୨୦୨୦ ମସିହାରେ ଆରମ୍ଭ ହୋଇଥିବା ମହାମାରୀ କରୋନା ଏବେ ପୁଣି ନିଜର ତାଣ୍ଡବ ରଚାଉଥିବା ବେଳେ ଏହାଠାରୁ ବର୍ତ୍ତିବାର ଏକ ମାତ୍ର ଉପାୟ ହେଉଛି ସତର୍କତା। କରୋନାକୁ ନେଇ ବ୍ୟସ୍ତ ବିବ୍ରତ ନ ହୋଇ, କରୋନା ସହିତ ବଞ୍ଚିବାକୁ ଶିଖିବାକୁ ହେବ।

କୋଭିଡ୍ ଡବଲ ମ୍ୟୁଟାଣ୍ଟର ଲକ୍ଷଣ

କରୋନାର ପ୍ରଥମ ଲହରର ଲକ୍ଷଣଗୁଡ଼ିକ ଥିଲା ଶୁଖିଲା କାଶ, ଜ୍ବର, ନିଶ୍ବାସ ନେବାରେ ଅସୁବିଧା ଏବଂ ସ୍ବାଦ ଓ ଗନ୍ଧ ବାରି ନ ପାରିବା। ହେଲେ ଦ୍ବିତୀୟ ଲହରରେ ଏସବୁ ଲକ୍ଷଣ ସହିତ ମୁଣ୍ଡ ବିନ୍ଧା, ଅବଶ ଲାଗିବା, ତରଳ ଝାଡ଼ା, ଦୁର୍ବଳତା, ଦେହ ହାତ ବ୍ୟଥା, ବାନ୍ତି ଆଦି ଲକ୍ଷଣମାନ ଦେଖାଦେଉଛି। ଏଥିମଧ୍ୟରୁ ରୋଗୀ ନିକଟରେ କେବଳ ଗୋଟିଏ କିମ୍ବା ସମସ୍ତ ଲକ୍ଷଣ ଦେଖାଦେଇପାରେ।

ପୂର୍ବବର୍ଷ କରୋନାରେ ଶିଶୁମାନେ ପ୍ରାୟତଃ ଆକ୍ରାନ୍ତ ହେଉ ନଥିଲେ, ହେଲେ ଏବେ ଏହି ଭୂତାଣୁ ଶିଶୁମାନଙ୍କୁ ସଂକ୍ରମିତ କରିବାର ଖବର ସାମ୍ନାକୁ ଆସୁଛି। ତେଣୁ ପିଲାଙ୍କର ଯତ୍ନ ନେବା ନିହାତି ଜରୁରୀ। ଆସନ୍ତୁ ଏବେ ଜାଣିବା କରୋନାରୁ କିପରି ସୁରକ୍ଷିତ ରହିବା

ଅଧିକ ପଢ଼ନ୍ତୁ: ଜାଣନ୍ତୁ, କେମିତି ପିନ୍ଧିବେ ଡବଲ ମାସ୍କ?

ମାସ୍କ ପିନ୍ଧନ୍ତୁ 

  • ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ ୨ ବର୍ଷରୁ ଅଧିକ ବୟସର ଶିଶୁ ଏବଂ ବୟସ୍କ ବ୍ୟକ୍ତି ସମସ୍ତେ ମାସ୍କ ପିନ୍ଧିବା ଜରୁରୀ।  
  • N95 ମାସ୍କ ବ୍ୟବହାର କରନ୍ତୁ ନାହିଁ। 
  • ନାକ, ପାଟି ଏବଂ ଥୋଡ଼ିକୁ ସଠିକ ଭାବରେ ଘୋଡ଼େଇ ହେଉଥିବା ଭଳି ମାସ୍କ ପିନ୍ଧନ୍ତୁ। 
  • ଜନଗହଳିପୂର୍ଣ୍ଣ ସ୍ଥାନରେ ମୁହଁରୁ ମାସ୍କ ହଟାନ୍ତୁ ନାହିଁ। 
  • ମାସ୍କ ପିନ୍ଧିଲେ ମଧ୍ୟ ସାଧାରଣ ଭାବରେ ନିଶ୍ୱାସ ନେଇପାରୁଛନ୍ତି କି ନାହିଁ, ଧ୍ୟାନ ଦିଅନ୍ତୁ। 
  • ଅତି ଜରୁରୀ ନ ଥିଲେ ବାହାରକୁ ଯାଆନ୍ତୁ ନାହିଁ।
  • ବାହାରକୁ ଯାଉଥିଲେ ଡବଲ ମାସ୍କ ପିନ୍ଧନ୍ତୁ। 

