ୍ବା ଆଲଝାଇମରର ଶିକାର ହେବେନାହିଁ।
  • ଯଦି ଆପଣଙ୍କ ବାପା ମା’ ଆପଣଙ୍କ କଥା ଉପରେ ପୂର୍ବାପେକ୍ଷା ପ୍ରତିକ୍ରିୟା ପ୍ରକାଶ କରୁନଥାନ୍ତି ତା’ ହେଲେ ଏହା ଶ୍ରବଣଶକ୍ତି ଜନିତ ସମସ୍ୟା ହୋଇପାରେ। ଏଭଳି କ୍ଷେତ୍ରରେ ଇନ୍‌ଟି ବିଶେଷଜ୍ଞ ସହ ପରାମର୍ଶ କରନ୍ତୁ।
  • ବୟସ ବୃଦ୍ଧି ସହିତ ଶରୀରରେ ହରମୋନ୍‌ର ଅସନ୍ତୁଳନ ଦେଖାଯାଏ। ତେଣୁ ଲୋକମାନଙ୍କର ମୁଡ୍ ବାରମ୍ବାର ପରିବର୍ତ୍ତନ ହୋଇଥାଏ। ଏହି କାରଣରୁ ସେମାନେ ଚିଡ଼ଚିଡ଼ା ମଧ୍ୟ ହୋଇଯା’ନ୍ତି। ଏପରି ହେଉଥିଲେ ସେମାନଙ୍କୁ କିଛି ଦିନ ପାଇଁ ଅନ୍ୟ ସ୍ଥାନକୁ ବୁଲାଇ ନେଇଯାନ୍ତୁ। ସେମାନଙ୍କ ପସନ୍ଦର କାମ କରିବାକୁ ପ୍ରୋତ୍ସାହିତ କରନ୍ତୁ।
  • ବୟସ୍କ ଲୋକମାନେ ସବୁବେଳେ ନିଜ ପସନ୍ଦର ଲୋକଙ୍କ ସହିତ ଆଲୋଚନା କରିବାକୁ ଭଲ ପାଆନ୍ତି। ତେଣୁ ସେମାନଙ୍କ ଉପରେ ବିରକ୍ତ ନହୋଇ ଆଖପାଖରେ ଥିବା ପାର୍କକୁ ବୁଲାଇ ନେଇଯାନ୍ତୁ। ସମ୍ଭବ ହେଲେ ସେମାନଙ୍କର ବନ୍ଧୁମାନଙ୍କୁ ଘରକୁ ଡକାଇ ଭୋଜିର ଆୟୋଜନ କରିପାରିବେ। ମାସରେ ଅତି କମରେ ଥରେ ଏପରି କଲେ ସେମାନେ ମାନସିକ ଭାବେ ସୁସ୍ଥ ରହିବେ।
  • ବୁଢ଼ା ବାପା ମା’ଙ୍କୁ ଯାହା କରିବାକୁ ଭଲ ଲାଗେ ସେହି କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରନ୍ତୁ। – ନିୟମିତ ବ୍ୟବଧାନରେ ବାପା ମା’ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ।