ଲିଭରକୁ କେମିତି ରଖିବେ ସୁସ୍ଥ? ଏନେଇ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁଙ୍କ କ’ଣ ରହିଛି ଉପଦେଶ ଆସନ୍ତୁ ଜାଣିବା।

ଲିଭର ବା ଯକୃତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଲିଭର ବିନା ଜୀବନ ଅସମ୍ଭବ। ଲିଭର ଶରୀରରେ ଅହରହ କାମ କରିଥାଏ। ଖାଦ୍ୟ ହେଉ କିମ୍ବା ମେଡିସିନ୍, ଆମେ ଯାହା ବି ଖାଇଥାଉ ତାହା ରକ୍ତରେ ମିଶି ପ୍ରଥମେ ଲିଭରକୁ ଯାଇ ବିଶୁଦ୍ଧ ହୋଇଥାଏ। ଲିଭର ପ୍ରୋଟିନ୍ ତିଆରି କରେ। ରୋଗ ପ୍ରତିରୋଧକ ଶକ୍ତିକୁ ତିଆରି କରିବାରେ ମଧ୍ୟ ଲିଭର ସାହାଯ୍ୟ କରିଥାଏ। ତେଣୁ ଲିଭର ସୁସ୍ଥ ରହିବା ନିହାତି ଦରକାର।

କେମିତି ଜାଣିବେ ଲିଭର ସୁସ୍ଥ ନା ଅସୁସ୍ଥ? (How do you know if your Liver is Healthy or not)

ପ୍ରାଥମିକ ଅବସ୍ଥାରେ ଲିଭର ପ୍ରଭାବିତ ହେଲେ ତାହା ଜଣାପଡ଼ିନଥାଏ। କାରଣ ଲିଭର ତା’ର କାମ କରିଚାଲିଥାଏ। ଯେତେବେଳେ ଲିଭରର ବେଶି ଅଂଶ ନଷ୍ଟ ହୋଇଯାଏ, ସେତେବେଳେ ଲକ୍ଷଣ ଜଣାପଡ଼ିଥାଏ।  ସେହି ଲକ୍ଷଣଗୁଡ଼ିକ ହେଉଛି:

ଦୁର୍ବଳ ଲାଗିବ

ଭୋକ ଲାଗିବ ନାହିଁ

ଜଣ୍ଡିସ୍‌ ହେବ, ଯେପରିକି ପରିସ୍ରା ହଳଦିଆ ହେବ, ପାଦ ହଳଦିଆ ଦେଖାଯିବ ଓ ଆଖି ହଳଦିଆ ଦେଖାଯିବ

ପେଟରେ ପାଣି ଜମା ହୋଇଯିବା

ପାଦ ଫୁଲିଯିବ

ରକ୍ତ ବାନ୍ତି ହେବ

କଳା ଝାଡ଼ା ହେବ

ଅଚେତ ହୋଇଯିବା ଭଳି ଲକ୍ଷଣମାନ ଦେଖାଦିଏ।

ହେଲେ ପ୍ରାଥମିକ ଅବସ୍ଥାରୁ ଏହାର କୌଣସି ଲକ୍ଷଣ ଜଣାପଡ଼ିନଥାଏ। ତେବେ ଲିଭର ସୁସ୍ଥ ଅଛି ନା ଅସୁସ୍ଥ ଜାଣିବା ପାଇଁ ହେଲେ ଏଲ୍‌ଏଫ୍‌ଟି, ରକ୍ତ ପରୀକ୍ଷା ଓ ଅଲଟ୍ରାସାଉଣ୍ଡ କରାଯାଏ।

ଅଧିକ ପଢ଼ନ୍ତୁ: ଲିଭର ବା ଯକୃତ ବିନା ଜୀବନ ସମ୍ଭବ ନୁହେଁ!