ସାମାଜିକ ଦୂରତା ବଜାୟ ରଖନ୍ତୁ 

ଘରେ ଯଦି କେହି ଅସୁସ୍ଥ ଅଛନ୍ତି ତେବେ ତାଙ୍କଠାରୁ ୬ ଫୁଟର ଦୂରତା ରଖନ୍ତୁ। 

କୌଣସି ଲକ୍ଷଣ ନଥାଇ ମଧ୍ୟ ବ୍ୟକ୍ତି କରୋନାରେ ପୀଡ଼ିତ ହୋଇଥାଇପାରନ୍ତି, ତେଣୁ ବାହାରେ ବା ଜନଗହଳିପୂର୍ଣ୍ଣ ସ୍ଥାନରେ ୬ ଫୁଟର ଦୂରତା ବଜାୟ ରଖନ୍ତୁ। 

ମଧୁମେହ, ଆସ୍ଥମା, ଉଚ୍ଚ ରକ୍ତଚାପ ଥିବା ଭଳି ଅନ୍ୟାନ୍ୟ ସମସ୍ୟା ଥିବା ବ୍ୟକ୍ତି ଅଧିକ ସାବଧାନ ରହନ୍ତୁ।

covid19 vaccine

ଅଧିକ ପଢ଼ନ୍ତୁ: କୋଭିଡ୍‌ ରୋଗୀଙ୍କ ପାଇଁ ବ୍ରିଦିଙ୍ଗ ଏକ୍ସରସାଇଜ୍

କରୋନା ଟିକା ନିଅନ୍ତୁ 

କୋଭିଡ୍‌ର ୨ଟି ଡୋଜ୍ ଟିକା ନେବା ପରେ ବି କେତେକ ଲୋକ ସଂକ୍ରମିତ ହେଉଛନ୍ତି, ହେଲେ ଅଧିକାଂଶ ମାମଲାରେ ସେମାନେ ସ୍ବଳ୍ପ ଲକ୍ଷଣଯୁକ୍ତ ବା ଲକ୍ଷଣବିହୀନ। ଏହି ବ୍ୟକ୍ତିଙ୍କଠାରୁ ଅନ୍ୟମାନଙ୍କୁ ସଂକ୍ରମିତ ହେବାର ଆଶଙ୍କା ଶୂନ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଟିକା ନେବା ଦ୍ୱାରା କରୋନାର ଲକ୍ଷଣଗୁଡ଼ିକ ସେତିକି ଗୁରୁତର ହୋଇନଥାଏ ବୋଲି ଅନେକ ବିଶେଷଜ୍ଞମାନେ ମତ ରଖିଛନ୍ତି। ତେଣୁ କରୋନାରୁ ବର୍ତ୍ତିବାର ଏକ ମାତ୍ର ସାହାରା ହେଉଛି ଟିକା ତେଣୁ ସରକାରଙ୍କ ଅନୁମତି ପ୍ରାପ୍ତ କରୋନା ଟିକା ଗ୍ରହଣ କରନ୍ତୁ। 

କରୋନା ଟିକା ସମ୍ବନ୍ଧିତ ଗୁଜବଠାରୁ ଦୂରେଇ ରହନ୍ତୁ। 

hand sanitizer

ଅଧିକ ପଢ଼ନ୍ତୁ: ସଙ୍ଗରୋଧରେ ଥିଲେ କ’ଣ କରିବେ ଓ କ’ଣ ନାହିଁ?

ବାରମ୍ବାର ହାତ ଧୁଅନ୍ତୁ 

  • ବାରମ୍ବାର ହାତ ଧୋଇବା ହେଉଛି ଏହି ଭୂତାଣୁକୁ ମାତ୍ ଦେବାର ଅସ୍ତ୍ର। କାଶିବା ବା ଛିଙ୍କିବା, ନାକ ବା ପାଟିକୁ ଛୁଇବା ପରେ ହାତକୁ ଭଲ ଭାବରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ସଫା କରନ୍ତୁ।  
  • ଏହା ଛଡ଼ା ଅନ୍ୟ କେତେବେଳେ ହାତ ଧୋଇବା ଦରକାର ତାହା ନିମ୍ନରେ ଉଲ୍ଲେଖ କରାଯାଇଛି। 
  • ରୋଷେଇ କରିବା ପୂର୍ବରୁ ଏବଂ ପରେ। 
  • ମୁହଁକୁ ଛୁଇବା ପୂର୍ବରୁ। 
  • କୌଣସି ଜନଗହଳିପୂର୍ଣ୍ଣ ସ୍ଥାନରୁ ଫେରିଥିଲେ। 
  • ମାସ୍କକୁ ଛୁଇଁବା ପରେ। 
  • କୌଣସି ଅସୁସ୍ଥ ବ୍ୟକ୍ତିଙ୍କର ଯତ୍ନ ନେବା ପରେ। 
  • ସାବୁନ କି ପାଣି ପାଖରେ ନଥିଲେ ସାନିଟାଇଜର ବ୍ୟବହାର କରନ୍ତୁ। 
  • ହାତକୁ ସଫା ନକରି ଆଖି,ନାକ ଏବଂ ମୁହଁକୁ ସ୍ପର୍ଶ କରନ୍ତୁ ନାହିଁ। 
  • ଯଦି ମାସ୍କ ପିନ୍ଧିବା ସମୟରେ ଛିଙ୍କ ଏବଂ କାଶ ହୁଏ, ତେବେ ତୁରନ୍ତ ହାତ ଧୂଅନ୍ତୁ ଏବଂ ମାସ୍କ ବଦଳାନ୍ତୁ। 
  • ଚଟାଣ ସଫା କରନ୍ତୁ 
  • ଦୈନିକ ବ୍ୟବହାର ହେଉଥିବା ବସ୍ତୁକୁ କବାଟ ହ୍ୟାଣ୍ଡେଲ, ଟେବୁଲ, ଲାଇଟ ସୁଇଚ, ମୋବାଇଲ ଫୋନ୍ ଏବଂ ଘରର ଚଟାଣକୁ ସବୁବେଳେ ସାନିଟାଇଜ କରନ୍ତୁ।  

ନିଜ ଦେହକୁ ନିଜେ ବୈଦ

ନିଜ ଦେହକୁ ନିଜେ ବୈଦ। ଏହାର ଅର୍ଥ ହେଲା ନିଜ ଦେହର ସମସ୍ୟା ନିଜ ଛଡ଼ା ଆଉ କେହି ଜାଣିପାରିବେ ନାହିଁ। ତେଣୁ ନିଜ ଦେହର ଯତ୍ନ ନିଅନ୍ତୁ। ନିଜ ଶରୀରର ତାପମାତ୍ରା, ଅକ୍ସିଜେନ୍ ସ୍ତର ନିଜେ ପରୀକ୍ଷା କରନ୍ତୁ। କରୋନାର କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

ହୋମ୍‌ ଆଇସୋଲେସନ୍‌ରେ ଥିବା ବ୍ୟକ୍ତି ପଲ୍ସ ଅକ୍ସିମିଟର ସାହାଯ୍ୟରେ ନିୟମିତ ଅମ୍ଳଜାନ ସ୍ତର ମାପିପାରିବେ। ଯଦି ୯୪ ପ୍ରତିଶତ ତଳକୁ ରହେ, ତେବେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସା ହୋଇପାରିବେ ଏବଂ ଜଲ୍‌ଦି ସୁସ୍ଥ ହୋଇପାରିବେ।

ଜରୁରୀ ଟିପ୍ସ

ଯଦି ଆପଣଙ୍କୁ ଲାଗୁଛି, ଆପଣ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି, ତେବେ ଆରଟିପିସିଆର୍ ଟେଷ୍ଟ କରାଇ ନିଅନ୍ତୁ। କିନ୍ତୁ, ଯଦି ଆରଟିପିସିଆର୍ ନେଗେଟିଭ୍ ଆସୁଛି ଏବଂ ରୋଗର ଲକ୍ଷଣ ରହୁଛି, ତାହାହେଲେ ସିଟି ସ୍କାନ୍ କରାନ୍ତୁ।