ଲିଭର ଅସୁସ୍ଥ ହେବାର କାରଣ (The Cause of Liver Disease)

ଆମେ ଯାହା ବି କିଛି ଖାଉ ତାହା ପ୍ରଥମେ ଲିଭରକୁ ଯାଏ। ଆମ ଶରୀରର ଦୂଷିତ ଅଂଶ ପ୍ରଥମେ ଲିଭରକୁ ଯାଏ ଓ ସେଠାରେ ଛାଣି ହୋଇ ହୃଦୟକୁ ଯାଇ ସଞ୍ଚାଳନ ହୁଏ। ଏହି ପର୍ଯ୍ୟାୟରେ ଲିଭର ପ୍ରଭାବିତ ହୁଏ। ପ୍ରାଥମିକ ଅବସ୍ଥାରେ ଏହାକୁ ଆକ୍ୟୁଟ୍‌ ହେପାଟାଇଟିସ୍‌ କୁହାଯାଏ। ଯଦି ଲିଭରରେ ସମସ୍ୟା ୬ମାସରୁ ବେଶି ରହେ, ତାକୁ କ୍ରୋନିକ୍‌ ହେପାଟାଇଟିସ୍‌ କୁହାଯାଏ।

କୌଣସି ସଂକ୍ରମଣ ଯୋଗୁଁ ଲିଭରରେ ସମସ୍ୟା ହେଲେ ତାକୁ ଅକ୍ୟୁଟ୍‌ ହେପାଟାଇଟିସ୍‌ କୁହାଯାଏ। ଔଷଧ ଖାଇବା ଦ୍ଵାରା ଲିଭର ପ୍ରଭାବିତ ହେଲେ ତାକୁ ଡ୍ରଗ୍‌ ଇଣ୍ଡୁସ୍‌ଡ୍‌ ହେପାଟାଇଟିସ୍‌ କୁହାଯାଏ। ତା’ଛଡ଼ା ଖାଦ୍ୟପେୟରେ ସନ୍ତୁଳନ ନ ରହିଲେ ଲିଭର ସମସ୍ୟା ହୋଇପାରେ, ଯାହାକୁ ଫ୍ୟାଟି ଲିଭର ରୋଗ କୁହାଯାଏ।

ଜେନେଟିକ୍‌ କାରଣ ଓ ମଦ୍ୟପାନ ଯୋଗୁଁ ମଧ୍ୟ ଲିଭର ଖରାପ ହୋଇପାରେ।

ଫ୍ୟାଟି ଲିଭର ରୋଗ କାହିଁକି ଦେଖାଯାଉଛି? (Why Does Fatty Liver Disease Appear)

ଲିଭରରେ ଅଧିକ ଚର୍ବି ଜମା ହୋଇ ରହିବାକୁ ଫ୍ୟାଟି ଲିଭର ରୋଗ କୁହାଯାଏ। ଭାରତରେ ୨୦ରୁ ୩୦ ପ୍ରତିଶତ ଲୋକ ଫ୍ୟାଟି ଲିଭର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଲିଭରରେ ଅତ୍ୟଧିକ ଚର୍ବି ଜମା ହେଲେ ଫ୍ୟାଟି ଅକ୍ସିଡେସନ୍‌ ହୁଏ ଓ ଲିଭର ସଂକ୍ରମଣ ହୋଇ ନଷ୍ଟ ହେବା ଆରମ୍ଭ କରେ।  ଭବିଷ୍ୟତରେ ତାହା ଲିଭର ସିରୋସିସ୍ କିମ୍ବା ଲିଭର କର୍କଟର କାରଣ ପାଲଟେ। 

ଅଧିକ ପଢ଼ନ୍ତୁ: ଓଡ଼ିଶାରେ କୋଭିଡ୍ ଚିକିତ୍ସା କେମିତି ଚାଲିଛି?

ଆଧୁନିକ ଜୀବନଶୈଳୀ ଲିଭର ରୋଗର କାରଣ (Modern Lifestyle Causes Liver Disease)

ଅଧିକ ତୈଳାକ୍ତ ଖାଦ୍ୟ ଖାଇବା, ବହୁତ ସମୟ ଶୋଇ ରହିବା, କୌଣସି ଶାରୀରିକ କାର୍ଯ୍ୟ ନ କରିବା ଦ୍ୱାରା, କ୍ୟାଲୋରି ଯୁକ୍ତ ଖାଦ୍ୟ ଅଧିକ ଖାଇବା, ମେଦବହୁଳତା, ଉଚ୍ଚତା ଅନୁସାରେ ଓଜନ ଅଧିକ ଯୋଗୁଁ ଫ୍ୟାଟି ଲିଭର ସମସ୍ୟା ହୋଇଥାଏ। କେତେକ କ୍ଷେତ୍ରରେ ବହୁତ ପତଳା ଲୋକଙ୍କର ମଧ୍ୟ ଫ୍ୟାଟି ଲିଭର ସମସ୍ୟା ହୋଇପାରେ। କାରଣ ସେମାନେ ସିନା ପତଳା ଥା’ନ୍ତି ଏବଂ ଓଜନ କମ୍‌ ଥାଏ, ହେଲେ ତାଙ୍କ ଶରୀରରେ କିଛି ଚର୍ବି ବିସେରାଲ ହୋଇ ରହିଛି। ତେଣୁ ଖାଦ୍ୟପେୟ ଓ ଜୀବନଶୈଳୀ ଉପରେ ଧ୍ୟାନ ଦେବାକୁ ପଡ଼ିବ।

ଲିଭର ରୋଗର ଜଟିଳତା (Complications of Liver Disease)

ଯେକୌଣସି ରୋଗକୁ ପ୍ରାଥମିକ ଅବସ୍ଥାରେ ଜାଣି ପାରିଲେ ତାହାର ଚିକିତ୍ସା ସହଜ ଓ ରୋଗୀର ଭଲ ହେବାର ସମ୍ଭାବନା ଅଧିକ। ଲିଭର ରୋଗକୁ ବି ପ୍ରାଥମିକ ଅବସ୍ଥାରେ ଚିହ୍ନିପାରିଲେ, ତାହା ଠିକ୍‌ ହୋଇପାରିବ। ତେଣୁ, ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟର ପରୀକ୍ଷା କରିବା ଜରୁରୀ।

Fruit

ସୁସ୍ଥ ଲିଭର ପାଇଁ କ’ଣ ଖାଇବେ? (What to Eat for a Healthy Liver)

ସନ୍ତୁଳିତ ଖାଦ୍ୟ ଯେପରିକି କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌ ସହ ଭିଟାମିନ୍‌ ଓ ମିନେରାଲ୍ସ ସେବନ କରିବା ଦରକାର। ମଇଦା, ଚିନିଯୁକ୍ତ ଖାଦ୍ୟ କମ୍‌ ଖାଇବା ଜରୁରୀ। ପ୍ରତ୍ୟେକ ଦିନ ବ୍ୟାୟାମ କରିବା ଦ୍ଵାରା ଲିଭର ସୁସ୍ଥ ରହିବ। ସବୁଜ ପନିପରିବା, ଫଳମୂଳ, ଫାଇବ, ଦହି, ମାଛ ଖାଆନ୍ତୁ। ଆପଣ କଫି ପିଇପାରିବେ, କାରଣ କଫିରେ ଥିବା କ୍ୟାଫିନ୍‌ ଲିଭରକୁ ସୁରକ୍ଷା ଦିଏ। ଉଚ୍ଚତା ଅନୁସାରେ ଓଜନକୁ ନିୟନ୍ତ୍ରଣ ରଖିବାକୁ ହେବ।

ଅତ୍ୟଧିକ ମଦ୍ୟପାନ କରିବା ଫ୍ୟାଟି ଲିଭର ରୋଗର ଅନ୍ୟତମ ପ୍ରମୁଖ କାରଣ। ଏହାଦ୍ୱାରା ଲିଭରରେ ଚର୍ବି ଜମା ହୋଇଥାଏ। ଫଳରେ ଲିଭର ଠିକ୍ ଭାବେ କାମ କରିପାରେନାହିଁ। ତେଣୁ ମଦ୍ୟପାନରୁ ଦୂରେଇ ରହନ୍ତୁ।

water for health

ସୁସ୍ଥ ଲିଭର ପାଇଁ ପାଣିର ଭୂମିକା (The Role of Water for Healthy Liver)

ଲିଭର ପାଇଁ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଖାଦ୍ୟ ଖାଆନ୍ତୁ ବା ପାଣି ପିଅନ୍ତୁ ତାହା ପ୍ରଥମେ ଲିଭରକୁ ଯିବ। ଭାରତରେ ହେପାଟାଇଟିସ୍‌ ଇ ସବୁଠାରୁ ସାଧାରଣ। ଏହା ଦୂଷିତ ପାଣି ଯୋଗୁଁ ହୋଇଥାଏ। ତେଣୁ ପାଣି ସ୍ୱଚ୍ଛ ହେବା ଦରକାର। ପ୍ରତ୍ୟେକ ଦିନ ୩ରୁ ୪ ଲିଟର ପାଣି ପିଅନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମନୋଜ କୁମାର ସାହୁଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on How to keep liver healthy, in Odia language, is based on an extensive interview with ‌gastroenterologist, Dr Manoj Kumar Sahu.